ଚୀନ୍-ପାକ୍ ଉସୁକାଇଲେ ସେନା କାର୍ଯ୍ୟନୁଷ୍ଠାନ କରିପାରେ ଭାରତ; ଆଶ୍ଚମ୍ବିତ କରିଦେବ ୟୁଏସର ଇଣ୍ଟେଲିଜେନ୍ସ ରିପୋର୍ଟ

1 min read

ନୂଆଦିଲ୍ଲୀ: ଭାରତକୁ ନେଇ ଜାରି ଆମେରିକାର ଏକ ରିପୋର୍ଟ ସମସ୍ତଙ୍କୁ ଆଶ୍ଚମ୍ବିତ କରି ଦେଇଛି । ଆମେରିକାର ଇଣ୍ଟେଲିଜେନ୍ସ କମ୍ୟୁନିଟି ବୁଧବାର ଦାବି କରିଛି ଯେ ଆଗାମୀ ଦିନରେ ଚୀନ୍ ଏବଂ ପାକିସ୍ତାନ ସହ ଭାରତର ସମ୍ପର୍କରେ ଉତ୍ତେଜନା ଆହୁରି ମଧ୍ୟ ବଢ଼ିପାରେ । ଯାହାର ଜବାବ ଭାରତ ସୈନ୍ୟ କାର୍ଯ୍ୟନୁଷ୍ଠାନ କରି ଦେବ । ରିପୋର୍ଟରେ ଲାଖାଯାଇଛି ଯେ, ଗତ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସେନା ଓହ୍ଲାଇ କାର୍ଯ୍ୟାନୁଷ୍ଠାନ ନେବାରେ ଆଗରେ ଅଛନ୍ତି । ଚୀନ୍ ଏବଂ ପାକିସ୍ତାନ ପକ୍ଷରୁ କରାଯାଉଥିବା ଉତ୍ତେଜିତ କଲା ଭଳି କୌଣସି ବି କାର୍ଯ୍ୟର ଜବାବରେ ଭାରତ ନିଜର ସେନାକୁ ଓହ୍ଲାଇପାରେ ।

ଆମେରିକୀୟ ସଂସଦରେ ଆନୁଆଲ ଗ୍ରେଟ ଆସେସମେଣ୍ଟ ଅର୍ଥାତ ବାହାର ବିପଦର ବାର୍ଷିକ ଆକଳନ କରୁଥିବା ରିପୋର୍ଟ ଆଗତ କରାଯାଇଥିଲା । ଏହି ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ଏବଂ ଭାରତ ଆଲୋଚନା ଜରିଆରେ ସୀମାରେ ଲାଗିରହିଥିବା ବିବାଦକୁ କମ୍ କରିବା ପାଇଁ ଉଦ୍ୟମ କରୁଛନ୍ତି । ଏହା ସତ୍ତ୍ୱେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିବ । ଆମେରିକୀୟ ଇଣ୍ଟେଲିଜେନ୍ସ କାଶ୍ମୀରକୁ ଭାରତ-ପାକ୍ ମଧ୍ୟରେ ଉତ୍ତେଜନା ବଢ଼ାଇବାର ମୁଖ୍ୟ କାରଣ ବୋଲି କହିଛି । ରିପୋର୍ଟରେ ଲେଖାଯାଇଛି ଯେ ୨୦୨୧ରେ ଲାଇନ ଅଫ୍ କଣ୍ଟ୍ରୋଲରେ ହୋଇଥିବା ସିଜଫାୟରର ଚୁକ୍ତି ପରଠୁ ଉଭୟ ଦେଶ ସମ୍ପର୍କରେ ଶାନ୍ତି ବଜାୟ ରଖିବାକୁ ଚାହୁଁଛନ୍ତି ।

ଅବଶ୍ୟ, ଭାରତ ବିରୋଧୀ ଆତଙ୍କବାଦୀଙ୍କ ସମର୍ଥନ କରିବାର ପାକିସ୍ତାନର ପୂରୁଣା ଇତିହାସ ରହିଛି । ପିଏମ ମୋଦିଙ୍କ ଲିଡରସିପରେ ଏବେ ପାକିସ୍ତାନର କୌଣସି ବି ଉତ୍ତେଜିତ କଲାଭଳି କାର୍ଯ୍ୟ ଉପରେ ଭାରତ ମଧ୍ୟ କଡ଼ା ଜବାବ ଦେବ । ରିପୋର୍ଟରେ ଭାରତ-ପାକିସ୍ତାନ ମଧ୍ୟରେ କ୍ରାଇସିସକୁ ବଡ଼ ଚିନ୍ତାର ବିଷୟ ବୋଲି ଉଲ୍ଲେଖ କରାଯାଇଛି । ଉଭୟ ଦେଶ ମଧ୍ୟରେ ପୂର୍ବରୁ ଜାରି ବିବାଦକୁ ନେଇ ଯେଉଁ ଚିନ୍ତାଧାରା ରହିଛି ସେଥିରୁ ଉତ୍ତେଜନା ବଢ଼ିବାର ଆଶଙ୍କା ମଧ୍ୟ ଆହୁରି ବଢ଼ିଯାଇଛି । ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଦ୍ୱାରା କାଶ୍ମୀରରେ ହିଂସା ଏବଂ ଭାରତରେ ଆତଙ୍କୀ ଆକ୍ରମଣ ହୁଏ ତେବେ ଉଭୟ ଦେଶ ମଧ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ।

ଆମେରିକାର ଇଣ୍ଟେଲିଜେନ୍ସ ରିପୋର୍ଟରେ ୨୦୨୦ରେ ଲଦ୍ଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ସଂଘର୍ଷକୁ ଦଶକର ସବୁଠୁ ଭୟଙ୍କର ସଘର୍ଷ କୁହାଯାଇଛି । ରିପୋର୍ଟରେ ଦାବି କରାଯାଇଛି ଯେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ସ୍ଥିତି ଆମେରିକା ଏବଂ ତାର ଜନସାଧାରଣଙ୍କ ପାଇଁ ବଡ଼ ବିପଦ ଅଟେ । ରିପୋର୍ଟରେ ପରାମର୍ଶ ଦିଆଯାଇଛି ଯେ, ଉଭୟ ଦେଶ ମଧ୍ୟରେ ବୃଦ୍ଧି ବିବାଦରେ ଆମେରିକାକୁ ଦଖଲ ଦେବା ଆବଶ୍ୟକ । ନହେଲେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିବ ।