ଡୋନାଲ୍ଡ ଟ୍ରମ୍ପଙ୍କୁ ଆଶ୍ବସ୍ତି, ଜାମିନ ମିଳିବା ପରେ ଜୋ ବାଇଡେନଙ୍କୁ ଟାର୍ଗେଟ

ୱାଶିଂଟନ: ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହେବା ପରେ ତାଙ୍କୁ ଜାମିନ ମିଳିଛି । ମାନହଟ୍ଟନ କୋର୍ଟରେ ମାମଲାର ଶୁଣାଣି ବେଳେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ । ତାଙ୍କ ବିରୋଧରେ ଲାଗିଥିବା ୩୪ଟି ହେରଫେର ମାମଲାକୁ ଟ୍ରମ୍ପ ମିଛ ବୋଲି କହିଥିଲେ । ମାମଲାର ଆଗାମୀ ଶୁଣାଣି ପାଇଁ ଡିସେମ୍ବର ୪ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ଭାରତୀୟ ସମୟ ଅନୁସାରେ ଗତକାଲି ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ଟ୍ରମ୍ପଙ୍କ ମାମଲାର ଶୁଣାଣି ଚାଲିଥିଲା । ସେପଟେ କୋର୍ଟରୁ ବାହାରିବା ପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ । ଶାସକ ଦଳ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଦଳର ନେତାକୁ ବିନା ଦୋଷରେ ଗିରଫ କରୁଛି ବୋଲି ଟ୍ରମ୍ପ କହିଥିଲେ । ଆମେରିକାରେ ଏବେ ଯାହା ହେଉଛି ଅତି ଦୁଃଖଦାୟକ । ଏହାସହ ସମର୍ଥକମାନଙ୍କୁ ଇମେଲ ପଠାଇ ସମର୍ଥନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।