spot_img
Home Blog Page 3600

ଅବଦୁର ରେହମାନକୁ ୭ବର୍ଷ ୫ମାସ ଜେଲ ; ପଟିଆଲା ହାଉସକୋର୍ଟ ଶୁଣାଇଲେ ଦଣ୍ଡାଦେଶ

ନୂଆଦିଲ୍ଲୀ : ଅବଦୁର ରେହମାନକୁ ୭ବର୍ଷ ୫ମାସ ଜେଲ। ଅଲକାଏଦା ଲିଙ୍କରେ ଅବଦୁରକୁ ପଟିଆଲା ହାଉସକୋର୍ଟ ଶୁଣାଇଲେ ଦଣ୍ଡାଦେଶ। ଅବଦୁର ସହ ଅନ୍ୟ ତିନି ସହଯୋଗୀଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏହାସହ ୨୫ ହଜାର ଲେଖାଏଁ ଜରିମାନା ଦଣ୍ଡାଦେଶ ଦିଆଯାଇଛି।

ଆତଙ୍କବାଦ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗରେ ୨୦୧୫ ମସିହା ଡିସେମ୍ବର ୧୬ରେ ଅବଦୁରକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ। ଜଗତପୁରର ପଶ୍ଚିମକଚ୍ଛ ଗାଁରୁ ଅବଦୁରକୁ ଗିରଫ କରାଯାଇଥିଲା । ଅବଦୁର ଅଲକାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟର ସଦସ୍ୟ ବୋଲି ଜଣାପଡ଼ିଥିଲା।

ସେ ସଂଗଠନର ନିଯୁକ୍ତି କଥା ବୁଝୁଥିଲା ବୋଲି ପୋଲିସ୍ କହିଥିଲା। ଅନେକ ଥର ପାକିସ୍ତାନ ଯାଇ ଆତଙ୍କୀ ସଂଗଠନର ମୁଖିଆଙ୍କୁ ଭେଟିଥିଲା । ତଦନ୍ତ ସମୟରେ ଅବଦୁର ପାଖରୁ ମୋବାଇଲ୍, ଟାବଲେଟ୍ ଓ ପାସପୋର୍ଟ ଜବତ ହୋଇଥିଲା । ବେଆଇନ ମଦ୍ରାସା ଚଳାଇବା , ଅସ୍ତ୍ରଶସ୍ତ୍ର ତାଲିମ ଦେବା ଓ ଉତ୍ତେଜନା ପ୍ରବଣ ଭାଷଣ ଦେବା ଆଦିର ପ୍ରମାଣ ପୋଲିସ ହାତରେ ଲାଗିଥିଲା। ବାରମ୍ବାର ଅବଦୁରକୁ NIA ରିମାଣ୍ଡରେ ନେଇ ତଦନ୍ତ କରିସାରିଛି । ଅବଦୁର ସହିତ ତାର ତିନି ସହଯୋଗୀ ମହମ୍ମଦ ଆସିଫ, ଜାଫର ମସୁଦ ଓ ଅବଦୁଲ ସାମକୁ ମଧ୍ୟ ୭ବର୍ଷ ୫ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଅଧିକ ଲୋକାଭିମୁଖୀ ହେବ ୫T ଓ ମୋ ସରକାର; ପ୍ରସ୍ତୁତ ହେଉଛି ଭବିଷ୍ୟତ ରୋଡମ୍ୟାପ

ଭୁବନେଶ୍ବର : ଫାଇଭ୍-ଟି ଓ ମୋ ସରକାର ଆଧାରରେ କିପରି ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରାଯିବ? ସେନେଇ ପ୍ରସ୍ତୁତ ହେଉଛି ଭବିଷ୍ୟତ ରୋଡମ୍ୟାପ। ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀରେ ଏହା କହିଛନ୍ତି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ୩ବର୍ଷ ପରେ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ସମ୍ମିଳନୀରେ ଯୋଗ ଦେଇଛନ୍ତି। ସମ୍ମିଳନୀରେ ୧୭ଟି ବିଷୟ ଉପରେ ଆଲୋଚନା ହେଉଛି। ଟେକ୍ନୋଲୋଜି ଓ ଟିମ ଓ୍ବାର୍କକୁ ଫୋକସ କରିଛନ୍ତି ଗୃହ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥି ଭାଥାନନ । ଜାଗା ମିଶନ, ମୁକ୍ତା, ଡ୍ରିଙ୍କ ଫ୍ରମ ଟ୍ୟାପ ଭଳି ସହରାଞ୍ଚଳରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ନେଇ ସୂଚନା ଦେଇଛନ୍ତି।

ଡିସେମ୍ବର ୨୦୨୩ ସୁଦ୍ଧା ବାକି ସହରାଞ୍ଚଳରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା କାର୍ଯ୍ୟକାରୀ ହେବ। ଜାଗା ମିଶନରେ ୫ଟି ମହାନଗର ନିଗମରେ ମାଗଣା ଜାଗା ପ୍ରଦାନ ନେଇ ସର୍ଭେ ଚାଲିଛି, ଜୁନ୍ ଜୁଲାଇ ସୁଦ୍ଧା ଏହା ସରିବ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଭୂମିହୀନଙ୍କୁ ୧ଲକ୍ଷ ଜମି ପଟ୍ଟା ଦେବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ଥିର କରାଯାଇଛି।

ସେହିପରି ସାରା ଦେଶରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଗାଣରେ ଓଡ଼ିଶା ପ୍ରଥମ ରାଜ୍ୟ । ଯକ୍ଷ୍ମା ନିରାକରଣ, ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ମଧ୍ୟ ରାଜ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି । କୋଭିଡ୍ ବେଳେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆଇସିୟୁ ସୁବିଧା ସହ ସ୍ବତନ୍ତ୍ର କୋଭିଡ୍ ହସପିଟାଲ ପ୍ରସ୍ତୁତ କରିଥିଲା । ସମସ୍ତଙ୍କୁ ମାଗଣା ଚିକିତ୍ସା ବ୍ୟବସ୍ଥା କରିବାରେ ବି ରାଜ୍ୟ ପ୍ରଥମ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି କୋଣାର୍କ ଇକୋରିଟ୍ରିଟରେ ଉଦଯାପନ ହେବ ଜିଲ୍ଲାପାଳ ସମ୍ମିଳନୀ।

ମୁଖ୍ୟମନ୍ତ୍ରୀ ଦେଲେ ଗୁରୁମନ୍ତ୍ର ; ଆସ ନୂଆ ଓ ସଶକ୍ତ ଓଡ଼ିଶା ଗଢିବା

ଭୁବନେଶ୍ବର : ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର । ନୂଆ ଏବଂ ସଶକ୍ତ ଓଡ଼ିଶା ଗଠନ ଦିଗରେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଗ୍ରାଉଣ୍ଡରେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବିନା ବାଧାରେ ଓ କମ୍ ସମୟରେ ସମାଧାନ କରିବାକୁ ଜିଲ୍ଲାପାଳମାନକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟରେ ରୂପାନ୍ତରଣ କାର୍ଯ୍ୟକ୍ରମ ଏକ ଯୁଗାନ୍ତକାରୀ ପଦକ୍ଷେପ । ରୂପାନ୍ତରଣରେ ଫାଇଭ T ଓ ମୋ ସରକାର ବଳିଷ୍ଠ ପଦକ୍ଷେପ ନେଇଛି । ବଳକା ଖାଦ୍ୟ ରାଜ୍ୟ ଭାବରେ ଓଡ଼ିଶା ଦେଶରେ ଆଗୁଆ । ଗ୍ରାମାଞ୍ଚଳରେ କୃଷିକ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ମିଲେଟ୍ ମିଶନ ଦେଶରେ ସୃଷ୍ଟି କରିଛି ଉଦାହାରଣ । ପୁଷ୍ଟିକର ଖାଦ୍ୟର ଚାହିଦାକୁ ପୂରଣ କରିଛି ମିଲେଟ୍ ମିଶନ । ଗ୍ରାମାଞ୍ଚଳ ଅର୍ଥ ବ୍ୟବସ୍ଥାକୁ ମିଲେଟ୍ ମିଶନ ସୁଦୃଢ଼ କରିଛି ।

ରାଜ୍ୟ ଅର୍ଥନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛି ଷ୍ଟାର୍ଟଅପ୍ । ଷ୍ଟାର୍ଟଅପ୍ ପାଇଁ ଓ ହବ୍ ସହାୟକ ହେବ । ଖୁବଶୀଘ୍ର ଦେଶର ଟପ୍ ଥ୍ରୀ ଷ୍ଟାର୍ଟଅପ୍ ଡେଷ୍ଟିନେସନରେ ରହିବ ଓଡ଼ିଶାର ନାଁ । ଷ୍ଟାର୍ଟଅପ ପାଇଁ ଓଡ଼ିଶାକୁ ବାଛିବେ ଯୁବପିଢ଼ି ।ରାଜ୍ୟର ସବୁ ପଦକ୍ଷେପ ଭିତରେ ମହିଳା ସଶକ୍ତିକରଣ ହେଉଛି ସବୁଠୁ ବଡ଼ ପ୍ରସଙ୍ଗ ।

