ଡିଆରଡିଓର ଗୁପ୍ତ ତଥ୍ୟ ଲିକ୍ ମାମଲା, ୪ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ବାବୁରାମ ଦେ’

ବାଲେଶ୍ୱର: ଡିଆରଡିଓର ଗୁପ୍ତ ତଥ୍ୟ ଲିକ୍ ମାମଲା । ଟେକ୍ନିକାଲ ଅଫିସର ବାବୁରାମ ଦେ’କୁ ୪ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ପୋଲିସ ୫ ଦିନିଆ ରିମାଣ୍ଡ ଆବେଦନ କରିଥିବାବେଳେ କୋର୍ଟ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । ରିମାଣ୍ଡ ବେଳେ ଅଟକ ଥିବା ୭ ଜଣଙ୍କ ସହିତ ବାବୁରାମକୁ ମୁହାଁମୁହିଁ ଜେରା କରାଯିବ । ଗତକାଲି ବାଲେଶ୍ବର ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ତଥ୍ୟ ଦେବା ଅଭିଯୋଗରେ ଟେକ୍ନିକାଲ ଅଧିକାରୀ ବାବୁରାମ ଦେ’କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ହନିଟ୍ରାପ୍ ମାଧ୍ୟମରେ ରାୱଲପିଣ୍ଡିକୁ କେଉଁ ତଥ୍ୟ ଦେଇଛନ୍ତି ଅଭିଯୁକ୍ତ ? ତଥ୍ୟ ବଦଳରେ କେତେ ଟଙ୍କା ମିଳିଛି ? ଆଉ କେଉଁ ସୁବିଧା ହାତେଇଛନ୍ତି ଅଭିଯୁକ୍ତ ? ନେଟୱର୍କରେ ଅନ୍ୟ କିଏ କିଏ ସାମିଲ ଅଛନ୍ତି ? ରିମାଣ୍ଡରେ ଆଣି ଏସବୁ ତଥ୍ୟ ହାସଲ କରିବ ପୋଲିସ । ଆଜି ସୁଦ୍ଧା ଏହି ମାମଲାରେ ଆଇଟିଆରର ଜଣେ ବରିଷ୍ଠ ଟେକନିକାଲ ଅଫିସରଙ୍କୁ ଗିରଫ କରାଯିବା ସହିତ ଅନ୍ୟ ୪ ଜଣ ସ୍ଥାୟୀ କର୍ମଚାରୀ ଓ ୩ ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ ।