spot_img
Home Blog Page 3636

କମାଲ କଲା ମେସିଙ୍କ ଯାଦୁ, ଫିଫା ବିଶ୍ୱକପ୍ ଫାଇନାଲରେ ଆର୍ଜେଣ୍ଟିନା

ଦୋହା: ଫିଫା ବିଶ୍ୱକପ୍ ଫାଇନାଲରେ ଆର୍ଜେଣ୍ଟିନା । କ୍ରୋଏସିଆକୁ ପଛରେ ପକାଇ ଟାଇଟଲ ହାତେଇବାକୁ ପାଦେ ଆଗରେ ଆର୍ଜେଣ୍ଟିନା । ୩-୦ ଗୋଲରେ କ୍ରୋଏସିଆକୁ ଧୂଳି ଚଟାଇଲା ଆର୍ଜେଣ୍ଟିନା । ଲିଓନେଲ ମେସିଙ୍କ ଅଧିନାୟକତ୍ୱରେ ଆର୍ଜେଣ୍ଟିନା ଟିମ୍ ଫିଫା ବିଶ୍ବକପ୍ ୨୦୨୨ର ଫାଇନାଲକୁ ଏଣ୍ଟ୍ରି ନେଇସାରିଛି । କତାରରେ ଖେଳାଯାଉଥିବା ବିଶ୍ବକପ୍ ସେମି ଫାଇନାଲରେ ଶେଷ ମିନିଟ୍ ଯାଏ ସଂଘର୍ଷ କରିଥିଲା କ୍ରୋଏସିଆ । ହେଲେ ମେସିଙ୍କ ଦମଦାର ପ୍ରଦର୍ଶନ ତାଙ୍କୁ ଫାଇନାଲରେ ପହଞ୍ଚାଇବାରେ ସହାୟକ ହୋଇଛି । ୨୦୧୪ ପରେ ପ୍ରଥମ ଥର ପାଇଁ ଫାଇନାଲ ପ୍ରବେଶ କରିଛି ଆର୍ଜେଣ୍ଟିନା ।

ଆଜି ଫ୍ରାନ୍ସ ମୋରକୋ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ଟକ୍କର ହେବ । ତେଣୁ ଆଜି ଯିଏ ଜିତିବ ଆର୍ଜେଣ୍ଟିନା ସହ ସେହି ଟିମର ଟ୍ରଫି ପାଇଁ ଟକ୍କର ହେବ । ଫିଫା ବିଶ୍ବକପ୍ ଫାଇନାଲ ମ୍ୟାଚ୍ ୧୮ ଡିସେମ୍ବରରେ ହେବ । ଭାରତୀୟ ସମୟ ଅନୁସାରେ ରାତି ୮ଟା ୩୦ରେ ହେବ ମ୍ୟାଚ୍ । ବିଶ୍ବକପରେ ମେସିଙ୍କ ଏହା ୨୬ତମ ମ୍ୟାଚ୍ ହେବ । ଫାଇନାଲ ଖେଳିବା ସହ ଫିଫା ବିଶ୍ବକପ୍ ଇତିହାସରେ ସବୁଠୁ ଅଧିକ  ମ୍ୟାଚ୍ ଖେଳିବାର ରେକର୍ଡ ମେସିଙ୍କ ନାଁରେ ହୋଇଯିବ ।

ପଦମପୁରରେ ନବନିର୍ବାଚିତ ବିଧାୟିକା ବର୍ଷାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ପଦମପୁର: ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା । ବର୍ଷା ସିଂ ବରିହା ସୋମବାର ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ ପରେ ଆଜି ଜନ୍ମ ମାଟି ପଦ୍ମପୁରକୁ ଫେରିଛନ୍ତି । ପଦ୍ମପୁର ଉପନିର୍ବାଚନରେ ୪୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ବର୍ଷା । ବର୍ଷାଙ୍କ ବିଜୟ ପରେ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟା ସମୟରେ ପଦ୍ମପୁରରେ ପହଞ୍ଚିବା ପରେ ପଦ୍ମପୁର ସହରର ଜନସାଧାରଣ ବାଣ ଫୁଟାଇ ତାଙ୍କୁ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ ।

ବିଧାୟିକା ଏହି ବିଜୟକୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ ଙ୍କ ବିଜୟ ବୋଲି କହିବା ସହ ପଦ୍ମପୁର ନିର୍ବାଚନ ମଣ୍ଡଳୀକୁ ଏକ ନମ୍ବର ନିର୍ବାଚନ ମଣ୍ଡଳୀ କରିବା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ବର୍ଷା । ଏହି ସ୍ବାଗତ ସମାରୋହରେ ଯୁବନେତା ଭୋଜରାଜ ସିଂ ବରିହା, ପଦ୍ମପୁର ଏନଏସିର ସମସ୍ତ କାଉନସିଲର, ଅଧ୍ୟକ୍ଷା,ବିଜେଡି ନେତା ତଥା ରାଜ୍ୟ ସମ୍ପାଦକ ରାଜୁ ଘିବେଲା,ବରିଷ୍ଠ ନେତା ଗୋବିନ୍ଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ଜିଲ୍ଲାରେ ହୋଇପାରିବ ପେନସନ୍ ଆବେଦନ

ଭୁବନେଶ୍ୱର: ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଖୁସି ଖବର । ଅବସର ଗ୍ରହଣ ପରେ ଦୀର୍ଘ ଦିନଧରି ପେନସନ୍ ପାଇନଥିବା କର୍ମଚାରୀମାନେ ଏଣିକି ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ପେନସନ୍ ପାଇଁ ଆବେଦନ କରିପାରିବେ । ଏନେଇ ସମସ୍ତ ସହଯୋଗ କରିବାକୁ ବିଭିନ୍ନ ବିଭାଗର ନିର୍ଦ୍ଦେଶକଙ୍କ ମାଧ୍ୟମରେ ସଂପୃକ୍ତ ଜିଲ୍ଲାସ୍ତରୀୟ ମୁଖ୍ୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଖୁବଶୀଘ୍ର ପେନସନ୍ ଅଦାଲତ ଅନୁଷ୍ଠିତ ହେବ । ଏନେଇ ତାରିଖ ଓ ସ୍ଥାନ ଘୋଷଣା କରାଯିବ ।

ଏହା ପୂର୍ବରୁ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟାଳୟରୁ ଅବସର ଗ୍ରହଣ କରି ପେନସନ୍ ପାଇନଥିବା କର୍ମଚାରୀଙ୍କୁ ଯୋଗାଯୋଗ କରି ସମସ୍ତ ଆବଶ୍ୟକୀୟ କାଗଜପତ୍ର ପାଇଁ ସହଯୋଗ କରିବେ। ଏନେଇ ପ୍ରତି କାର୍ଯ୍ୟାଳୟରେ ହେଲ୍ପଡେସ୍କ ଖୋଲାଯିବ। ଏହାଦ୍ୱାରା କର୍ମଚାରୀମାନେ ସହଜରେ ଆବଶ୍ୟକୀୟ ପେନସନ୍ କାଗଜପତ୍ର ପ୍ରଦାନ କରିପାରିବେ । ବିଦ୍ୟାଳୟ ଓ ଗଣଶିକ୍ଷା, ରାଜସ୍ୱ, ପଂଚାୟତି ରାଜ, ଗୃହ, ଗ୍ରାମ୍ୟ ଉନ୍ନୟନ ଓ ଜଙ୍ଗଲ ବିଭାଗରେ ଅଧିକ ସଂଖ୍ୟକ କର୍ମଚାରୀ ଥିବାରୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭାଗୀୟ ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦିଆଯାଇଛି ।

ବିଭିନ୍ନ ତଥ୍ୟ ଅଭାବରୁ, ବୟସାଧିକ, ସ୍ୱାମୀ କିମ୍ୱା ସ୍ତ୍ରୀଙ୍କ ମୃତ୍ୟୁ କାରଣରୁ ପେନସନରୁ ବଞ୍ଚିତ କର୍ମଚାରୀଙ୍କ ଘରୁ ପେନସନ୍ ପତ୍ର ସଂଗ୍ରହ କରିବାକୁ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡିଲେ ଅନଲାଇନ ମାଧ୍ୟମରେ ପେନସନ୍ ପତ୍ର ସଂଗ୍ରହ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ । ଏହା ଛଡା ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିୟମାନୁଯାୟୀ ଯୋଗ୍ୟତା ଭିତ୍ତିକ ପଦୋନ୍ନତି ନିମନ୍ତେ ମଧ୍ୟ ଅଦାଲତ ଅନୁଷ୍ଠିତ ହେବ । ମୁଖ୍ୟ ଶାସନ ସଚିବଙ୍କ ସମେତ ୭ ଜଣ ବରିଷ୍ଠ ଅଧିକାରୀ ଅଦାଲତ କରିବେ । ସେମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବଣ୍ଟନ କରାଯିବ । ତିନି ଦିନ ଧରି ଏହି ଅଦାଲତ ଅନୁଷ୍ଠିତ ହେବ ।

ନେପାଳରେ ବସ୍ ଦୁର୍ଘଟଣା, ୧୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

କାଠମାଣ୍ଡୁ: ପଡ଼ୋଶୀ ଦେଶ ନେପାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ମାମଲା ସାମ୍ନାକୁ ଆସିଛି । ମଧ୍ୟ ନେପାଳର କାଭରେପାଲନଚୋକ ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ୧୭ ଲୋକଙ୍କ ମୃତ୍ୟୁ ହୋଇଯାଇଛି । କାଭରେପାଲନଚୋକର ଏସପି ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦୁର୍ଘଟଣାରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଟି ସନ୍ଧ୍ୟା ୬ ଟା ୩୦ ସମୟରେ ହୋଇଥିଲା । ଦୁର୍ଘଟଣାର ଶିକାର ହୋଇଥିବା ବସ୍ ଏକ ଧାର୍ମିକ ସମାରୋହରୁ ଆସିଥିବା ଲୋକଙ୍କୁ ନେଇ ଫେରୁଥିଲା । ବେଥନଚୌକ ଗ୍ରାମ ପରିଷଦ-୪ରେ ଚଲଲ ଗଣେଶସ୍ଥାନରେ ଅଚାନର ବସଟି ଦୁର୍ଘଟଣାଗସ୍ତ ହୋଇଥିଲା ।

