ଝାରସୁଗୁଡ଼ାରେ ଜମୁଛି ପ୍ରଚାର, ମଇଦାନରେ ଷ୍ଟାର ପ୍ରଚାରକଙ୍କ କ୍ୟାମ୍ପେନ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଜମୁଛି ପ୍ରଚାର । ଦିନ ସରୁଥିବାବେଳେ କ୍ୟାମ୍ପେନକୁ ଆହୁରି ଜୋରଦାର କରିଛନ୍ତି ସବୁଦଳ । ଏବେ ମଇଦାନରେ ଚାଲିଛି ଷ୍ଟାର ପ୍ରଚାରକଙ୍କ ଲଢେଇ । ଗାଁରୁ ଗାଁକୁ ବୁଲି ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ବରିଷ୍ଠ ନେତାଙ୍କ ସହ ଶୋଭାଯାତ୍ରା, ବାଇକ ରାଲି, ଡୋର ଟୁ ଡୋର କ୍ୟାମ୍ପେନ ଓ ମହିଳା ସମାବେଶ ମାଧ୍ୟମରେ ଲୋକଙ୍କ ନିକଟର ହେଉଛନ୍ତି । ସବୁଠି ଦୀପାଳିଙ୍କୁ ମହିଳାମାନେ କୋଳେଇ ନେଉଛନ୍ତି ।

ସେପଟେ ଆଉ ଦିନକ ପରେ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆସନ୍ତା ୭ ତାରିଖରେ ଦୀପାଳି ଦାସଙ୍କ ପାଇଁ ନବୀନ ମାଗିବେ ଭୋଟ୍ । ଏଥିପାଇଁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି । ଦୀପାଳି କହିଛନ୍ତି, ପରୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀ ଆସିଲେ ପାଖରେ ବାପା ଛିଡ଼ା ହେଲା ଭଳି ଲାଗିବ । ମନୋବଳ ବଢ଼ିବ । ଝାରସୁଗୁଡ଼ା ଲୋକ ବିକାଶ ସହ ଅଛନ୍ତି ଓ ନବୀନ ହିଁ ବିକାଶର ବିନ୍ଧାଣୀ ବୋଲି ଜାଣିଛନ୍ତି । ସେପଟେ କଂଗ୍ରେସ ଏବଂ ବିଜେପି ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି ।