୪ ଦିନ ପୂର୍ବରୁ ଶେଷ ହୋଇଛି ବିଧାନସଭା ବଜେଟ୍‌ ଅଧିବେଶନ

1 min read

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ପାରିତ ହୋଇଛି ବ୍ୟୟ ମଞ୍ଜୁରୀ ବିଲ୍‌ । ମୋଟ ୨ ଲକ୍ଷ ୩୯ ହଜାର ୩୫୩ କୋଟି ୪୮ ଲକ୍ଷ ୩୩ ହଜାର ଟଙ୍କାର ବ୍ୟୟ ମଞ୍ଜୁରୀ ଗୃହର ଅନୁମୋଦନ ଲାଭ କରିଛି । ଏହାସହିତ ୪ ଦିନ ପୂର୍ବରୁ ଶେଷ ହୋଇଛି ବିଧାନସଭା ବଜେଟ୍‌ ଅଧିବେଶନ । ୨୩ ଦିନ ଧରି ଚାଲିଥିବା ବଜେଟ୍‌ ଅଧିବେଶନରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଅଧିବେଶନ ଆରମ୍ଭରୁ ପୂର୍ବତନ ମନ୍ତ୍ରୀ ନବଦାସଙ୍କ ହତ୍ୟାକୁ ନେଇ ବିରୋଧୀ ପ୍ରସଙ୍ଗ ଉଠାଇଥିଲେ ।

ଏ ନେଇ ବିରୋଧୀଙ୍କ ପକ୍ଷରୁ ଆଗତ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଆରମ୍ଭରୁ ବିରୋଧୀ ଗୃହ କାର୍ଯ୍ୟରେ ସହଯୋଗ କରିନଥିଲେ । ଏପରିକି ଫେବ୍ରୁଆରୀ ୨୧ ତାରିଖରେ ବଜେଟ୍‌ ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳଙ୍କ ଅଭିଭାଷଣରେ ବିରୋଧୀ ଗୃହରେ ଉପସ୍ଥିତ ରହିଲେନି । ଜଙ୍ଗଲ ନିଆଁ, ସ୍ବାସ୍ଥ୍ୟ, ୫ଟି ସ୍କୁଲ, ଗୋବିନ୍ଦ ସାହୁ ମୃତ୍ୟୁ, ବିଦ୍ୟୁତ ବଣ୍ଟନ କମ୍ପାନୀ ଟାଟା ପାଓ୍ବାର ଉପରେ ବିରୋଧୀଙ୍କ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ସରକାର ଗୃହରେ ସକରାତ୍ମକ ଭାବେ ଆଲୋଚନା କରିବା ସହ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ଫେବ୍ରୁଆରୀ ୨୪ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଗୃହରେ ଆଗତ କରିଥିଲେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ । ମାର୍ଚ୍ଚ ୧୩ ତାରିଖରୁ ୨୯ ତାରିଖ ଯାଏଁ ମୋଟ ୪୪ଟି ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଥିଲା । ୨୦ଟି ଖର୍ଚ୍ଚଦାବି ଆଲୋଚନା ଜରିଆରେ ଗୃହୀତ ହୋଇଥିବାବେଳେ ଗିଲୋଟିନ୍‌ ଜରିଆରେ ପାରିତ ହୋଇଥିଲା ୨୪ଟି ବିଭାଗର ଖର୍ଚ୍ଚଦାବି । ପୂର୍ବରୁ ଆଗତ ହୋଇଥିବା ୩ଟି ବିଲ୍‌କୁ ସରକାର ପ୍ରତ୍ୟାହର କରିଛନ୍ତି ।

ଯେଉଁଥିରେ ସାମିଲ ଅଛି, ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍‌-୨୦୨୩, ଓବିସି କମିସନ ସଂଶୋଧନ ବିଲ୍‌-୨୦୨୩ ଓ ଜମି ଅଧିଗ୍ରହଣ ନେଇ ପୁନର୍ବାସ ଓ ଥଇଥାନ ସଂଶୋଧନ ବିଲ୍‌ ୨୦୨୩ ବିଲ । ଏହାସହିତ ନୂଆ ଷ୍ଟାଣ୍ଡିଂ କମିଟି ଗଠନ ନେଇ ଘୋଷଣା କରାଯାଇଛି । ତେବେ ଆରମ୍ଭରୁ ହିଁ ବିରୋଧି ବିଧାନସଭାର ସୁପରିଚାଳନା ନେଇ ସହଯୋଗ କରୁନାହାଁନ୍ତି । ଗୋଟିଏ ଗୋଟିଏ ପ୍ରସଙ୍ଗକୁ ବାରମ୍ବାର ଉତ୍ଥାପନ କରି ଅଯଥା ଗୃହର ମୁଲ୍ୟବାନ ସମୟ ନଷ୍ଟ କରୁଛନ୍ତି । ରାଜ୍ୟ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠିଲେ ଗୃହରେ ହଟ୍ଟଗୋଳ କରୁଥିବା ଅଭିଯୋଗ କରିଛି ବିଜେଡି