ଏପ୍ରିଲରୁ ୩୧୭ ତହସିଲରେ କାର୍ଯ୍ୟକାରୀ ହେବ ଭର୍ଚୁଆଲ କୋର୍ଟ, ଜମିଜମା ସମ୍ପର୍କୀତ କେସ୍‌ ହେବ ଫଇସଲା

1 min read

ଭୁବନେଶ୍ୱର: ଏପ୍ରିଲରୁ ୩୧୭ ତହସିଲରେ କାର୍ଯ୍ୟକାରୀ ହେବ ଭର୍ଚୁଆଲ କୋର୍ଟ । ଆଭାସି ମାଧ୍ୟମରେ ହେବ ଜମି ଜମା ସମ୍ପର୍କୀତ କେସ୍ ଫଇସଲା । ପରୀକ୍ଷାମୂଳକ ଭାବେ ୮୦ଟି ତହସିଲ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ବେଳେ ୩ ହଜାର ମାମଲାର ସମାଧାନ ହୋଇଛି । ଆଜି ରାଜସ୍ବ ବିଭାଗର ବଜେଟ ପରବର୍ତ୍ତୀ ପ୍ରେସମିଟରେ ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଭାଗର କାର୍ଯ୍ୟକ୍ରମ ବାବଦରେ ସଚେତନତା ପାଇଁ ଗାଁ ଗାଁରେ ରାଜସ୍ୱ ମେଳାର ଆୟୋଜନ କରାଯିବ । ଚଳିତ ବର୍ଷ ୫୪୫ OAS ଏବଂ ORS ପଦବୀ ପୂରଣ ହେବ । OPSC ଜରିଆରେ ଏହି ପଦବୀ ପୂରଣ କରାଯିବ । ରାଜସ୍ବ ବିଭାଗର କର୍ମଚାରୀ ଅଭାବ ଦୂର ପାଇଁ ୫ ହଜାର ନୂଆ ନିଯୁକ୍ତି କରାଯିବ। RI, ARI ଭଳି ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ । ଭିତ୍ତିଭୂମି ସୁଦୃଢ଼ ଉପରେ ବିଭାଗ ଗୁରୁତ୍ଵ ଦେଉଛି । ଚଳିତ ଥର ୪୩୧ RI ଅଫିସ ନିର୍ମାଣ ପାଇଁ ବିଭାଗ ନିଷ୍ପତ୍ତି ନେଇଛି । ସବ୍ ରେଜିଷ୍ଟ୍ରାର ଅଫିସରେ ଦୁର୍ନୀତି ରୋକିବାକୁ ସ୍ମାର୍ଟ ସର୍ଭିଲାନସ ବ୍ୟବସ୍ଥା କରାଯାଉଛି । ଏଥିରେ ଅଡିଓ ଭିଜୁଆଲ ବ୍ୟବସ୍ଥା ରହିବ । ଏହା ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ରହିବ ।

ସେହିପରି ଜମି ଚିହ୍ନଟ ଅସଙ୍ଗତି ଦୂର କରିବାକୁ ହାଇଟେକ୍ ସର୍ଭେ କରାଯିବ । ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଉପରେ ବିଭାଗ ଗୁରୁତ୍ଵ ଦେଇଛି । ହସ୍ପିଟାଲରେ ନିରବିଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ପ୍ରତି ଜିଲ୍ଲା ହସ୍ପିଟାଲରେ ଅଣ୍ଡର କେବଲିଂ ବ୍ୟବସ୍ଥା କରାଯିବ । ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକରଣରେ ୨୦ ଜିଲ୍ଲା ଭଲ ପ୍ରଦର୍ଶନ କରିଥିବାରୁ ସମ୍ମାନିତ କରିବେ କେନ୍ଦ୍ର ସରକାର । ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ପାଇ ୫୪ଟି ସେବାରେ ସମୟ ଅବଧି ହ୍ରାସ କରାଯାଇଛି । ମ୍ୟୁଟେସନ, ଜାତିଗତ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ଭଳି ୫୪ଟି ସେବାର ସମୟ ଅବଧି ହ୍ରାସ କରାଯାଇଛି । ବିପର୍ଯ୍ୟୟ ପରିଚାଳନାରେ ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ସୁବାସ ଚନ୍ଦ୍ର ଆପଦା ସମ୍ମାନରେ ସମ୍ମାନିତ କରାଯିବ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପୁରସ୍କୃତ କରିବେ ।