ଆଇପିଏଲ ଓପନିଂ ସେରେମନୀ; ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲା ଅହମ୍ମଦାବାଦ ଷ୍ଟାଡିୟମ

1 min read

ଅହମ୍ମଦାବାଦ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୬ତମ ସିଜିନ୍ । ମ୍ୟାଚ୍ ପୂର୍ବରୁ ଆଇପିଏଲ ଓପନିଂ ସେରେମନୀ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହୋଇଥିଲା । ସେରେମନୀ ଦେଖିବା ପାଇଁ ଲକ୍ଷେ ୨୫ ହଜାର ଦର୍ଶକ ଷ୍ଟାଡିୟମରେ ପହଞ୍ଚିଥିଲେ । ମନ୍ଦିରା ବେଦୀ ପ୍ରାୟ ୫୫ ମିନିଟ ଚାଲିଥିବା ଓପନିଂ ସେରେମନୀର ହୋଷ୍ଟ କରିଥିଲେ । ବଲିଉଡ ସିଙ୍ଗର ଅରିଜିତ ସିଂ, ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ରଶ୍ମିକା ମନ୍ଧନା ଧମାକାଦାର ପରଫର୍ମାନ୍ସ କରିଥିଲେ । ବଲିଉଡ ସିଙ୍ଗର ଅରିଜିତ ସିଂଙ୍କ ପରଫର୍ମାନ୍ସ ସହ ଓପନିଂ ସେରେମନୀ ଆରମ୍ଭ ହୋଇଥିଲା ।

ସେ କେସରିୟା, ଲେହରା ଦୋ, ଅପନା ବନା ଲୋ, ଝୁମେ ଜୋ ପଠାନ, ରାବତା, ଶିବାୟ, ଜିତେଗା ଜିତେଗା, ଚଢେୟା ଡାନ୍ସ କା ଭୁତ , ଶୁଭାନଲ୍ଲାହ ଭଳି ଗୀତରେ ପରଫର୍ମାନ୍ସ କରିଥିଲେ । ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ନିଜ ଗୀତ ଜରିଆରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ଅରିଜିତ । ଦକ୍ଷିଣୀ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଶ୍ରୀବଲ୍ଲୀ, ନାଟୁ-ନାଟୁ ଏବଂ ଢୋଲିଆ ଭଳି ଗୀତରେ ନାଚିଥିଲେ । ସେହିପରି ଅଭିନେତ୍ରୀ ତମନ୍ନା ଭାଟିଆ ୫ ମିନିଟ ପର୍ଯ୍ୟନ୍ତ ତୁନେ ମାରି ଏଣ୍ଟ୍ରି ଏବଂ ଚୌଗାଡା ତେରା ଭଳି ଗୀତରେ ନାଚି ଦର୍ଶକଙ୍କୁ ବିମୋହିତ କରିଥିଲେ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଗୁଜୁରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯିବ । ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଗୁଜୁରାଟ ଟାଇଟନ୍ସ ।