spot_img
Home Blog Page 34

ବିକାଶ ନାଁରେ ବଦଳିଲା ପରମ୍ପରା

ପିପିଲି  : ବିକାଶ ନାଁରେ ବଦଳିଲା ପରମ୍ପରା । ସୌନ୍ଦର୍ଯ୍ୟକରଣ ନାଁରେ ବଦଳିଲା ମନ୍ଦିରର ରଙ୍ଗ । ମନ୍ଦିରର ରଙ୍ଗ ପରିବର୍ତ୍ତନକୁ ନେଇ ତେଜିଲା ବିବାଦ । ବର୍ଷ ବର୍ଷ ଧରି ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ନୃସିଂହନାଥ ଦେବଙ୍କ ମନ୍ଦିରର ରଙ୍ଗ ଥିଲା ଧଳା । ଏବେ କରାଯାଇଛି ଗେରୁଆ । କେବଳ ମନ୍ଦିର ନୁହେଁ, ଶୌଚାଳୟ ଠାରୁ ଆରମ୍ଭ କରି ଠାକୁରଙ୍କ ବେଢ଼ା, ବିଜେସ୍ଥଳୀ ଓ ପ୍ରାଚୀରର ରଙ୍ଗ ମଧ୍ୟ ପରିବର୍ତ୍ତନ କରାଯାଇଛି । ଯାହାକୁ ନେଇ ସେବାୟତ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ବର୍ଷ ଧରି ମନ୍ଦିରରେ ଧଳା ରଙ୍ଗର ପରମ୍ପରା ରହିଆସିଛି । ହେଲେ ସେହି ପରମ୍ପରାକୁ ବଦଳାଇବା ପୂର୍ବରୁ କାହା ସହ ଆଲୋଚନା କରାଗଲା ନାହିଁ କାହିଁକି ? ଯଦି ଏହି କାମ ବ୍ଲକ ପ୍ରଶାସନ ପକ୍ଷରୁ କରାଯାଇଛି, ତେବେ କାର୍ଯ୍ୟର ନାମ ଫଳକ ଲଗାଯାଇନି କାହିଁକି ? କିଏ ଓ କାହିଁକି କରିଛି ମନ୍ଦିରର ରଙ୍ଗ ପରିବର୍ତ୍ତନ ? କାହା ଅନୁମତିରେ ମନ୍ଦିରର ରଙ୍ଗ ଓ ଦୋଳବେଦୀ ଉପରେ କଂକ୍ରିଟ ଛାତ ପକାଯାଇଛି ? ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ସେବାୟତ ଓ ଗ୍ରାମବାସୀ । ଆଗାମୀ ୧୫ ଦିନ ମଧ୍ୟରେ ଯଦି ମନ୍ଦିରର ରଙ୍ଗ ପରିବର୍ତ୍ତନ କରାନଯାଏ । ତାହାଲେ ଅନଶନର ଚେତାବନୀ ଦେଇଛନ୍ତି ସେବାୟତ ଓ ଗ୍ରାମବାସୀ ।…

ଟ୍ରେନ ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ : ସୁରଟରୁ ବ୍ରହ୍ମପୁର ଫେରୁଥିବା ବେଳେ ଟ୍ରେନ୍‌ରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ । ମୃତକ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କୀର୍ତ୍ତିପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ ।  ଗୋବିନ୍ଦ ପ୍ରାୟ ୧୦ ବର୍ଷ ଧରି ସୁରଟର ଏକ ସୂତାକଳରେ କାମ କରୁଥିଲେ । କିଛିଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିବା ସତ୍ତ୍ୱେ ସେ କାମ କରୁଥିଲେ । ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ସେ ସେଠାରେ ଡାକ୍ତରଙ୍କ ପରାମର୍ଶ ନେଇ ନିଜ ଗାଁକୁ ଫେରୁଥିଲେ । ଗତକାଲି ରାତିରେ ସୁରଟରୁ  ବ୍ରହ୍ମପୁର ଅଭିମୁଖେ ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ଆଜି ଭୋର ପ୍ରାୟ ୩ଟା ସମୟରେ କଣ୍ଟାବାଞ୍ଜି ଷ୍ଟେସନ ନିକଟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । କଣ୍ଟାବାଞ୍ଜି ଷ୍ଟେସନରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ଖବର ପାଇ କଣ୍ଟାବାଞ୍ଜି ଜିଆରପି ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଛି । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।….

ଚଣ୍ଡୀପାଠରେ କମ୍ପୁଛି ଶକ୍ତିପୀଠ

ପୁରୀ : ଚାଲିଛି ମାଆ ବିମଳାଙ୍କ ଷୋଡଶ ଉପାଚାର ପୂଜା । ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ପରିସର । ସୋମବଂଶୀ ରାଜତ୍ୱ ବା ସପ୍ତମ ଶତାବ୍ଦୀ ସମୟରେ ସମଗ୍ର ଓଡ଼ିଶାରେ ଶକ୍ତି ଉପାସନା ପାଇଁ ପ୍ରସିଦ୍ଧି ଲାଭ କରିଥିଲା । ଏହି ସମୟରେ ଓଡ଼ିଶା ତନ୍ତ୍ରର ପ୍ରମୁଖ ପୀଠ ଓଡ୍ଡୀୟାନ ଭାବେ ପରିଚିତ ହୋଇଥିଲା। ମହାନିର୍ବାଣ ତନ୍ତ୍ର ଅନୁସାରେ ପୁରୀ ଶ୍ରୀମନ୍ଦିର ଭୈରବୀ ଚକ୍ରର ନକ୍ସା ଆଧାରରେ ନିର୍ମିତ । ଏଠାରେ “କୁଳୋଡ୍ଡୀଶ ତନ୍ତ୍ର”ର “ବିମଳା ଭୈରବୀ ୟତ୍ର ଜଗନ୍ନାଥସ୍ତୁ ଭୈରବ” ନିୟମ ଅନୁସାରେ ଜଗନ୍ନାଥ ଅଜୈକପାଦ ଭୈରବ, ବଳଭଦ୍ର ଅହିର୍ବୁଧ୍ନ୍ୟ ଶେଷଭୈରବ, ସୁଭଦ୍ରା ଭୁବନେଶ୍ୱରୀ, ମହାଲକ୍ଷ୍ମୀ କମଳାତ୍ମିକା, ସୁଦର୍ଶନ ଏକଲିଙ୍ଗ ଓ ବିମଳା କୌଳେଶ୍ୱରୀ ବା ମହାଭୈରବୀ ଅଟନ୍ତି । ଦେବୀ ହେଉଛନ୍ତି ଚତୁର୍ଭୁଜା, ତ୍ରିନେତ୍ରା, ଗଳାରେ ମୁଣ୍ଡମାଳାଧାରିଣୀ ଏବଂ ଅଷ୍ଟଦଳ ପଦ୍ମ ଉପରେ ଦଣ୍ଡାୟମାନ । ସେ ଉପର ଦୁଇଟି ହସ୍ତରେ ନାଗକନ୍ୟା,ଜପାମାଳୀ ଓ ଦେବକନ୍ୟା ଧାରଣ କରିଛନ୍ତି ଓ ନିମ୍ନ ହସ୍ତ ଦୁଇଟିରେ ଅଭୟ ମୁଦ୍ରା, ସୁଧାଭାଣ୍ଡ ଧାଋଣ କରିଛନ୍ତି । ଦେବୀଙ୍କ ଦୁଇ ପାର୍ଶ୍ୱରେ ଦୁଇଜଣ ଚଣ୍ଡୀ ଛାୟା ଦେବୀ ଓ ମାୟା ଦେବୀ। ତେବେ ବର୍ଷର ସମସ୍ତ ସମୟରେ ଦେବୀ ପରମବୈଷ୍ଣବୀ ଭାବେ ପୂଜା ପାଉଥିଲାବେଳେ ଶରତକାଳିନ ଦୁର୍ଗାପୂଜା ବେଳେ ମାଆ କୌଳାଚାର ତନ୍ତ୍ର ଅନୁସାରେ କୌଳଭୈରବୀ ରୂପେ ପୂଜିତା ହୋଇଥାନ୍ତି। ଦେବୀଙ୍କ ସମସ୍ତ ଉତ୍ସବ ମଧ୍ୟରେ ଶାରଦୀୟ ଷୋଡଶ ଦିନାତ୍ମକ ରହସ୍ୟ ଦୁର୍ଗା ପୂଜା ଏବଂ ଶାକ୍ତ ଗୁଣ୍ଡିଚା ପ୍ରସିଦ୍ଧ। ଏହି ସମୟରେ ସପ୍ତମୀ, ଅଷ୍ଟମୀ, ନବମୀ ଅର୍ଦ୍ଧରାତ୍ରୀ ସମୟରେ ମହାନିଶା ପୂଜା ଅନୁଷ୍ଠିତ ହୋଇଥାଏ । ଏହିନୀତି ଅର୍ଦ୍ଧରାତ୍ରରେ ପହୁଡ଼ ପଡ଼ିଲାପରେ ହୋଇଥାଏ।

ବିମଳା ମନ୍ଦିରରେ ଷୋହଳ ପୂଜା ସମୟରେ ମହିଳାମାନେ ବିମଳାଦେବୀଙ୍କ ମନ୍ଦିରରେ ପ୍ରବେଶ କରନ୍ତି ନାହିଁ । ଷୋଳପୂଜାର ପ୍ରଥମ ଓ ଶେଷ ଚାରିଦିନ ଛାଡ଼ି ପ୍ରତ୍ୟେକ ଦିନ ବିମଳାଙ୍କୁ ବିଭିନ୍ନ ବେଶ କରାଯାଇଥାଏ। ଷୋଳପୂଜାର ଦ୍ୱିତୀୟ ଦିନଠାରୁ ୧୨ଦିନ ପର୍ଯ୍ୟନ୍ତ ଯଥାକ୍ରମେ ଭୁବନେଶ୍ୱରୀ, ବନଦୁର୍ଗା, ରାଜରାଜେଶ୍ୱରୀ, ଉଗ୍ରତାରା, ମାତଙ୍ଗୀ, ବଗଳା, ନାରାୟଣୀ, ସିଂହବାହିନୀ, ଶୂଳଦୁର୍ଗା ଓ ହରଚଣ୍ଡୀ ବେଶ କରାଯାଏ । ଯାହାକୁ ଦର୍ଶନ କରି ଭକ୍ତ ମଧ୍ୟ ବିଭୋର ହୋଇଥିବା ମତ ରଖିଛନ୍ତି।

