spot_img
Home Blog Page 3529

ରାଜଧାନୀରେ ନବବଧୂଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ଜରିପାଟଣା ଗାଁରେ ନବବଧୂଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ। ସ୍ୱାମୀ ଓ ଶ୍ବଶୂର ଘର ଲୋକେ ମିଶି ନବବଧୂଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର। ମୃତକ ହେଉଛନ୍ତି ଜଗତସିଂପୁର ଡିହସାହିର ଲକ୍ଷ୍ମୀପ୍ରିୟା ମହାନ୍ତି। ସେ ଜଲିପାଟଣାର ପ୍ରଭାତ ପରିଡ଼ାଙ୍କୁ ଗତ ୨ବର୍ଷ ତଳେ ବିବାହ କରିଥିଲେ।

ତେବେ କେମିତି ଲକ୍ଷ୍ମୀପ୍ରିୟାଙ୍କର ମୃତ୍ୟୁ ହେଲା, ସେନେଇ ଜଣାପଡିନି। ହତ୍ୟା ଅଭିଯୋଗ ଆଣି ମଞ୍ଚେଶ୍ୱର ଥାନା ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଲକ୍ଷ୍ମୀପ୍ରିୟାଙ୍କ ପରିବାର।

ଲିଫ୍ଟ ଦେବାକୁ କହି ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ହୋଲି ରାତିରେ ଲିଫ୍ଟ ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ। ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣକ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରୀ।

ସୂଚନା ଅନୁଯାୟୀ, ରେଷ୍ଟୁରାଣ୍ଟରୁ କାମ ସାରି ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି ଯୁବତୀ। ମାମଲାରେ ଅଭିଯୁକ୍ତ ସତ୍ୟ ନାରାୟଣ ସାହୁଙ୍କୁ ଗିରଫ କରିଛି ମୈତ୍ରୀ ବିହାର ଥାନା ପୋଲିସ। ତେବେ ଘଟଣାର ଅଧିକ ତଦନ୍ତ ପାଇଁ ଯୁବତୀଙ୍କ ବୟାନ ରେକର୍ଡ କରିଛି ପୋଲିସ।

ସୁନା ସ୍ମଗଲିଂ ବେଳେ ଧରାପଡ଼ିଲେ ଏୟାର ଇଣ୍ଡିଆର କ୍ରିଉ ମେମ୍ବର

କୋଚି: ସୁନା ସ୍ମଗଲିଂ ବେଳେ ଧରାପଡ଼ିଲେ କ୍ରିଉ ମେମ୍ବର । କୋଚି ଏୟାରପୋର୍ଟରୁ ଏୟାର ଇଣ୍ଡିଆର ଜଣେ କ୍ୟାବିନ କ୍ରିଉ ଗିରଫ । ସାର୍ଟ ଭିତରେ ସୁନା ଲୁଚାଇ ଆଣୁଥିବା ବେଳେ କ୍ରିଉ ମେମ୍ବରଙ୍କୁ ଗିରଫ କରିଛି କଷ୍ଟମ୍ସ ଟିମ୍ । କୋଚି ଏୟାରପୋର୍ଟରେ ଏୟାର ଇଣ୍ଡିଆର ଷ୍ଟାଫ୍ ସାଫିଙ୍କୁ ଗିରଫ କରାଯାଇଛି ।

କ୍ରିଉ ମେମ୍ବର ସୁନା ସ୍ମଗଲିଂ କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ପରେ ଧରିଥିଲା ବିଭାଗ । ବାହରିନରୁ ଆସୁଥିବା ଫ୍ଲାଇଟର କ୍ରିଉ ମେମ୍ବର ସାଫିଙ୍କୁ କୋଚିରୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ୧କିଲୋ ୪୮୭ଗ୍ରାମର ସୁନା ଜବତ କରାଯାଇଛି । ଗତ ବୁଧବାର ସିଙ୍ଗାପୁରରୁ ଚେନ୍ନାଇ ଆସୁଥିବା ଦୁଇ ଯାତ୍ରୀଙ୍କ ଠାରୁ ଚେନ୍ନାଇ ଏୟାରପୋର୍ଟରୁ ପ୍ରାୟ ୭କିଲୋଗ୍ରାମର ସୁନା ଜବତ ହୋଇଥିଲା । ଯାହାର ମୂଲ୍ୟ ୩କୋଟିରୁ ଊର୍ଦ୍ଧ୍ବ ହେବ ।