୨୦୧୪ରୁ ଏଯାବତ ଇଲେକ୍ଟ୍ରୋନିକ୍ ମିଡିଆରେ ବିଜ୍ଞାପନ ପାଇଁ ମୋଦି ସରକାର ଖର୍ଚ୍ଚ କରିଛନ୍ତି ୩,୨୬୦ କୋଟି ଟଙ୍କା

ନୂଆଦିଲ୍ଲୀ: ୨୦୧୪ରେ ଭାରତୀୟ ଜନତା ପାର୍ଟି (ବିଜେପି) କ୍ଷମତାକୁ ଆସିବା ପରଠୁ କେନ୍ଦ୍ର ସରକାର ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞାପନ ଉପରେ ୩ ହଜାର ୨୬୦ କୋଟି ଟଙ୍କା ଏବଂ ଛାପା ଗଣମାଧ୍ୟମରେ ବିଜ୍ଞାପନ ଉପରେ ୩ ହଜାର ୨୩୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ମଙ୍ଗଳବାର ଲୋକସଭାରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ ପ୍ରଶ୍ନର ଜବାବରେ ଏହି ସୂଚନା ଦେଇଛନ୍ତି ।

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସାସଂଦ ମୁନିୟାନ ସେଲଭରାଜଙ୍କ ଏକ ପ୍ରଶ୍ନର ଜବାବରେ ଅନୁରାଗ ଠାକୁର ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ବିଜ୍ଞାପନ ଉପରେ ଖର୍ଚ୍ଚର ବର୍ଷିକ ହିସାବ ଦେଇଥିଲେ । ସାଂସଦ ପଚାରିଥିଲେ ଯେ ୨୦୧୪ ମସିହାରୁ ପ୍ରତ୍ୟେକ ମନ୍ତ୍ରଣାଳୟ ଦ୍ୱାରା ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ବିଜ୍ଞାପନ ଉପରେ ବହନ କରାଯାଇଥିବା ଖର୍ଚ୍ଚର ବାର୍ଷିକ ତଥ୍ୟ କଣ ରହିଛି ।

ମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ତଥ୍ୟ ଅନୁସାରେ ୨୦୧୪-୧୫ ମସିହାରୁ ୭ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ପ୍ରିଣ୍ଟ ମିଡିଆ ମାଧ୍ୟମରେ ବିଜ୍ଞାପନ ଉପରେ ୩,୨୩୦.୭୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଯେତବେଳେ କି ଏହି ଅବଧିରେ ଇଲେକ୍ଟ୍ରୋନିକ୍ ମିଡିଆ ମାଧ୍ୟମରେ ବିଜ୍ଞାପନ ଉପରେ ୩୨୬୦.୭୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତଥ୍ୟ ଅନୁସାରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ମାଧ୍ୟମରେ ୨୦୧୪-୧୫ରେ ପ୍ରିଣ୍ଟ ମିଡିଆ ଉପରେ ବିଜ୍ଞାପନରେ ୪୨୪.୮୪ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ ମିଡିଆରେ ବିଜ୍ଞାପନରେ ୪୭୩.୬୭ କୋଟି ଟଙ୍କା ବ୍ୟୟ କରାଯାଇଛି ।

୨୦୧୫-୧୬ରେ ପ୍ରିଣ୍ଟ ମିଡିଆରେ ୫୦୮.୨୨ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ ମିଡିଆରେ ବିଜ୍ଞାପନ ଉପରେ ୫୩୧.୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସେହିପରି ୨୦୧୬-୧୭ରେ ପ୍ରିଣ୍ଟ ମିଡିଆରେ ୪୬୮.୫୩ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ଉପରେ ୬୦୯.୬୦ କୋଟି ଟଙ୍କା, ସେହିପରି ୨୦୧୭-୧୮ରେ ପ୍ରିଣ୍ଟ ମିଡିଆରେ ୬୩୬.୦୯ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ ମିଡିଆରେ ୫୧୪.୨୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୮-୧୯ରେ ପ୍ରିଣ୍ଟ ମିଡିଆ ଉପରେ ୪୨୯.୫୫ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ଉପରେ ୫୧୪.୨୮ କୋଟି ଟଙ୍କା ।

୨୦୧୯-୨୦ରେ ପ୍ରିଣ୍ଟ ମିଡିଆ ଉପରେ ୨୯୫.୦୫ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ଉପରେ  ୩୧୭.୧୧ କୋଟି ଟଙ୍କା, ୨୦୨୦-୨୧ରେ ପ୍ରିଣ୍ଟ ମିଡିଆ ଉପରେ ୧୯୭.୪୯ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ଉପରେ ୧୬୭.୯୮ କୋଟି ଟଙ୍କା ତଥା ୨୦୨୧-୨୨ରେ ପ୍ରିଣ୍ଟ ମିଡିଆ ଉପରେ ୧୭୯.୦୪ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ଉପରେ ୧୦୧.୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଏଥିରେ କୁହାଯାଇଛି ଯେ, ୨୦୨୨-୨୩ରେ ୭ ଡିସେମ୍ବର ୨୦୨୨ ସୁଦ୍ଧା ପ୍ରିଣ୍ଟ ମିଡିଆ ଉପରେ ବିଜ୍ଞାପନରେ ୯୧.୯୬ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ଉପରେ ୭୬.୮୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମାଧ୍ୟମରେ ବିଦେଶୀ ମିଡିଆରେ ବିଜ୍ଞାପନ ଉପରେ କୌଣସି ବି ବ୍ୟୟ କରାଯାଇନାହିଁ । ଏହି ତାଜା ତଥ୍ୟ ଅନୁସାରେ ୨୦୧୪ରୁ କ୍ରମଶଃ କେନ୍ଦ୍ର ସରକାରଙ୍କ ବିଜ୍ଞାପନ ଖର୍ଚ୍ଚ କମୁଛି । ୨୦୧୫-୧୬ରେ ବିଜ୍ଞାପନରେ ସର୍ବାଧିକ ଖର୍ଚ୍ଚ ହୋଇଥିଲା । ଏହାପରେ କେନ୍ଦ୍ର ସରକାର ବିଜ୍ଞାପନରେ ଖର୍ଚ୍ଚ କମାଇଛନ୍ତି ।

ବଢ଼ୁଛି ହକି ବିଶ୍ୱକପ୍ ଉତ୍ସାହ, ସାରା ରାଜ୍ୟରେ ଆୟୋଜନ ହେବ ସିଟି ଫେଷ୍ଟିଭାଲ

ଭୁବନେଶ୍ୱର: ହକି ବିଶ୍ବକପ ପାଇଁ ବଢୁଛି ଉତ୍ସାହ । ସାରା ରାଜ୍ୟରେ ଆୟୋଜନ ହେବ ସିଟି ଫେଷ୍ଟିଭାଲ । ସ୍କୁଲ, କଲେଜରେ ଖେଳ ଓ ହକିର କରାଯିବ ପ୍ରମୋସନ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷରେ ବସିଥିବା ହକି ବିଶ୍ବକପ ଆୟୋଜନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ବିଶ୍ବକପ ଆୟୋଜନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି । ଯୋଗାଯୋଗ, ଚିକିତ୍ସା, ଟ୍ରାଫିକ ଓ ଗହଳି ନିୟନ୍ତ୍ରଣକୁ ଗୁରୁତ୍ବ ଦିଆଯାଇଛି ।

ଚଳିତ ଆର୍ଥିକ ବର୍ଷରେ କ୍ରୀଡ଼ା ବିଭାଗ ୭୫କୋଟି ଟଙ୍କା ହକି ବିଶ୍ବକପ ପାଇଁ ବ୍ୟୟ କରିବ । ଭୁବନେଶ୍ବରର କଳିଙ୍ଗ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳ ହେବ । ଉଭୟ ଷ୍ଟାଡିୟମରେ ସମସ୍ତ ବନ୍ଦୋବସ୍ଥ କରାଯାଉଛି । ଖୁବଶୀଘ୍ର ରାଉରକେଲାକୁ ବିମାନ ଚଳାଚଳ ଆରମ୍ଭ ହେବ । ରାଉରକେଲାରେ ଜାନୁଆରୀରୁ ମୋ ବସ ସେବା ଆରମ୍ଭ ହେବ । ପାଖରେ ହକି ଟିକେଟ ଥିଲେ ଷ୍ଟାଡିୟମକୁ ମାଗଣାରେ ମୋ ବସରେ ଯାଇପାରିବେ । ଆସନ୍ତା ୧୧ତାରିଖରେ କଟକରେ ହକି ବିଶ୍ବକପ ଉଦଘାଟନ କାର୍ଯ୍ୟକ୍ରମ ହେବ ।

ସେଥିପାଇଁ ମଧ୍ଯ ବୈଠକରେ ଆଲୋଚନା କରାଯାଇଛି । ବିଶ୍ବକପ ପୂର୍ବରୁ ସବୁ ଜିଲ୍ଲାରେ ନଗର କ୍ରୀଡ଼ା ଆୟୋଜନ କରାଯିବ । ଏଥିରେ ବିଭିନ୍ନ ବିଭାଗରେ ଖେଳ ଅନୁଷ୍ଠିତ ହେବ । ବିଜୟୀଙ୍କୁ ପୁରସ୍କାର ପ୍ରଦାନ କରାଯିବର ବ୍ୟବସ୍ଥା ରହିଛି । ରାଜ୍ୟର ସବୁ ଜିଲ୍ଲାକୁ ହକି ଟ୍ରଫି ଟୁର କରିବ । ଆଜିର ଏହି ବୈଠକରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଉପସ୍ଥିତ ଥିଲେ । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଭାରତୀୟ ହକିର ଅଧିକାରୀମାନେ ଆଲୋଚନା ସମୟରେ ଉପସ୍ଥିତ ଥିଲେ ।

କର୍ଣ୍ଣାଟକରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଘଟଣା; ବାପାକୁ ହତ୍ୟା ପରେ ୩୦ ଖଣ୍ଡ କଲା ରାକ୍ଷସ ପୁଅ

ବେଙ୍ଗାଲୁରୁ: ଶ୍ରଦ୍ଧା ୱାକର ବିଭତ୍ସ ହତ୍ୟାକାଣ୍ଡ ଘଟଣା ଏବେ ବି ଦେଶବାସୀଙ୍କ ମନରୁ ଲିଭିନି । ଲିଭ୍ ଇନ୍ ପାର୍ଟନର ଅଫତାବ ପୁନାୱାଲା ଶ୍ରଦ୍ଧାଙ୍କ ହତ୍ୟା ପରେ ମୃତଶରୀରକୁ ୩୫ ପିସ୍ କରି ଫୋପାଡ଼ି ଦେଇଥିଲା । ଦିଲ୍ଲୀର ଭିନ୍ନ ଭିନ୍ନ ଅଞ୍ଚଳରେ ଶରୀରର ଅଂଶବିଶେଷକୁ ଫୋପାଡ଼ିଥିଲା । ଏହି ଘଟଣା ଦେଶକୁ ଦୋହଲାଇ ଦେଇଥିଲା । ଏବେ ଏହିପରି ଆଉ ଏକ ଭୟଙ୍କର ମାମଲା କର୍ଣ୍ଣାଟକରୁ ସାମ୍ନାକୁ ଆସିଛି । ଯେଉଁଠି ଜଣେ ନିର୍ଦ୍ଦୟୀ ଓ ରାକ୍ଷସ ପୁଅ ନିଜ ବାପାଙ୍କର ହତ୍ୟା କରିଦେଇଛି ଏବଂ ତାଙ୍କ ମରଶରୀରକୁ ୩୦ ଖଣ୍ଡ କରି ବୋରୱେଲରେ ଫୋପାଡ଼ି ଦେଇଛି ।

ଏହି ଘଟଣା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଛାତି ଥରାଇ ଦେଇଥିବା ଏହି ଘଟଣା ଟି କର୍ଣ୍ଣାଟକର ବାଗଲକୋଟ ଜିଲ୍ଲାର ଅଟେ । ଯେଉଁଠାରେ ମୁଧୋଲ ଅଞ୍ଚଳରେ ଅଭିଯୁକ୍ତ ପୁଅ ନିଜ ବାପାଙ୍କ ହତ୍ୟା କରି ଶବକୁ ୩୦ ଖଣ୍ଡରେ କାଟି ଦେଇଛି ଏବଂ ଏହି ଅଂଶବିଶେଷକୁ ବୋରୱେଲରେ ଫୋପାଡ଼ି ଦେଇଛି । ଅଭିଯୁକ୍ତର ବୟସ ୨୦ ବର୍ଷ ହୋଇଥିବା କୁହାଯାଉଛି । ତେବେ ଘଟଣାଟି ୬ ଡିସେମ୍ବରରେ ଘଟିଥିଲା । ଅଭିଯୁକ୍ତ ପୁଅର ଚିହ୍ନଟ ବିଠଲ କୁଲାଲି ରୂପରେ ହୋଇଛି ।

ପୋଲିସ ତାକୁ ସୋମବାର ଗିରଫ କରିଛି । ପୋଲିସର କହିବା ଅନୁସାରେ, ବିଠଲ ପଚରାଉଚରାରେ କହିଛି ଯେ ଯେତବେଳେ ବି ତା ବାପା ମଦ ନିଶାରେ ରହୁଥିଲେ, ସେତବେଳେ ତା ଉପରେ ଆକ୍ରମଣ କରୁଥିଲେ । ତା ସହ ମାରପିଟ୍ କରୁଥିଲେ । ୬ ଡିସେମ୍ବରରେ ମଧ୍ୟ ଏପରି କିଛି ଘଟିଥିଲା । ପରଶୁରାମ ମଦ ନିଶାରେ ପୁଣିଥରେ ବିଠଲକୁ ପିଟିଥିଲା । ଏହାକୁ ନେଇ ବିଠଲ ବହୁତ ରାଗି ଯାଇଥିଲା । ରାଗରେ ହିଁ ବିଠଲ ନିଜ ବାପାଙ୍କୁ ରଡରେ ପିଟିବା ଆରମ୍ଭ କରିଥିଲା ଏବଂ ପରଶୁରାମଙ୍କ ମୃତ୍ୟୁ ହୋଇଯାଇଥିଲା ।

