ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ ସହଯୋଗ କରିବ ଏଫବିଆଇ, ଜାଣନ୍ତୁ FBI କ’ଣ

1 min read

ଭୁବନେଶ୍ୱର: ନବକିଶୋର ଦାସ ହତ୍ୟା ମାମଲାରେ ଏଫବିଆଇ ସହାୟତା ଲୋଡ଼ିଲା କ୍ରାଇମବ୍ରାଞ୍ଚ। ଆମେରିକୀୟ ତଦନ୍ତକାରୀ ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ) ଅଭିଯୁକ୍ତ ଗୋପାଳର ବ୍ୟବହାର ଅନୁଧ୍ୟାନ କରିବ। ହତ୍ୟା ପଛର ମୋଟିଭ୍ ଜାଣିବାକୁ ଆମେରିକୀୟ ସଂସ୍ଥାର ସହାୟତା ନିଆଯିବ। ତେବେ ଆସନ୍ତୁ ଜାଣିବା ଏଫବିଆଇ କ’ଣ?

ଏଫବିଆଇ ହେଲା ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ । ୧୯୦୮ ମସିହାରେ ଏହି ତଦନ୍ତକାରୀ ସଂସ୍ଥା ଗଠନ କରିଥିଲା ଆମେରିକା । ୧୯୭୨ ମସିହାରେ ବ୍ୟବହାରିକ ବିଶ୍ଳେଷକ ନିଯୁକ୍ତ ହୋଇଥିଲେ । ଆମେରିକାରେ ବନ୍ଧୁକ ରଖିବାରେ କୌଣସି କଟକଣା ନାହିଁ । ସେଥିପାଇଁ ଅନେକ ସମୟରେ ବନ୍ଧୁକ ଦ୍ବାରା ହତ୍ୟା ଘଟଣା ସହ ବହୁ ସିରିଆଲ ହତ୍ୟା ଘଟଣା ସଂଗଠିତ ହୋଇଥାଏ

ଅନେକ ମାମଲାରେ ହତ୍ୟାକାରୀର ଉଦ୍ଦେଶ୍ୟ ଜଣାପଡିନଥାଏ। ଫଳରେ ଏହାର ସମାଧାନ ପାଇଁ ୧୯୭୨ରେ ଆମେରିକା ସରକାର ଏହି ସଂସ୍ଥା ଗଠନ କରି ଅଭିଜ୍ଞ ଅଧିକାରୀଙ୍କୁ ନିଯୁକ୍ତ କରିଥିଲା। ଏହି ସଂସ୍ଥାରେ ହତ୍ୟାକାରୀର ବ୍ୟବହାର ସମୀକ୍ଷା କରିପାରୁଥିବା ଭଳି ଦକ୍ଷ ମନସ୍ତାତ୍ତ୍ବିକ ବିଶ୍ଳେଷକ ନିଯୁକ୍ତ ହୋଇଥାନ୍ତି। ଏଥିସହ ଫରେନସିକ ଏକ୍ସପର୍ଟଙ୍କ ଠାରୁ ଆରମ୍ଭ କରି ସାଇବର ଆନାଲାଟିକ୍ସ ମଧ୍ୟ ରହିଛନ୍ତି ।

ଏହି ସଂସ୍ଥା ଆମେରିକାର ୫୦ଟି ରାଜ୍ୟ ପୋଲିସକୁ ତଦନ୍ତରେ ସହାୟତା କରିଥାଏ । କେବଳ ଆମେରିକା ନୁହେଁ ଆମେରିକା ବାହାର ଦେଶର ପୋଲିସ ମଧ୍ୟ ଏଫବିଆଇ ସହାୟତା ନେଇଥାଏ। ତଦନ୍ତ କ୍ଷେତ୍ରରେ ସମଗ୍ର ବିଶ୍ବରେ ଗତ ୫୦ ବର୍ଷ ଭିତରେ ଏଫବିଆଇ ଅଭୂତପୂର୍ବ ସଫଳତା ହାସଲ କରିବା ସହ ସୁନାମ ଅର୍ଜନ କରିଛି । ଭାରତ ଆମେରିକା ମଧ୍ୟରେ ଏମ-ଲେଟ ଟ୍ରିଟି ବା ମ୍ୟୁଚୁଆଲ ଲିଗାଲ ଆସିଷ୍ଟାନ୍ସ ଟ୍ରିଟି ରହିଛି। ଏହି ଟ୍ରିଟି ବା ଚୁକ୍ତି ବଳରେ ଭାରତ ମଧ୍ୟ ଏଫବିଆଇ ସହାୟତା ନେଇପାରୁଛି ।

ଅତୀତରେ ସୁନନ୍ଦା ପୁଷ୍କର, ଅଭିନେତ୍ରୀ ଜିଆ ଖାନ, ଭଉଁରୀ ଦେବୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୋଲିସ ଏଫବିଆଇର ସହାୟତା ନେଇଥିଲା । ମୁମ୍ବାଇ ତାଜ ହୋଟେଲ ଉପରେ ଆତଙ୍କବାଦୀ ଆକ୍ରମଣ ବା ୯/୧୧ ଘଟଣାରେ ମଧ୍ୟ ଏଫବିଆଇର ସହାୟତା ନିଆଯାଇଛି । ଏବେ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ମଧ୍ୟ ରାଜ୍ୟ ସରକାର ଏଫବିଆଇର ସହାୟତା ଲୋଡୁଛନ୍ତି ।

ଭାରତର ବହୁ ଅପରାଧିକ ମାମଲାରେ FBIର ସହାୟତା ଅତୀତରେ ନିଆଯାଇଥିଲେ ମଧ୍ୟ ଓଡିଶାରେ ଏହା ପ୍ରଥମ ହେବ । ଏଥିପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରାଜ୍ୟ ସରକାର ଅନୁମତି ମାଗିଛନ୍ତି । ବୈଦଶିକ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶରେ ସମ୍ଭବତଃ ଏହି ଅନୁମତି ମିଳିବ । FBIର ସହଯୋଗ ମିଳିଲେ ଗୋପାଳ ଦାସ କାହିଁକି ନବ କିଶୋର ଦାସଙ୍କୁ ହତ୍ୟାକଲା ତାହା ଅଧିକ ସ୍ପଷ୍ଟ ହୋଇଯିବ ।