ଦିନକ ପରେ ହୋଇଥାନ୍ତା ବାହାଘର, ଗାଧୋଇବାକୁ ଯାଇ ଫେରିଲାନି ଯୁବକ

ଭୁବନେଶ୍ୱର: ଘରେ ଅପେକ୍ଷା କରିବସିଛି ମଙ୍ଗୁଳା କନ୍ୟା। ପାଦରେ ଅଳତା, ହାତରେ ମେହେନ୍ଦୀ ମାଖୀ ପ୍ରସ୍ତୁତ ହୋଇରହିଥିଲା । ପ୍ରେମିକକୁ ବିବାହ କରିବ ବୋଲି ବାପମାଆକୁ ପର କରି ଚାଲି ଆସିଥିଲା । ଆଜି ବାହାଘର ହୋଇଥାନ୍ତା। ହେଲେ ସବୁକିଛି ଓଲଟପାଲଟ ହୋଇଗଲା । ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ପ୍ରେମିକର ମୃତ୍ୟୁ ହୋଇଛି ।

ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଜଗନ୍ନାଥପୁର ଗାଁର ଯୁବକ ନିଶା ବେହେରା ବାଗଡ଼ିଆ ଥାନା ନୂଆଗାଁ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । କିନ୍ତୁ ଏହାକୁ ସ୍ୱୀକୃତି ଦେଉ ନଥିଲେ ଝିଅର ପରିବାର ଲୋକ । ଫଳରେ ନିଶା ଭଲ ପାଉଥିବା ଯୁବତୀଙ୍କୁ ନିଜ ଘରକୁ ନେଇ ଆସିଥିଲେ। ନିଶାଙ୍କ ପରିବାର ଲୋକ ମଧ୍ୟ ଯୁବତୀଙ୍କୁ ବୋହୂ ଭାବରେ ଗ୍ରହଣ କରିଥିଲେ।

ଆଜି ମନ୍ଦିରରେ ବାହାଘର ହୋଇଥାନ୍ତା । ଏଥିପାଇଁ ସମସ୍ତ ପ୍ରସ୍ତୁତି କରା ଯାଇଥିଲା । ତେବେ ହୋଲି ଦିନ ନିଶା ରଙ୍ଗଖେଳି ସାରି ମଧ୍ୟାହ୍ନରେ ଗାଁ ପାଖ ନାଳକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ପାଣିରେ ପଶିବା ପରେ ଆଉ ଉଠି ପାରିନଥିଲେ। ସାଙ୍ଗରେ ଯାଇଥିବା ଏକ ଛୋଟପିଲା ଘରକୁ ଆସି ଏ ସମ୍ପର୍କରେ ଖବର ଦେଇଥିଲା। ଘର ଲୋକ ତୁରନ୍ତ ନିଶାଙ୍କୁ ପାଣିରୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ନିଶାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ବାହୁନି ବାହୁନି କାନ୍ଦୁଛି କନିଆ । ଯେଉଁଘରେ ଆଜି ଢୋଲ ମହୁରୀ ବାଜିଥାନ୍ତା ସେହି ଘର କାନ୍ଦ ବୋବାଳିରେ ଫାଟି ପଡୁଛି । ପୁଅକୁ ହରାଇ ପରିବାର ଲୋକ କୋହ ସମ୍ଭାଳି ପାରୁ ନାହାନ୍ତି। ତେବେ ପାଣିରେ ବୁଡି ଯୁବକଙ୍କର ମୃତ୍ୟୁ ହୋଇଛି ବୋଲି କିଛି ଲୋକ କହୁଥିବା ବେଳେ ନାଳରେ ଲାଗିଥିବା ପାଣିପମ୍ପର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ଆଉକିଛି ଲୋକ କହୁଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସର ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି।

