spot_img
Home Blog Page 3402

କଫ୍ ସିରପ ପ୍ରସ୍ତୁତକାରୀ ୬ କମ୍ପାନୀଙ୍କ ଲାଇସେନ୍ସ ରଦ୍ଦ

ମୁମ୍ବାଇ: ନିୟମ ଉଲ୍ଲଂଘନ ଅଭିଯୋଗରେ ମହାରାଷ୍ଟ୍ରରେ କଫ୍ ସିରପ ପ୍ରସ୍ତୁତ କରୁଥିବା ୬ କମ୍ପାନିଙ୍କ ଲାଇସେନସ ରଦ୍ଦ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଔଷଧ ପ୍ରଶାସନ ମନ୍ତ୍ରୀ ସଞ୍ଜୟ ରାଠୋଡ । ରାଜ୍ୟରେ କଫ ସିରପ ପ୍ରସ୍ତୁତ କରୁଥିବା ୧୦୮ଟି ପ୍ରସ୍ତୁତକର୍ତ୍ତାଙ୍କ ମଧ୍ୟରୁ ୮୪ଟି କମ୍ପାନି ବିରୋଧରେ ତଦନ୍ତ ଜାରି ରହିଛି ।

ତେବେ ସେମାନଙ୍କ ମଧ୍ୟରୁ ୬ଟି କମ୍ପାନିର ଲାଇସେନସ ରଦ୍ଦ ହୋଇଥିବାବେଳେ ଔଷଧ ଉତ୍ପାଦନ ବନ୍ଦ ଲାଗି ୪ଟି କମ୍ପାନିକୁ କୁହାଯାଇଛି । ୧୭ଟି କମ୍ପାନିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଗତବର୍ଷ ଉତ୍ତରପ୍ରଦେଶର ନୋଏଡାସ୍ଥିତ ଏକ କମ୍ପାନି ଦ୍ବାରା ପ୍ରସ୍ତୁତ କଫ୍ ସିରପ ଖାଇ ଉଜବେକିସ୍ତାନର ୧୮ ଜଣ ଶିଶୁଙ୍କ ମୃତ୍ୟୁ ପରେ ରାଜ୍ୟରେ ଏହାକୁ ନେଇ ବିଭିନ୍ନ ସ୍ତରରେ ତୀକ୍ଷ୍ଣ ନଜର ରଖାଯାଇଥିଲା । ସେହିପରି ଗତବର୍ଷ ଭାରତୀୟ କଫ ସିରପ ଖାଇ ଗାମ୍ବିଆର ୬୬ ଶିଶୁଙ୍କ ମୃତ୍ୟୁ ଘଟିଥିଲା ।

ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ବେରୁଣିପଦି ଗାଁରେ ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଡାକ୍ତର ପ୍ରଦୀପ ସେଠୀଙ୍କ ତତ୍ତ୍ବାବଧାନରେ ଆରମ୍ଭ କରାଯାଇଥିବା ଏହି ବିଦ୍ୟାଳୟରେ ଗ୍ରାମାଞ୍ଚଳର ୨୫ ଶହ ଛାତ୍ରଛାତ୍ରୀଙ୍କୁ ବିନା ଦେୟରେ ପାଠ ପଢ଼ାଇବାକୁ ଯୋଜନା କରାଯାଇଛି ।

ପ୍ରଦୀପ ସେଠୀଙ୍କ ନିଜ ଗାଁ ବେରୁଣିପଦିରେ ଗରିବ ଛାତ୍ରଛାତ୍ରୀଙ୍କୁ ଶିକ୍ଷାକ୍ଷେତ୍ରରେ ଅଗ୍ରସର କରାଇବାକୁ ଏହି ପରିକଳ୍ପନା କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି ।

କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ,, ସାଂସଦ ଚନ୍ଦ୍ରାଣି ମୁର୍ମୁ, ମେଣ୍ଟର ସଲିଳ ଚତୁର୍ବେଦୀ ପ୍ରମୁଖ ଉପସ୍ଥିତ ଥିଲେ ।

ଆସନ୍ତାକାଲିଠୁ ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର ଯାତାୟତ କରିବ ବିମାନ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଗଞ୍ଜାମର ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ସ୍ୱତନ୍ତ୍ର ଚାର୍ଟର ବିମାନସେବା ଆରମ୍ଭ ହେବ ।

ସେହିପରି ଜେଟ୍‌ ଏରିନା ପକ୍ଷରୁ ଆକାଶ ଏୟାର ଲାଇନ୍ସ ଓଡ଼ିଶାରେ ଆରମ୍ଭ କରିବ ବିମାନ ସେବା । ଏହି ସେବା ଆସନ୍ତା ଏପ୍ରିଲ 17 ତାରିଖଠାରୁ ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି। ବେଙ୍ଗାଳୁରୁରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ପୁଣେ ଏବଂ ପୁଣେରୁ ଭୁବନେଶ୍ୱରକୁ ମଧ୍ୟ ଉଡ଼ିବ ବିମାନ ।

କର୍ଣ୍ଣାଟକରେ ବିଜେପି ସରକାରର ଦୁର୍ନୀତିର ପ୍ରତିବାଦ

କର୍ଣ୍ଣାଟକ : କର୍ଣ୍ଣାଟକରେ ଦୁର୍ନୀତି ପ୍ରତିବାଦରେ କଂଗ୍ରେସ ଗର୍ଜନ । ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛି କଂଗ୍ରେସ । ଦୁର୍ନୀତିରେ ସମ୍ପୃକ୍ତ ଥିବା ବିଜେପି ବିଧାୟକ ମଦାଲ ବିରୂପାକ୍ଷପ୍ପାଙ୍କୁ ଗିରଫ ଲାଗି ଦାବି କରିଛି କଂଗ୍ରେସ । ଗତକାଲି ବାପାଙ୍କ ପକ୍ଷରୁ ୪୦ଲକ୍ଷ ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତଙ୍କ ହାତରେ ଧରାପଡ଼ିଥିଲେ ପୁଅ ପ୍ରଶାନ୍ତ । କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ବିଜେପି ନେତାଙ୍କ ପୁଅଙ୍କ କାରନାମା ସାମ୍ନାକୁ ଆସିଥିଲା । ରାଜ୍ୟରେ କମିସନ ସରକାର ଚାଲିଛି ବୋଲି କହିଥିଲେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି କେ ଶିବକୁମାର । ଲାଞ୍ଚ ନେଇ ଧରାପଡ଼ିବା ପରେ ପ୍ରଶାନ୍ତଙ୍କ ଘରୁ ଓ ଅଫିସରୁ ୮ କୋଟି ଟଙ୍କା ଜବତ ହୋଇଥିଲା । ରାଜ୍ୟରେ ଦୁର୍ନୀତି ନିବାରଣକୁ ଅଧିକ ଶକ୍ତିଶାଳୀ କରିବା ଲାଗି କର୍ଣ୍ଣାଟକ ହାଇକୋର୍ଟ ଆଣ୍ଟି କରପସନ୍ ବ୍ୟୁରୋକୁ ଭାଙ୍ଗି ଶକ୍ତିଶାଳୀ ଲୋକାୟୁକ୍ତ ଗଠନ କରିଥିଲେ । ଏହାସତ୍ତ୍ବେ ରାଜ୍ୟରେ ୪୦ପ୍ରତିଶତ କମିସନ ନେବା ପ୍ରକ୍ରିୟା ଜାରି ରହିଛି ବୋଲି କଂଗ୍ରେସ କହିଛି । ପୁଅ ଲାଞ୍ଚ ନେଇ ଧରାପଡ଼ିବା ପରେ ଇସ୍ତଫା ଦେଇଥିଲେ ବିଜେପି ବିଧାୟକ ବିରୂପାକ୍ଷପ୍ପା । ଛନ୍ନାଗିରି ବିଧାୟକ ବିରୂପାକ୍ଷପା ମଇସୁର ସାଣ୍ଡେଲ ପ୍ରସ୍ତୁତ କରୁଥିବା କର୍ଣ୍ଣାଟକ ସୋପସ୍ ଆଣ୍ଡ ଡିଟରଜେଣ୍ଟସ ଲିମିଟେଡର ଅଧ୍ୟକ୍ଷ ଥିଲେ ବିଧାୟକ ବିପୂପାକ୍ଷପ୍ପା । କର୍ଣ୍ଣାଟକରେ ପିସି ଆଦାୟ ନୂଆ ନୁହେଁ । କଣ୍ଟ୍ରାକ୍ଟରମାନଙ୍କୁ ନେତା, ମନ୍ତ୍ରୀ ୪୦ପ୍ରତିଶତ କମିସନ ମାଗୁଥିବା ଅଭିଯୋଗ କରି ୨୦୨୧ ଜୁଲାଇରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲା କଣ୍ଟ୍ରାକ୍ଟର ସଂଘ ।

ବିଜେପିର ଆକ୍ରମଣ ଘଟଣା: ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ ଦାବି କଲା ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ ସଂଗଠନ

ଭୁବନେଶ୍ବର: ଆଇନଶୃଙ୍ଖଳା ନାଁରେ ପୋଲିସକୁ ବିଜେପିର ଆକ୍ରମଣ ଘଟଣା। ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶଙ୍କୁ ଭେଟିଲା ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ ସଂଗଠନ ।

ସମ୍ବଲପୁରରେ ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଆକ୍ରମଣ ଓ ଭୁବନେଶ୍ୱରରେ ଆଇନଶୃଙ୍ଖଳା ନାଁରେ ହିଂସାକାଣ୍ଡ ଘଟାଇବା ପଛର ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ ଦାବିରେ ଦାବିପତ୍ର ପ୍ରଦାନ କରାଯାଇଛି । ଡିଜିପିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶଙ୍କୁ ଦାବିପତ୍ର ପ୍ରଦାନ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ ସଂଗଠନ ।

ଆସନ୍ତାକାଲି ବିଜୁ ଜୟନ୍ତୀ: ନବୀନ ଓଡ଼ିଶା ପାଇଁ ନିଆଯିବ ସଂକଳ୍ପ

ଭୁବନେଶ୍ବର: ଆସନ୍ତାକାଲି ବିଜୁ ଜୟନ୍ତୀରେ ନବୀନ ଓଡ଼ିଶା ପାଇଁ ନିଆଯିବ ସଂକଳ୍ପ l ବିଜେଡିର ନିଷ୍ପତି ଅନୁସାରେ ସବୁ ନିର୍ବାଚନମଣ୍ଡଳୀରେ ସଂକଳ୍ପ ସମାବେଶ ହେବ । ନବୀନ ଓଡ଼ିଶାର ସଂକଳ୍ପ ନେବେ ବିଜେଡି ନେତା ଓ କର୍ମୀ ।

ନୂଆ ସଶକ୍ତ ଓଡ଼ିଶା ଗଠନ ଆହୁରି ବ୍ୟାପକ ହେବ l ୨୩ ବର୍ଷ ଶାସନରେ ବିଜୁ ପଟ୍ଟନାୟକଙ୍କ ଅଭିଳାଷ ପୂରଣ କରିବା ପାଇଁ ବିଜେଡି କାମ କରିଛି। ବିଜୁ ଜୟନ୍ତୀରେ ସାଇକେଲ ଶୋଭାଯାତ୍ରା ସହ ବିଭିନ୍ନ କାର୍ଯ୍ୟକ୍ରମ ହେବ ବୋଲି ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ।

ନବୀନ ଓଡ଼ିଶା ଏକ ନୂତନ ଓଡ଼ିଶା ଓ ବିକାଶଶୀଳ ଓଡ଼ିଶା। ନବୀନ ଏବେ ଏକ ମଡେଲ । ନବୀନ ପଟ୍ଟନାୟକ ବିକାଶ ପୁରୁଷ ଭାବେ ପରିଚିତ । ଆସନ୍ତାକାଲି ବିଜୁବାବୁଙ୍କ ପ୍ରିୟ ଡାକୋଟା ଉନ୍ମୋଚତ ହେବ। ଡାକୋଟା ଏକ ବିମାନ ନୁହେଁ, ଏକ ସ୍ୱାଭିମାନ । ଆସନ୍ତାକାଲି ବିଜୁ ଏକ୍ସପ୍ରେସ ୱେ ମଧ୍ୟ ଲୋକାର୍ପଣ ହେବ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି।

କୋଟିଏ ଟଙ୍କାର ନକଲି ବିଦେଶୀ ମଦ ଜବତ, ଓଡ଼ିଶା ଆସୁଥିବା ସନ୍ଦେହ

ରାଞ୍ଚି: ଜବତ ହେଲା ୧ କୋଟି ଟଙ୍କାର ନକଲି ବିଦେଶୀ ମଦ । ମଦ ସହ ୩ ଜଣ ଗିରଫ ହୋଇଛନ୍ତି । ଝାଡ଼ଖଣ୍ଡ ବୋକାରୋ ଜିଲ୍ଲା ସ୍ଥିତ ବଲରାମପୁରରେ ନକଲି ବିଦେଶୀ ମଦ ତିଆରି କାରଖାନାରେ ରେଡ୍ ହୋଇଛି । ଏହି ରେଡ ବେଳେ ଏତେ ଟଙ୍କାର ମଦ ଜବତ ହୋଇଛି ।

ଏହାସହ ୨ ହଜାର ଲିଟରରୁ ଅଧିକ ସ୍ପିରିଟ୍, ବିଭିନ୍ ବିଦେଶୀ କମ୍ପାନୀର ଲୋଗୋ ଥିବା ମଦ ଜବତ ହୋଇଛି । ଏହାସହ ତିନି ଜଣକୁ ଗିରଫ କରିଛି ପୋଲିସ । ରେଡ୍ ହୋଇଥିବା ନକଲି ବିଦେଶୀ ମଦ ମୂଲ୍ୟ ୧ କୋଟି ଟଙ୍କା ହେବ।

ଯେହେତୁ ଝାରଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳ । ସେଥିପାଇଁ ନକଲି ମଦ ତିଆରି ହୋଇ ବିହାର, ଝାରଖଣ୍ଡ ସହ, ଓଡ଼ିଶା ସୀମାନ୍ତ ଓ ପଶ୍ଚିମବଙ୍ଗ ଯାଉଥିବା ସନ୍ଦେହ କରାଯାଉଛି । ଏହି ନକଲି ବିଦେଶୀ ମଦକୁ କେଉଁ କେଉଁ ସ୍ଥାନରେ ପଠାଯାଉଛି ସେନେଇ ତଦନ୍ତ ଜାରି ରହିଛି ।

ବସ୍ ଷ୍ଟାଣ୍ଡରୁ ଚୋରି ହୋଇଗଲା ବସ୍‌  

ପୁରୀ: ବସଷ୍ଟାଣ୍ଡରୁ ବସ୍‌ ଚୋରି । ପୁରୀ ଗୋପ ରାସ୍ତାର ଛଇତନା ନିକଟରୁ ଉଦ୍ଧାର ହେଲା ବସ୍ । ପୁରୀ ବସଷ୍ଟାଣ୍ଡରୁ ଏକ ଘରୋଇ ବସ୍ ଚୋର ହୋଇଯାଇଥିଲା । କଟକର ଜଣେ ବସ ମାଲିକଙ୍କ ବସ୍ ଚୋରି ହୋଇଥିବା କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ପୋଲିସ  ତଦନ୍ତ ଆରମ୍ଭ କରିବା ପରେ ବସଟି ପୁରୀ ଗୋପ ରାସ୍ତାର ଛଇତନା ନିକଟରୁ ମିଳିଛି । ଗାଡ଼ିର ଅନେକ ଯନ୍ତ୍ରାଂଶ ଓ ତେଲ ଟାଙ୍କିରୁ ସମସ୍ତ ତେଲ ଚୋରି ହୋଇଛି । ଏନେଇ ଥାନାରେ ବସ କଣ୍ଡକ୍ଟର ଛବୀନ୍ଦ୍ର ବେହେରା ଅଭିଯୋଗ କରିଛନ୍ତି ।

‘ରିଲିଜ ହେଲା ଫିଲ୍ମ ବାପା ସୁପରମ୍ୟାନ’

ଭୂବନେଶ୍ବର: ରିଲିଜ ହୋଇଛି ଓଲିଉଡ଼ ଫିଲ୍ମ ‘ବାପା ସୁପରମ୍ୟାନ୍’। ଓଲିଉଡ଼ର ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ଷ୍ଟାରର ଫିଲ୍ମରେ ବାପା ଭୂମିକାରେ ନଜର ଆସିଛନ୍ତି । ପୁଅ ଚରିତ୍ରରେ ଶୁଭମ ଫିଲ୍ମରେ ନଜର ଆସିଛନ୍ତି ।

ଦୁନିଆ ସବୁବେଳେ ମା’ର ତ୍ୟାଗକୁ ଦେଖି ଆସିଛି । କିନ୍ତୁ ପିଲାଙ୍କ ପାଇଁ ବାପାଙ୍କ ତ୍ୟାଗ, ସେବା ,କଷ୍ଟ ଦୁନିଆ ସାମ୍ନାକୁ ଆସିପାରେନି। ସେମିତି ଜଣେ ବାପାଙ୍କ ତ୍ୟାଗର କଥା ଦେଖିବାକୁ ମିଳିଛି ଏହି ଫିଲ୍ମରେ ।  ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି ।

ଓଁକାର ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ  ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ ।୨୫ ଟି ହଲରେ ରିଲିଜ୍ ହୋଇଛି ଫିଲ୍ମ । ଅନ୍ୟାନ୍ୟ ଭୂମିକାରେ ସୁପ୍ରିୟା, ସୋଫିଆ ଆଲମ୍, ପ୍ରକାଶ ଜେନା ପ୍ରମୁଖ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ପ୍ରିୟବ୍ରତ ପଣ୍ଡା।

ପିଆଜ ଉତ୍ପାଦନରେ ଆତ୍ମ ନିର୍ଭର ହେବ ଓଡ଼ିଶା

ଭୁବନେଶ୍ବର: ଖୁବଶୀଘ୍ର ପିଆଜ ଉତ୍ପାଦନରେ ଓଡ଼ିଶା ଆତ୍ମ ନିର୍ଭରଶୀଳ ହେବାକୁ ଯାଉଛି । ବର୍ତ୍ତମାନ ବଳକା ପିଆଜ ଛତିଶଗଡ଼କୁ ରପ୍ତାନୀ ହେଉଛି। ଏଥର ବଜେଟରେ ପ୍ରବଳ ପ୍ରୋତ୍ସାହନ ବି ରଖାଯାଇଛି ।

ସବସିଡି ୪୦ ପ୍ରତିଶତରୁ ଅଧିକ ରହିଛି । ସ୍ଥଳ ବିଶେଷରେ ମହିଳା ଚାଷୀଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯିବାର ବ୍ୟବସ୍ଥା ରହିଛି । ଫୁଲ, ପିଆଜ, ଫଳ ସବୁଥିରେ ଆତ୍ମ ନିର୍ଭରଶୀଳ ହେବ ରାଜ୍ୟ ।

ଏହି ପ୍ରୋତ୍ସାହନ ଯୋଗୁଁ ଚାଷୀ ସେହି ଚାଷରେ ଅଧିକ ନିୟୋଜିତ ହେଉଥିବାରୁ ଉତ୍ପାଦନ ଭଲ ହେଉଛି ବୋଲି କହିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।