ଭୁବନେଶ୍ବରରେ ପହଞ୍ଚିଲା ଦେବାଶିଷଙ୍କ ପାର୍ଥିବ ଶରୀର, ଭାବ ବିହ୍ୱଳ ପରିବେଶରେ ଦିଆଗଲା ଗାର୍ଡ ଅଫ୍ ଅନର

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା ସହିଦ ଓଡ଼ିଆ ପୁଅ ଦେବାଶିଷ ବିଶ୍ବାଳଙ୍କ ମରଶରୀର । ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରେ ସହିଦଙ୍କ ମରଶରୀରକୁ ସେନା ପକ୍ଷରୁ ଗାର୍ଡ ଅପ୍ ଅନର ଦିଆଯାଇଛି । ଏହାପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହାପରେ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ପୋଲିସ କମିଶନର ଓ ଡିସିପି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସହିଦ ଦେବାଶିଷ ବିଶ୍ୱାଳଙ୍କ ପତ୍ନୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏୟାରପୋର୍ଟରୁ ସିଧାସଳଖ ଜନ୍ମ ମାଟି ପୁରୀ ଜିଲ୍ଲା ଅଳଗୁମା ପଞ୍ଚୟତ ଖଣ୍ଡାୟତ ସାହିକୁ ଯିବ ସହିଦଙ୍କ ମରଶରୀର । ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଦେବାଶିଷଙ୍କ ଅନ୍ତିମ ସଂସ୍କାର କରାଯିବ । ଗତ ୨୦ ତାରିଖ ଜାମ୍ମୁ ଓ କାଶ୍ମୀରର ରାଜୌରୀ ସେକ୍ଟରରେ ସେନା ଟ୍ରକ ଉପରକୁ ଆତଙ୍କବାଦୀ ଗ୍ରେନେଡ ହମଲାରେ ୫ଜଣ ସହିଦ ହୋଇଥିଲେ । ଯେଉଁଥିରେ ରହିଥିଲେ ଓଡ଼ିଆ ଯବାନ ଦେବାଶିଷ ବିଶ୍ବାଳ । ୫ ମାସ ତଳେ ଝିଅ ଜନ୍ମହେବା ଖୁସିରେ ଛୁଟିରେ ଗାଁକୁ ଆସି ଫେବ୍ରୁଆରୀରେ ପୁଣି ଡ୍ୟୁଟିରେ ଯୋଗଦେଇଥିଲେ  । ୨୦୧୨ ମସିହାରେ ସେନାରେ ସିପାହୀ ଭାବରେ ନିଯୁକ୍ତି ପାଇଥିବା ଦେବାଶିଷ ପଦୋନ୍ନତି ପାଇବା ପରେ ଜାମ୍ମୁ କାଶ୍ମୀରରେ ଡ୍ୟୁଟି କରୁଥିଲେ ।