ଶ୍ରୀମନ୍ଦିର ବାହାରେ ମାଆ ବିମଳାଙ୍କ ପ୍ରତିନିଧି ରୂପେ ମାଆ କାକୁଡିଖାଇ ପୂଜା ପାଉଥିବା ବେଳେ କାକୁଡିଖାଇଙ୍କୁ ମହିଳା ମାନେ ଏହି ସମୟରେ ଦର୍ଶନ କରି ମାଆ ବିମଳାଙ୍କ ଆଶିଷ ଲାଭ କରିଥାନ୍ତି ।

 

ପାର୍ବଣ ଆରମ୍ଭରୁ ରାଜଧାନୀରେ ଟ୍ରାଫିକ ଟେନସନ୍

ଭୁବନେଶ୍ୱର : ପାର୍ବଣ ଆରମ୍ଭରୁ ରାଜଧାନୀରେ ଟ୍ରାଫିକ ଜାମ୍ । ପ୍ରବଳ ଭିଡ଼ରେ ଫସି ରହୁଛି ଆମ୍ବୁଲାନ୍ସ । ବାମ ପାର୍ଶ୍ୱକୁ ମାଡ଼ି ରହୁଛନ୍ତି ଅମାନିଆ ଡ୍ରାଇଭର । ରାସ୍ତାରେ ମିଶିଗଲାଣି ଆମ୍ବୁଲାନ୍ସ କରିଡର । ପାର୍ବଣ ଆରମ୍ଭରୁ ରାଜଧାନୀ ଭୁବନେଶ୍ୱରରେ ମୁଣ୍ଡ ଟେକିଲାଣି ଟ୍ରାଫିକ ସମସ୍ୟା। ମୁଖ୍ୟ ରାସ୍ତା , ପ୍ରମୁଖ ଛକ ସମେତ ଜାତୀୟ ରାଜପଥରେ ଗାଡି ଗୁଡିକର ଲମ୍ବା ଲାଇନ୍ । ଫଳରେ ହନ୍ତସନ୍ତ ହେଉଛନ୍ତି ରାଜଧାନୀ ବାସିନ୍ଦା । ସବୁଠାରୁ ଅଧିକ ଚିନ୍ତାର କାରଣ ପାଲଟିଛି ଭିଡ଼ ଭିତରେ ଘଣ୍ଟା ଘଣ୍ଟା ଧରି ଫସିରହୁଛି ଆମ୍ବୁଲାନ୍ସ । ମୁଖ୍ୟତଃ ଭୁବନେଶ୍ୱରରୁ ଗୁରୁତର ରୋଗୀ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥାଏ। ତେବେ ଭୁବନେଶ୍ୱରରୁ କଟକ ବଡ଼ ମେଡିକାଲରେ ରୋଗୀଙ୍କୁ ପହଞ୍ଚାଇବାକୁ ଡ଼୍ରାଇଭର ମାନଙ୍କୁ ମୁଖ୍ୟତଃ ୩୦ ମିନିଟରୁ ୪୫ମିନିଟ୍ ସମୟ ଲାଗିଥାଏ । କିନ୍ତୁ ପାର୍ବଣ ଆରମ୍ଭରୁ ଦେଖା ଦେଇଥିବା ଟ୍ରାଫିକ ଭିଡ଼ ପାଇଁ ଆମ୍ବୁଲାନ୍ସ ଗୁଡିକୁ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଲାଗୁଛି । ଏପରିକି ପ୍ରବଳ ଭିଡ଼ ସତ୍ତ୍ୱେ ମଧ୍ୟ କିଛି ଅମାନିଆ ଗାଡ଼ି ଚାଳକ ଆମ୍ବୁଲାନ୍ସକୁ ସାଇଡ ଦେଉନଥିବା କହିଛନ୍ତି ଆମ୍ବୁଲାନ୍ସ ଡ଼୍ରାଇଭର । ଫଳରେ କିଛି ସମୟରେ ଆମ୍ବୁଲାନ୍ସ ଚାଳକ ବାଧ୍ୟ ହୋଇ ରଙ୍ଗ ରୁଟରେ ଯାଉଛନ୍ତି।

ଭିଡ଼ ଭିତରୁ ସହଜରେ ଆମ୍ବୁଲାନ୍ସ ଗୁଡ଼ିକ ବାହାରିବା ପାଇଁ ପ୍ରମୁଖ ଛକ ମାନଙ୍କରେ ହୋଇଥିବା ଆମ୍ବୁଲାନ୍ସ କରିଡ଼ରକୁ ରାସ୍ତାରେ ମିଶାଇ ସାରିଛନ୍ତି ଅମାନିଆ ଡ୍ରାଇଭର। ଫାୟାର ଷ୍ଟେସନ, ସିଆରପିଏଫ୍ ଛକ, ନୟାପଲ୍ଲୀ, ଜୟଦେବ ବିହାର, ଏଜି ଛକ ଭଳି ଅଧିକ ଭିଡ଼ ରହୁଥିବା ଛକ ମାନଙ୍କରେ ରାସ୍ତାରେ ଆଉ ଆମ୍ବୁଲାନ୍ସ କରିଡର୍ ଦିଶୁନି । କେଉଁଠି କେବଳ ନଟ ବଲ୍ଟୁ ରହି ଯାଇଛି ତ ଆଉ କେଉଁଠାରେ ପ୍ଲାଷ୍ଟିକ ବୋଲାର୍ଡ୍ ରାସ୍ତାରେ ମିଶି ଯାଇଛି । ତେବେ ଦଶହରା ସମୟରେ ଅମାନିଆ ଡ୍ରାଇଭର ମାନଙ୍କ ଉପରେ ନଜର ରଖିବାକୁ ୭୩ ପୋଲିସ ଅଫିସରଙ୍କ ସହ ୧୫ ପ୍ଲାଟୁନ୍ ପୁଲିସ୍ ମୁତୟନ କରିବାକୁ କହିଛନ୍ତି ଟ୍ରାଫିକ ଏସିପି ଉମାକାନ୍ତ ପ୍ରଧାନ।

କେବଳ ପାର୍ବଣ ସମୟ ନୁହେଁ , ଟ୍ରାଫିକ  ଅମାନିଆଙ୍କ ପାଇଁ ବାରମ୍ବାର ଦଣ୍ଡ ବିଧାନ ଆସୁଥିଲେ ମଧ୍ୟ ବର୍ଷର ଅନ୍ୟ ସମୟ ମାନଙ୍କରେ ଏଭଳି ସମସ୍ୟା ଦେଖିବାକୁ ମିଳେ। ଯାହା ଗୁରୁତର ରୋଗୀ ମାନଙ୍କ ଜୀବନ ବଞ୍ଚାଇବା କ୍ଷେତ୍ରରେ ବଡ଼ କାରଣ ସାଜୁଛି ।

କ’ଣ ପାଇଁ ହୋଇଥାଏ ସନ୍ତ କର୍କଟ? ଜାଣନ୍ତୁ ଏହାର କାରଣ ଓ ନିରାକରଣ

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ସମଗ୍ର ବିଶ୍ବରେ ମହିଳାମାନଙ୍କଠାରେ ସନ୍ତ କର୍କଟ ଭଳି ସମସ୍ୟା ଦେଖାଦେଉଛି । ଏହା ଏକ ଗୁରୁତର ରୋଗ ଅଟେ । ଯଦିଓ ବର୍ତ୍ତମାନ ସମୟରେ ଚିକିତ୍ସା କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଛି, ତଥାପି ସାଧାରଣ ଲୋକଙ୍କଠାରେ କର୍କଟ ରୋଗର ଭୟ ଦେଖାଯାଉଛି । ଶରୀରର ଯେକୌଣସି ଅଙ୍ଗରେ କର୍କଟ ସୃଷ୍ଟି ହୋଇପାରେ, କିନ୍ତୁ ସ୍ତନ କର୍କଟକୁ ସବୁଠାରୁ ବିପଦଜନକ ବୋଲି ଧରାଯାଏ ।

ସନ୍ତ କର୍କଟର ଲକ୍ଷଣ…

ଏହାର ଲକ୍ଷଣ ଆରମ୍ଭରୁ ଦେଖା ଦେଇନଥାଏ । ଇଣ୍ଡିଆନ୍ କ୍ୟାନସର ସୋସାଇଟି ଅନୁଯାୟୀ, ସ୍ତନ କର୍କଟ ରୋଗର ଲକ୍ଷଣ ବିଭିନ୍ନ ମହିଳାଙ୍କଠାରେ ଭିନ୍ନ ଭିନ୍ନ ହୋଇଥାଏ ।

 

  • ସନ୍ତ କିମ୍ବା ବାହୁ ତଳେ ଗଣ୍ତି
  • ସନ୍ତରେ ଯନ୍ତ୍ରଣା ହେବା କିମ୍ବା ଫୁଲିବା
  • ସନ୍ତ ଟାଣ ହୋଇଯିବା
  • ସନ୍ତ ଉପରେ କୁଣ୍ତେଇ ହେବା
  • ସନ୍ତରୁ ରକ୍ତ କିମ୍ବା ତରଳ ପଦାର୍ଥ ବାହାରିବା

ସ୍ତନ କର୍କଟ କାରଣ…

ଶାରୀରିକ ଅସୁସ୍ଥତା ଓ ଅନିୟମିତ ଜୀବନଶୈଳୀ ବ୍ୟତୀତ ଅନେକ ଥର ଜେନେଟିକ୍ କାରଣ ମଧ୍ୟ ସ୍ତନ କର୍କଟ ପାଇଁ ଦାୟୀ ହୋଇଥାଏ । ଅବଶ୍ୟ, କେବଳ ୫-୧୦% ସ୍ତନ କର୍କଟ ରୋଗ ଜେନେଟିକ କାରଣରୁ ହୋଇଥାଏ ।

 

  • ହରମନ୍ ଅସନ୍ତୁଳନ
  • ଅନିୟମିତ ଜୀବନଶୈଳୀ
  • ସନ୍ତ କୋଷଗୁଡ଼ିକର ଅସ୍ବାଭାବିକ ଭାବେ ବୃଦ୍ଧି
  • ମେଦବହୁଳତା ବା ମୋଟାପଣ
  • ଅସନ୍ତୁଳନ ଖାଦ୍ୟ
  • ବ୍ୟାୟାମ ନକରିବା
  • ଅଧିକ ବୟସରେ ଗର୍ଭଧାରଣ କରିବା ବା ଶିଶୁ ଜନ୍ମ ଦେବା
  • ଗର୍ଭନିରୋଧକ ଔଷଧ ସେବନ
  • ମଦ୍ୟପାନ ଓ ଧୂମପାନ ଅଭ୍ୟାସ

ଅସ୍ତ୍ରୋପଚାର: କର୍କଟ ପ୍ରଭାବିତ ଅଂଶ ବା ସମ୍ପୂର୍ଣ୍ଣ ସ୍ତନକୁ ଅପରେସନ କରି ବାହାର କରାଯାଏ। ଏହାକୁ ଲମ୍ପେକ୍ଟୋମି କିମ୍ବା ମାଷ୍ଟେକ୍ଟୋମି କୁହାଯାଏ ।

ହରମୋନ ଥେରାପି: କେତେକ ସ୍ତନ କର୍କଟ ଶରୀରର ହରମୋନ ଯୋଗୁଁ ବଢିଥାଏ । ଏହି ଥେରାପି ଦ୍ବାରା ସେହି ହରମୋନକୁ ବ୍ଲକ୍ କରାଯାଏ ।

ରେଡିଏସନ୍ ଥେରାପି: ଏଥିରେ ଉଚ୍ଚ ଶକ୍ତି ସମ୍ପନ୍ନ ରଶ୍ମି (X-rays) ପ୍ରୟୋଗ କରି ବାକି ରହିଯାଇଥିବା କ୍ୟାନ୍ସର କୋଷଗୁଡ଼ିକୁ ମାରିଦିଆଯାଏ  ।

କେମୋଥେରାପି: ଶକ୍ତିଶାଳୀ ଔଷଧ ସାହାଯ୍ୟରେ କର୍କଟ କୋଷଗୁଡ଼ିକୁ ନଷ୍ଟ କରାଯାଏ କିମ୍ବା ସେମାନଙ୍କର ବୃଦ୍ଧିକୁ ରୋକାଯାଏ । ସଠିକ୍ ଚିକିତ୍ସା ପାଇଁ ଜଣେ କ୍ୟାନ୍ସର ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଜରୁରୀ ।

ଦଶହରାରେ ପାଲଟିବ ଆକର୍ଷଣର କେନ୍ଦ୍ରବିନ୍ଦୁ ବଳଦ ଯାତ୍ରା

ଭୁବନ  : ଐତିହାସିକ ବଳଦ ଯାତ୍ରାରେ କମ୍ପିବ ଭୁବନ ସହର । ଦଶହରାରେ ପାଲଟିବ ଆକର୍ଷଣର କେନ୍ଦ୍ରବିନ୍ଦୁ । ବିଜୟା ଦଶମୀ ଏବଂ ଏକାଦଶୀ ଦୁଇ ଦିନ ଧରି ରାତ୍ର ସମୟରେ ଅନୁଷ୍ଠିତ ହୋଇଥାଏ ଏହି ଯାତ୍ରା । ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ବଳଦିଆ କମିଟି ପକ୍ଷରୁ ବଳଦିଆଙ୍କୁ ଗୁଆ ନଡ଼ିଆ ଦେଇ ବଳଦ ବରଣୀ କରାଯାଇଛି । ରୀତିନୀତି ଅନୁଯାୟୀ ଶୁଭ ଖୁଣ୍ଟି ସ୍ଥାପନ ସରିଛି । ବିଭିନ୍ନ ବଳଦ କମିଟି ପକ୍ଷରୁ ଭଳିକି ଭଳିକି ମେଢ ପ୍ରସ୍ତୁତି ଜାରି ରହିଥିବା ବେଳେ ମାଆଙ୍କ ମୂର୍ତ୍ତି କାମ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି ।…

ତେବେ ବଳଦ ଯାତ୍ରା ପାଇଁ ଆଉ ମିଳୁ ନାହାଁନ୍ତି ବଳଦ । ଚାଷୀମାନେ ଟ୍ରାକ୍ଟର ସାହାଯ୍ୟରେ ଚାଷ କାମ କରୁଥିବାରୁ ବଳଦ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଫଳରେ ବଳଦ ଯାତ୍ରା ପାଇଁ ବଳଦିଆ କମିଟି ଗାଁ କୁ ଗାଁ ବୁଲି ବଳଦ ଆଣୁଛନ୍ତି । ନୂଆ ବଳଦ ହୋଇଥିବାରୁ ସେମାନଙ୍କୁ ଦୁଇ ମାସ ପୂର୍ବରୁ ସଜାଇ ଅଭ୍ୟାସ କରାଯାଉଛି । …

ବଳଦ ଯାତ୍ରା ପାଇଁ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପାନୀୟ ଜଳ, ପରିମଳ, ଆଲୋକୀକରଣ ଆଦିର ବ୍ୟବସ୍ଥା କରାଯାଇଛି । ଡିଜେକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।…

ମୟୂରଭଞ୍ଜ ଜିଲ୍ଲାରେ ଖାଲି ପଡ଼ିଛି ଗୁରୁତ୍ଵପୂର୍ଣ୍ଣ ପଦବୀ

ମୟୂରଭଞ୍ଜ  : ଶୁକୃଳି ବ୍ଲକରେ ଅଧିକାରୀ ସଙ୍କଟ । ୩ ମାସ ହେଲା ଛୁଟିରେ ଅଛନ୍ତି ବିଡିଓ । ଖାଲି ପଡ଼ିଛି ବିଇଓ, ଯୋଗାଣ ଅଧିକାରୀ, ସିଡିପିଓ ପରି ପଦବୀ । ବିକାଶମୂଳକ କାର୍ଯ୍ୟ ଠପ । ନିଘୋଡ଼ ନିଦରେ ସରକାର।… ମୟୂରଭଞ୍ଜ ଜିଲ୍ଲା ଯଶିପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶୁକୃଳି ବ୍ଲକରେ ଖାଲି ପଡ଼ିଛି ଗୁରୁତ୍ଵପୂର୍ଣ୍ଣ ପଦ ପଦବୀ । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ପ୍ରାୟ ୩ ମାସ ହେବ ଛୁଟିରେ ଅଛନ୍ତି ବିଡିଓ । ଯଶୀପୁର ବିଡିଓଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଥିଲେ ସୁଦ୍ଧା ସେ ସପ୍ତାହକୁ ଦିନେ କିମ୍ବା ଦୁଇ ଦିନ ଆସୁଛନ୍ତି । ସେହିପରି ଶକୃଳି ବ୍ଲକରେ ୨ ବର୍ଷ ହେଲା ବିଇଓ ପଦବୀ ଖାଲି ପଡ଼ିଛି । ଖାଲି ସେତିକି ନୁହେଁ ଯୋଗାଣ ଅଧିକାରୀ କି ସିଡିପିଓ ବି ନାହାନ୍ତି । ଫଳରେ ବିଭିନ୍ନ କାମ ପାଇଁ ବ୍ଲକକୁ ଆସୁଥିବା ଲୋକେ ହଇରାଣ ହେଉଛନ୍ତି ।…

ଯଶିପୁର ଖୋଦ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ନିର୍ବାଚନମଣ୍ଡଳୀ ହୋଇଥିବା ବେଳେ ଶୁକୃଳି ବ୍ଲକରେ ଖାଲି ପଡ଼ିଛି ଅନେକ ପଦ । ସ୍ଥାନୀୟ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଠପ ହୋଇପଡ଼ିଛି । ଫଳରେ ଜନ ସାଧାରଣ କି ଜନ ପ୍ରତିନିଧି କେହି ବି ଖୁସି ନାହାଁନ୍ତି  l ଅନ୍ୟପଟେ ଖାଲି ଥିବା ପଦବୀ ଖୁବଶୀଘ୍ର ପୂରଣ ହେବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।…

ମୃତ୍ୟୁ ପୂର୍ବରୁ କମ୍ପାନୀକୁ ଇଞ୍ଜିନିୟରଙ୍କ ଶେଷ ଇମେଲ, କହିଲେ “ମୋ ସ୍ତ୍ରୀ ମୋ ବିନା….

ମୃତ୍ୟୁ ପୂର୍ବରୁ କମ୍ପାନୀକୁ ଇଞ୍ଜିନିୟରଙ୍କ ଶେଷ ଇମେଲ, କହିଲେ “ମୋ ସ୍ତ୍ରୀ ମୋ ବିନା….

ନନ୍ଦିଘୋଷ ବ୍ୟୁରୋ: ପ୍ରଥମେ କମ୍ପାନୀକୁ ଇମେଲ ପଠାଇଲେ ପରେ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲେ । ଶେଷରେ ଫାଶି ଲଗାଇ ଝୁଲି ପଡ଼ିଲେ ୩୦ ବର୍ଷୀୟ ଯୁବ ଇଞ୍ଜିନିୟର ମହମ୍ମଦ ଅସଲମ । ଗୁରୁଗ୍ରାମ ସେକ୍ଟର ୬୮ ମରିନା ସୋସାଇଟିରେ ଘଟିଛି ଏଭଳି ଏକ ଛାତିଥରା ଘଟଣା ।

ସୂଚନା ଅନୁଯାୟୀ, ସେକ୍ଟର ୬୮ ମରିନା ସୋସାଇଟିରେ କେରଳ ବାସିନ୍ଦା ମହମ୍ମଦ ଅସଲମ ନିଜ ସ୍ତ୍ରୀ ୨୮ ବର୍ଷୀୟା ଫରହାନାଙ୍କ ସହ ରହୁଥିଲେ । ସେ ସେକ୍ଟର ୫୫ ସ୍ଥିତ ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥିଲେ। ପୂର୍ବରୁ ସେ ବାଙ୍ଗାଲୋରରେ ରହୁଥିଲେ। ମଙ୍ଗଳବାର ଦିନ ତାଙ୍କ ସ୍ତ୍ରୀ ଘରେ ଥିବା ବେଳେ ଅସଲମ ଅଫିସ ଯାଇଥିଲେ। ବୁଧବାର ସକାଳେ ଅସଲମ ଇମେଲ୍ ମାଧ୍ୟମରେ ଅଫିସ ନ ଯିବା ଲାଗି କମ୍ପାନୀକୁ ଜଣାଇଥିଲେ। ସେହି ଦିନ ଅସଲମ ତିନି ଥର ଇମେଲ୍ ଓ ପରେ ଫୋନ୍ ମାଧ୍ୟମରେ କମ୍ପାନୀ ସହ କଥା ହୋଇଥିଲେ। ଗୁରୁବାର ସକାଳେ, ଅସଲମ କମ୍ପାନୀକୁ ଆଉ ଏକ ଇମେଲ୍ ପଠାଇଥିଲେ। ସେଥିରେ ସେ ତାଙ୍କ ବାପା, ଘର ମାଲିକଙ୍କ ସମେତ ଚାରୋଟି ମୋବାଇଲ୍ ନମ୍ବର ଲେଖିଥିଲେ ଓ ସେମାନଙ୍କୁ ତାଙ୍କ ମୃତ୍ୟୁ ବିଷୟରେ ଜଣାଇବାକୁ କହିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲା । ଫ୍ଲାଟ୍ ଭିତରେ ଫରହାନା ମୃତ ଅବସ୍ଥାରେ ପଡ଼ି ରହିଥିବା ବେଳେ ଝୁଲନ୍ତା ଅବସ୍ଥାରେ ଥିଲା ଅସଲମଙ୍କ ମୃତଦେହ।

କୁହାଯାଉଛି ଯେ, ଅସଲମ କିଛି ଦିନ ଧରି ଡିପ୍ରେସନ୍ ରେ ରହିବା ସହ ମେଡ଼ିସିନ ଖାଉଥିଲେ। ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରିଛି, ଏଥିରେ ଅଧା ଇଂରାଜୀ ଓ ଅଧା ମାଲାୟଲମ ଭାଷାରେ ଲେଖାଯାଇଛି । ପୋଲିସର କହିବା ଅନୁଯାୟୀ, ଅସଲମ ନୋଟରେ ଲେଖିଛନ୍ତି, ” ଆମେ ଦୁନିଆ ଛାଡୁଛୁ, ମୋ ସ୍ତ୍ରୀ ମୋ ବିନା ରହିପାରିବେ ନାହିଁ, ତେଣୁ ମୁଁ ତାଙ୍କୁ ମଧ୍ୟ ମୋ ସହ ନେଇ ଯାଉଛି।” ତେବେ ଏନେଇ ପୋଲିସ ମୃତକଙ୍କ ପରିବାରକୁ ସୂଚନା ଦେବା ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ତେବେ ମୁତ୍ୟୁ ପଛର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ଏନେଇ ତଦନ୍ତ କରୁଛି ।

 

ନଭେମ୍ବରରେ ପଡ଼ିବ କାବ୍ୟା ଓ ଅନିରୁଦ୍ଧଙ୍କ ହାତଗଣ୍ଠି

ନଭେମ୍ବରରେ ପଡ଼ିବ କାବ୍ୟା ଓ ଅନିରୁଦ୍ଧଙ୍କ ହାତଗଣ୍ଠି

ନନ୍ଦିଘୋଷ ବ୍ୟୁରୋ: ବୋହୂ ସାଜିବେ ସନ ରାଇଜର୍ସ ହାଇଦ୍ରାବାଦର ୱନର କାବ୍ୟା ମାରନ । ବୟଫ୍ରେଣ୍ତ ତଥା ସାଉଥ ଇଣ୍ତଷ୍ଟ୍ରି ମ୍ୟୁଜିକ୍ କମ୍ପୋଜର ଅନିରୁଦ୍ଧ ରବିଚନ୍ଦ୍ରଙ୍କ ସହ ପଡ଼ିବ ହାତଗଣ୍ଠି। ସାତ ଜନ୍ମର ସାଥି ହେବେ ଏହି ଲଭ ବାର୍ଡ଼ । ଦୀର୍ଘ ଦିନ ଧରି ଡ଼େଟିଂକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ କାବ୍ୟା ଓ ଅନିରୁଦ୍ଧ ।

ନଭେମ୍ବର ୧୧ରେ ହେବାକୁ ଥିବା ଏହି ବିବାହ ଭାରତ ନୁହେଁ ବଂର ଗ୍ରୀସ୍ ରେ ହେବ। ବିବାହରେ ସମୟରେ କେବଳ ସେମାନଙ୍କ ପରିବାର ଲୋକେ ଉପସ୍ଥିତ ରହିବେ। ଏନେଇ ପ୍ରସ୍ତୁତି ଧୁମ୍ ଧାମ୍ ରେ ଚାଲିଛି। ନିକଟରେ କାବ୍ୟାଙ୍କ ପିତା, ମାତା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଭେଟି ନଭେମ୍ବର ୨୧ରେ ଚେନ୍ନାଇଠାରେ ହେବାକୁ ଥିବା କାବ୍ୟା-ଅନିରୁଦ୍ଧଙ୍କ ରିସେପସନ୍ ପାର୍ଟିଙ୍କୁ ନିମନ୍ତ୍ରଣ କରିଛନ୍ତି । ଏନେଇ ତେଲଙ୍ଗାନା ସିଏମଓ ଏକ୍ସରେ ସୂଚନା ଦିଆଯାଇଛି । ସେପଟେ ମାରନ ପରିବାର ଅନିରୁଦ୍ଧଙ୍କ ବାପାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟି ରିସେପସନ୍ ପାର୍ଟିକୁ ନିମନ୍ତ୍ରଣ କରିଛନ୍ତି। ମାkavyaରନ ଦମ୍ପତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ବିଜୟଙ୍କୁ ଭେଟିବା ସମୟରେ ଅନିରୁଦ୍ଧ ମଧ୍ୟ ସେଠାରେ  ଉପସ୍ଥିତ ରହିଥିଲେ। ଏହି ରିସେପସନ୍ ପାର୍ଟିରେ ବହୁ ପ୍ରମୁଖ ରାଜନେତାଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି ।

 

 

ଭୟଙ୍କର ଦୁର୍ଘଟଣା: ରାସ୍ତା କଡକୁ ଓଲଟିଲା ବସ୍ !

ନନ୍ଦିଘୋଷ ବ୍ୟୁରୋ:  ରାଜସ୍ଥାନର କୋଟାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସିଲା ଯାତ୍ରୀବାହୀ ବସ । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ, ୧୫ରୁ ଅଧିକ ଆହତ । ସମସ୍ତଙ୍କ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାର ତାଙ୍କର ଚିକିତ୍ସା ଚାଲିଛି ।  ମଧ୍ୟପ୍ରଦେଶରୁ ଯାତ୍ରୀମାନଙ୍କୁ ନେଇ ଜୟପୁର ଯାଉଥିବା ଏକ ଯାତ୍ରୀବାହୀ ବସ୍ ସିମାଲିଆ ପୋଲିସ ଷ୍ଟେସନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ନିୟନ୍ତ୍ରଣ ହରାଇ ଗାଡିଟି ଡିଭାଇଡର ଭାଙ୍ଗି ୨୦ ଫୁଟ ତଳକୁ ଏକ ଷ୍ଟର୍ମ ଡ୍ରେନ୍ ଭିତରକୁ ଖସିପଡ଼ିଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।କରାଡିଆ ଟୋଲ୍ ପ୍ଲାଜା ପାର ହେବା ପରେ ସୁଲତାନପୁର ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା ।

ପ୍ରାଥମିକ ସୂଚନା ଅନୁଯାୟୀ, ଯାତ୍ରା ସମୟରେ ନିଦ ଲାଗିବା ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଦ୍ରୁତ ଗତି ଯୋଗୁଁ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଲେ ଏବଂ ଯାତ୍ରୀ ସିଧାସଳଖ ଏକ କଲଭର୍ଟରେ ଖସିପଡ଼ିଲେ । ଧକ୍କା ଏତେ ଜୋରରେ ଥିଲା ଯେ ଗାଡ଼ିର ଆଗ ଭାଗ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା  । ସକାଳ ପ୍ରାୟ ୬ଟା ସମୟରେ ଘଟିଥିଲା ଏହି ଦୁର୍ଘଟଣା । ଘଟଣା ସମ୍ପର୍କରେ ସୁଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ଯାଇଥିଲେ । କିନ୍ତୁ ଡ୍ରେନରେ ମାଟି ଏବଂ ପାଣି ଭରି ରହିଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା । କ୍ଷତିଗ୍ରସ୍ତ ବସ୍ କୁ ବାହାର କରିବାକୁ ଏବଂ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାକୁ କ୍ରେନ୍ ର ବ୍ୟବହାର କରାଯାଇଥିଲା ।  ବସ୍ ରେ ମୋଟ୍ ୨୭ ଜଣ ଯାତ୍ରୀ ରହିଥିବା କୁହାଯାଉଛି ।