ନିଜ ବାପା ପରଶୁରାମଙ୍କୁ ମାରିବା ପରେ ବିଠଲ ବିଚଳିତ ହୋଇ ପଡ଼ିଥିଲା ଏବଂ ସେ ନିଜର ବାପାଙ୍କ ଶବକୁ ଲୁଚେଇବା ପାଇଁ ନିଷ୍ପତ୍ତି କରିଥିଲା । ଅଭିଯୁକ୍ତ ପୁଅ ପରଶୁରାମଙ୍କ ଶବକୁ ଘରଠୁ କିଛି ବାଟ ଦୂର ନିଜ ବିଲରେ ଥିବା ବୋରୱେଲରେ ଫୋପାଡ଼ି ବାକୁ ଚାହୁଁଥିଲା । ସେ ଏପରି ହିଁ କରିବାକୁ ଉଦ୍ୟମ କରିଥିଲା । ହେଲେ ସେ ଶବକୁ ବୋରୱେଲ ଭିତରକୁ ଫୋପାଡ଼ି ପାରିନଥିଲା । ଏହାପରେ ତା ମୁଣ୍ଡକୁ ଭୟଙ୍କର ବିଚାର ଆସିଥିଲା । ସେ ଏକ ଧାରୁଆ ଅସ୍ତ୍ରର ଯୋଗାଡ଼ କରିଥିଲା ଏବଂ ପୁଣି ସେହି ଅସ୍ତ୍ରରେ ନିଜ ପିତାଙ୍କ ଶବକୁ ପିସ୍ ପିସ୍ କରି କାଟି ଦେଇଥିଲା ।

ଖଣ୍ଡଗୁଡ଼ିକୁ ନିଜ ବିଲରେ ଥିବା ବୋରୱେଲ ଭିତରେ ଫୋପାଡ଼ି ଦେଇଥିଲା । ବାପାଙ୍କ ଶବକୁ ଫୋପାଡ଼ିବା ପରେ ଘଟଣାସ୍ଥଳରୁ ପୁଅ ଫେରାର ହୋଇଯାଇଥିଲା । କିନ୍ତୁ ଗତ ଶନିବାର ସେ ଘରକୁ ଫେରିଆସିଥିଲା ଏବଂ ପରିବାରକୁ କହିଥିଲା ଯେ ବାପାଙ୍କ ସହ ଏକ ଛୋଟ ଝଗଡ଼ା କାରଣରୁ ସେ ଘର ଛାଡ଼ି ପଳାଇଥିଲା । ଯେତବେଳେ ଘର ଲୋକେ ତାକୁ ତା ବାପାଙ୍କ ବିଷରେ ପଚାରିଥିଲେ, ତେବେ ସେ କହିଥିଲା ଯେ ତାକୁ ବାପାଙ୍କ ବିଷୟରେ କିଛି ଜଣାନାହିଁ । ପରିବାର ଲୋକେ ମାମଲାର ସୂଚନା ପୋଲିସକୁ ଦେଇଥିଲେ ।

ପୋଲସ୍ ତଦନ୍ତ ଆରମ୍ଭ କରିଥିଲା । ଅଞ୍ଚଳରେ ପରଶୁରାମଙ୍କୁ ଖୋଜିଥିଲା । ସାଙ୍ଗ, ସମ୍ପର୍କୀୟ ଏବଂ ପଡୋଶୀଙ୍କୁ ପରଶୁରାମଙ୍କ ସମ୍ପର୍କରେ ପଚରା ଯାଇଥିଲା । କିନ୍ତୁ ତାଙ୍କର କୌଣସି ଖୋଜ ଖବର ମିଳିନଥିଲା । ତଦନ୍ତ ଆଗକୁ ବଢ଼ିବା ସହ ପୋଲିସକୁ ବିଠଲ ଉପରେ ସନ୍ଦେହ ହୋଇଥିଲା । ଏହି ଆଧାରରେ ପୋଲିସ ସୋମବାର ବିଠଲକୁ ପଚରା ଉଚରା ପାଇଁ ହେପାଜତକୁ ନେଇଥିଲା । ହେପାଜତରେ ପୋଲିସ ଯେତବେଳେ ବିଠଲକୁ ପଚରା ଉଚରା କରିଥିଲା ତ ସେ ପ୍ରଥମେ ପୋଲିସ ସାମ୍ନାରେ ନିଜକୁ ନିର୍ଦ୍ଦୋଶ କହିଥିଲା ।

ହେଲେ ପୋଲିସ ଯେତବେଳେ କଡ଼ା ଆଭିମୁଖ୍ୟ ସହ ଜେରା କରିଥିଲା ତେବେ ସେ ସତ ଓଗାରି ଥିଲା । ସେ ପୋଲିସକୁ କହିଥିଲା ଯେ ସେ କିପରି ପରଶୁରାମଙ୍କ ହତ୍ୟା କଲା ଏବଂ କିପରି ଶବକୁ ୩୦ ଖଣ୍ଡ କରି ଫୋପାଡ଼ି ଦେଇଥିଲା । ଏହାପରେ ପୋଲିସ ବିଲରେ ଜେସିବି ସହାୟତାରେ ଖୋଳିଥିଲା । ଖୋଳା ସ୍ଥାନରୁ ପରଶୁରାମଙ୍କ ଶବର କିଛି ଅଂଶବିଶେଷ ଜବତ କରାଯାଇଛି । ଏହାକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି । ଏଥିସହିତ ପୋଲିସ ବିଠଲକୁ ଗିରଫ କରିବା ସହ ଅଧିକ ତଦନ୍ତରେ ଲାଗିଛି ।

ଭକ୍ତଙ୍କ ଭାବାବେଗ ସହିତ ଖେଳ; ପୁଣି ଇସ୍କନ ପକ୍ଷରୁ ଅଦିନରେ ରଥଯାତ୍ର

ପୁରୀ: ପୁଣି ଅଦିନରେ ରଥଯାତ୍ରା । ପଞ୍ଜାବ ଅମୃତସରରେ ଇସ୍କନ ରାଧାକୃଷ୍ଣ ମନ୍ଦିର ପକ୍ଷରୁ ପାଳିତ ହୋଇଛି ରଥଯାତ୍ରା । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଭକ୍ତ, ସେବାୟତ ଓ ଗବେଷକ । ବାରମ୍ବାର ଇସ୍କନ ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ କରୁଛି । ଏଣୁ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଭକ୍ତ । ଥରେ ନୁହେଁ ବାରମ୍ବାର ଅଦିନରେ ରଥଯାତ୍ରା କରି ଘୋଷଯାତ୍ରାର ବିଧି ଭାଙ୍ଗୁଛି ଇସ୍କନ ।

ଦୁଇବର୍ଷ ତଳେ ଲୁଧିଆନାରେ କରିଥିବା ଭୁଲକୁ ପୁଣି ଦୋହରାଇଛି । ଗତ ୧୦ତାରିଖରେ ପଞ୍ଜାର ଲୁଧିଆନାରେ ପାଳିତ ହୋଇଥିଲା ରଥଯାତ୍ରା । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କୋଟିକୋଟି କାଳିଆ ଭକ୍ତ । ଅକ୍ଷମଣୀୟ ଅପରାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଏନେଇ ଉତ୍କଳ ବିଦ୍ବତ ପରିଷଦ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଓ ଗଜପତି ମହାରାଜାଙ୍କୁ ଦାବିପତ୍ର ଦିଆଯାଇଛି ।

ପୂର୍ବରୁ ମଧ୍ୟ ନିୟମ ଭାଙ୍ଗି ରଥଯାତ୍ରା ପାଳିଥିଲା ଇସ୍କନ । ଏଥିପାଇଁ ସବୁ ମହଲରେ ସମାଲୋଚନା ସହିତ ଆଗକୁ ଏପରି ଭୁଲ ନକରିବାକୁ ଚେତାଇ ଦିଆଯାଇଥିଲା । ତେବେ ସମାନ ଘଟଣାର ପୁନରାବୃତ୍ତି କରିଛି ଇସ୍କନ। ଏଭଳି ମନମାନୀ ଧର୍ମ ବିରୋଧୀ ଏବଂ ଅକ୍ଷମଣୀୟ ବୋଲି କହିଛନ୍ତି ଭକ୍ତ ଓ ସେବାୟତ । ଯାହାକୁ ଗୁରୁତର ସହିତ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ବିଧିବଦ୍ଧ ଆଲୋଚନା ପରେ ଏତଲା ଦାଏର ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।

ପାରାମେଡିକାଲ ଅନୁଷ୍ଠାନ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା; କାର୍ଯ୍ୟକାରୀ ହେବ ଏକକ ଏନଓସି ନୀତି

ଭୂବନେଶ୍ୱର: ରାଜ୍ୟରେ ଉଚ୍ଚ ଗୁଣାତ୍ମକମାନର ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଏବଂ ଏକ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ପ୍ରେତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ନୋ-ଅବ୍‌ଜେକ୍‌ସନ ପ୍ରମାଣପାତ୍ର ପ୍ରଦାନ ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ କରିଛନ୍ତି । ଏଥିପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ବଜ୍ଞପ୍ତି ପ୍ରକାଶ କରାଯାଇଛି ।

ବିଭଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ପ୍ରଚଳିତ ବ୍ୟବସ୍ଥା ସମ୍ବନ୍ଧରେ ବିଭିନ୍ନ ସ୍ତରରୁ ମିଳିଥିବା ମତାମତକୁ ଏକ ଉଚ୍ଚସ୍ତରୀୟ କମିଟି ପୁଙ୍ଖାନୁପୁଙ୍ଖ ଭାବେ ବିଚାର କରିଥିଲେ । କମିଟିଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷଠାରୁ ନୂଆ ନର୍ସିଂ, ଡି. ଫାର୍ମା, ବି. ଫାର୍ମା, ଏମ୍‌. ଫାର୍ମା, ଡି.ଏମ.ଏଲ୍‌.ଟି, ଡି.ଏମ୍‌.ଆର୍‌.ଟି., ଫିଜିଓଥେରାପି, ଅକୁପେସନାଲ୍ ଥେରାପି ଓ ଆନୁସାଙ୍ଗିକ ବିଷୟରେ ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରିବାକୁ ଚାହୁଁଥିବା ଦରଖାସ୍ତକାରୀଙ୍କୁ ଜି.ଆଇ.ଏସ୍‌. ଏବଂ ଗ୍ୟାପ୍ ଆନାଲିସିସ୍ ତଥ୍ୟ ଦେବାକୁ ପଡିବ ନାହିଁ ।

ଶ୍ରୀମତୀ ପଣ୍ଡିତ୍ ଆହୁରି ମଧ୍ୟ କହିଥିଲେ ଯେ ଏ ପ୍ରକାର ଅନୁଷ୍ଠାନ ଗୁଡିକର ଭିତ୍ତଭିୂମି ଓ ଦକ୍ଷତା ଆକଳନ ସଂପୃକ୍ତ ବିଷୟରେ ବିଶେଷଙ୍କ କମିଟି ଦ୍ୱାରା କରାଯିବ । ଆକଳନରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଡିଓ, ତହସିଲ୍‌ଦାର ଆଦିଙ୍କର ସଂପୃକ୍ତି ଦରକାର ହେବନାହିଁ । ଏହି ନୂଆ ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ଅଧିକ ଗୁଣାତ୍ମକମାନର ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଦେବାସହ ସ୍ୱାସ୍ଥ୍ୟ ସେବା ନିମନ୍ତେ ତାଲିମପ୍ରାପ୍ତ ଓ କୁଶଳୀ ମାନବସମ୍ଭଳ ସୃଷ୍ଟି ହେବ ବୋଲି ବୁଦ୍ଧିଜିବୀମାନେ ଆଶା ପ୍ରକାଶ କରିଛନ୍ତି।

ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନରେ ଲାଗିଲା ବ୍ରେକ୍ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆନ୍ଦୋଳନ ସ୍ଥଗିତ ରଖିଲେ ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନ୍ । ଏନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତି ନେଇଛି । ସୁପ୍ରିମକୋର୍ଟ ଓ ସମ୍ବିଧାନ ଉପରେ ଭରସା ଦେଖାଇ ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ତେବେ ସମ୍ବଲପୁରରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବା ନେଇ କ୍ରିୟାନୁଷ୍ଠାନ କମିଟି ଆଶାବାଦୀ ରହିଛି । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଭରସା ରହିଥିବା କମିଟି କହିଛି ।

ସୂଚନାଥାଉକି, ଦୀର୍ଘ ଦିନ ହେବ ଓକିଲମାନେ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରି ଆସୁଛନ୍ତି । ଏମିତି କି ଗତ ସୋମବାର କୋର୍ଟରେ ପଶି ଓକିଲମାନେ ଧସ୍ତାଧସ୍ତି ଓ ଭଙ୍ଗାରୁଜା କରିବା ସହ ହିଂସାତ୍ମକ ପନ୍ଥା ଆପଣାଇଥିଲେ । ସୁପ୍ରିମକୋର୍ଟ ଏପରି ଘଟଣାକୁ ଭର୍ତ୍ସନା କରିବା ସହ ଓଡ଼ିଶା ପୋଲସକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆ ମଧ୍ୟ ୨୯ ଜଣ ଓକିଲଙ୍କ ଲାଇସେନ୍ସ ୧୮ ମାସ ପାଇଁ ବାତିଲ କରିଥିଲା । ଆଜି ହିଂସାତ୍ମକ ଆନ୍ଦୋଳନ ପାଇଁ ୧୭ ଆଇନଜୀବୀଙ୍କୁ ପୋଲିସ ଗିରଫ କରିଥିଲା । ପ୍ରକାଶଥାଉକି ପୂର୍ବରୁ ସୁପ୍ରିମକୋର୍ଟ ଚେତାବନୀ ଦେଇ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଆଦେଶ ଦେଇଥିଲେ । ହେଲେ ଆଇନଜୀବୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନମାନି ଆନ୍ଦୋଳନ ଜାରି ରଖିଥିଲେ । ଏମିତି ହିଂସାତ୍ମକ ପନ୍ଥା ଆପଣାଇବାକୁ ପଛାଇ ନଥିଲେ । ଏହାପରେ ସୁପ୍ରିମକୋର୍ଟ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।