ଭୁବନେଶ୍ୱର: ପବରେ ମଦ ପିଇଲେ, ରାସ୍ତା ଉପରେ ହଙ୍ଗାମା କଲେ । ଝୁଲି ଝୁଲି ପବରୁ ଓହ୍ଲାଇଲେ, ଯାହାକୁ ଦେଖିଲେ ଗାଳି କଲେ। ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳରେ ମାତାଲ ଯୁବତୀଙ୍କ ହଙ୍ଗାମା । ନିଶାଶକ୍ତ ଅବସ୍ଥାରେ ପୋଲିସକୁ ଗାଳିଗୁଲଜ କରିଛନ୍ତି ଯୁବତୀ । ମଦ ନିଶାରେ ରାସ୍ତାରେ ମୋବାଇଲ ପିଟି ଭାଙ୍ଗିଛନ୍ତି । ମଦ୍ୟପ ଯୁବତୀଙ୍କ ଘର ଯାଜପୁର, ସେ ସହିଦନଗରରେ ହଷ୍ଟେଲରେ ରୁହନ୍ତି । ବେସରକାରୀ କମ୍ପାନୀରେ କାମ କରନ୍ତି ଉକ୍ତ ଯୁବତୀ । ଉକ୍ତ ଯୁବତୀ ଜଣକ ହୋଲି ସେଲିବ୍ରେସନ ଆଳରେ ମଦ୍ୟପାନ କରି ରାସ୍ତା ଉପରେ ହଙ୍ଗାମା କରିଥିଲେ ।
ମହିଳା ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ ମହିଳା ଦିବସ ପାଳିତ
ଭୁବନେଶ୍ୱର: ମହିଳା ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ ମହିଳା ଦିବସ ପାଳିତ । ଦଳୀୟ କାର୍ଯ୍ୟାଳୟରେ ମହିଳା ବିଜେଡିର କର୍ମକର୍ତ୍ତା ମହିଳା ଦିବସ ପାଳିଛନ୍ତି । ଚଳିତ ବର୍ଷର ଥିମ ରହିଛି ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା । ଯାହା ମହିଳାଙ୍କ ସାମ୍ମନ, ସମାନତା ଓ ସଶକ୍ତିକରଣ ଉପରେ ଗୁରୁତ୍ୱ ବହନ କରୁଛି । ଆଜିଠାରୁ ମାର୍ଚ୍ଚ ୧୭ ତାରିଖ ଯାଏ ସମସ୍ତ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସମାବେଶ କରାଯିବ । ମହିଳାଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସଶକ୍ତିକରଣ ଦିଗରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଓ ରାଜ୍ୟ ସରକାରଙ୍କ ମହିଳା ବିକାଶ ଯୋଜନା ଉପରେ ଆଲୋଚନା ହୋଇଛି । ଗତକାଲି ଅନେକ ନିର୍ବାଚନ ମଣ୍ଡଳୀରେ ବିଜେଡି ମହିଳା ଦିବସ ପାଳନ କରିଥିଲା ।
ଏପ୍ରିଲରୁ ୩୧୭ ତହସିଲରେ କାର୍ଯ୍ୟକାରୀ ହେବ ଭର୍ଚୁଆଲ କୋର୍ଟ, ଜମିଜମା ସମ୍ପର୍କୀତ କେସ୍ ହେବ ଫଇସଲା
ଭୁବନେଶ୍ୱର: ଏପ୍ରିଲରୁ ୩୧୭ ତହସିଲରେ କାର୍ଯ୍ୟକାରୀ ହେବ ଭର୍ଚୁଆଲ କୋର୍ଟ । ଆଭାସି ମାଧ୍ୟମରେ ହେବ ଜମି ଜମା ସମ୍ପର୍କୀତ କେସ୍ ଫଇସଲା । ପରୀକ୍ଷାମୂଳକ ଭାବେ ୮୦ଟି ତହସିଲ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ବେଳେ ୩ ହଜାର ମାମଲାର ସମାଧାନ ହୋଇଛି । ଆଜି ରାଜସ୍ବ ବିଭାଗର ବଜେଟ ପରବର୍ତ୍ତୀ ପ୍ରେସମିଟରେ ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଭାଗର କାର୍ଯ୍ୟକ୍ରମ ବାବଦରେ ସଚେତନତା ପାଇଁ ଗାଁ ଗାଁରେ ରାଜସ୍ୱ ମେଳାର ଆୟୋଜନ କରାଯିବ । ଚଳିତ ବର୍ଷ ୫୪୫ OAS ଏବଂ ORS ପଦବୀ ପୂରଣ ହେବ । OPSC ଜରିଆରେ ଏହି ପଦବୀ ପୂରଣ କରାଯିବ । ରାଜସ୍ବ ବିଭାଗର କର୍ମଚାରୀ ଅଭାବ ଦୂର ପାଇଁ ୫ ହଜାର ନୂଆ ନିଯୁକ୍ତି କରାଯିବ। RI, ARI ଭଳି ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ । ଭିତ୍ତିଭୂମି ସୁଦୃଢ଼ ଉପରେ ବିଭାଗ ଗୁରୁତ୍ଵ ଦେଉଛି । ଚଳିତ ଥର ୪୩୧ RI ଅଫିସ ନିର୍ମାଣ ପାଇଁ ବିଭାଗ ନିଷ୍ପତ୍ତି ନେଇଛି । ସବ୍ ରେଜିଷ୍ଟ୍ରାର ଅଫିସରେ ଦୁର୍ନୀତି ରୋକିବାକୁ ସ୍ମାର୍ଟ ସର୍ଭିଲାନସ ବ୍ୟବସ୍ଥା କରାଯାଉଛି । ଏଥିରେ ଅଡିଓ ଭିଜୁଆଲ ବ୍ୟବସ୍ଥା ରହିବ । ଏହା ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ରହିବ ।
ସେହିପରି ଜମି ଚିହ୍ନଟ ଅସଙ୍ଗତି ଦୂର କରିବାକୁ ହାଇଟେକ୍ ସର୍ଭେ କରାଯିବ । ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଉପରେ ବିଭାଗ ଗୁରୁତ୍ଵ ଦେଇଛି । ହସ୍ପିଟାଲରେ ନିରବିଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ପ୍ରତି ଜିଲ୍ଲା ହସ୍ପିଟାଲରେ ଅଣ୍ଡର କେବଲିଂ ବ୍ୟବସ୍ଥା କରାଯିବ । ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକରଣରେ ୨୦ ଜିଲ୍ଲା ଭଲ ପ୍ରଦର୍ଶନ କରିଥିବାରୁ ସମ୍ମାନିତ କରିବେ କେନ୍ଦ୍ର ସରକାର । ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ପାଇ ୫୪ଟି ସେବାରେ ସମୟ ଅବଧି ହ୍ରାସ କରାଯାଇଛି । ମ୍ୟୁଟେସନ, ଜାତିଗତ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ଭଳି ୫୪ଟି ସେବାର ସମୟ ଅବଧି ହ୍ରାସ କରାଯାଇଛି । ବିପର୍ଯ୍ୟୟ ପରିଚାଳନାରେ ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ସୁବାସ ଚନ୍ଦ୍ର ଆପଦା ସମ୍ମାନରେ ସମ୍ମାନିତ କରାଯିବ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପୁରସ୍କୃତ କରିବେ ।
କଲ୍ ସେଣ୍ଟରରେ ରେଡ୍, ନଗଦ ୪ କୋଟି ଟଙ୍କା ସହ ୬ ଜଣ ଗିରଫ
କୋଲକାତା: କଲ୍ ସେଣ୍ଟରରୁ କୋଟି କୋଟି ଟଙ୍କା ଜବତ । ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲା ନିଉ ଟାଉନ୍ ଓ ହାଓ୍ବଡାରେ ଥିବା କଲ୍ ସେଣ୍ଟରରେ ଚଢ଼ାଉ । ୧୦ଟି କଲ୍ ସେଣ୍ଟର ଉପରେ ରେଡ୍ କରି ପ୍ରାୟ ୪ କୋଟି ନଗଦ ଟଙ୍କା ସହ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଏହି କଲ ସେଣ୍ଟର ବିଦେଶୀ କମ୍ପାନୀ ଓ ବିଦେଶୀ ଲୋକଙ୍କୁ ଲୋନ୍ ଦେବା ନାମରେ ଠକେଇ ଅଭିଯୋଗ ମଧ୍ୟ ରହିଛି । ଏହି କଲ୍ ସେଣ୍ଟରକୁ ଗୌରବ ଓ ସୌରଭ ନାମକ ଦୁଇ ଭାଇ ମିଶି ଚଳାଉଥିଲେ । ଗିରଫ ହୋଇଥିବା ୬ ଜଣ ସମସ୍ତେ ଭିନ୍ନ ଭିନ୍ନ ରାଜ୍ୟର ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ତେବେ ଏହି ଘଟଣା ପରେ ଆଉ କେଉଁ କେଉଁ ସ୍ଥାନରେ ଏଭଳି ବେଆଇନ ଓ ଠକେଇ କଲ୍ ସେଣ୍ଟର ରହିଛି ତାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଜ୍ୱାଇଁକୁ ପିଟିପିଟି ମାରିଦେଲେ ଶ୍ଵଶୁର ଘର ଲୋକ
ବଲାଙ୍ଗୀର: ପାରିବାରିକ କଳହର କରୁଣ ପରିଣତି । ଜ୍ୱାଇଁକୁ ପିଟିପିଟି ମାରିଦେଲେ ଶ୍ଵଶୁର ଘର ଲୋକ । ବସ୍ତାରେ ବାନ୍ଧି ଜଙ୍ଗଲରେ ଫିଙ୍ଗିବା ଉଦ୍ୟମ ବେଳେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଶ୍ବଶୁର ସହ ୫ଜଣଙ୍କୁ ଅଟକ ରଖାଯାଇଛି । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଚାବ୍ରିପାଲି ଗାଁର ଘଟଣା । ମୃତକ ହେଲେ ବରଗଡ଼ ଜିଲ୍ଲା ରାଜଭାଟିପଡ଼ାର ରୁଦ୍ର ମେହେର । ଖପ୍ରାଖୋଲ ଚାବ୍ରିପାଳି ଗାଁରେ ରାଜଭାଟିପଡ଼ାର ରୁଦ୍ର ମେହେର ବିବାହ କରିଥିଲେ I ବିବାହ ପରଠୁ ଶ୍ୱଶୁର ଘର ସହ କଳହ ଲାଗି ରହିଥିଲା I
ଗତ ବୁଧବାର ଦିନ ତାଙ୍କ ସ୍ତ୍ରୀ ସରୋଜିନୀ ମେହେର ଏକ ବିବାହ ଉତ୍ସବକୁ ଯାଇଥିଲେ I ଜ୍ବାଇଁ ଓ ଶ୍ୱଶୁର ଘର ଲୋକେ ଘରେ ଥିବା ସମୟରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇଥିଲା I ଉତକ୍ଷୀପ୍ତ ହୋଇ ଶ୍ୱଶୁର ଘର ଲୋକ ରୁଦ୍ରଙ୍କୁ ପିଟିଥିଲେ । ଆକ୍ରମଣରେ ରୁଦ୍ରଙ୍କ ମୃତ୍ୟୁ ପରେ ଘଟଣାକୁ ଚପାଇବା ପାଇଁ ଏକ ଭ୍ୟାନରେ ମୃତଦେହ ନେଇ ଜଙ୍ଗଲରେ ଫିଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ମୃତଦେହ ଜବତ କରିଛି । ଶ୍ୱଶୁର ସହ ୫ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଶ୍ୱଶୁର ଉଦ୍ଧବ ମେହେର, ଅନିରୁଦ୍ଧ ମେହେର, ସୁନିଲ କୁମାର ମେହେରଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖାଯାଇଛି ।
ସାବଧାନ ! ରାଜଧାନୀ ରାଜରାସ୍ତାରେ ବୁଲୁଛି ଅଭଦ୍ର ଲୋକ
ଭୁବନେଶ୍ୱର: ସାବଧାନ, ରାସ୍ତାରେ ବୁଲୁଛି ଅଭଦ୍ର ଲୋକ । ଭୁବନେଶ୍ୱର ବଡ଼ଗଡ଼ ଥାନା ରତ୍ନାକରବାଗ ଅଞ୍ଚଳରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ସୁବିଧା ଦେଖି ଯୁବତୀଙ୍କୁ ଛୁଉଁଥିବା ଅଭିଯୋଗ ହୋଇଛି । ନିରୋଳା ସ୍ଥାନ ଦେଖି ଏଭଳି କାଣ୍ଡ ଭିଆଉଛି ଏହି ଅସାମାଜିକ ଯୁବକ । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଏହି ଅସାମାଜିକ ଯୁବକର ଅଭଦ୍ରାମିର Exclusive CCTV ଫୁଟେଜ । ଯୁକ୍ତ ୨ ଛାତ୍ରୀ ଟ୍ୟୁସନରୁ ଫେରିବା ପରେ ଟାର୍ଗେଟ କରୁଛି ଅଭିଯୁକ୍ତ । ଏନେଇ ପରିବାର ପକ୍ଷରୁ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ କରିଛି ବଡଗଡ଼ ପୋଲିସ । ଅଭିଯୁକ୍ତ ହେଉଛି ବାଲିପାଟଣା ଥାନା ଅନ୍ତର୍ଗତ ସୁମୁଦି ଅଞ୍ଚଳର ସରୋଜ କୁମାର ସ୍ବାଇଁ ।
ଆସନ୍ତାକାଲି ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୯୦୦କୋଟିର ବିଭିନ୍ନ ପ୍ରକଳ୍ପର କରିବେ ଶୁଭାରମ୍ଭ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ରାଉରକେଲା ଯିବେ । ଅପରାହ୍ନ 5ଟା 20ରେ ମୁଖ୍ୟମନ୍ତ୍ରୀ ରାଉରକେଲା ବିମାନବନ୍ଦରରେ ପହଞ୍ଚିବା ପରେ 5ଟା 30 ମିନିଟରେ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମକୁ ଉଦଘାଟନ କରିବେ । ଏହାସହ ଷ୍ଟାଡିୟମ ପରିସରରେ ନିର୍ମିତ ମଲଟି ଲେବୁଲ କାର୍ ପାର୍କିଙ୍ଗ ଓ ସୁଇମିଙ୍ଗ ପୁଲ କମ୍ପ୍ଲେକ୍ସ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଏହାସହ ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାରେ 900 କୋଟି ଟଙ୍କାର 600ରୁ ଅଧିକ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମିତ ହକି ତାଲିମ କେନ୍ଦ୍ର ଉଦଘାଟନ ହେବ । 5ଟା 50 ମିନିଟରେ ୱାର୍ଲଡ କପ୍ ଭିଲେଜ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 6ଟା 55 ମିନିଟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚି FIH ପ୍ରୋ ଲିଗ ଉଦଘାଟନୀ ଉତ୍ସବରେ ଯୋଗଦେବେ । ପରେ FIH କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିବା କାର୍ଯ୍ୟକ୍ରମ ରହିଛି । ପରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ବିଶ୍ଵର ସର୍ବବୃହତ ହକି ଷ୍ଟାଡିୟମ୍ ଭାବେ ଗିନିଜ୍ ବୁକ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ରେକର୍ଡ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

