spot_img
Home Blog Page 35

ରାତିରେ ନୁଡଲ୍ସ ଖାଇ ସବୁଦିନ ପାଇଁ ଶୋଇଗଲେ ପୂରା ପରିବାର !

ନନ୍ଦିଘୋଷ ବ୍ୟୁରୋ: ଗ୍ରେଟର ନୋଏଡାର ରାବୁପୁରା ଅଞ୍ଚଳରେ ଚାଞ୍ଚଲ୍ୟ  । ଗୋଟିଏ ପରିବାରର ୫ଜଣଙ୍କ ସନ୍ଦେହଜନକ ମୃତ୍ୟୁ । । ମୃତକଙ୍କ ମଧ୍ୟରେ ବାପା, ମାଆ ୩ ଜଣ ଛୁଆ ରହିଛନ୍ତି । ଉତ୍ତରପ୍ରଦେଶ ଗ୍ରେଟର ନୋଏଡାର ରାବୁପୁରା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଘର ଆଖପାଖରେ ଗାଁଲୋକଙ୍କ ପ୍ରବଳ ଭିଡ ଜମା ହୋଇ ରହିଛି ।

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ପରିବାରର ମୃତ୍ୟୁ କିଛି ଖାଇବା ଯୋଗୁଁ  ଫୁଡ୍ ପଏଜନିଙ୍ଗ୍ କାରଣରୁ ହୋଇଥିବା ସନ୍ଦେହ କରାଯାଉଛି  । ନୋଏଡା ପୋଲିସ କହିଛି ଯେ, ୧୭ ଅକ୍ଟୋବରରେ ରାବୁପୁରା ପୋଲିସ ଷ୍ଟେସନ୍ ସୁଚନା ମିଳିଥିଲା ଯେ, ନଗଲା ଶ୍ରୀ ପଦମ୍ ଗାଁରେ ରହୁଥିବା ଗୋଟିଏ ପରିବାରର ପାଞ୍ଚ ସଦସ୍ୟଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ ପରିବାର ଶେଷ ଥର ପାଇଁ ରାତି ଖାଇବାରେ ଚା ପିଇଥିଲେ ଏବଂ ମ୍ୟାଗି ଖାଇଥିଲେ । ହେଲେ ରାତିରେ ଶୋଇବା ପରେ ଆଉ ସକାଳକୁ ଉଠିଲେ ନାହିଁ । ଫଳରେ ଗାଁ ଲୋକଙ୍କ ସନ୍ଦେହ ହେବାରୁ ସେମାନେ ଘର ଭିତରେ ଯାଇ ଦେଖିବାରୁ ୫ ଜଣଙ୍କ ଶବ ବିଛଣା ଉପରେ ପଡିଥିବା ଦେଖିବାକୁ ମିଳିଥିଲା ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ ସମସ୍ତ ୫ ଜଣଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହଛି ପୋଲିସ । ମୃତକଙ୍କ ମଧ୍ୟରେ ଅଛନ୍ତି ୩୭ ବର୍ଷୀୟ ମହେଶ, ତାଙ୍କ ସ୍ତ୍ରୀ ଲଳିତା, ୧୧ ବର୍ଷର ପୁଅ ଲଡ୍ଡୁ, ୭ ବର୍ଷର ଝିଅ ମିଷ୍ଟି ଏବଂ ୩ ବର୍ଷର ଝିଅ ସାକ୍ଷୀ । ପରିବାରର ୫ ଜଣଙ୍କ କ୍ଷେତ୍ରରେ ଖାଦ୍ୟ ବିଷାକ୍ତତା ସନ୍ଦେହ କରାଯାଉଛି । ଯଦିଓ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ, ତେବେ ବିଷାକ୍ତ ଖାଦ୍ୟ ମୃତ୍ୟୁର କାରଣ କି ଅନ୍ୟ କୌଣସି କାରଣ ଥିଲା ତାହା ପୋଷ୍ଟମର୍ଟମ ରିପୋର୍ଟ ପ୍ରକାଶ ପାଇବା ପରେ ସ୍ପଷ୍ଟ ହେବ  ।

ଅଜୟଙ୍କ ବଙ୍ଗଳା ଉପରେ BMCର ଆକ୍ସନ, ବିନା ଅନୁମତିରେ ଚାଲିଥିଲା ନିର୍ମାଣ କାର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ: ପୁଣି ଥରେ ଚର୍ଚ୍ଚାରେ ବଲିଉଡ଼ର ସିଂଘମ ଅଜୟ ଦେବଗନ । ଏଥର କିନ୍ତୁ ଲାଇମଲାଇଟକୁ ଆସିବା କାରଣ କୌଣସି ଫିଲ୍ମ ନୁହେଁ ବରଂ ଜୁହୁ ସ୍ଥିତ ଏକ ବଙ୍ଗଳା ଅଟେ । ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ (BMC) ଅଜୟ ଦେବଗନଙ୍କ ବଙ୍ଗଳାରେ ହେଉଥିବା ବେଆଇନ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କିଛି ଅଂଶକୁ ଭାଙ୍ଗି ଦେଇଛି । ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ ଆଇନର ଧାରା ୩୫୪-ଏ ଅନୁଯାୟୀ ଏକ ନୋଟିସ୍ ଜାରି କରାଯାଇଥିଲା, ଯେଉଁଥିରେ କାମ ବନ୍ଦ କରିବା ସହ ଆବଶ୍ୟକୀୟ କାଗଜପତ୍ର ପ୍ରଦାନ ନେଇ ନିର୍ଦ୍ଦେଶ ଦିଆଯାଇଥିଲା। ନୋଟିସ ସତ୍ତ୍ୱେ, ବଙ୍ଗଳାର ନିର୍ମାଣ କାର୍ଯ୍ୟ ଜାରି ରହିଥିଲା । ଯାହା ଫଳରେ ଏପରି ଆକ୍ସନ୍ ନେଇଛି ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ ।

ଅଜୟ ଦେବଗନଙ୍କ ଏହି ବିବାଦୀୟ ବଙ୍ଗଳା ଜୁହୁର କପୋଲ କୋ-ଅପରେଟିଭ୍ ହାଉସିଂ ସୋସାଇଟିରେ ରହିଥିବା ବେଳେ ଏହା ୭,୮୦୨ ସ୍କୋୟାର ଫୁଟ୍ ଏରିଆରେ ଅବସ୍ଥିତ । ଅଜୟଙ୍କ ପରିବାର ଚଳିତ ବର୍ଷ ଅଗଷ୍ଟ ମାସରେ ୧୦୧.୬୧ କୋଟି ଟଙ୍କାରେ ପାଞ୍ଚ ବର୍ଷ ପାଇଁ ଏହି ବଙ୍ଗଳାକୁ ଫ୍ଲୋରିଆନ୍ ହୁରେଲ୍ ସାଲୋନ୍ ପ୍ରାଇଭେଟ୍ ଲିମିଟେଡ୍ କୁ ଲିଜ୍ ଦେଇଥିଲେ। ତେବେ ପ୍ରତି ମାସ ପାଇଁ ଭଡ଼ା ୧୬ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ସୂଚନା ଅନୁଯାୟୀ, ଏହି ବଙ୍ଗଳା ଭିତରେ ସେଲୁନ୍ ସହ କମରସିଆଲ୍ ବ୍ୟବହାର ପାଇଁ ନିର୍ମାଣ କାର୍ଯ୍ୟ କରାଯାଉଥିଲା।  ବିଏମସି ପ୍ରପୋଜାଲ ଡ଼ିପାର୍ଟମେଣ୍ଟର ବିନା ଅନୁମତିରେ ସେଠାରେ ସେଲୁନ୍ ଓ ଅନ୍ୟାନ୍ୟ କାର୍ଯ୍ୟ କରାଯାଉଥିଲା । ଏନେଇ କୌଣସି ଅନୁମତି ଦିଆଯାଇ ନଥିଲା। ବାସ୍ତବରେ, ବଙ୍ଗଳା କାର୍ଯ୍ୟ ତୁରନ୍ତ ବନ୍ଦ କରିବା ସହ ୨୪ ଘଣ୍ଟା ମଧ୍ୟରେ କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକୀୟ ଅନୁମୋଦନ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନୋଟିସରେ ଉଲ୍ଲେଖ କରାଯାଇଥିଲା ଯେ, ସିପୋରେକ୍ସ ବ୍ଲକ୍ ସମ୍ପର୍କରେ ଅନଧିକୃତ କାର୍ଯ୍ୟ କରାଯାଉଛି। ଦେବଗନ୍ ପରିବାର ଫ୍ଲୋରିଆନ୍ ହୁରେଲ୍ ସାଲୁନ୍ ପ୍ରାଇଭେଟ୍ ଲିମିଟେଡ୍ କୁ ବଙ୍ଗଳା ଭଡ଼ା ଦେବା ପାଇଁ ଏକ ନୋ-ଅବଜେକ୍ସନ୍ ସାର୍ଟିଫିକେଟ୍ ମାଗିଥିଲେ। ଚଳିତବର୍ଷ ଜୁଲାଇ ୨୨ରେ, ସୋସାଇଟିର ତତ୍କାଳୀନ ଅଧିକୃତ ଅଧିକାରୀଙ୍କ ଠାରୁ ଏକ ଚିଠି ନିଶ୍ଚିତ କରିଥିଲା ​​ଯେ, ବୀଣା ବୀରେନ୍ଦ୍ର ଦେବଗନ୍ ଓ ଅଜୟ ଦେବଗନ୍ ସମ୍ପତ୍ତିର ଆଇନଗତ ମାଲିକ । ଏଥିରେ ଏହାକୁ ଲିଜ୍ ଦେବା ନେଇ ସୋସାଇଟିକୁ କୌଣସି ଆପତ୍ତି ନାହିଁ ବୋଲି ଉଲ୍ଲେଖ କରାଯାଇଥିଲା ।

ତଥାପି, ସୋସାଇଟି ଯୁକ୍ତି କରିଥିଲା ଯେ, ଏନ.ଓ.ସିରେ ଲିଭ୍-ଏଣ୍ଡ-ଲାଇସେନ୍ସ ଆଧାରରେ ବଙ୍ଗଳାକୁ ଭଡ଼ା ନେବାକୁ ଅନୁମତି ଦେଇଥିଲା, କିନ୍ତୁ ଆବାସିକ ବ୍ୟବହାରରୁ ବାଣିଜ୍ୟିକ ବ୍ୟବହାର କିମ୍ବା ଗଠନମୂଳକ ଓ ସେବା-ସମ୍ବନ୍ଧୀୟ ପରିବର୍ତ୍ତନକୁ ଅନୁମତି ଦିଆଯାଇନଥିଲା।

 

ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ

ନନ୍ଦିଘୋଷ ବ୍ୟୁରୋ: ଥରିଲା ଶିମଲା । ଭୂମିକମ୍ପରେ ଦୋହଲିଲା ହିମାଚଳ ପ୍ରଦେଶ । ରିକ୍ଟର ସ୍କେଲରେ ୪.୧ ତୀବ୍ରତାର ଭୂକମ୍ପ ରେକର୍ଡ ।  ନ୍ୟାସନାଲ୍ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁସାରେ, ଅକ୍ବୋବର ୧୭ ତାରିଖ ସକାଳ ପ୍ରାୟ ୪ଟା ୩୬ ମିନିଟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ସେହିପରି ସିମଲାରେ ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ୧୦ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଥିଲା ।

ଏହା ପୂର୍ବରୁ ଋଷିଆରେ ମଧ୍ୟ ଥରିଥିଲା ମାଟି । ଋଷର କାମଚଟକା ଉପଦ୍ବୀପ ଅଞ୍ଚଳରେ ୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ୟୁରୋପିଆନ ମେଡେଟେରେନିୟମ ସିସ୍ମୋଲୋଜିକାଲ ସେଣ୍ଟରର କହିବା ମୁତାବକ, ଶୁକ୍ରବାର ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପ ୧୪୦ କିଲୋମିଟର ଗଭୀରତାରେ ହୋଇଥିଲା । ସ୍ଥାନୀୟ ସମୟ ଅପରାହ୍ନ ୩:୩୫ରେ ଭୂକମ୍ପ ରେକର୍ଡ କରାଯାଇଥିଲା ।

ତେବେ ଭୂମିକମ୍ପ ପରେ ତୁରନ୍ତ କୌଣସି ସୁନାମୀ ଆଲର୍ଟ ଜାରି କରାଯାଇ ନାହିଁ । ଆମେରିକାର ଜାତୀୟ ସୁନାମୀ ଚେତାବନୀ କେନ୍ଦ୍ର କହିଛି ଯେ, ଭୂମିକମ୍ପ ପରେ ସେଭଳି କୌଣସି ବିପଦ ନାହିଁ । ସେହିପରି ଭୂମିକମ୍ପରେ ହୋଇଥିବା କ୍ଷୟକ୍ଷତି କିମ୍ବା ମୃତାହତ ବିଷୟର ବର୍ତ୍ତମାନ କୌଣସି ସରକାରୀ ସୁଚନା ଆସିନାହିଁ ।

ବିଶେଷଜ୍ଞଙ୍କ କହିବାନୁସାରେ, ପୃଥିବୀ ଭିତରେ ସାତ ପ୍ରକାରର ପ୍ଲେଟ ରହିଛି ଯାହା ନିରନ୍ତର ଘୁରୁଥାଏ । ଯେତେବେଳେ ଏହି ପ୍ଲେଟ୍ ଗୁଡିକ ଭିତରେ ଧକ୍କା ହୋଇଯାଏ ତାହାକୁ ଜୋନ୍ ଫଲ୍ଟ ଲାଇନ୍ କୁହାଯାଏ । ଏହାବ୍ୟତୀତ ଯେତେବେଳେ ଅତ୍ୟଧିକ ଚାପ ବୃଦ୍ଧି ପାଏ, ସେତେବେଳେ ପ୍ଲେଟଗୁଡିକ ଭାଙ୍ଗିବା ଆରମ୍ଭ କରନ୍ତି ଏବଂ ତଳେ ଥିବା ଏନର୍ଜି ବାହାରକୁ ଆସିବାକୁ ରାସ୍ତା ଖୋଜନ୍ତି । ଫଳରେ ଭୂକମ୍ପ ଅନୁଭୂତ ହୋଇଥାଏ । ତେବେ ଭୂକମ୍ପ କେତେ ଭୟଙ୍କର , ଏହାର ତୀବ୍ରତା ରିକ୍ଟର ସ୍କେଲରେ ମପାଯାଏ ।  ରିକ୍ଟର ସ୍କେଲରେ ୬ ରୁ କମ ତୀବ୍ରତା ବିଶିଷ୍ଟ ଭୂକମ୍ପକୁ ଗୁରୁତର ବୋଲି ବିବେଚନା କରାଯାଏ ନାହିଁ, କାରଣ ଏହା କେବଳ ମୃଦୁ କମ୍ପନ ସୃଷ୍ଟି କରେ । ଏହି ସମୟରେ ୭-୯ ମଧ୍ୟରେ ରିକ୍ଟର ସ୍କେଲ ତୀବ୍ରତାରେ କୋଠା ଭୁଶୁଡିବା ଠାରୁ ଆରମ୍ଭ କରି ସାମୁଦ୍ରିକ ଝଡ ଭଳି ବିପଦ ସୃଷ୍ଟି କରିପାରେ । ଆଉ ରିକ୍ଟର ସ୍କେଲରେ ୯ ରୁ ଅଧିକ ତୀବ୍ରତାର ଭୂମିକମ୍ପରେ ଭୟଙ୍କର କ୍ଷୟକ୍ଷତି ହୋଇଥାଏ ।

 

ଆଜି ମହାସପ୍ତମୀ, ‘କାଳରାତ୍ରୀ’ ରୂପରେ ଜଗତଜନନୀ

ଆଜି ମହାସପ୍ତମୀ, ‘କାଳରାତ୍ରୀ’ ରୂପରେ ଜଗତଜନନୀ

ନନ୍ଦିଘୋଷ ବ୍ୟୁରୋ: ଆଜି ମହାସପ୍ତମୀ । ସପ୍ତମୀ ତିଥିରେ ମା’ ଦୁର୍ଗାଙ୍କ ସପ୍ତମ ସ୍ୱରୂପ କାଳରାତ୍ରୀଙ୍କୁ ଅରାଧନା କରାଯାଇଥାଏ । ଯେଉଁ ଭକ୍ତ ବିଧି ବିଧାନର ସହ ମା କାଳରାତ୍ରୀଙ୍କ ପୂଜାର୍ଚ୍ଚନା କରିଥାଆନ୍ତି ତାଙ୍କର ସମସ୍ତ କଷ୍ଟ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି । କାଳରାତ୍ରୀଙ୍କ ପୂଜାରେ ଭୟ ଓ ରୋଗ ନାଶ ହୋଇଥାଏ । ଏହା ସହ ଭୂତ, ପ୍ରେତ, ଅକାଳ ମୃତ୍ୟୁ, ରୋଗ ଆଦି ସମସ୍ତ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ । କୃଷ୍ଣ ବର୍ଣ୍ଣା ହୋଇଥିବାରୁ ତାଙ୍କୁ ‘କାଳରାତ୍ରୀ’ ବୋଲି ମଧ୍ୟ କୁହାଯାଏ ।

କାଳରାତ୍ରୀ ତ୍ରୀନେତ୍ର ଧାରଣୀ । ଖଡ଼ଗ ଓ ଅସ୍ତ୍ର ମାଆଙ୍କ ଚାରି ବାହୁରେ ସୁସଜ୍ଜିତ। ତାଙ୍କର ଅନ୍ୟ ଏକ ନାମ ‘ଶୁଭଙ୍କରୀ’ ଅଟେ । ଭୂତ, ପ୍ରେତ, ମନ୍ଦ ଶକ୍ତି, ଶତ୍ରୁ ଭୟ ଦୂର କରିବା ପାଇଁ ମାଆ କାଳରାତ୍ରୀଙ୍କ ଉପାସନା ବେଶ ପ୍ରଭାବଶାଳୀ। ମା’ଙ୍କ ଏହି ରୂପକୁ ଦର୍ଶନ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି। କୁହାଯାଏ, ମାଆଙ୍କ ଆରାଧ୍ୟନା ଫଳରେ ସମସ୍ତ ମନସ୍କାମନା ପୂରଣ ହେବା ସହ ସିଦ୍ଧି ପ୍ରାପ୍ତ ହୋଇଥାଏ । କାଳରାତ୍ରୀଙ୍କୁ ‘ଐଶ୍ବର୍ଯ୍ୟର ଦେବୀ’ ବୋଲି ମଧ୍ୟ କୁହାଯାଏ। ଯେଉଁମାନେ ମହାସପ୍ତମୀ ଦିନ ମା’ କାଳରାତ୍ରୀଙ୍କୁ ପୂଜା କରନ୍ତି, ସେମାନେ ଜ୍ଞାନ ସହ ସୌଭାଗ୍ୟ ଲାଭ କରିଥାନ୍ତି ।

 

ପୋଲିସ ହେପାଜତରୁ ମୁକୁଳିବା ପରେ ‘‘ଆଟାକିଙ୍ଗ୍ ମୁଡ୍’’ରେ ନେହା ବୋରା…

ନନ୍ଦିଘୋଷ ବ୍ୟୁରୋ: କିଛି ଘଣ୍ଟା ଅଟକ ରଖିବା ପରେ ନେହା ବୋରାଙ୍କୁ ରାତି ଅଧରେ ଛାଡ଼ିଲା ଦିଲ୍ଲୀ ପୋଲିସ । ଆବଶ୍ୟକ ପ୍ରକ୍ରିୟା ଶେଷ ହେବା ପରେ ଏଆଇଏସଏ ମୁଖ୍ୟଙ୍କୁ ଛାଡ଼ିଛି ପୋଲିସ । ସେପଟେ କକ୍ରୋଚ୍ ଜନତା ପାର୍ଟି ବା ସିଜେପି ନେତା ଅଭିଜିତ ଦୀପକେଙ୍କୁ ହେପାଜତକୁ ନେଇଥିଲା ଦିଲ୍ଲୀ ପୋଲିସ । ଉଭୟ ଦୀପକେ ଓ ନେହା ଦିଲ୍ଲୀରେ ହେବାକୁ ଥିବା ତ୍ରିରଙ୍ଗା ପ୍ରଦର୍ଶନରେ ସାମିଲ ହେବାକୁ ଯାଉଥିଲେ । ଦୀପକେଙ୍କୁ ଘରୁ ବାହାରିବା ମାତ୍ରେ ଉଠାଇ ନିଆଯାଇଥିବା ବେଳେ, ନେହା ବୋରାଙ୍କୁ ମଣ୍ଡି ହାଉସ୍ ନିକଟରେ ଅଟକାଯାଇଥିଲା  । ତେବେ ଦିଲ୍ଲୀ ପୋଲିସ ଅଧିନିୟମ ଧାରା ୬୫ ଅନୁଯାୟୀ ଆନୁଷ୍ଠାନିକ ପ୍ରକ୍ରିୟା ସମାପ୍ତ କରିବା ପରେ ନେହା ବୋରାଙ୍କୁ ପୋଲିସ ମୁକ୍ତ କରିଥିଲା । ଆଉ ଆରକେ ପୁରମ ପୋଲିସ ଷ୍ଟେସନରୁ ମୁକ୍ତ ହେବା ପରେ ନେହା ବୋରା ପୁଣିଥରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବା ସହିତ ଅଭିଜିତ ଦୀପକେଙ୍କ ସମେତ ଅନ୍ୟ ପ୍ରତିବାଦକାରୀଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି ।

ନେହା ବୋରା କହିଛନ୍ତି, ‘‘ଭାରତ ସରକାର ଦୀର୍ଘ ଦିନ ଧରି ଆଇନଗତ ଭାବେ ଏବଂ ବେଆଇନ ଭାବେ ସବୁ ସୀମା ଟପି ସାରିଲେଣି ।            ଆମ ଦେଶରେ ବିନା କାରଣରେ ଲୋକଙ୍କୁ ଅଟକ ରଖିବା ଏବଂ ଘଣ୍ଟା ଘଣ୍ଟା ଧରି ବନ୍ଦୀ କରି ରଖିବାର ଏକ ଦୀର୍ଘକାଳୀନ ଅଭ୍ୟାସ ହୋଇ ଆସିଛି । ଏହା ଏବେ ଆହୁରି ସ୍ପଷ୍ଟ ହୋଇଯାଇଛି, କାରଣ ବର୍ତ୍ତମାନ ଯେଉଁ ଆନ୍ଦୋଳନ ଚାଲିଛି ସେଥିରେ ଏହା ପ୍ରତିଦିନ ଦେଖିବାକୁ ମିଳୁଛି । ତେବେ ଏହି ବେଆଇନ୍ କାର୍ଯ୍ୟ କାହିଁକି ହେଉଛି, କାହିଁକି ଅଟକ ରଖାଯାଉଛି ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ସେମାନଙ୍କୁ କିପରି ବ୍ୟବହାର କରାଯାଉଛି । ଆଜି ତାହା ଆମେ ପ୍ରତ୍ୟକ୍ଷ ଭାବରେ ଦେଖୁଛୁ ।

ସେପଟେ ଉଭୟ ସିଜେପି ଏବଂ ଏଆଇଏସ ସଂଗଠନ ପକ୍ଷରୁ ଉଭୟ ନେତାଙ୍କୁ କେଉଁଠି ରଖାଯାଇଛି, ତାକୁ ନେଇ ପ୍ରଶ୍ନ ଉଠାଇଥିଲା । ଏଭଳି ସ୍ଥିତିରେ ଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟନ୍ତ ହୋଇ ପଡିଥିବା ମୁକୁଳିବା ପରେ ଅଭିଯୋଗ କରିଛନ୍ତି ନେହା  ।

ଭିଜିଲାନ୍ସ ଜାଲରେ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର

ଭିଜିଲାନ୍ସ ଜାଲରେ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ କଟକ ମହାନଦୀ ଉତ୍ତର ଡିଭିଜନର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ପ୍ରସନ୍ନ ଜିତ ଦାସ । ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ନଗଦ ଜବତ କଲା ଭିଜିଲାନ୍ସ । ଶୁକ୍ରବାର ବିଳମ୍ବିତ ରାତିରେ ଏଜି ଛକ ନିକଟରେ ଚଢ଼ଉ କରି ନଗଦ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ଓ ପରେ ଭୁବନେଶ୍ୱରସ୍ଥିତ ଏକ ଭଡ଼ା ଘରେ ଚଢ଼ଉ କରି ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।

ସୂଚନା ଅନୁଯାୟୀ, ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ପ୍ରସନ୍ନ ଜିତ ଦାସ ବିଭିନ୍ନ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ନେଇ ଭିଜିଲାନ୍ସକୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଗତକାଲି ବିଳମ୍ବିତ ରାତିରେ ପ୍ରସନ୍ନଜିତ ଦାସଙ୍କୁ ଏଜି ଛକ ନିକଟରେ ଅଟକାଇଥିଲା ଭିଜିଲାନ୍ସ । ଗାଡ଼ିରେ ଯାଉଥିବା ବେଳେ ତାଙ୍କ ନିକଟରୁ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ଜବତ କରାଯାଇଥିଲା । ଏହାପରେ ଶନିବାର ସକାଳୁ ଭୁବନେଶ୍ୱର ଘାଟିକିଆ ସ୍ଥିତ ଟ୍ରାଇଡ଼େଣ୍ଟ ଗାଲାକ୍ସିର ଡ଼ି-୪୦୧ ନମ୍ବର ଭଡ଼ା ଫ୍ଲାଟ୍ ଓ ବରଗଡ଼ସ୍ଥିତ ତାଙ୍କ ପୈତୃକ ଘରେ ଏକକାଳୀନ ଚଢ଼ଉ କରାଯାଇଥିଲା । ଫ୍ଲାଟ୍‌ରେ ଛାନଭିନ୍ ସମୟରେ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଥିଲା । ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କାର ହିସାବ ସନ୍ତୋଷଜନକ ଭାବେ ଦେଇ ନପାରିବାରୁ ଭିଜିଲାନ୍ସ ପକ୍ଷରୁ ଏହି ଟଙ୍କା ଜବତ କରାଯାଇଛି । ପ୍ରସନ୍ନଜିତ ଦାସଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

ଭାରତ ପାଇଁ ଟ୍ରମ୍ପଙ୍କ ବଡ ଘୋଷଣା…

ନନ୍ଦିଘୋଷ ବ୍ୟୁରୋ: ମାର୍କୋ ରୁବିଓଙ୍କ ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା । ଭାରତ ସମେତ ୫ଟି ଦେଶ ଋଷରୁ ତେଲ ଏବଂ ଗ୍ୟାସ କିଣିବା ପାଇଁ ଶୁଳ୍କ ଲାଗୁ କରିବ ନାହିଁ ଆମେରିକା । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଭାରତ ଏବଂ ଅନ୍ୟ ୪ଟି ଦେଶ ରୁଷରୁ ତେଲ ଏବଂ ଗ୍ୟାସ କିଣିବା ପାଇଁ କୌଣସି ଶୁଳ୍କର ସମ୍ମୁଖୀନ ହେବେ ନାହିଁ । ଏଭଳି ନିଷ୍ପତ୍ତି ପଛରେ ଆମେରିକାର ରାଷ୍ଟ୍ରୀୟ ହିତ ନିହିତ ଥିବା ସେ ସ୍ପଷ୍ଟ କରିଛନ୍ତି ।

ପ୍ରକୃତରେ, ସେପ୍ଟେମ୍ବର ୧୯ ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ. ଗ୍ରାହାମ ୨୦୨୬ର ଋଷ ଏବଂ ଇରାନକୁ ସୀମିତ କରିବା ଆଇନ ନାମକ ଏକ ବିଲରେ ସ୍ୱାକ୍ଷର କରିଥିଲେ। ଏହି ବିଲ୍ ଋଷରୁ ସର୍ବାଧିକ ଅଶୋଧିତ ତେଲ କିଣୁଥିବା ୫ଟି ଦେଶକୁ ଟାର୍ଗେଟ କରେ । ଯେଉଁଥିରେ ଚୀନ୍, ଭାରତ, ସ୍ଲୋଭାକିଆ, ହଙ୍ଗେରୀ ଏବଂ ଆଜରବାଇଜାନ ଅନ୍ତର୍ଭୁକ୍ତ । ଏହି ବିଲ୍ ଗତ ଅଗଷ୍ଟରେ ୮୬-୧୧ ଭୋଟରେ ଆମେରିକା ସିନେଟରେ ଗୃହୀତ ହୋଇଥିଲା । କିନ୍ତୁ, ଏବେ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଭାରତ ସମେତ ପାଞ୍ଚଟି ଦେଶ ଋଷର ତେଲ କିଣିବା ପାଇଁ କୌଣସି ଶୁଳ୍କର ସମ୍ମୁଖୀନ ହେବେ ନାହିଁ ।

ଏହି ନିଷ୍ପତ୍ତି ଏବେ ଭାରତକୁ ବଡ ଆଶ୍ବସ୍ତି ଦେଇଛି । କାରଣ ଭାରତ ଋଷରୁ ଅଶୋଧିତ ତୈଳ କିଣିଥାଏ । ଆଉ ଯଦି ଆମେରିକା ଭାରତୀୟ ସାମଗ୍ରୀ ଉପରେ ଭାରୀ ଶୁଳ୍କ ଲାଗୁ କରେ, ତେବେ ଏହା ଭାରତୀୟ ରପ୍ତାନିକାରୀ ଏବଂ ଆମେରିକା ବଜାରରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡିକୁ ପ୍ରଭାବିତ କରିପାରେ । ତେଣୁ ବର୍ତ୍ତମାନ ଛାଡ ଦ୍ବାରା ଏହି ଟାରିଫ୍ ବିପଦକୁ ଏଡାଇ ଦିଆଯାଇଛି, କିନ୍ତୁ ଯଦି ଭବିଷ୍ୟତରେ ଆମେରିକାର ନୀତି ପରିବର୍ତ୍ତନ ହୁଏ, ତେବେ ଭାରତ ପୁଣି ଏହି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରେ ।

କହିରଖୁଛୁ ଯେ, ଆମେରିକାର ଏହି ଆଇନର ଉଦ୍ଦେଶ୍ୟ ୟୁକ୍ରେନ ବିରୁଦ୍ଧରେ ଋଷର ଯୁଦ୍ଧ ଜାରି ରଖିବାକୁ ସାହାର୍ଯ୍ୟ କରୁଥିବା ଆର୍ଥିକ ମୋର୍ଚ୍ଚା ଉପରେ ଚାପ ପକାଇବା ଥିଲା । ଏହା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅତିରିକ୍ତ ଟାରିଫ୍ ଲଗାଇବାର ମଧ୍ୟ ଅଧିକାର ଦେଇଥିଲା ।

ଭାରତ-ୱେଷ୍ଟଇଣ୍ଡିଜ୍ ଟକ୍କର: ଭୁବନେଶ୍ବର କୁମାରଙ୍କ ଉପରେ ନଜର !

ନନ୍ଦିଘୋଷ ବ୍ୟୁରୋ:  ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-ଟ୍ବେଣ୍ଟି ମୁକାବିଲା । ସିରିଜର ଶେଷ ତଥା ପଞ୍ଚମ ଟି-ଟ୍ବେଣ୍ଟିରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ସଂଧ୍ୟା ୭ଟାରେ ବେଙ୍ଗଳୁରୁ ସ୍ଥିତ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ପାଞ୍ଚଟିକିଆ ସିରିଜରେ ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍ ଜିତିଥିବାରୁ ୨-୨ ସମାନ ସ୍ତରରେ ରହିଛି ସ୍ଥିତି । ଆଜି ଭାରତୀୟ ଦଳରେ ସାମିଲ ହେବେ ଡାହାଣ ହାତୀ ଦ୍ରୁତ ବୋଲର ଭୁବନେଶ୍ବର କୁମାର । ଲକ୍ଷ୍ନୌ ଓ ଇନ୍ଦୋରରେ ଯଥାକ୍ରମେ ପ୍ରଥମ ଓ ତୃତୀୟ ଟ୍ବେଣ୍ଟି-ଟ୍ବେଣ୍ଟିରେ ଭାରତ ଜିତିଥିବା ବେଳେ ରାଞ୍ଚି ଓ ହାଇଦ୍ରାବାଦରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ବିଜୟୀ ହୋଇଥିଲା । ଆଜି ସିରିଜର ଅନ୍ତିମ ମ୍ୟାଚ୍ ହୋଇଥିବାରୁ ଏହା ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ । ତେଣୁ ଆଜିର ମ୍ୟାଚ୍ ଜିତି ସିରିଜ କବଜା କରିବାକୁ ଭରପୂର ଉଦ୍ୟମ କରିବେ ଉଭୟ ଟିମ୍ ।

ଭାରତ ଗସ୍ତରେ ଥିବା ୱେଷ୍ଟଇଣ୍ଡିଜ୍ ଏହି ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଛି । ସାଇ ହୋପ୍ ଙ୍କ ନେତୃତ୍ବାଧୀନ ଏହି ଦଳ ଦିନିକିଆରେ ୩୫୨ ରନ୍ ବିଶାଳ ଲକ୍ଷ୍ୟକୁ ହାସଲ କରିଥିଲା ବେଳେ ଟି-ଟ୍ବେଣ୍ଟି ଶୃଙ୍ଖଳାରେ ମଧ୍ୟ ୨୫୦ ରନ୍ ର ଲକ୍ଷ୍ୟ ପୂରଣ କରି ଭାରତକୁ ଚକିତ କରିଛି । ଏହାସହ ହାଇଦ୍ରାବାଦରେ ଗତ ମ୍ୟାଚ୍ ଜିତି ଶୃଙ୍ଖଳାକୁ ବରାବର ସ୍ଥିତିରେ ରଖିଛି ଭ୍ରମଣକାରୀ ଦଳ । ଏହି ଶୃଙ୍ଖଳାରେ ଏପର୍ଯ୍ୟନ୍ତ ବ୍ୟାଟ୍ସମ୍ୟାନଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ବେଳେ ବୋଲରମାନେ ପ୍ରଭାବହୀନ ରହିଛନ୍ତି । ଏପଟେ ଅଭିଷେକ ଶର୍ମା, ସଞ୍ଜୁ ସାମସନ୍, ଈଶାନ କିଶନ, ଶ୍ରେୟସ ଆୟର, ତିଳକ ବର୍ମାଙ୍କ ପ୍ରଦର୍ଶନ ଉପରେ ଉପରେ ରହିଛି ଟିମର ଭାର । ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଆହତ ଥିବାରୁ ଖେଳିବା ନେଇ ସନ୍ଦେହ ରହିଛି । ବୁଧବାର ମ୍ୟାଚ୍ ରେ ବୋଲିଂ କରୁଥିବା ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା । ତେବେ ମ୍ୟାଚ୍ ପୂର୍ବରୁ ତାଙ୍କ ସୁସ୍ଥତା ଦେଖି ବିଚାର କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଭାରତ ମୋଟାମୋଟି ଇଣ୍ଡିଆ-ୱେଷ୍ଟଇଣ୍ଡିଜ ଟି-ଟ୍ବେଣ୍ଟି ମୁକାବିଲାରେ ୨୨-୧୨ରେ ଆଗୁଆ ଅଛି ଏବଂ ଗୋଟିଏ ମ୍ୟାଚ୍ କୌଣସି ଫଳାଫଳ ବିନା ଶେଷ ହୋଇଛି । ତଥାପି ୱେଷ୍ଟଇଣ୍ଡିଜ ୨୦୨୩ ରେ କାରିବିଆନ୍ ଏବଂ ଯୁକ୍ତରାଷ୍ଟ୍ର ଦଳଗୁଡିକ ମଧ୍ୟରେ ୩-୨ ରେ ପୂର୍ବ ଦ୍ବିପାକ୍ଷିକ ସିରିଜ ଜିତିଥିଲା ଏବଂ ଶନିବାର ଭାରତୀୟ ମାଟିରେ ପ୍ରଥମ ଦ୍ବିପାକ୍ଷିକ T20I ସିରିଜ ବିଜୟ ପାଇଁ ଚେଷ୍ଟା କରିବ ।

 

ତିହାର ଜେଲ୍ ଯାଇପାରନ୍ତି ଅଭିଜିତ ଦୀପକେ !

ନନ୍ଦିଘୋଷ ବ୍ୟୁରୋ: ସିଜେପି ନେତା ଅଭିଜିତ ଦୀପକେଙ୍କର ମିଳୁନି ପତ୍ତା। ଅଜଣା ସ୍ଥାନରେ ତାଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ଏପରିକି ଓକିଲଙ୍କ ସହ ଦେଖା କରିବାକୁ ମଧ୍ୟ ଦୀପକେଙ୍କୁ ସୁଯୋଗ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଏହାସହ ଦିଲ୍ଲୀ ପୋଲିସ ତାଙ୍କ ବିରୁଦ୍ଧରେ ବିଏନଏସଏସ୍ ଧାରା ୧୨୬ ଏବଂ ୧୭୦ ଅନୁଯାୟୀ ପ୍ରତିରୋଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଉ ଶନିବାର ତାଙ୍କୁ ସ୍ପେଶାଲ ଏଗ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବାର ଯୋଜନା ରହିଛି ।

ଏହି ଘଟଣା ଏବେ ପୁଣି ଥରେ ପ୍ରଶ୍ନ ଉଠାଇଛି ଯେ ସିଜେପି ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ପରି ଅଭିଜିତ ଦୀପକେଙ୍କୁ ମଧ୍ୟ ତିହାର ଜେଲକୁ ପଠାଯିବ କି ? କାରଣ ଏହା ପୂର୍ବରୁ ଜନ୍ତରମନ୍ତରରେ ହୋଇଥିବା ପ୍ରତିବାଦ ସମୟରେ କାର୍ଯ୍ୟାନୁଷ୍ଠାନ ପରେ ପାଞ୍ଚ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା । କିନ୍ତୁ, ଅଭିଜିତଙ୍କ ମାମଲାରେ କୋର୍ଟଙ୍କ ନିଷ୍ବତ୍ତି ଏବେ ଆସିବା ବାକି ଅଛି ।

ତେଣେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ବି ସେଣ୍ଟ୍ରାଲ ପାର୍କକୁ ବନ୍ଦ ରଖାଯାଇଛି। ଦିଲ୍ଲୀ କନ୍ନଟ ପ୍ଲେସରେ ତ୍ରିରଙ୍ଗା ମାର୍ଚ୍ଚ ପୂର୍ବରୁ ଗତକାଲି କକ୍ରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଉଠାଇନେଇଥିଲା ପୋଲିସ। ହେଲେ ଆନ୍ଦୋଳନ ଲାଗି ପ୍ଲାନ-B ପ୍ରସ୍ତୁତ ବୋଲି କହିଛି ସଂଗଠନ।  ଦୀପକେଙ୍କୁ ମୁକ୍ତ କରିବା ଲାଗି ଏମ.କେ. ଷ୍ଟାଲିନ, ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ପ୍ରମୁଖ ଦାବି କରିଛନ୍ତି। ସାରା ଦିନ ନଜର ବନ୍ଦୀରେ ରହିବା ପରେ ଦୀପକେଙ୍କ ସମେତ କିଛି ନେତାଙ୍କୁ ଉଠାଇ ନେଇଥିଲା ଦିଲ୍ଲୀ ପୋଲିସ। ଏହା ସହ କନ୍ନଟ ପ୍ଲେସରେ BNSS ୧୬୩ ଲାଗୁ ହୋଇଛି। ଦିଲ୍ଲୀ କନ୍ନଟ ପ୍ଲେସର ସେଣ୍ଟ୍ରାଲ ପାର୍କ ନିକଟରେ ଏହି ଆନ୍ଦୋଳନ ହେଉଥିଲା। ଦୀପକେଙ୍କ ସହ ଆଇସା ସଭାପତି ନେହା ବୋରାଙ୍କୁ ବି ଅଟକ ରଖିଛି ପୋଲିସ।  ସିଜେପି କର୍ମୀମାନେ କନ୍ନଟ ପ୍ଲେସରେ ପହଞ୍ଚି ତ୍ରିରଙ୍ଗା ରାଲି କରିବା ମାତ୍ରେ ନେତାଙ୍କୁ ଉଠାଇ ନେଇଥିଲା ପୋଲିସ।  ତ୍ରିରଙ୍ଗା ମାର୍ଚ୍ଚ ପୂର୍ବରୁ ଦୀପକେଙ୍କ ନିକଟରେ ପହଞ୍ଚିଥିଲା ପୋଲିସ। କନ୍ନଟ ପ୍ଲେସ ଆନ୍ଦୋଳନସ୍ଥଳୀ ନୁହେଁ ବୋଲି ଦୀପକେଙ୍କୁ କହିଥିଲା ପୋଲିସ। ଏହାସହ ବେଆଇନ ଭାବେ ଏକାଠି ନ ହେବା ଲାଗି ଅଭିଜିତଙ୍କୁ ନୋଟିସ ଜାରି କରିଥିଲା ପୋଲିସ।

ଜନ୍ତର ମନ୍ତରରେ ପ୍ରତିବାଦ ସମୟରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପରେ ଉଭୟ ନେତାଙ୍କୁ ପୂର୍ବରୁ ପାଞ୍ଚ ଦିନିଆ ନ୍ୟାୟିକ ହାଜତକୁ ପଠାଯାଇଥିଲା। ତଥାପି, ଦୀପକେଙ୍କ ମାମଲାରେ କୋର୍ଟର ନିଷ୍ପତ୍ତି ଏପର୍ଯ୍ୟନ୍ତ ବିଚାରାଧୀନ ଅଛି।

ସୁଧୁରୁଛି ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟବସ୍ଥା !

ନନ୍ଦିଘୋଷ ବ୍ୟୁରୋ: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଛାତିରେ ସଂକ୍ରମଣ ଏବଂ ବୟସ ସମ୍ବନ୍ଧୀୟ ଜଟିଳତା ପାଇଁ ସେ ଅସୁସ୍ଥତା ଅନୁଭବ କରୁଥିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଅଧିକାରୀଙ୍କ କହିବା ମୁତାବକ, ତାଙ୍କର ଚିକିତ୍ସା ଚାଲିଛି ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ୯୮ ବର୍ଷୀୟ ଆଡଭାନୀଙ୍କୁ ଗତକାଲି ସନ୍ଧ୍ୟା ୭.୩୦ ସମୟରେ ଫୁସଫୁସ ବିଭାଗରେ ଭର୍ତ୍ତି କରାଯାଇଥିଲା । ଏକ ସ୍ବତନ୍ତ୍ର ଡାକ୍ତର ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି  । ଯଦି ଦେଖିବା, ଆଡଭାନୀ ଆପୋଲୋ ହସ୍ପିଟାଲର ନ୍ୟୁରୋଲୋଜିଷ୍ଟ ଡାକ୍ତରଙ୍କ ସହ ପରାମର୍ଶ କରୁଥିଲେ ଏବଂ ସମୟ ସମୟରେ ସେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସେଠାକୁ ଯାଉଥିଲେ । ଗତ ମେ ମାସରେ ମଧ୍ୟ ତାଙ୍କୁ ବୟସ ସମ୍ବନ୍ଧୀୟ ଅସୁସ୍ଥତା ଯୋଗୁଁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସାର କିଛି ଦିନ ପରେ ତାଙ୍କୁ ଡିସଚାର୍ଜ କରିଦିଆଯାଇଥିଲା ।

ଲାଲକୃଷ୍ଣ ଆଡଭାନୀ ତିନି ଥର ଦଳର ସଭାପତି ଭାବରେ କାର୍ଯ୍ୟ କରିଛନ୍ତି । ୧୯୮୬-୧୯୯୦, ୧୯୯୩-୧୯୯୮ ଏବଂ ୨୦୦୪-୨୦୦୫ । ସେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ଉପପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଡିସେମ୍ବର ୨୦୨୪ ରେ ଚିକିତ୍ସା ଏବଂ ମୂଲ୍ୟାଙ୍କନ ପାଇଁ ଇନ୍ଦ୍ରପ୍ରସ୍ଥର ଆପୋଲୋ ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା । ସେ ନ୍ୟୁରୋଲୋଜିଷ୍ଟ ଡକ୍ଟର ବିନୀତ ସୁରିଙ୍କ ତତ୍ତ୍ୱାବଧାନରେ ଥିଲେ । ଲାଲକୃଷ୍ଣ ଆଡଭାନୀ ରାମ ମନ୍ଦିର ଆନ୍ଦୋଳନର ଜଣେ ପ୍ରମୁଖ ବ୍ୟକ୍ତି ଥିଲେ । ସେ ୨୫ ସେପ୍ଟେମ୍ବର ୧୯୯୦ ରେ ଗୁଜୁରାଟର ସୋମନାଥ ମନ୍ଦିରରୁ ଆରମ୍ଭ ହୋଇଥିବା ମନ୍ଦିର ଯାତ୍ରାର ନେତୃତ୍ୱ ନେଇଥିଲେ । ସମ୍ପ୍ରତି, ୨୦୨୪ ରେ ଭାରତ ସରକାର ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିଥିଲେ । ତାଙ୍କ ସାର୍ବଜନୀନ ଜୀବନର ସ୍ୱୀକୃତି ସ୍ୱରୂପ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା ।