ଗର୍ଭପାତ ବଟିକା ବ୍ୟବହାର ପାଇଁ ଅନୁମତି ଦେଲେ ଆମେରିକା ସୁପ୍ରିମକୋର୍ଟ

1 min read

ଓ୍ୱାଶିଂଟନ: ଗର୍ଭପାତ ବଟିକାକୁ ନେଇ ଆମେରିକା ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ନିମ୍ନକୋର୍ଟଙ୍କ ନିଷେଧାଦେଶକୁ ରଦ୍ଦ କରି ଏହାର ବ୍ୟବହାରକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । କୋର୍ଟଙ୍କ ଏହି ରାୟ ପରେ ଗର୍ଭପାତ ଲାଗି ଆବଶ୍ୟକ ମିଫେପ୍ରିଷ୍ଟନ ବଟିକା ବଜାରରେ ଉପଲବ୍ଧ ହେବ । ନିମ୍ନକୋର୍ଟଙ୍କ ରାୟ ବିରୋଧରେ ତୁରନ୍ତ ରହିତାଦେଶ ଦିଆଯାଉ ବୋଲି ସୁପ୍ରିମକୋର୍ଟରେ ଆବେଦନ କରିଥିଲା ବାଇଡେନ ପ୍ରଶାସନର ଜଷ୍ଟିସ ଡିପାର୍ଟମେଣ୍ଟ । ଗର୍ଭପାତ ବିରୋଧୀ ଗୋଷ୍ଠୀଙ୍କ ଦ୍ବାରା ଆଗତ ଏକ ପିଟିସନର ଶୁଣାଣି କରି ଆମେରିକା ଟେକ୍ସାସର ଡିଷ୍ଟ୍ରିକ୍ଟ କୋର୍ଟ ଏହି ବଟିକାର ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଥିଲେ । ନିଷେଧାଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବାଇଡେନ ସରକାର । ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । କହିଛନ୍ତି- ନିମ୍ନକୋର୍ଟଙ୍କ ରାୟ ଯୋଗୁ ମହିଳାମାନଙ୍କ ସ୍ବାସ୍ଥ୍ୟ ବିପଦଗ୍ରସ୍ତ ହେଉଥିଲା । ସୁପ୍ରିମକୋର୍ଟଙ୍କ ରାୟକୁ ବି ସ୍ବାଗତ କରିଛନ୍ତି ଉପରାଷ୍ଟ୍ରପତି କମଲା ହାରିସ ।

ବର୍ତ୍ତମାନ ଆମେରିକାର ୧୩ଟି ପ୍ରଜାତନ୍ତ୍ରରେ ଗର୍ଭପାତକୁ ନିଷିଦ୍ଧ କରାଯାଇଥିବା ବେଳେ ଅନ୍ୟ ପ୍ରଜାତନ୍ତ୍ର ଗୁଡ଼ିକରେ ଗର୍ଭପାତ ଉପରେ କଡ଼ା କଟକଣା ରହିଛି । ମିଫେପ୍ରିଷ୍ଟନ ସାଧାରଣତଃ ଗର୍ଭସଞ୍ଚାରର ୧୦ ସପ୍ତାହ ମଧ୍ୟରେ ଗର୍ଭନଷ୍ଟ ଲାଗି ବ୍ୟବହୃତ ହୋଇଥାଏ । ମିଫେପ୍ରିଷ୍ଟନର ବ୍ୟବହାର ଆରମ୍ଭ ପରଠାରୁ ଏହାକୁ ଆମେରିକାର ୫ କୋଟି ୬୦ ଲକ୍ଷ ମହିଳା ବ୍ୟବହାର କରିଥିବା ସୂଚନା ମିଳିଛି । ଏହି ବଟିକା ଜରିଆରେ ମୋଟ ଗର୍ଭପାତର ଅର୍ଦ୍ଧାଧିକ ଭାଗ ସମ୍ପନ୍ନ ହୋଇଥାଏ । ଗର୍ଭପାତ କ୍ଷେତ୍ରରେ ପ୍ରଥମେ ମିଫେପ୍ରିଷ୍ଟନ ବ୍ୟବହାର କରାଯିବା ପରେ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ କାରଣରୁ ମିସୋପ୍ରୋଷ୍ଟଲ ନାମକ ଅନ୍ୟ ଏକ ବଟିକା ବ୍ୟବହାର କରାଯାଇଥାଏ । ବିଗତ ୨୦୦୦ ମସିହାରେ ଆମେରିକା ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ପକ୍ଷରୁ ଗର୍ଭାବସ୍ଥାର ସାତ ସପ୍ତାହ ମଧ୍ୟରେ ଗର୍ଭ ନଷ୍ଟ ଲାଗି ମିଫେପ୍ରିଷ୍ଟନ ଓ ମିସୋପ୍ରୋଷ୍ଟଲକୁ ଅନୁମତି ଦିଆଯାଇଥିଲା । ପରେ ଏହି ସମୟ ଅବଧିକୁ ୧୦ ସପ୍ତାହକୁ ବୃଦ୍ଧି କରାଯାଇଥିଲା । ସେବେଠାରୁ ଗର୍ଭପାତ ବିରୋଧରେ କେତେକ ସଂଗଠନ ଆନ୍ଦୋଳନ କରିଆସିବା ସହ କୋର୍ଟର ଦ୍ବାରସ୍ଥ ହୋଇଆସିଛନ୍ତି । ଏହି ବଟିକା ବ୍ୟବହାର ଦ୍ବାରା ଶାରୀରିକ ଅସୁସ୍ଥତା ହୋଇ ନଥାଏ ବୋଲି ଜଣାଥିବା ସତ୍ତ୍ବେ ଏହାକୁ ନେଇ ବିରୋଧାଭାସ ଜାରି ରହିଛି । ଡାନକୋ ଲାବରେଟୋରୀ ଦ୍ବାରା ପ୍ରସ୍ତୁତ ମିଫେପ୍ରିଷ୍ଟନ ବଟିକାକୁ ନେଇ ଦୀର୍ଘଦିନ ଧରି ବିବାଦ ଚାଲିଆସିଛି ।