ଆଫଗାନୀସ୍ତାନରେ ବୋମା ବିସ୍ଫୋରଣ, ତାଲିବାନୀ ଗଭର୍ଣ୍ଣରଙ୍କ ମୃତ୍ୟୁ

କାବୁଲ: ଆଫଗାନୀସ୍ତାନରେ ନିକଟ ଦିନରେ ବଡ଼ ଧରଣର ବିସ୍ଫୋରଣ ଘଟୁଛି । ଆଜି ସକାଳେ ଆଫଗାନୀସ୍ତାନରେ ଆଉ ଏକ ବଡ଼ଧରଣର ବୋମା ବିସ୍ଫୋରଣ ଘଟିଛି ।ବଲ୍ଖ ଅଞ୍ଚଳରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ବଲ୍ଖ ପ୍ରାନ୍ତର ତାଲିବାନୀ ଗଭର୍ଣ୍ଣର ଦାଉଦ ମୁଜାମିଲଙ୍କ ମୃତ୍ୟୁ ହୋଇଯାଇଛି । ଅଫିସରେ ଥିବା ବେଳେ ହିଁ ଏହି ବିସ୍ଫୋରଣ ହୋଇଥିଲା । ଗଭର୍ଣ୍ଣରଙ୍କ ବ୍ୟତୀତ ଅନ୍ୟ ଜଣଙ୍କର ମଧ୍ୟ ଏହି ବିସ୍ଫୋରଣରେ ମୃତ୍ୟୁ ଘଟିଛି । ଏଠାକାର ପୋଲିସ କମାଣ୍ଡର ପ୍ରବକ୍ତା ମହମ୍ମଦ ଆସିଫ ବଜିରି କହିଛନ୍ତି ଯେ, ଏହି ବିସ୍ଫୋରଣ ଏକ ପ୍ରଶାସନିକ ବୈଠକ ସମୟରେ ହୋଇଛି । କୌଣସି ବି ଗୋଷ୍ଠୀ ଏହି ବିସ୍ଫୋରଣରେ ନିଜକୁ ଦାୟୀ କରିନାହିଁ । କେଉଁଥିପାଇଁ ଏହି ବିସ୍ଫୋରଣ ଘଟିଛି ସେନେଇ ମଧ୍ୟ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଫରେନ୍ସିକ ଲ୍ୟାବକୁ ଅଣାଗଲା ସନ୍ଦିଗ୍ଧ ପାରା, ସ୍ପାଏ କ୍ୟାମେରା ଚିପ୍‌ ନେଇ କରାଯିବ ଅନୁଧ୍ୟାନ

ଭୁବନେଶ୍ୱର: ପାରାଦୀପରୁ ଧରା ପଡ଼ିଥିବା ସନ୍ଦିଗ୍ଧ ପାରାକୁ କଟକ ଅଣାଯାଇ ଭୁବନେଶ୍ୱର ଫରେନ୍ସିକ ଲ୍ୟାବକୁ ନିଆଯାଇଛି । କଟକ କ୍ରାଇମବ୍ରାଞ୍ଚ ପିଜିଅନ ସର୍ଭିସର ଏକ ଟିମ୍ ମଧ୍ୟ ଭୁବନେଶ୍ଵର ଫରେନ୍ସିକ ଲ୍ୟାବ ଯାଇଛି । ପାରା ଶରୀରରେ ଲାଗିଥିବା ଚିପ, କ୍ୟାମେରା, ଚିଠି ଜବତ କରିବା ପରେ ପିଜିଅନ ସର୍ଭିସକୁ ପାରା ହସ୍ତାନ୍ତର କରାଯିବ।

ପାରାକୁ ପ୍ରଥମେ ଡଗ୍ ଆଣ୍ଡ ପିଜନ ସ୍କ୍ୱାଡକୁ ହସ୍ତାନ୍ତର କରାଯିବା ସହ ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ କରାଯିବ। ପାରାର ଡେଣାରେ ଲାଗିଥିବା ଅକ୍ଷରର ଯାଞ୍ଚ୍ କରାଯିବ ଏବଂ ଫରେନ୍ସିକ ଲ୍ୟାବରେ ସ୍ପାଏ କ୍ୟାମେରା ଓ ଚିପ୍କୁ ଅନୁଧ୍ୟାନ କରାଯିବ । ଏହାସହ ପାରା କେଉଁ ସ୍ଥାନ ଦେଇ ଉଡିଛି ଏବଂ କ୍ୟାମେରା ଚିପରେ କ’ଣ ରହିଛି ସେନେଇ ଯାଞ୍ଚ କରାଯିବ।

କାଲିଠୁ ମାଟ୍ରିକ ପରୀକ୍ଷା, ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨୦ ଯାଏଁ ଚାଲିବ ମାଟ୍ରିକ ଦ୍ଵିତୀୟ ସମ୍ମେଟିଭ ପରୀକ୍ଷା। ଚଳିତ ଥର ୫ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ୩ହଜାର ୨୧୮ ସେଣ୍ଟରରେ ମାଟ୍ରିକ ପରୀକ୍ଷା ଦେବେ। ୨୨ଟି ପୋଲିସ ଷ୍ଟେସନକୁ ମିଶାଇ ହୋଇଥିବା ୩୧୬ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ସେଠାରୁ ପ୍ରତିଦିନ ସକାଳେ ପୋଲିସ ସୁରକ୍ଷା ସହ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ।

ଚଳିତ ଥର କପି ରୋକିବାକୁ ବିଶେଷ ପଦକ୍ଷେପ ନିଆଯାଇଛି। ପୂର୍ବରୁ ସ୍କ୍ୱାଡ ଚେକିଂ ପାଇଁ ଆସୁଥିଲେ। ଏଥର ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି। ସ୍କୁଲ ଗୁଡିକରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ଖରା ପାଇଁ ସକାଳ ୮ରୁ ୧୦ ଯାଏଁ ପରୀକ୍ଷା ହେବ। ସକାଳ ୭ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଏଣ୍ଟ୍ରି କରିବାକୁ ହେବ। ୫୭ଟି କେନ୍ଦ୍ରୀୟ ସ୍କ୍ୱାଡ ଚେକିଂ ପାଇଁ ଗଠନ କରାଯାଇଛି।

ଅନ୍ୟପଟେ ସ୍କୁଲ ଗୁଡିକରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ଯେଉଁ ସେଣ୍ଟରରେ ସମ୍ମିଟିଭ-୧ ପରୀକ୍ଷା ହୋଇଥିଲା, ସେଠାରେ ହିଁ ସମ୍ମେଟିଭ ୨ ପରୀକ୍ଷା ହେବ। ପୂର୍ବ ବର୍ଷ ଗୁଡିକରେ ଯେଉଁଠି କପି ହୋଇଥିବା ଖବର ଆସିଥିଲା, ସେଠାରେ ସେଣ୍ଟର ପରିବର୍ତ୍ତନ କରାଯାଇଛି ।

ପୁରୀ ମରୀଚିକୋଟ ମାର୍କେଟ କମ୍ଲେକ୍ସରେ ନିଆଁ; ସ୍ଥିତି ତଦାରଖ କରୁଛନ୍ତି ଅଗ୍ନିଶମ ଡିଜି ଓ ଗୃହରାଷ୍ଟ୍ର ମନ୍ତ୍ରୀ

ପୁରୀ: ୧୬ ଘଣ୍ଟା ପରେ ବି ଆୟତ୍ତ ହୋଇପାରୁନି ପୁରୀ ମରୀଚିକୋଟ ମାର୍କେଟ କମ୍ଲେକ୍ସରେ ଲାଗିଥିବା ନିଆଁ । ଭୟାବହ ଅଗ୍ନିକାଣ୍ଡରେ ଧ୍ବସ୍ତବିଧ୍ବସ୍ତ ମାର୍କେଟ କମ୍ପ୍ଲେକ୍ସ । ପ୍ରଥମ ଓ ଦ୍ୱିତୀୟ ମହଲାରେ ବ୍ୟାପିଯାଇଛି ନିଆଁ । କାନ୍ଥ ଭାଙ୍ଗି ଭିତରେ ପଶିବାକୁ ଅଗ୍ନିଶମବାହିନୀ ଉଦ୍ୟମ କରୁଥିବା ବେଳେ ଉଦ୍ଧାର କାର୍ଯ୍ୟରେ ବାଧାସୃଷ୍ଟି କରୁଛି ଧୂଆଁ ।

ଅଗ୍ନିକାଣ୍ଡ ସ୍ଥିତି ତଦାରଖ କରୁଛନ୍ତି ଅଗ୍ନିଶମ ଡିଜି। ଏପଟେ ଘଟଣାସ୍ଥଳରେ ପହଞ୍ଚିଛି ସ୍ଥିତି ଅନୁଧ୍ୟାନ କରିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ସେ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଘଟଣାର ସମୀକ୍ଷା କରିଛନ୍ତି।

ଘଟଣାସ୍ଥଳରେ ୧୩ଟି ଅଗ୍ନିଶମ ଗାଡି, ୩ଟି ଆମ୍ବୁଲାନ୍ସ ଓ ହାଇଡ୍ରୋଲିକ ପ୍ଲାଟଫର୍ମ ମୁତୟନ ହୋଇଛି । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଓ ଅଗ୍ନିଶମବାହିନୀର ପ୍ରାୟ ୧୬୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । କମ୍ପ୍ଲେକ୍ସ ଭିତରେ ପ୍ରବଳ ତାତି ଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ପୁରୀ ଏସପିଙ୍କ ସମେତ ବରିଷ୍ଠ ପ୍ରାଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଗ୍ୟାସ କଟର ଜରିଆରେ ଦୋକାନଗୁଡିକର ସଟର କଟାଯାଉଛି । ସମ୍ରାଟ ହୋଟେଲରେ ଥିବା ୧୧୦ ପର୍ଯ୍ୟଟକଙ୍କୁ ବିଭିନ୍ନ ହୋଟେଲ ଓ ଧର୍ମଶାଳାରେ ପ୍ରଶାସନ ରଖିବାର ବ୍ୟବସ୍ଥା କରିଛି । ଅଗ୍ନିକାଣ୍ଡରେ ୭ କୋଟି ଟଙ୍କାରୁ ଅଧିକ ଟଙ୍କା କ୍ଷତି ଆଶଙ୍କା କରାଯାଉଛି ।

