ପୁଣି ଅରୁଣାଚଳ ଉପରେ ଚୀନର ଆଖି, ଜଙ୍ଗନାନକୁ ନିଜର କହିଲା

1 min read

ଇଟ୍ଟାନଗର: ବଢିଲା ଅରୁଣାଚଳ ପ୍ରଦେଶକୁ ନେଇ ବିବାଦ । ଅରୁଣାଚଳ ପ୍ରଦେଶର କେତେକ ଅଞ୍ଚଳକୁ ପୁନଃନାମିତ କରିବା ଲାଗି ଚୀନ ନେଉଥିବା ପଦକ୍ଷେପକୁ ଭାରତ ବିରୋଧ କରିବା ପରେ ଏହି ଅଞ୍ଚଳରେ ନିଜର ସମ୍ପୂର୍ଣ୍ଣ ଅଧିକାର ଦର୍ଶାଇଛି ଚୀନ । ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି- ଅରୁଣାଚଳ ପ୍ରଦେଶର ଜଙ୍ଗନାନ ହେଉଛି ଚୀନର ଏକ ଅଂଶ । ଏହା ଉପରେ ପୂର୍ଣ୍ଣଅଧିକାର ଜାହିର କରିବା ଯଥାର୍ଥ । ସେପଟେ ଚୀନର ଏହି ଘୋଷଣାକୁ ବିରୋଧ କରିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ।

ତିବ୍ବତର ଦକ୍ଷିଣାଞ୍ଚଳ ତଥା ଅରୁଣାଚଳର ୧୧ଟି ସ୍ଥାନକୁ ନେଇ ଜଙ୍ଗନାନ ନାମରେ ଚୀନ ସିଭିଲ ଆଫାୟର୍ସ ମନ୍ତ୍ରାଳୟ ପକ୍ଷରୁ ନାମିତ କରାଯିବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢିଛି । ବାଗଚୀ କହିଛନ୍ତି ଚୀନ ପକ୍ଷରୁ ବାରମ୍ବାର ଅରୁଣାଚଳ ପ୍ରଦେଶକୁ ନେଇ ବିବାଦୀୟ ପଦକ୍ଷେପ ନିଆଯାଉଛି ଯାହାକୁ ଭାରତ ବିରୋଧ କରୁଛି । ସେପଟେ ଚୀନର ଏହି ଉଦ୍ୟମକୁ ଆମେରିକା ମଧ୍ୟ ବିରୋଧ କରିଛି ।

ହ୍ବାଇଟ ହାଉଟ ପ୍ରେସ ସଚିବ କାରେନ ଜାଁ ପିଏରେ କହିଛନ୍ତି- ଭାରତୀୟ ସୀମା ଅନ୍ତର୍ଗତ ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରିବା ଅଯଥାର୍ଥ ।