ମିଶନଶକ୍ତି ଗ୍ରୁପକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗରେ ପରିଣତ କରାଯାଉଛି । ଏସଏଚଜିଙ୍କୁ ଆହୁରି ମଜଭୁତ ତଥା ସୁନ୍ଦର ଭାବେ ଗଢ଼ିତୋଳିବାକୁ ସରକାର ସହାୟତା କରୁଛନ୍ତି । ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି । ଆଗାମୀ ୫ ବର୍ଷରେ ମିଶନ ଶକ୍ତି ଗ୍ରୁପଙ୍କୁ ୫୦ ହଜାର କୋଟି ଟଙ୍କା ଋଣ ସହାୟତା ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ମିଶନଶକ୍ତି ଗ୍ରୁପଙ୍କୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କୋରାପୁଟର ମିଶନଶକ୍ତି ଇଣ୍ଡଷ୍ଟ୍ରିଆଲ ପାର୍କକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ବାସ୍ଥ୍ୟ କଲ୍ୟା ଣ ଯୋଜନା, ସ୍କୁଲ ରୂପାନ୍ତରିକରଣ, ପର୍ଯ୍ୟଟନର ପ୍ରଚାର, ଖେଳ କ୍ଷେତ୍ରକୁ ମଧ୍ୟ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଜବରଦଖଲ ହଟାଇବା ବେଳେ ଅଘଟଣ,ପୋଲିସ ଆଖି ଆଗରେ ଘରେ ଜୀବନ୍ତ ଜଳିଗଲେ ମା’ ଓ ଝିଅ

ଲକ୍ଷ୍ନୌ :  ୟୁପିରେ ବୁଲଡୋଜର ରାଜ୍ । ଜବରଦଖଲ ଉଚ୍ଛେଦ ନାଁରେ ପ୍ରଶାସନର ଗୁଣ୍ଡାଗର୍ଦ୍ଦି । ୟୁପି କାନପୁରରେ ଭୟାବହ ରୂପ ନେଇଛି ଜବରଦଖଲ ବିରୋଧୀ ଅଭିଯାନ । ଦେହାତରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଚିତ୍ର । ଆଖି ଆଗରେ ସ୍ତ୍ରୀ, ଝିଅ ଜଳିଯାଇଥିବା ବେଳେ ଅସହାୟ ଦର୍ଶକ ପାଲଟିଥିଲେ ସ୍ବାମୀ ଗୋପାଳ ଦୀକ୍ଷିତ । ତାଙ୍କ ଆଖି ଆଗରେ ପୁରା ପରିବାର ଉଜୁଡି ଯାଇଛି ।

ଅବୈଧ ନିର୍ମାଣ ଉଚ୍ଛେଦକୁ ନେଇ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ମାମଲା କୋର୍ଟରେ ବିଚାରାଧୀନ ରହିଥିଲେ ବି ଗୋପାଳଙ୍କ ଝୁମ୍ପୁଡି ଘର ଉପରେ ବୁଲଡୋଜର ଚଳାଇଥିଲା ପ୍ରଶାସନ । ହଠାତ ଘରେ ନିଆଁ ଲାଗି ଯିବାରୁ ଗୋପାଳଙ୍କ ସ୍ତ୍ରୀ ଓ ଝିଅ ଘର ଭିତରୁ ବାହାରି ପାରି ନଥିଲେ । ନିଆଁ ଭିତରୁ ସେମାନଙ୍କ ଆର୍ତ୍ତ ଚିତ୍କାର ଶୁଣାଯାଉଥିଲା । ହେଲେ ତାଙ୍କୁ ବଞ୍ଚାଇ ପାରିନଥିଲେ ପରିବାର ଲୋକେ । ମାଆ, ଝିଅଙ୍କ ମୃତ୍ୟୁ ପରେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଉତ୍ତ୍ୟକ୍ତ ଲୋକେ ସେଠାରେ ଥିବା ଗାଡ଼ି ଭଙ୍ଗାରୁଜା କରିଥିବା ବେଳେ ଏହି ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି । ମୃତକଙ୍କ ପୁଅ ପ୍ରଶାସନକୁ ଦୋଷ ଦେଉଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ନାଁରେ ହତ୍ୟା, ବଟି ଆଦାୟ, ଧମକ ଦେବା ଆଦି ଦଫାରେ ମାମଲା ରୁଜୁ କରିବାକୁ ଦାବି କରିଛି ସମାଜବାଦୀ ପାର୍ଟି । କଂଗ୍ରେସ ମଧ୍ୟ ଗୋପାଳ ଓ ତାଙ୍କ ପୁଅକୁ ଭେଟିଛି । ଜବରଦଖଲ ଅଭିଯାନରେ ସାମିଲ 13ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।

ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ଦ୍ବିତୀୟ ସମନ୍ବୟ ବୈଠକରେ ନୀତି ନିର୍ଘଣ୍ଟ

ଭୁବନେଶ୍ବର : ଆସନ୍ତା ୧୮ ତାରିଖରେ ଜାଗର । ଏଥିପାଇଁ ସବୁ ଶୈବପୀଠରେ ପ୍ରସ୍ତୁତି ଚାଲିଥିବା ବେଳେ ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ପୀଠରେ ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜାଗର ଦିନର ନୀତି ନିର୍ଘଣ୍ଟ କରାଯାଇଛି । ଚଳିତ ବର୍ଷ ମନ୍ଦିରରେ ରାତି ଗୋଟାଏରେ ମହାଦେବଙ୍କ ସୁନାବେଶ ହେବ । ଭୋର ୫ଟାରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ ।

ଜଳପଥ ଓ ସ୍ଥଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ । ପାର୍କିଂ ସ୍ଥଳ ଓ ନଦୀଘାଟ ବୁଲି ଦେଖିଲେ ଜିଲ୍ଲାପାଳ ଓ ଏସପି । ଜାଗରଯାତ୍ରା ପାଇଁ ମନ୍ଦିରର ପରିସରରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତରେ ପହଁଚିଥିବା ବେଳେ ମନ୍ଦିର ବେଢା ପରିସର, ଗର୍ଭଗୃହ, ପ୍ରାଚେରୀ, ଚାରିଦ୍ବାର ମନ୍ଦିର, କବାଟରେ ପିତଳ ଛାଉଣି କାମ ସରିଛି । ଆଲୋକିକରଣ କାମ ଚାଲିଛି ।

ବିଶେଷକରି ବିଗତ ୨ବର୍ଷ ମହାମାରୀ କରୋନା ପାଇଁ ଜାଗରଯାତ୍ରାରେ ଭକ୍ତଙ୍କୁ ବାରଣ କରାଯାଇଥିବାରୁ ଚଳିତବର୍ଷ ୨ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହେବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ସେଥିପାଇଁ ଯାତାୟତ ଠାରୁ ଆରମ୍ଭ କରି, ପାନୀୟଜଳ, ସ୍ବାସ୍ଥ୍ୟ , ପରିମଳ ଉପରେ ଗୁରୁତ୍ବର ଭାବେ ଆଲୋଚନା କରିଥିଲେ ଜିଲାପାଳ । ସେହିପରି ବେତାଳିଗାଁ ବଜାର ଠାରୁ ଆରମ୍ଭ କରି ମଠଡିହ, ଆରଡି ପାନ୍ଥନିବାସ ଆଦି ୫ଟି ସ୍ଥାନରେ ଅସ୍ଥାୟୀ ଟ୍ରାଫିକ ପୋଷ୍ଟ ସହ ସ୍ଥଳପଥ ଓ ଜଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଏସପି କହିଥିଲେ ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଦକ୍ଷିଣଦ୍ବାର ଠାରୁ ଶିବଗଙ୍ଗା ପୁଷ୍କରିଣୀ ଯାଏଁ ସ୍ବତନ୍ତ୍ର ବ୍ୟାରିକେଡ କରାଯିବ ବୋଲି ଡିଆଇଭି ଡିଏସପି କହିଥିଲେ । ଭକ୍ତମାନେ ଗୋଟିଏ ଦ୍ବାରରେ ପ୍ରବେଶ କରି ଅନ୍ୟ ୩ଟି ଦ୍ବାର ଦେଇ ପ୍ରସ୍ଥାନ କରିବେ, ଏଥିପାଇଁ ମନ୍ଦିର ଭିତର ବେଢା ସହ ମନ୍ଦିର ପରିସରରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯିବ ।

ପ୍ରେମ ପାଇଁ ଦିନଟିଏ, ଭାଲେଣ୍ଟାଇନ୍ସ ଡେ’

ନନ୍ଦିଘୋଷ ବ୍ୟୁରୋ : ପ୍ରେମ ପାଇଁ ଦିନଟିଏ, ଭାଲେଣ୍ଟାଇନ୍ସ ଡେ’। ଫେବୃୟାରୀ ୭ ରୋଜ୍‌ ଡେରୁ ଆରମ୍ଭ ହୋଇଥିବା ସପ୍ତାହର ଅନ୍ତିମ ଦିନ ପ୍ରେମ ଦିବସ। ପ୍ରେମ ଶାଶ୍ବତ, ପ୍ରେମ ଚିରନ୍ତନ ଓ ପ୍ରେମ ନୈସର୍ଗିକ । ଦୁଇଟି ଶବ୍ଦର ଏହି ଅକ୍ଷର ଦୁଇଟି ଭିନ୍ନ ମଣିଷକୁ ଏକତ୍ର କରିଦିଏ। ପ୍ରେମ ମାନେନା ବାଧାବିଘ୍ନ। ମାନେନା ସୀମା ସରହଦ। ଜାତି, ଧର୍ମ, ବର୍ଣ୍ଣ ସବୁରି ଉପରେ ଭଲ ପାଇବାର ପରିଭାଷା। ପ୍ରେମ ବିନା ଜୀବନ ରଙ୍ଗହୀନ। କେତେବେଳେ ଏହାର ଆଖିରେ ଆଖିତ ଆଉ କେତେବେଳେ ଏହା ଇସାରାରୁ ଆରମ୍ଭ ହୋଇଥାଏ। ଯାହା ଆଗରେ ଦୁନିଆ ହାରିଯାଏ, ତାହା ପ୍ରେମ , ହାରିବା ଭିତରେ ଯେଉଁଠି ଜିତିବା ଦେଖାଯାଏ, ତାହା ପ୍ରେମ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବୃଆରୀ ୧୪ ତାରିଖକୁ ପ୍ରେମୀ ଯୁଗଳମାନେ ଭାଲଣ୍ଟୋଇନ୍ସ ଡେ’ ଭାବେ ପାଳନ କରିଥା’ନ୍ତି। ଏହି ଦିନ ନିଜ ମନର ମଣିଷକୁ ହୃଦୟର କଥା କହିଥାନ୍ତି ପ୍ରେମପକ୍ଷୀ। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଭାଲେଣ୍ଟାଇନ୍ସ ଡେ’କୁ ନେଇ ଉତ୍ସୁକତା ରହିଥାଏ।

ଭାଲେଣ୍ଟାଇନ୍ସ ଡେ’ରେ ବିଶେଷ କରି ପାର୍କ, ସପିଂ ମଲ, ରେସ୍ତୋରାଁ ଓ ସିନେମା ହଲ୍‌ରେ ପ୍ରେମୀଯୁଗଳଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ପ୍ରେମର ମୂକସାକ୍ଷୀ ଏହି ଦିନଟିକୁ ପାଳିବା ପାଇଁ ପ୍ରେମୀଯୁଗଳମାନେ ବର୍ଷଟିଏ ଅପେକ୍ଷା କରିଥାନ୍ତି। ଭଲ ପାଉଥିବା ସାଥୀଟିକୁ ନିଜର ମନକଥା କହିବା ପାଇଁ ବାଛିଥାନ୍ତି ଏହି ଦିନଟିକୁ। ତେବେ ଭଲ ପାଇବା ପାଇଁ ଗୋଟିଏ ଜୀବନ ବି କମ୍ ପଡିଯାଏ। ଦିନଟିଏ ତ କିଛି ବି ନୁହେଁ। ତଥାପି ହସଖୁସି ଭିତରେ ସାଥୀ ସହ ଏକାନ୍ତରେ ସମୟ ବିତାଇବା ପାଇଁ ଏହି ଦିନର ପରିକଳ୍ପନା।

ଭାଲେଣ୍ଟାଇନ୍ସ ଡେ’ରେ କୌଣସି ଦିବସର ନାଁ ନୁହେଁ, ବରଂ ରୋମ୍‌ର ଜଣେ ସନ୍ଥଙ୍କ ନାମ। ସେତେବେଳେ କ୍ଲାଉଡିୟସ୍ ଦ୍ବିତୀୟ ନାମକ ଜଣେ ଶାସକ ରୋମ୍ ଉପରେ ରାଜୁତି କରୁଥିଲେ। ସେ ପ୍ରେମ ଓ ବିବାହକୁ ପସନ୍ଦ କରୁ ନ ଥିଲେ। ପ୍ରେମ ଓ ବିବାହ କାରଣରୁ ଯୋଦ୍ଧାମାନେ ତାଙ୍କ ଲକ୍ଷ୍ୟ ପୂରଣ କରିପାରନ୍ତି ନାହିଁ ବୋଲି ସେ ଭାବୁଥିଲେ। ଏଥିପାଇଁ ରୋମାନ୍ ସୈନ୍ୟମାନେ ପ୍ରେମ କିମ୍ବା ବିବାହ କରିପାରିବେ ନାହିଁ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ। ସେହି ରାଜ୍ୟରେ ଭାଲେଣ୍ଟାଇନ୍ ନାମକ ସନ୍ଥ ରହୁଥିଲେ। ସେ ରାଜାଙ୍କ ନିର୍ଦ୍ଦେଶକୁ ବିରୋଧ କରି ପ୍ରଜା ଓ ସୈନ୍ୟମାନଙ୍କୁ ପ୍ରେମ କରିବା ପାଇଁ ପ୍ରୋତ୍ସାହିତ କରୁଥିଲେ। ଏପରିକି ସେ ଲୁଚିଲୁଚି ଅନେକ ବାହାଘର ମଧ୍ୟ କରାଇଥିଲେ। ଏହା ଜଣାପଡିବା ପରେ ରାଜାଙ୍କ କ୍ରୋଧର ଶିକାର ହୋଇଥିଲେ ସନ୍ଥ ଭାଲେଣ୍ଟାଇନ୍। ତାଙ୍କୁ ବନ୍ଦୀ କରାଯାଇଥିଲା। ଖ୍ରୀଷ୍ଟା ୨୬୯ରେ ଫେବୃଆରୀ ୧୪ ତାରିଖରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା। ସେବେଠାରୁ ପାଳନ ହେଉଛି ଭାଲଣ୍ଟୋଇନ୍ସ ଡେ’। ପାଶ୍ଚାତ୍ୟ ଦେଶଗୁଡ଼ିକରେ ଏହା ଅନେକ ଦିନ ଧରି ପାଳନ କରାଯାଇଥିଲେ ସୁଦ୍ଧା ଭାରତରେ ଏହା କିଛି ବର୍ଷ ହେଲା ବେଶ୍‌ ପ୍ରଭାବ ବିସ୍ତାର କରିଛି। ଆମ ଦେଶରେ ଏହାକୁ ଏକ ଅପସଂସ୍କୃତି ପ୍ରଥା କହି ଅନେକ ସଂଗଠନ ବିରୋଧ କରୁଛନ୍ତି।

ପୁଲଓ୍ବାମା ଆକ୍ରମଣକୁ ପୂରିଲା ୪ବର୍ଷ, ଭାରତ ହରାଇଥିଲା ୪୦ ଯବାନ

ନୂଆଦିଲ୍ଲୀ : ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ପୂରିଲା ୪ ବର୍ଷ । ସହିଦଙ୍କୁ ମନେ ପକାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉଛି ପୁରା ଭାରତ । ବ୍ଲାକ ଡେ’ ପାଳୁଛନ୍ତି ଦେଶବାସୀ । ବୀରପୁତ୍ରଙ୍କୁ ବଳିଦାନକୁ ମନେ ପକାଇଲେ ଆଖିରୁ ଆପେ ଆପେ ଲୁହ ଝରିଆସୁଛି । ୧୪ ଫେବ୍ରୁଆରୀ ୨୦୧୯ରେ ସିଆରପିଏଫ୍ ଉପରେ ଆକ୍ରମଣ କରି ଆତଙ୍କବାଦୀ ଦେଇଥିଲେ ବଡ଼ ଝଟ୍‌କା । ୧୨ ଦିନରେ ଦେଶ ୪୦ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେଲା ସତ, ହେଲେ ଆଜିବି ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥର ଆକ୍ରମଣ କଥା ମନେ ପଡ଼ିଲେ ସବୁ ଭାରତୀୟଙ୍କ ରକ୍ତ ଗରମ ହୋଇଯାଏ ।

୧୪ ଫେବ୍ରୁଆରୀ ୨୦୧୯, ଅପରାହ୍ନ ୩ଟା । ଜୈସ ଏ- ମ ହମ୍ମଦର ଆତଙ୍କବାଦୀ ଶ୍ରୀନଗର ଜାମ୍ମୁ ଜାତୀୟ ରାଜପଥରେ ସିଆରପିଏଫ୍ ଯବାନଙ୍କ ବିସ୍ଫୋରକ ଗାଡ଼ିକୁ ଧକ୍କା ଦେଇଥିଲା । ଏହି ଆତ୍ମଘାତୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ । ସିଆରପିଏଫର ପ୍ରାୟ ୨୫ଶହ ଯବାନ ଜମ୍ମୁରୁ ଶ୍ରୀନଗର ଯାଉଥିବା ବେଳେ ଘଟିଥିଲା ଛାତିଥରା ଘଟଣା ।

ଦେଶ ୧୨ ଦିନରେ ପାକିସ୍ତାନ ଠାରୁ ଏହାର ପ୍ରତିଶୋଧ ନେଇଥିଲା । ୨୬ ଫେବୃଆରୀ ରାତିରେ ଭାରତୀୟ ବାୟୁସେନାର ୧୨ ମିରାଜ୍-୨୦୦୦ ଫାଇଟର ଜେଟ୍ ଏଲଓସି ପାର୍‌ କରି ବାଲାକୋଟ ଏୟାରଷ୍ଟ୍ରାଇକ କରି ଜୌସ-ଏ -ମହମ୍ମଦର ଆତଙ୍କବାଦୀ ଅଡ୍ଡାକୁ ଧୂଳିସାତ୍ କରିଦେଇଥିଲେ । ପ୍ରାୟ ୩ଶହ ଆତଙ୍କବାଦୀଙ୍କୁ ନିପାତ କରିଥିଲା ଭାରତର ସର୍ଜିକାଲ ଷ୍ଟ୍ରାଇକ । ଘଟଣାକୁ ୪ ବର୍ଷ ବିତିଛି । ହେଲେ ସେଦିନର ସେ ଆକ୍ରମଣ କଥା ମନେ ବଡ଼ିଲେ ଆଜିବି ଦେହ ଥରି ଉଠୁଛି ।

ସଡ଼କ ଦୁର୍ଘଟଣାରେ ବାଇକ ସହ ଜୀଅନ୍ତା ଜଳିଗଲେ ଦୁଇ ଯୁବକ

କଟକ : କଟକ-ପାରାଦୀପ ରାସ୍ତା କନ୍ଦରପୁର ଟୋଲଗେଟ ନିକଟରେ ଅଭାବନୀୟ ଘଟଣା । ସଡ଼କ ଦୁର୍ଘଟଣାରେ ବାଇକ ସହ ଜୀଅନ୍ତା ଜଳିଗଲେ ଦୁଇ ଯୁବକ । ମୃତକ ହେଲେ ରାଜେଶ ଦାସ ଓ ଈଶାନ କୁମାର ସାହୁ । ଉଭୟଙ୍କ ଘର ଜଗତସିଂହପୁର ରାହାମା ଅଞ୍ଚଳରେ ବୋଲି ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ହୋଇଛି । ରାହାମାରୁ ପୁରୀ ଯାଉଥିଲେ ଦୁଇ ଯୁବକ । ଅନ୍ୟ ଏକ ଗାଡ଼ିକୁ ପଛପଟୁ ଧକା ଦେବା ପରେ ତେଲ ଟାଙ୍କି ଫାଟି ଗାଡିରେ ନିଆଁ ଲାଗିଯାଇଥିଲା । ଫଳରେ ନିଆଁରେ ପୋଡି ହୋଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି ।

ନିଜର ଆଣବିକ ଅସ୍ତ୍ର ସଂଖ୍ୟା ୩ଗୁଣ କରିବ ଚୀନ୍ ; ବିଭିନ୍ନ ରାଷ୍ଟ୍ରରେ ଛନକା ସୃଷ୍ଟି

ନୂଆଦିଲ୍ଲୀ : ସୁପରପାଓ୍ବାର ଚୀନର ମେଗା ମିଶନ ।  ନିଜର ଆଣବିକ ଅସ୍ତ୍ର ସଂଖ୍ୟା ୩ଗୁଣ କରିବା ଲାଗି ବ୍ଲୁପ୍ରିଣ୍ଟ । ଆସନ୍ତା ୨୦୩୫ ସୁଦ୍ଧା ଆଣବିକ ଅସ୍ତ୍ର ସଂଖ୍ୟା ୯୦୦କୁ ବୃଦ୍ଧି ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ଆମେରିକାକୁ ଟକ୍କର ଦେବା ଲାଗି ଚୀନ ନିଜକୁ ପୂର୍ଣ୍ଣ ପ୍ରସ୍ତୁତ କରୁଥିବାବେଳେ ଆଣବିକ ଅସ୍ତ୍ର ସଂଖ୍ୟା ବଢ଼ାଇବା ଲାଗି ଉଦ୍ୟମ ବିଭିନ୍ନ ରାଷ୍ଟ୍ର ଲାଗି ଛନକା ସୃଷ୍ଟି କରିଛି ।

ପିପୁଲ୍ସ ଲିବରେସନ ଆର୍ମି ଦ୍ବାରା ପ୍ରସ୍ତୁତ ଏହି ବ୍ଲୁପ୍ରିଣ୍ଟକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ । ଗତବର୍ଷ ଆମେରିକା ପକ୍ଷରୁ କୁହାଯାଇଥିଲା ୨୦୩୫ ସୁଦ୍ଧା ଚୀନ ନିଜର ଆଣବିକ ଅସ୍ତ୍ର ସଂଖ୍ୟା ୧୫ଶହକୁ ବଢ଼ାଇବା ଲାଗି ଉଦ୍ୟମ କରୁଛି । ୨୦୨୭ ସୁଦ୍ଧା ୫୫୦ଓ ୨୦୩୫ସୁଦ୍ଧା ୯୦୦ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ୨୦୨୭ ମସିହା ହେଉଛି ଚୀନ ସଶସ୍ତ୍ରବାହିନୀ ପ୍ରତିଷ୍ଠାର100ତମ ବାର୍ଷିକୀ ।

ସେପଟେ ପ୍ରଥମେ ବ୍ୟବହାର ନକରିବା ନିୟମ ବା ନୋ ଫାଷ୍ଟ ୟୁଜ ନିୟମକୁ ଚୀନ ଏଡାଇଦେବା ନେଇ ଆଶଙ୍କା ଘନୀଭୂତ ହେବାରେ ଲାଗିଛି । ଋଷ ନିକଟରେ ବହୁସଂଖ୍ୟକ ଆଣବିକ ଅସ୍ତ୍ର ରହିଥିବା କାରଣରୁ ଆମେରିକା ନେତୃତ୍ବାଧୀନ ନାଟୋ ବାଧ୍ୟ ହୋଇ ଋଷକୁ ଟକ୍କର ଦେବାକୁ ସାହସ ଜୁଟାଇପାରୁନାହିଁ । ସେପଟେ ଚୀନ ବି ପାଦେ ଆଗକୁ ଯାଇ ଆଣବିକ ଅସ୍ତ୍ର ସଂଖ୍ୟା ବଢାଇବା ଆଭିମୁଖ୍ୟ ରଖୁଥିବାରୁ ଏହାକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି ।

ବର୍ତ୍ତମାନର ରିପୋର୍ଟ ଅନୁସାରେ ଋଷ ନିକଟରେ ୫ହଜାର ୯୭୭ଟି ଓ ଆମେରିକା ନିକଟରେ ୫ହଜାର ୪୨୮ଟି ଆଣବିକ ଅସ୍ତ୍ର ରହିଛି । ସେହିପରି ଫ୍ରାନ୍ସ ନିକଟରେ ୨୯୦, ବ୍ରିଟେନ ନିକଟରେ ୨୨୫ଟି ଆଣବିକ ଅସ୍ତ୍ର ରହିଛି । ପାକିସ୍ତାନ ନିକଟରେ ୧୬୫ଟି ଆଣବିକ ଅସ୍ତ୍ର ରହିଥିବାବେଳେ ଭାରତ ନିକଟରେ ୧୬୦ଟି ରହିଛି । ଏବେ ବିଶ୍ବକୁ ଚମକ ଦେଖାଉଥିବା ଉତ୍ତରକୋରିଆ ନିକଟରେ ୨୦ଟି ଆଣବିକ ଅସ୍ତ୍ର ରହିଥିବା କୁହାଯାଉଥିବାବେଳେ ବାସ୍ତବରେ ଏହି ସଂଖ୍ୟା ବହୁ ଅଧିକ ବୋଲି ଆଶଙ୍କା କରାଯାଉଛି ।

ଦୋଷୀ ସାବ୍ୟସ୍ତ ଅବଦୁର ରେହମାନର ଆଜି ହେବ ଦଣ୍ଡ ଘୋଷଣା

କଟକ : ଆତଙ୍କବାଦ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗ । ଦୋଷୀ ସାବ୍ୟସ୍ତ ଆତଙ୍କବାଦୀ ଅବଦୁର ରେହମାନର ହେବ ଆଜି ଦଣ୍ଡଘୋଷଣା । କଟକ ଜଗତପୁର ଅଞ୍ଚଳର ଅବଦୁର ରେହମାନକୁ ଦୋଷୀ ସାବ୍ୟସ୍ତ କରିଥିଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ ।

ଆତଙ୍କବାଦ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗରେ ୨୦୧୫ ମସିହା ଡିସେମ୍ବର ୧୬ରେ ଅବଦୁରକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ  । ଜଗତପୁରର ପଶ୍ଚିମକଚ୍ଛ ଗାଁରୁ ଅବଦୁରକୁ ଗିରଫ କରାଯାଇଥିଲା । ଅବଦୁର ଅଲକାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟର ସଦସ୍ୟ ବୋଲି ଜଣାପଡ଼ିଥିଲା।

ସେ ସଂଗଠନର ନିଯୁକ୍ତି କଥା ବୁଝୁଥିଲା ବୋଲି ପୁଲିସ୍ କହିଥିଲା। ଅନେକ ଥର ପାକିସ୍ତାନ ଯାଇ  ଆତଙ୍କବାଦୀ ସଂଗଠନର ମୁଖିଆଙ୍କୁ ଭେଟିଥିଲା  । ତଦନ୍ତ ସମୟରେ ଅବଦୁର ପାଖରୁ ମୋବାଇଲ୍, ଟାବଲେଟ୍ ଓ ପାସପୋର୍ଟ ଜବତ ହୋଇଥିଲା । ବେଆଇନ ମଦ୍ରାସା ଚଳାଇବା , ଅସ୍ତ୍ରଶସ୍ତ୍ର ତାଲିମ ଦେବା ଓ ଉତ୍ତେଜନା ପ୍ରବଣ ଭାଷଣ ଦେବା ଆଦିର ପ୍ରମାଣ ପୋଲିସ ହାତରେ ଲାଗିଥିଲା । ବାରମ୍ବାର ଅବଦୁରକୁ NIA ରିମାଣ୍ଡରେ ନେଇ ତଦନ୍ତ କରିସାରିଛି।