ତୁର୍କୀ-ସିରିଆ ଭୂକମ୍ପ ମୃତ୍ୟୁସଂଖ୍ୟା ଟପିଲା ୫୦ ହଜାର, ୧୫ ଲକ୍ଷ ଲୋକ ସାଂଘାତିକ ଭାବେ ପ୍ରଭାବିତ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଶକ୍ତିଶାଳୀ ଭୂମିକମ୍ପରେ ଦୋହଲି ଯାଇଥିବା ତୁର୍କୀର ସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଛି । ବିପର୍ଯ୍ୟୟ ଓ ଜରୁରୀକାଳୀନ ପରିଚାଳନା ସଂସ୍ଥାର ରିପୋର୍ଟ ମୁତାବକ ତୁର୍କୀ ଓ ସିରିଆରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୫୦ ହଜାର ଟପିଛି । ଶୁକ୍ରବାରର ରିପୋର୍ଟ ଅନୁସାରେ କେବଳ ତୁର୍କୀରେ ୪୪ ହଜାର ୨୧୮ ଲୋକଙ୍କର ମୃତ୍ୟୁ ହୋଇଛି । ସିରିଆରେ ୫ ହଜାର ୯୧୪ ଜଣଙ୍କର ମୃତ୍ୟୁ ହୋଇଛି । ୧୫ ଲକ୍ଷ ଲୋକ ସାଂଘାତିକ ଭାବେ ପ୍ରଭାବିତ ହୋଇଛନ୍ତି । ଏବେ ବି ଲକ୍ଷ ଲକ୍ଷ ଲୋକ ରାସ୍ତା ପାର୍ଶ୍ୱରେ ବିଭିନ୍ନ ଟେଣ୍ଟରେ ଆଶ୍ରୟ ନେଇଛନ୍ତି ।

ଭୂକମ୍ପରେ ବେଘର ହୋଇଥିବା ଲୋକଙ୍କର ଘର ନିର୍ମାଣ କରିବାକୁ ତୁର୍କୀ ଏବେ ପ୍ରାଥମିକ ପର୍ଯ୍ୟାୟରେ ପ୍ରୟାସ କରୁଛି । ୧ ଲକ୍ଷ ୬୦ ହଜାର ଆପାର୍ଟମେଣ୍ଟରେ ଥିବା ୫ ଲକ୍ଷ ୨୦ ହଜାର ଫ୍ଲାଟ୍ ଧ୍ୱଂସ ହୋଇଯାଇଛି । ତୁର୍କୀର ୬ଟି ସହରରେ କୁଢ଼ କୁଢ଼ ଭଙ୍ଗା କଙ୍କିଟ ପାହାଡ଼ର ଭ୍ରମ ସୃଷ୍ଟି କରୁଛି । ଏସବୁକୁ ସଫା କରି ନୂଆକରି ପୁଣିଥରେ ଘର ନିର୍ମାଣ କରିବାକୁ ସରକାର ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି । ଗତ ୫ ଦଶନ୍ଧିରେ ତୁର୍କୀରେ ଏହା ସବୁଠାରୁ ବଡ଼ ବିପର୍ଯ୍ୟୟ ବୋଲି କୁହାଯାଉଛି ।