spot_img
Home Blog Page 3635

ଫାଦର ଷ୍ଟାନ ସ୍ୱାମୀଙ୍କୁ ନେଇ ବିସ୍ଫୋରକ ତଥ୍ୟ, ଫସାଇବା ଲାଗି ସାଇବର ଆକ୍ରମଣକାରୀ କମ୍ପ୍ୟୁଟରରେ କରିଥିଲେ କାରସାଦି

ନୂଆଦିଲ୍ଲୀ: ସାମାଜିକ କର୍ମୀ ତଥା ଫାଦର ଷ୍ଟାନ ସ୍ୱାମୀଙ୍କୁ ନେଇ ବିସ୍ଫୋରକ ତଥ୍ୟ । ଷ୍ଟାନଙ୍କୁ ଫସାଇବା ଲାଗି ତାଙ୍କ କମ୍ପ୍ୟୁଟରରେ ବିଭିନ୍ନ ପ୍ରକାର କାରସାଦି କରାଯାଇଥିଲା ବୋଲି ଆମେରିକାର ଏକ ଫରେନସିକ ଫାର୍ମ ପକ୍ଷରୁ କୁହାଯାଇଛି । ୨୦୨୦ରେ ଆତଙ୍କବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ପରେ ହାଜତରେ ତାଙ୍କର ମୃତ୍ୟୁ ଘଟିଥିଲା । ଫାଦର ଷ୍ଟାନ ଓ ମାଓବାଦୀ ନେତାଙ୍କ ସହ ଇଲେକ୍ଟ୍ରୋନିକ ମାଧ୍ୟମ ଜରିଆରେ କଥାବାର୍ତ୍ତା ଚାଲିଥିଲା ବୋଲି ଏନଆଇଏ ଅଭିଯୋଗ କରିଥିଲା । ବୋଷ୍ଟନଭିତ୍ତିକ ଫରେନସିକ ସଂସ୍ଥା ଆର୍ସେନାଲ କନସଲଟିଂ ପକ୍ଷରୁ କୁହାଯାଇଛି- ଅଜଣା ସାଇବର ଆକ୍ରମଣକାରୀଙ୍କ ଦ୍ବାରା ଷ୍ଟାନଙ୍କ କମ୍ପ୍ୟୁଟରରେ ୨୦୧୪ରୁ ୫ ବର୍ଷ ଧରି ବିଭିନ୍ନ ମିଥ୍ୟା ତଥ୍ୟର ଆଦାନପ୍ରଦାନ ହୋଇଥିଲା । ଏହି କାରଣକୁ ନେଇ ୨୦୧୯ରେ ଷ୍ଟାନଙ୍କୁ ସ୍କାନରରେ ଆଣିଥିଲା ଏନଆଇଏ ।

ଏହି ଅଜଣା ସାଇବର ଆକ୍ରମଣକାରୀ ଷ୍ଟାନଙ୍କ ସମେତ ରୋନା ଓ୍ୱିଲସନଙ୍କ କମ୍ପ୍ୟୁଟରରେ ୩୦ଟି ନଥି ଓ ସୁରେନ୍ଦ୍ର ଗାଡଲିଙ୍ଗଙ୍କ କମ୍ପ୍ୟୁଟରରେ ୧୪ଟି ନଥି ସାମିଲ କରିଥିଲା । ଆଦିବାସୀଙ୍କ ଲାଗି ସାରା ଜୀବନ ସଂଗ୍ରାମ କରିଥିବା ଫାଦର ଷ୍ଟାନ ସ୍ବାମୀଙ୍କ ମୃତ୍ୟୁ ନେଇ ଝଡ ସୃଷ୍ଟି ହୋଇଥିଲା । ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ବା ୟୁଏପିଏ ଅନୁସାରେ ଗିରଫ ଷ୍ଟାନଙ୍କ ଆକୁଳ ପ୍ରାର୍ଥନା କାହାରି କାନରେ ବାଜି ନଥିଲା । ଦୁରାରୋଗରେ ପୀଡିତ ଷ୍ଟାନ ମୁମ୍ବାଇର ତାଲୋଜା ଜେଲରେ ଥାଇ କୋର୍ଟରେ ଶେଷ ନିବେଦନ କରିଥିଲେ ବି ତାଙ୍କୁ ଜାମିନ ମିଳି ନଥିଲା । ଶେଷରେ ଏକ ହସ୍ପିଟାଲରେ ଗତ ୫ ଜୁଲାଇ ୨୦୨୧ରେ ଆଖି ବୁଜିଥିଲେ ଷ୍ଟାନ ।

ବାରହା ଶିକାର ବେଳେ ସାଙ୍ଗ ଗୁଳିରେ ସାଙ୍ଗର ମୃତ୍ୟୁ

ଅନୁଗୁଳ: ବାରହା ଶିକାର ବେଳେ ସାଙ୍ଗ ଗୁଳିରେ ସାଙ୍ଗର ମୃତ୍ୟୁ । ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଲଲହଡ଼ା ଖମାର ରୋହିରା ଗାଁରେ । ୪ ଜଣ ସାଙ୍ଗ ମିଶି ବାରହା ଶିକାର କରିବାକୁ ଯାଇଥିଲେ । ହେଲେ ଅସାବଧାନତାରୁ ସାଙ୍ଗ ଦେହରେ ଗୁଳି ବାଜି ଜୀବନ ଚାଲିଯାଇଛି । ମୃତକ ହେଲେ ୨୫ ବର୍ଷୀୟ ରବି ପୂର୍ତ୍ତି । ୨ ସାଙ୍ଗକୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଥିବା ସୂଚନା ମିଳିଛି । ଗିରଫ ଯୁବକ ଦୁଇ ଜଣ ହେଲେ ଚୈତନ ବୋଇତା ଓ ବଳଭଦ୍ର ଜାମୁଦା । ଅନ୍ୟ ଅଭିଯୁକ୍ତ ବିଜୟ କାଣ୍ଡିଆନ ଫେରାର ହୋଇଯାଇଥିବା ଜଣାପଡ଼ିଛି । ପୋଲିସ ବ୍ୟବହୃତ ଦେଶୀ ବନ୍ଧୁକ ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ପ୍ରକାଶ କରିଛି ।

ଶିମିଳିପାଳ ହାତୀ ମୃତଦେହ ପୋଡା ମାମଲାରେ କାର୍ଯ୍ୟାନୁଷ୍ଠାନ, ନିଲମ୍ବନ ପରେ ଗିରଫ ହେଲେ ୩ ବନ କର୍ମଚାରୀ

ମୟୂରଭଞ୍ଜ: ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜରେ ହାତୀ ପୋଡା ମାମଲାରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବନ ପରେ ୩ ଜଣ ବନ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଗିରଫ ୩ ବନ କର୍ମଚାରୀ ହେଲେ ଜେନାବିଲ ରେଞ୍ଜ ଇନଚାର୍ଯ୍ୟ ଫରେଷ୍ଟର ଶିବଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ କୁମାର ଦାସ । ଗତ ୭ ତାରିଖରେ ଶିମିଳିପାଳରେ ହାତୀ ମୃତ୍ୟୁ ନେଇ ଖବର ଆସିଥିଲା । ଜେନାବିଲରେ ୫୦ ଜଣିଆ ଯାଞ୍ଚ ଦଳ ଗଠନ କରି ଏଠାରେ ଖୋଜାଖୋଜି ପରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳିନଥିଲା । ସ୍ଥାନୀୟ ବନ କର୍ମଚାରୀଙ୍କୁ ଜେରା ପରେ ହାତୀ ମୃତ୍ୟୁ ଘଟଣା ଘଟିଥିବା ନେଇ ସୁରାକ୍ ମିଳିଥିଲା । କାର୍ଯ୍ୟାନୁଷ୍ଠାନ ଭୟରେ ବନ କର୍ମଚାରୀ ମୃତ ହାତୀକୁ ପୋଡ଼ିଥିବା ଜଣାପଡ଼ିଥିଲା ।

ହାତୀକୁ ପୋଡ଼ିବା ପରେ ରହି ଯାଇଥିବା ଦେହାବଶେଷକୁ ନିକଟରେ ଥିବା ଏକ ଜଳ ପ୍ରପାତରେ ପକାଇଥିଲେ । ଏହି ଖବର ଜଣାପଡିବା ପରେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ଯାଞ୍ଚ ପରେ ଘଟଣାସ୍ଥଳରୁ କିଛି ହାଡ଼ ଖଣ୍ଡ ମିଳିଥିଲା । ଏହା ସହ ଘଟଣାର ଅଧିକ ତଦନ୍ତ ଲାଗି ଜଏଣ୍ଟ ଟାସ୍କଫୋର୍ସ ଘଟଣାସ୍ଥଳକୁ ପଠାଯାଇଥିଲା । ଏନେଇ ହାଇକୋର୍ଟରେ ପିସିସିଏଫ୍ ଦୋଷ ମାନିଥିଲେ । ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ । ତେବେ ହାତୀ ମୃତ୍ୟୁ ରୋକିବାକୁ ଜଏଣ୍ଟ ଟାସ୍କ ଫୋର୍ସ କ’ଣ କରିଛି, ଏନେଇ ହାଇକୋର୍ଟରେ ବିସ୍ତୃତ ରିପୋର୍ଟ ଦେବେ ପିସିସିଏଫ୍‌ ।

କଂଗ୍ରେସ ପଦଯାତ୍ରାରେ RBIର ପୂର୍ବତନ ଗଭର୍ଣ୍ଣର, ରାହୁଲଙ୍କ ସହ ସାମିଲ ହେଲେ ରଘୁରାମ ରାଜନ

ଜୟପୁର: କଂଗ୍ରେସ ପଦଯାତ୍ରାରେ ସାମିଲ ହୋଇଛନ୍ତି RBIର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । କଂଗ୍ରେସର ଭାରତ ଯୋଡ ଯାତ୍ରା ୯୭ ଦିନରେ ପହଞ୍ଚିଛି । ଆଜି ରାଜସ୍ଥାନର ମାଧୋପୁରରୁ ସକାଳୁ ପଦଯାତ୍ରା ଆରମ୍ଭ ହୋଇଥିଲା । ଶହ ଶହ ସମର୍ଥକଙ୍କ ସହ ରାହୁଲ ଗାନ୍ଧୀ ପଦଯାତ୍ରା କରିଥିଲେ । ସଚିନ ପାଇଲଟ ଓ ବହୁ ବରିଷ୍ଠ ନେତା ଆଜି ଯାତ୍ରାରେ ସାମିଲ ହୋଇଥିଲେ । ତେବେ ରାହୁଲଙ୍କ ପଦଯାତ୍ରାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କିଛି ସମୟ ପାଇଁ ସାମିଲ ହୋଇଥିଲେ ।

ପଦଯାତ୍ରା ବେଳେ ସେ ରାହୁଲଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ କରିଥିଲେ । ରାଜନ RBIର ୨୩ତମ ଗଭର୍ଣ୍ଣର ରହିଥିଲେ । ୨୦୧୩ରୁ ୨୦୧୬ ଯାଏଁ ସେ ଗଭର୍ଣ୍ଣର ପଦରେ ରହିଥିଲେ । କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ଭଳି ଅନେକ ନୀତିକୁ ଖୋଲାଖୋଲି ବିରୋଧ କରି ରାଜନ ଅନେକ ଥର ଚର୍ଚ୍ଚାକୁ ମଧ୍ୟ ଆସିଛନ୍ତି । IIT ଦିଲ୍ଲୀରୁ ବିଟେକ୍, IIM ଅହମ୍ମଦାବାଦରୁ ମ୍ୟାନେଜମେଣ୍ଟରେ ଡିଗ୍ରୀ ଓ MITରୁ ପିଏଚଡି କରିଛନ୍ତି ରାଜନ ।

ଗଞ୍ଜାମ ଖାରିଗୁଡା ଗାଁରେ ଗୋଷ୍ଠୀ ସଂଘର୍ଷ, ଘରୁ ଡାକି ନେଇ ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଖାରିଗୁଡା ଗାଁରେ ଗୋଷ୍ଠୀ ସଂଘର୍ଷ । ଘରୁ ଡାକି ନେଇ ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ ହେଲେ ଅମର ରାଉତ ଓ ଆହତ ଜଣଙ୍କ ହେଲେ ଶିବରାମ ପ୍ରଧାନ ।

ସୂଚନା ଅନୁସାରେ, ଅମର ରାଉତ ଓ ଶିବରାମ ପ୍ରଧାନ ଘରେ ଥିବା ବେଳେ, କାଲି ରାତିରେ ଗ୍ରାମର କିଛି ବ୍ୟକ୍ତି ଡାକିନେଇ ନିକଟରେ ଥିବା ଖାରିଗୁଡା ଗାଁ ରାସ୍ତାରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । କାରଣ ଅସ୍ପଷ୍ଟ ଥିବା ବେଳେ, ପୂର୍ବ ଶତ୍ରୁତାକୁ ନେଇ ଘଟଣା ଘଟିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

ବାରିପଦାରେ ଏସଟିଏଫ ଟିମକୁ ବଡ ସଫଳତା, ମହାବଳ ବାଘ ଚମଡ଼ା ଜବତ

ବାରିପଦା: ଶିକାରିଙ୍କ କବଜାରେ ଶିମିଳିପାଳ । ପ୍ରଥମେ ହାତୀ ଏବେ ମହାବଳ ଶିକାର କରୁଛନ୍ତି ଶିକାରୀ । ବାରିପଦା ବନଖଣ୍ଡ ଉଦଳା ରେଞ୍ଜର ବିସିପୁର ଗାଁ ନିକଟରୁ ମହାବଳ ବାଘ ଚମଡ଼ା ଜବତ ହୋଇଛି । ମୟୂରଭଞ୍ଜ ଏସଟିଏଫ ଟିମକୁ ଏହି ବଡ଼ ସଫଳତା ମିଳିଛି । ଏହି ଘଟଣାରେ ଶ୍ରୀଦାମଚନ୍ଦ୍ରପୁରର ଫାଗୁ ହାଁସଦାକୁ ଗିରଫ କରାଯାଇଛି । ବାଘ ଛାଲ୍ ବିକ୍ରି ପାଇଁ ଡିଲ୍ ବେଲେ ଧରିଲା ଏସଟିଏଫ୍ । ୫ଲକ୍ଷ ଟଙ୍କାରେ ମୁଲଚାଲ ହୋଇଥିଲା । ଜବତ ବାଘ ଚମଡ଼ାର ଲମ୍ବ ପ୍ରାୟ ୭ ଫୁଟ ହୋଇଥିବା ବେଳେ ଚଉଡ଼ା ୩ ଫୁଟ ହେବ । ଏହି ଚମଡ଼ାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ହେବ ।

ରାଜଧାନୀରେ ବାର୍ଥ ଡେ ପାର୍ଟିରେ ଗଣଦୁଷ୍କର୍ମ, ୩ ଜଣଙ୍କୁ ଗିରଫ କଲା ମଞ୍ଚେଶ୍ବର ପୋଲିସ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବାର୍ଥ ଡେ ପାର୍ଟିରେ କୋଳାହଳକୁ ବାରଣ କରିବାରୁ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ମଞ୍ଚେଶ୍ବର ଥାନାରେ ଏତଲା ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଆଇପିସି ଦଫା ୨୯୪, ୩୨୩, ୩୫୪ (ଏ), ୪୪୮, ୩୭୬, ୫୧୧, ୫୦୬ ଓ ୩୪ ମାମଲା ରୁଜୁ ହୋଇଛି । ଅନ୍ୟ ୮ ଜଣ ସହଯୋଗୀଙ୍କୁ ଖୋଜୁଛି ପୋଲିସ । ଗିରଫ ୩ ଅଭିଯୁକ୍ତ ହେଲେ ଦେବାଶିଷ ପ୍ରଧାନ ଓରଫ ମାଲିଙ୍ଗା, ଦୀପକ ସେଠୀ ଓ ସ୍ବାଧୀନ ନାୟକ ଓରଫ ସାନୁ ।

ସୂଚନା ଅନୁସାରେ, ଗତ ୧୧ ତାରିଖରେ ମଞ୍ଚେଶ୍ବର ଥାନା ଧିରକୁଟି ବସ୍ତିରେ ଅଭିଯୁକ୍ତ ଦୀପକ ଏକ ବାର୍ଥ ଡେ ପାର୍ଟିର ଆୟୋଜନ କରିଥିଲା । ପ୍ରାୟ ୧୦ ସାଙ୍ଗଙ୍କୁ ନେଇ ନିଶାରେ ଚୁର୍ ହେବା ସହ ଲାଉଡ ମ୍ୟୁଜିକ୍ ବଜାଇ ହୋହଲ୍ଲା କରୁଥିଲେ । ଏହି ସମୟରେ ପୀଡ଼ିତା ମହିଳା ସେମାନଙ୍କୁ ହୋହଲ୍ଲା ନକରିବାକୁ କହିଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ୩ ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ ମହିଳାଙ୍କୁ ଘର ଭିତରକୁ ଟାଣି ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ପାଟି ଶୁଣି ପଡ଼ୋଶୀ ଅଭିଯୁକ୍ତ କବଳରୁ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ । ଏନେଇ ଥାନାରେ ଏତଲା ଦେଇଛନ୍ତି ପୀଡ଼ିତା । ଏହାସହ ଅନ୍ୟ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି ।

ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ, ଆଜି ସୁପ୍ରିମକୋର୍ଟରେ ପକ୍ଷ ରଖିବେ ଡିଜିପି ଓ ଏସପି

ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ । କେତେ ଆଇନଜୀବୀଙ୍କର ହୋଇଛି ଲାଇସେନ୍ସ ରଦ୍ଦ । ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଜି ସୁପ୍ରିମକୋର୍ଟଙ୍କ ନିକଟରେ ଭିସିରେ ହାଜର ହୋଇ ପକ୍ଷ ରଖିବେ ଡିଜିପି ଓ ସମ୍ବଲପୁର ଏସପି । କେତେ ଓକିଲଙ୍କ ଲାଇସେନ୍ସ ରଦ୍ଦ ହୋଇଛି ତାହା ଜଣାଇବା ଲାଗି ବାର୍ କାଉନସିଲ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନ୍। ଏନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତି ନେଇଛି । ସୁପ୍ରିମକୋର୍ଟ ଓ ସମ୍ବିଧାନ ଉପରେ ଭରସା ଦେଖାଇ ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ତେବେ ସମ୍ବଲପୁରରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବା ନେଇ କ୍ରିୟାନୁଷ୍ଠାନ କମିଟି ଆଶାବାଦୀ ରହିଛି । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଭରସା ରହିଥିବା କମିଟି କହିଛି । ଓକିଲ ସଂଘର ଆନ୍ଦୋଳନ ଓ କୋର୍ଟ ଭିତରେ ଧସେଇ ପଶି ଭଙ୍ଗାରୁଜା ଘଟଣାରେ ୧୭ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ପୋଲିସ । କୋର୍ଟ ଅଞ୍ଚଳରେ ଲଗାଯାଇଛି ୧୪୪ ଧାରା । ନଭେମ୍ବର ୩୦ ତାରିଖରେ ସମ୍ବଲପୁର ଥାନାରେ ଦାୟର ହୋଇଥିବା ମାମଲା ଅନୁସାରେ ୨୯ ଜଣ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରିଛି ବାର କାଉନସିଲ ଅଫ ଇଣ୍ଡିଆ ।

 

ଆଜିଠୁ ଭାରତ-ବାଂଲାଦେଶ ଟେଷ୍ଟ ସିରିଜ, ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ରାହୁଲ୍

ଢାକା: ଆଜିଠୁ ଭାରତ-ବାଂଲାଦେଶ ଟେଷ୍ଟ ସିରିଜ । ଦୁଇ ଟିକିଆ ସିରିଜରେ ଆଜିଠୁ ୧୮ ତାରଖ ପର୍ଯ୍ୟନ୍ତ ଖେଳାଯିବ ପ୍ରଥମ ମ୍ୟାଚ୍ । ଭାରତୀୟ ସମୟ ସକାଳ ୯ଟାରୁ ଆରମ୍ଭ ହେବ ଏହି ମ୍ୟାଚ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ କେ.ଏଲ ରାହୁଲ । ଆହତ କାରଣରୁ ରୋହିତ ସିରିଜରୁ ବାଦ ପଡ଼ିଛନ୍ତି । ଆଜିର ମ୍ୟାଚରେ ରାହୁଲଙ୍କ ସହ ଶୁଭମନ ଗିଲ ପାଳି ଆରମ୍ଭ କରିବାର ସମ୍ଭାବନା ରହିଛି । ବିରାଟ କୋହଲି, ଚେତେଶ୍ବର ପୂଜାରା, ଶ୍ରେୟସ ଆୟାର, ଋଷବ ପନ୍ତ, ରବିଚନ୍ଦ୍ରନ ଅଶ୍ବନୀ ମିଡିଲ ଅର୍ଡର ସମ୍ଭାଳିବେ ।

ସେପଟେ ଉମେଶ ଯାଦବ, ମହମ୍ମଦ ସିରାଜ, ଅକ୍ଷର ପଟେଲ ବୋଲିଂରେ କମାଲ ଦେଖାଇବେ । ଶେଷ ଦିନିଆରେ ବୃହତ୍ତ ବିଜୟ ସହିତ ଭାରତର ମନୋବଳ ଦୃଢ ରହିଛି । ଏଣୁ ଦିନିକିଆ ସିରିଜ ପରାଜୟର ବଦଲା ଟେଷ୍ଟରେ ନେବାକୁ ଉଦ୍ୟମ କରିବ ମେନ ଇନ ବ୍ଲୁ । ସେପଟେ ଭାରତକୁ କଡ଼ା ଜବାବ ଦେବାକୁ ତୟାର ରହିଛି ଘରୋଇ ଟିମ୍ ।

ଶ୍ରୀଜିଉଙ୍କର ହେବ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ପୁଷ କୃଷ୍ଣ ଷଷ୍ଠୀ ତିଥି । ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ବନକଲାଗି ହେବେ ତିନି ଠାକୁର । ବନକଲାଗି ନୀତି ପାଇଁ ଆଜି ସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୫ଟାରୁ ରାତି ୯ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ବିଶେଷ ନୀତି ମହାପ୍ରଭୁଙ୍କ ଅତ୍ୟନ୍ତ ଗୁପ୍ତ ହୋଇଥିବା ବେଳେ ଦତ୍ତ ମହାପାତ୍ର ସେବକ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ହରିତାଳ, ହିଙ୍ଗୁଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା, ନାଲି ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ନୀତି ସମାପ୍ତ ପରେ ଶ୍ରଦ୍ଧାଳୁ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।