spot_img
Home Blog Page 3446

ଲଗାଣ ବର୍ଷାରେ ବେହାଲ ତାମିଲନାଡୁ, ଝଡ଼ ବାତ୍ୟା ଆଶଙ୍କା

ଚେନ୍ନାଇ: ବର୍ଷାରେ ବେହାଲ ତାମିଲନାଡ଼ୁ ଅନ୍ତର୍ଗତ ନାଗପଟ୍ଟିନମ୍ । ଗତକାଲିଠାରୁ ବିଭିନ୍ନ ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ହେବା ଯୋଗୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି । ଅନ୍ୟପଟେ ତିରୁଭାରୁର ଜିଲ୍ଲାରେ ବି ବର୍ଷାର ପ୍ରକୋପ ଦେଖାଦେଇଛି । ବର୍ଷା କାରଣରୁ ନାଗପଟ୍ଟିନମ ଓ ତିରୁଭାରୁରରେ ଛୁଟି ଘୋଷଣା କରାଯାଇଛି । ଝଡ଼ ବାତ୍ୟା ଆଶଙ୍କା କରିଛି ପାଣିପାଗ ବିଭାଗ । ରାମେଶ୍ବରମ ପମ୍ପନ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

ତାମିଲନାଡ଼ୁର କାରାଇକାଲଠାରୁ ୪୦୦ କିଲୋମିଟର ଦୂର ତଥା ଶ୍ରୀଲଙ୍କା ଉପକୂଳରୁ ୮୦ କିଲୋମିଟର ଦୂରରେ ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ କ୍ରମାଗତ ବର୍ଷା ଲାଗି ରହିଛି । ଲଘୁଚାପ ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଅନ୍ୟାନ୍ୟ ସ୍ଥାନରେ ବର୍ଷା ପ୍ରକୋପ ଦେଖାଦେଇଛି । ଆଜି ଏବଂ ଆସନ୍ତାକାଲି ବର୍ଷାର ପ୍ରକୋପ ବଢ଼ିବା ଆଶଙ୍କା ରହିଛି । ସମୁଦ୍ର ମଧ୍ୟକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ କରାଯାଇଛି ସତର୍କ ।

ଆସନ୍ତା ୪ ଦିନ ଥଣ୍ଡାରେ ଥରିବ ଆଭ୍ୟନ୍ତରୀଣ ଓଡ଼ିଶା

ଭୁବନେଶ୍ୱର: ଫେରିବ ଶୀତ । ଥଣ୍ଡାରେ ଥରିବ ଆଭ୍ୟନ୍ତରୀଣ ଓଡ଼ିଶା । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଶୀତ ଲହରୀ ଅନୁଭତ ହେବ । ରାତିର ତାପମାତ୍ରା ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ । ବିଶେଷ କରି ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ ଶୀତ ଲହରୀ ପାଇଁ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟକୁ ପ୍ରବାହିତ ହେଉଥିବା ଶୁଷ୍କ ଏବଂ ଥଣ୍ଡା ବାୟୁ ପ୍ରବାହ ପାଇଁ ଶୀତ ଅନୁଭୂତ ହେବ । ଜାନୁଆରୀ ମାସରେ ଦୁଇ ଦିନ ଶୀତ ଲହରୀ ଅନୁଭୁତ ହୋଇଥିବା ବେଳେ ଫେବ୍ରୁଆରୀରେ ମଧ୍ୟ ଓଡ଼ିଶାର କିଛି ଅଞ୍ଚଳରେ ଶୀତ ଲହରୀ ଅନୁଭୁତ ହେବ । ଗତ ୨୪ ଘଣ୍ଟା ମଧ୍ୟରେ ରାଉରକେଲାରେ ସର୍ବାଧିକ ୭ ଡିଗ୍ରୀ ତାପମାତ୍ରା ଖସିଥିବା ବେଳେ ଝାରସୁଗୁଡାରେ ୮.୮ ଡିଗ୍ରୀ, ଫୁଲବାଣୀରେ ୪.୫ ଡିଗ୍ରୀ ଏବଂ ଭୁବନେଶ୍ବରରେ ୩.୭ ଡିଗ୍ରୀ କମିଛି ପାରଦ  ।

ସେପଟେ ଜାନୁଆରୀଠାରୁ ବଳିଯିବ ଫେବ୍ରୁଆରୀ ତାତି । ରେଡ୍ ଆଲର୍ଟରେ ରାଜଧାନୀ ଭୁବନେଶ୍ବର । ୪୦ ଡିଗ୍ରୀ ଅତିକ୍ରମ କରିବା ନେଇ ଆଇଏମଡି କରିଛି ଆକଳନ । ସ୍ବାଭାବିକଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ପାରଦ । ଫେବ୍ରୁଆରୀ ମାସର ଆକଳନ ଅନୁସାରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ମ୍ୟାପରେ ରେଡ ମାର୍କ ରହିଛି । ଅଧିକାଂଶ ରାଜ୍ୟରେ ଅରେଞ୍ଜ ଆଲର୍ଟ ଥିବା ଦେଖାଦେଇଛି । କିନ୍ତୁ ହିଟ୍ ଓ୍ବେଭ୍ ଆରମ୍ଭ ପୂର୍ବରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ଜୟପୁରର ବିକ୍ରମଦେବ ବିଶ୍ବବିଦ୍ୟାଳୟର ପ୍ଲାଟିନମ ଜୁବୁଲି, ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି କୋରାପୁଟ ଜିଲ୍ଲା ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟର ପ୍ଲାଟିନମ ଜୁବିଲି । ଉତ୍ସବ ପାଳନରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକ୍ରମ ଦେବ କଲେଜକୁ ମିଳିସାରିଛି ବିଶ୍ୱବିଦ୍ୟାଳୟର ମାନ୍ୟତା । ଉତ୍ସବ ପାଳନର ଗୋଟିଏ ଦିନ ପୂର୍ବରୁ କୋରାପୁଟବାସୀଙ୍କୁ ଏହି ଉପହାର ଦେଇଥିଲେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ସେଲିବ୍ରେସନ ମାହୋଲକୁ ଦ୍ବିଗୁଣିତ କରିଛି । ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀ । ୧୯୪୭ ମସିହାରେ ସ୍ଥାପିତ ବିକ୍ରମଦେବ ମହାବିଦ୍ୟାଳୟରେ ଏବେ ୧୬ଟି ବିଭାଗରେ ପିଜି, ୧୭ଟିରେ ୟୁଜି ସହ ବିବିଏ, ବିସିଏ ଓ ବିଏଡ୍ ପାଠ୍ୟକ୍ରମ ଜାରି ରହିଛି । ଏବେ ୪ହଜାର ଛାତ୍ରଛାତ୍ରୀ ଏଠାରେ ପଢୁଛନ୍ତି।

ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି । ଏବେ ନୂଆ ବିଶ୍ୱବିଦ୍ୟାଳୟ ହେବା ଦ୍ଵାରା କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ହଜାର ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ଦକ୍ଷିଣ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ସେପଟେ ଆଜି ଜିଲ୍ଲାରେ ୧୫୯୬ କୋଟି ଟଙ୍କାର ୧୨୩ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି । ଏହାଦ୍ଵାରା କୋରାପୁଟ ଜିଲ୍ଲା ବିକାଶ କ୍ଷେତ୍ରରେ ଶିଖର ଛୁଇଁବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ପଦାକୁ ଆସିଲା ଆତଙ୍କବାଦୀଙ୍କ ଭିନ୍ନ ବୀଭତ୍ସ କାରନାମା, ରକ୍ତପାତ ଲାଗି ବ୍ୟବହାର କରୁଛନ୍ତି ପରଫ୍ୟୁମ ବୋମା

ଶ୍ରୀନଗର: ପଦାକୁ ଆସିଲା ଆତଙ୍କବାଦୀଙ୍କ ଆଉ ଏକ ବୀଭତ୍ସ କାରନାମା । ରକ୍ତପାତ ଲାଗି ବ୍ୟବହାର କରୁଛନ୍ତି ପରଫ୍ୟୁମ ବୋମା । ଜାମ୍ମୁ ଓ କାଶ୍ମୀର ପୋଲିସ ପରଫ୍ୟୁମ ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ ଜବତ କରିବା ପରେ ପଦାକୁ ଆସିଛି ଭୟଙ୍କର ସତ । ଜାମ୍ମୁ ଓ କାଶ୍ମୀର ପୋଲିସ ମୁଖ୍ୟ ଦିଲବାଗ ସିଂ କହିଛନ୍ତି ଏହି ଧରଣର ବୋମା ପ୍ରଥମ ଥର ଲାଗି ଜବତ କରାଯାଇଛି । ଶିକ୍ଷକରୁ ଆତଙ୍କବାଦୀ ପାଲଟିଥିବା ଆରିଫ ଏକ ଯାତ୍ରୀବାହୀ ବସରେ ଦୁଇଟି ବିସ୍ଫୋରଣ ଘଟାଇଥିଲା । ଯାତ୍ରୀମାନେ ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବାକୁ ଯାଉଥିବାବେଳେ ଗତ ଜାନୁଆରୀ ୨୧ରେ ଏହି ବିସ୍ଫୋରଣ ଘଟିବାରୁ ଆହତ ହୋଇଥିଲେ ୯ ତୀର୍ଥଯାତ୍ରୀ । ଆରିଫର ଘର ରିଆସି ଜିଲ୍ଲାରେ । ଜାମ୍ମୁର ନରଓ୍ବାଲରେ ଏହି ବିସ୍ଫୋରଣ ଘଟିଥିଲା । ଏହି ଘଟଣାରେ ଖାନତଲାସି ପରେ ଆରିଫକୁ କାବୁ କରାଯାଇଥିଲା ।

ତଦନ୍ତ ପରେ ଜଣାପଡ଼ିଥିଲା ଜାନୁଆରୀ ୨୦ରେ ବସରେ ଦୁଇଟି ବୋମା ଖଞ୍ଜାଯାଇଥିଲା । ଯାତ୍ରାରମ୍ଭ ପରେ ପରେ ୨୦ ମିନଟ ବ୍ୟବଧାନରେ ୨ଟି ଯାକ ବୋମା ବିସ୍ଫୋରଣ ଘଟିଥିଲା । ବହୁ ଯାତ୍ରୀ ଯେପରି ପ୍ରାଣ ହରାଇବେ ସେଥିଲାଗି ଆରିଫ ଯୋଜନା କରିଥିଲା । ତାଠାରୁ ପୋଲିସ ଏକ ପରଫ୍ୟୁମ ଆଇଡି ଜବତ କରିଥିଲା । ଯଦି ଜଣେ ବ୍ୟକ୍ତି ଏହି ପରଫ୍ୟୁମକୁ ବ୍ୟବହାର କରିବା ଲାଗି ପ୍ରେସ କରନ୍ତି ତେବେ ତାହା ବିସ୍ଫୋରଣ ଘଟିଥାଏ । ଗତବର୍ଷ ବି ବୈଷ୍ଣୋଦେବୀ ଯାଉଥିବା ବସରେ ବିସ୍ଫୋରଣ ଘଟାଇ ୪ ଜଣଙ୍କ ମୃତ୍ୟୁର କାରଣ ସାଜିଥିଲା ଆରିଫ । ଆରିଫ ପାକିସ୍ତାନର ଲସ୍କର-ଏ-ତଏବା ସଂଗଠନର ନେତା କାସିମ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା କହିଛି ଡିଜିପି । ସେ ଗତବର୍ଷ ଡିସେମ୍ବର ଶେଷ ସୁଦ୍ଧା ୩ଟି ପରଫ୍ୟୁମ ଆଇଇଡି ହାସଲ କରିଥିଲା । ନରଓ୍ବାଲ ବିସ୍ଫୋରଣ ଘଟଣାରେ ସେ ୨ଟି ଶିଶି ବ୍ୟବହାର କରିଥିଲା ।

ବଦଳିଲା ଅଗ୍ନିଶମ ବିଭାଗର ନାଁ, ନୂଆ ନାଁ ହେଲା ’ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’

ଭୁବନେଶ୍ୱର: ବଦଳିଲା ’ଓଡ଼ିଶା ଅଗ୍ନିଶମ ବିଭାଗର ନାମ । ଏହାର ନାମ ବଦଳାଇ ନୂଆ ନାମ ’ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ଭାବରେ ନାମକରଣ କରାଯାଇଛି । ଏନେଇ ଆଜି ବିଧିବଦ୍ଧ ଭାବରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁସାରେ ’ଓଡ଼ିଶା ଅଗ୍ନିଶମ ସେବା’ ବିଭାଗ ଅତୀତରେ ଉଲ୍ଲେଖନୀୟ କାମ କରିଛି । ବିପର୍ଯ୍ୟୟ ସମୟରେ ଏହି ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ନିୟୋଜିତ ହୋଇଥାନ୍ତି ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।

ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲା, କ୍ରାଇମବ୍ରାଞ୍ଚକୁ ମିଳୁନି ଗୋପାଳ ମାରିଥିବା ଗୋଟିଏ ଗୁଳି

ଝାରସୁଗୁଡ଼ା: ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଜାରି କଲା ପ୍ରେସ ରିଲିଜ୍ । ନବ ଦାସଙ୍କୁ ଗୋପାଳକୃଷ୍ଣ ମାରିଥିବା ଗୋଟିଏ ଗୁଳି ଏଯାଏଁ ମିଳୁନି ବୋଲି କହିଛି କ୍ରାଇମବ୍ରାଞ୍ଚ । ଘଟଣା ଦିନ ନବ ଦାସ ବ୍ୟବହାର କରିଥିବା ଗାଡିର ଯାଞ୍ଚ ଚାଲିଛି । ଗୋପାଳକୃଷ୍ଣର ସ୍ବାସ୍ଥ୍ୟଗତ ରେକର୍ଡ ଓ ଆର୍ଥିକ କାରବାରର ଯାଞ୍ଚ ହେଉଛି । ଆଜି ବି ଗୋପାଳକୃଷ୍ଣଙ୍କ ସବୁ ନିକଟ ସମ୍ପର୍କୀୟଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ସେହିପରି ଫରେନସିକ ଲ୍ୟାବକୁ ପଠାଯାଇଛି ମୃତକଙ୍କ ଭିସେରା ରିପୋର୍ଟ । ଅଭିଯୁକ୍ତର ତଥ୍ୟ ଆଧାରରେ ଝାରସୁଗୁଡ଼ା ବିମାନ ବନ୍ଦର ପାଇଖାନା ଟାଙ୍କିରୁ କାଗଜ ଖଣ୍ଡ ଜବତ ହୋଇଛି । ହାତଲେଖା କାଗଜ ଖଣ୍ଡ ଗୁଡ଼ିକୁ ପରୀକ୍ଷା ପାଇଁ ଫରେନସିକ ଲ୍ୟାବକୁ ପଠାଯିବ ବୋଲି କହିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରୁ ନନଷ୍ଟପ୍ ପାଇଖାନା ଟାଙ୍କିକୁ ଛାଣି ଛାଣି ପୋଲିସ୍ ସଂଗ୍ରହ କରିଛି ସେହି ହାତଲେଖା କାଗଜକୁ । ଆଉ ମିଳିବା ମାତ୍ରେ ତାକୁ ଖରାରେ ଶୁଖାଇଛି । ଲାଲ୍ ସ୍ୟାହିରେ ଉଭୟ ଇଂରାଜୀ ଓ ଓଡ଼ିଆରେ କିଛି ଲେଖାଯାଇଛି ।

ସେପଟେ ଦ୍ୱିତୀୟ ଥର ପାଇଁ ନବକିଶୋରଙ୍କ ସରକାରୀ ଗାଡ଼ିକୁ ଯାଞ୍ଚ କରିଛି ତଦନ୍ତକରୀ ଟିମ୍ । ବାଲିଷ୍ଟିକ୍ ଓ ଫରେନସିକ୍ ଏକ୍ସପର୍ଟ ଟିମ୍ ତନ୍ନ ତନ୍ନ କରି ଗୁଳିବିଦ୍ଧ ଗାଡିର ଯାଞ୍ଚ କରିଛନ୍ତି । ୪ ଦିନିଆ ରିମାଣ୍ଡର ଦ୍ବିତୀୟ ଦିନରେ ଗୋପାଳକୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ । ନବ କିଶୋରଙ୍କୁ ହତ୍ୟା ପୂର୍ବରୁ ଯୋଜନା କରିଥିଲା କି ? ଏନେଇ ଆଉ କାହା ସହ ଆଲୋଚନା କରିଥିଲା ? କ’ଣ ଥିଲା ହତ୍ୟାକାଣ୍ଡର ପ୍ରକୃତ କାରଣ ? ଏଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରୁଛି କ୍ରାଇମବ୍ରାଞ୍ଚ । ଗୋପାଳକୁ କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀ ଓ ତଦନ୍ତକାରୀ ଟିମ୍ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରୁଛନ୍ତି । ଜେରା ବେଳେ ଗୋପାଳ ଦେଉଥିବା ତଥ୍ୟର ସତ୍ୟତା ପରଖିବା ସହ ପ୍ରମାଣ ସଂଗ୍ରହ କରୁଛି ତଦନ୍ତକାରୀ ଟିମ୍ । ହାତରେ ଆଉ ମାତ୍ର ଦୁଇ ଦିନ ଥିବାବେଳେ, ନବ କିଶୋର ହତ୍ୟା ଘଟଣାର ମୁଖ୍ୟ ବିନ୍ଦୁରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ଏଡିଜି ଅରୁଣ ବୋଥ୍ରା ଓ ତାଙ୍କ ଟିମ୍ । ଜେରା ପରେ ଅଭିଯୁକ୍ତ ଗୋପାଳକୁ ଗାନ୍ଧି ଛକକୁ ନେଇ ସିନ୍ ରିକ୍ରିଏସନ କରିପାରେ କ୍ରାଇମବ୍ରାଞ୍ଚ ।

ବିହାର ବେତିୟାରେ ଅଭାବନୀୟ ଘଟଣା, ଗତିଶୀଳ ଟ୍ରେନ ହୋଇଗଲା ଦୁଇ ଖଣ୍ଡ

ପାଟନା: ବିହାର ବେତିୟାରେ ଅଭାବନୀୟ ଘଟଣା । ଗତିଶୀଳ ଟ୍ରେନ ହୋଇଗଲା ଦୁଇ ଖଣ୍ଡ । ତେବେ ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । ବିହାର ମାଜୁଲିଆ ଷ୍ଟେସନ ନିକଟରେ ଦୁଇ ଖଣ୍ଡ ହୋଇଯାଇଛି, ରାକ୍ସାଉଲ-ଦିଲ୍ଲୀ ସତ୍ୟାଗ୍ରହ ଏକ୍ସପ୍ରେସ । ଟ୍ରେନଟି ରାକ୍ସାଉଲରୁ ଆନନ୍ଦ ବିହାର ଟର୍ମିନାଲ ଅଭିମୁଖେ ଯାତ୍ରା କରୁଥିବା ବେଳେ, ମାଜୁଲିଆ ଷ୍ଟେସନ ନିକଟରେ କେତେକ ବଗି ଅଲଗା ହୋଇଯାଇଥିଲା ।

ଟ୍ରେନର ଗୋଟିଏ ଭାଗ ଷ୍ଟେସନ ନିକଟରେ ରହିଯାଇଥିବା ବେଳେ, ଇଞ୍ଜିନ ସହ ଅନ୍ୟ ଭାଗଟି ପ୍ରାୟ ୧୦୦ ମିଟର ଦୂରକୁ ଚାଲି ଯାଇଥିଲା । ଏହାକୁ ନେଇ ସେଠାରେ ଆତଙ୍କ ପ୍ରକାଶ ପାଇଥିଲା । ତେବେ ଧିମାଗତି ଯୋଗୁ ବଡ଼ ଧରଣର ଦୁର୍ଘଟଣାରୁ ଟ୍ରେନଟି ବର୍ତ୍ତି ଯାଇଥିଲା । ଘଟଣାର ତଦନ୍ତ କରୁଛନ୍ତି ରେଳବାଇ ଅଧିକାରୀ ।

ନିରାଶ କରିଛି କେନ୍ଦ୍ର ବଜେଟ, ଚାଷୀ, ଗରିବ ଓ ମଧ୍ୟବିତ୍ତଙ୍କ ପେଟକୁ ଲାତ

ଭୁବନେଶ୍ୱର: କେନ୍ଦ୍ର ବଜେଟ୍‌ ଅମୃତ ନୁହେଁ, ବିଷ l ଏପରି କହି ବଜେଟ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଚାଷୀ, ଗରିବ ଓ ମଧ୍ୟବିତ୍ତଙ୍କ ପେଟକୁ କେନ୍ଦ୍ର ସରକାର ଲାତ ମାରିଛନ୍ତି l ବଜେଟ ନୈରାଶ୍ୟଜନକ ବୋଲି ସୁର ରାଉତରାୟ କହିଛନ୍ତି । ଚାଷୀଙ୍କ ପାଇଁ ବଜେଟରେ କିଛି ନାହିଁ l ଧାନ ବିକ୍ରି ମଧ୍ୟ ହୋଇପାରିବନି l କେନ୍ଦ୍ର ସରକାର ଶିଳ୍ପପତିଙ୍କ ସରକାର l ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ବଜେଟରେ ବ୍ୟୟ ବରାଦ କମିଛି l ଯାହାକୁ ଦଳ କଡ଼ା ବିରୋଧ କରୁଛି ବୋଲି ସୁର କହିଛନ୍ତି । ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ କେନ୍ଦ୍ର ଅବହେଳା କରିଛି l

ଅନ୍ୟପଟେ ସେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । 5T ସଂସ୍କାରରେ ବହୁତ କାମ ହୋଇଛି ବୋଲି ସୁର କହିଛନ୍ତି । ସେହିପରି  କେନ୍ଦ୍ର ସରକାରଙ୍କ ବଜେଟ ଗରିବ ବିରୋଧୀ ବଜେଟ୍ ବୋଲି କହିଛନ୍ତି ବିଜେଡି ବିଧାୟକ ଭୂପିନ୍ଦର ସିଂ । ମୌଳିକ ସୁବିଧା କ୍ଷେତ୍ରରେ ବଜେଟରେ କିଛି ନାହିଁ । ଚାଷୀଙ୍କୁ ହତାଶ କରିଛି କେନ୍ଦ୍ର ବଜେଟ୍ । କେନ୍ଦ୍ର ସରକାର ବୋଧେ ଚାହିଁଛନ୍ତି ଚାଷୀମାନେ ଆଉ ଧାନ ଚାଷ ନକରନ୍ତୁ l ଏଫସିଆଇ ଧାନ କିପରି ନଉଠାଇବ ସେ ବାଟ ବଜେଟରେ ଫିଟାଇ ଦେଇଛନ୍ତି । କେନ୍ଦ୍ରର ବଜେଟ୍ ଶିଳ୍ପପତିଙ୍କ ପାଇଁ ବୋଲି କହିଛନ୍ତି ଭୂପିନ୍ଦର ।

ସେହିପରି ଏଥର କେନ୍ଦ୍ର ବଜେଟ ସମ୍ପୂର୍ଣ୍ଣ ଭାବରେ କୃଷକ ବିରୋଧୀ ବୋଲି କହିଛନ୍ତି ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘର ନେତା ସଚିନ ମହାପାତ୍ର । କୃଷି ଉତ୍ପାଦ ସଂଗ୍ରହ ପାଇଁ ବ୍ୟୟବରାଦ ୮୦ ହଜାର କୋଟିରୁ ୨୫ ପ୍ରତିଶତ କମାଇ ୬୦ ହଜାର କୋଟି କରାଯାଇଛି । ଏହାର ଅର୍ଥ ଏମଏସପିରେ ଚାଷୀ ବିକିବା ଆହୁରି କଷ୍ଟ ହେଇଯିବ । ବଜେଟରେ କୃଷି ଯନ୍ତ୍ରପାତି ଉପରେ ରିହାତି ବା ଜିଏସଟି କମ୍ କରିବାର କୌଣସି ବ୍ୟବସ୍ଥା ନାହିଁ । ଏହି ବିଜେଟ କୃଷକଙ୍କ ପାଇଁ ଭଲ ନୁହେଁ ବୋଲି ସଚିନ କହିଛନ୍ତି ।

ଚିନ୍ତା ବଢ଼ାଇଛି ହୃଦଘାତଜନିତ ମୃତ୍ୟୁ, ୮୦ ପ୍ରତିଶତ ଲୋକଙ୍କର ବାହାରେ ହାର୍ଟ ଆଟାକରେ ଯାଉଛି ଜୀବନ

ଭୁବନେଶ୍ୱର: ଦେଶରେ ଉଦବେଗ ବଢ଼ାଇଛି ହୃଦଘାତ ଜନିତ ମୃତ୍ୟୁ । ହୃଦଘାତରେ ମୃତ୍ୟୁ ହୋଉଥିବା ଲୋକଙ୍କ ମଧ୍ୟରୁ ବାହାରେ ୮୦ ପ୍ରତିଶତଙ୍କ ଜୀବନ ଚାଲିଯାଉଛି । ତେଣୁ ଏବେ ସମସ୍ତେ ଜଣେ ଜଣେ ଲାଇଫ୍ ସେଭର ହେବାର ସମୟ ଆସିଛି । ସେଥିପାଇଁ ଆଜି ସତ୍ୟସାଇ ସେବା ସଂଗଠନ, ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଏବଂ ଭୁବନେଶ୍ବର ଏମ୍ସର ମିଳିତ ଆନୁକୁଲ୍ୟରେ ଏକ ସିପିଆର ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ସ୍ୱତନ୍ତ୍ର ତାଲିମ୍ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଏପରି ଏକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଉତ୍ସାହ ବଢ଼ାଇଥିଲେ ।

ଏହି ତାଲିମ୍ କାର୍ଯ୍ୟକ୍ରମରେ ପୋଲିସ, ଅଗ୍ନିଶମବାହିନୀ, ଛାତ୍ରଛାତ୍ରୀ ଏବଂ ସ୍ୱେଚ୍ଛାସେବୀମାନେ ଯୋଗଦେଇ ହୃଦଘାତ ହେଲେ କେମିତି ପମ୍ପିଂ କରାଯିବ ସେନେଇ ତାଲିମ୍ ଦେଇଥିଲେ ଅଭିଜ୍ଞ ଡାକ୍ତର । ଆସନ୍ତା ୨୦୨୫ ସୁଦ୍ଧା ୨ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କୁ ତାଲିମ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏବେ ଦେଶରେ ୧୦ ମିଲିୟନ ଲୋକ ହୃଦଘାତର ଶିକାର ହେଉଥିବା ବେଳେ ୧୭ ପ୍ରତିଶତ ଲୋକ ମୃତ୍ୟୁବରଣ କରୁଛନ୍ତି ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି ।

ସଞ୍ଜୀବନୀ ସାଜିଛି BSKY, ସୁନ୍ଦରଗଡ଼ରେ ୧୧ ମାସରେ ୨୩ ହଜାର ୫୩୯ ରୋଗୀଙ୍କୁ ଦେଇଛି ନୂଆ ଜୀବନ

ସୁନ୍ଦରଗଡ଼: ଜୀବନ ଦେଉଛି BSKY ସ୍ମାର୍ଟକାର୍ଡ । ଅଭାବୀ ପରିବାର ପାଇଁ ସାଜିଛି ସଞ୍ଜୀବନୀ । ଗରିବ ପରିବାରକୁ ଦେଉଛି ବଞ୍ଚିବାର ଭରସା । ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୨ ଜାନୁଆରୀଠାରୁ ନଭେମ୍ବର ୩୦ ମଧ୍ୟରେ ୨୩ ହଜାର ୫୩୯ ଜଣ ରୋଗୀଙ୍କୁ ଦେଇଛି ନୂଆ ଜୀବନ । ବିଭିନ୍ନ ଘରୋଇ ହସ୍ପିଟାଲରେ ମାଗଣାରେ ଅତ୍ୟାଧୁନିକ ଚିକିତ୍ସା ପାଇଁ ସୁସ୍ଥ ହୋଇଛନ୍ତି ହିତାଧିକାରୀ । କାର୍ଡ ଜରିଆରେ ୧୩  ହଜାର ୭୨୧ ଜଣଙ୍କ ଆଖି ଅପରେସନ କରାଯାଇଥିବା ବେଳେ ସେଥିମଧ୍ୟରୁ ୩ ହଜାର ୧୮୬ ଜଣ ଶିଶୁ ଅଛନ୍ତି । ରାଉରକେଲା ଜୟ ପ୍ରକାଶ ହସ୍ପିଟାଲରେ ୪ ହଜାରରୁ ଅଧିକ ଅପରେସନ ସଫଳତାର ସହ କରାଯାଇଛି । ମାଗଣାରେ ବସ୍ ଯୋଗେ ଘରୁ ହସ୍ପିଟାଲ ଆଣିବା ସହ ଘରକୁ ଫେରିବାର ବ୍ୟବସ୍ଥା କରାଯାଇଛି ।

ରୋଗୀଙ୍କ ଘର ନିକଟରେ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଜୟ ପ୍ରକାଶ ହସ୍ପିଟାଲ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଗଣା ଚିକିତ୍ସା ଶିବିର ଆୟୋଜନ କରାଯାଇ ଜିଲ୍ଲାର ୬୫ ହଜାରରୁ ଅଧିକ ରୋଗୀଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସୁବିଧା ମିଳୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ମହଲରେ ଧନ୍ୟବାଦ ଦିଆଯାଉଛି ।