ତିହାର ଜେଲରେ ଇଡି ଟିମ୍, ମନିଷ ସିସୋଦିଆଙ୍କୁ କରୁଛି ଜେରା

ନୂଆଦିଲ୍ଲୀ: ତିହାର ଜେଲରେ ଇଡି ଟିମ୍। ଆଜି ବି ତିହାର ଜେଲରେ ସିସୋଦିଆଙ୍କୁ ଜେରା କରିଛି ଇଡି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ବିବାଦୀୟ ମଦ ନୀତିକୁ ନେଇ ଇଡି ଟିମ୍ ପଚରାଉଚରା କରୁଛି । ଗତକାଲି ବି ଜେଲ ଭିତରେ ସିସୋଦିଆଙ୍କୁ ଇଡି ଟିମ ପଚରାଉଚରା କରିଥିଲା ।

ସେପଟେ ଇଡି ଜେରାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଆମ ଆଦମୀ ପାର୍ଟି । ଇଡି ଟିମ ପୂର୍ବରୁ ବି ଅନେକ ଥର ସିସୋଦିଆଙ୍କ ଘର, ଅଫିସରେ ରେଡ କରିଛି । କିଛି ପ୍ରମାଣ ପାଇ ନଥିବା ବେଳେ ଦୁଇ ଦିନ ଧରି ଜେରାରେ କ’ଣ ପ୍ରମାଣ ଇଡି ହାତରେ ଲାଗିଛି, ତାହା ଅଫିସରମାନେ ସ୍ପଷ୍ଟ କରିବା ଦରକାର ବୋଲି କହିଛନ୍ତି ଆପ୍ ନେତା ସୌରଭ ଭରଦ୍ବାଜ। ମନିଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଭଳି ମନ୍ତ୍ରୀଙ୍କୁ ଷଡ଼ଯନ୍ତ୍ର କରି ଜେଲରେ ପୁରାଇ ଦିଆଯାଇଛି ବୋଲି ସୌରଭ କହିଛନ୍ତି।

ୟୁକ୍ରେନ ଉପରେ ଘନ ଘନ ଏୟାର ଷ୍ଟ୍ରାଇକ କରୁଛି ଋଷ

କିଭ୍: ୟୁକ୍ରେନ ଉପରେ ବର୍ଷୁଛି ମିସାଇଲ। ମୁଖ୍ୟ ସହର ଉପରେ ଘନ ଘନ ଆଟାକ କରୁଛି ଋଷ । ଏୟାର ଷ୍ଟ୍ରାଇକ ଯୋଗୁ କିବ୍, ଲିବିବ, ସୁମି ଆଦି ସହର ବ୍ଲାକଆଉଟ ହୋଇଛି। ଅନେକ ସହରରେ ଏୟାର ରେଡ୍ ଆଲର୍ଟ ଜାରି କରାଯାଇଛି।

ଋଷ ଏୟାର ଷ୍ଟ୍ରାଇକର ଜବାବ ଦେବାକୁ F-16 ଫାଇଟର ପ୍ଲେନ ଯୋଗାଇବାକୁ ଆମେରିକାକୁ ଅପିଲ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି। ପୂର୍ବ ୟୁକ୍ରେନର ବାଖମୁଟ ସହରକୁ ଋଷ ସୈନ୍ୟ ସମ୍ପୂର୍ଣ୍ଣ ଅକ୍ତିଆର କରିଛନ୍ତି ବୋଲି ଋଷ ଦାବି କରିଛି । ପୋର୍ଟ ସିଟି ଓଡେସାରେ ବି ମିସାଇଲ ଆଟାକ ଜାରି ରହିଥିବା ବେଳେ ଏନର୍ଜି ସେକ୍ଟର ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି।

ପୁରା ସହର ଧୂଆଁମୟ ହୋଇଛି। ପୋର୍ଟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ପୁରା ସହର ବ୍ଲାକଆଉଟ ହୋଇଛି। ଜନବସତି ଅଞ୍ଚଳ ମଧ୍ୟ ବିଶେଷ ପ୍ରଭାବିତ ହୋଇଛି। ଯୁଦ୍ଧ ମୁକାବିଲା ଲାଗି ୟୁକ୍ରେନକୁ ଅଧିକ ସହାୟତା ଯୋଗାଇବାକୁ ଯୋଜନା କରୁଛି ୟୁରୋପୀୟ ୟୁନିଅନ।