spot_img
Home Blog Page 3353

ରାଉରକେଲାରେ FIH ହକି ପ୍ରୋ ଲିଗ; ଅଫଲାଇନରେ ଟିକେଟ୍ ବିକ୍ରି ଆରମ୍ଭ

ରାଉରକେଲା: ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ FIH ହକି ପ୍ରୋ ଲିଗ । ଏଥିରେ ଭାରତ, ଜର୍ମାନୀ, ଅଷ୍ଟ୍ରେଲିଆ ଟିମ୍‌ ଯୋଗ ଦେବେ। ମାର୍ଚ୍ଚ ୧୦ ତାରିଖ ଠାରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ୬ ଦିନ ଧରି FIH ହକି ପ୍ରୋ ଲିଗ ଅନୁଷ୍ଠିତ ହେଵ। ଏଥିପାଇଁ ଅନଲାଇନ ଟିକେଟ ବିକ୍ରି ଶେଷ ହୋଇଥିବା ବେଳେ ଅଫଲାଇନ ଟିକେଟ ବିକ୍ରି ଆଜି ଠାରୁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଦୁଇଟି କାଉଣ୍ଟରରେ ଆରମ୍ଭ ହୋଇଛି।

ସକାଳ ୧୧ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି କରାଯାଉଛି। ଆସନ୍ତା ୮ତାରିଖ ହୋଲି ଥିଵାରୁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି କରିବା ପାଇଁ ନିଷ୍ପତ୍ତି ହୋଇଛି। ଅଫ ଲାଇନରେ ଟିକେଟ କିଣିବା ପାଇଁ ଆଜି ଦର୍ଶକଙ୍କ ଭିଡ ଲାଗି ରହିଛି।

FIH ହକି ପ୍ରୋ ଲିଗରେ ୧୦ ତାରିଖ ଦିନ ଭାରତ ଓ ଜର୍ମାନୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଵ। ୧୧ ତାରିଖରେ ଜର୍ମାନୀ ଓ ଅଷ୍ଟ୍ରେଲିଆ, ୧୨ ତାରିଖରେ ଭାରତ ଅଷ୍ଟ୍ରେଲିଆ, ୧୩ ତାରିଖରେ ଭାରତ-ଜର୍ମାନୀ, ୧୪ ତାରିଖରେ ଜର୍ମାନୀ-ଅଷ୍ଟ୍ରେଲିଆ ଓ ୧୫ ତାରିଖରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ପ୍ରତ୍ୟେକ ମ୍ୟାଚ୍ ରାତି ୭ଟାରୁ ଆରମ୍ଭ ହେବ।

ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା, କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧୦ରୁ ୧୭ ଯାଏ ହେବ ମାଟ୍ରିକ ପରୀକ୍ଷା। ଏଥର କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ବ୍ୟବସ୍ଥା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପରୀକ୍ଷା ସେଣ୍ଟର ଗୁଡ଼ିକୁ ସ୍କ୍ୱାର୍ଡ ଅଚାନକ ଗସ୍ତ କରିବେ। ଯାହାର ଗତିବିଧି ସମ୍ପର୍କରେ କେହି ଜାଣି ନଥିବେ।  ପ୍ରଶ୍ନପତ୍ର ହବ୍‌କୁ ଯାଇଛି । ଯେତେ ସମ୍ଭବ ସିସିଟିଭି ଲଗାଇବାକୁ କୁହାଯାଇଛି।

ଜିଲ୍ଲା ପ୍ରଶାସନ ସହ ବି ସହଯୋଗ ପାଇଁ ଆଲୋଚନା ହୋଇଛି । ହବ୍‌କୁ ପରୀକ୍ଷା ସେଣ୍ଟର ଯାଏ ପ୍ରଶ୍ନପତ୍ର ନେବାକୁ ସ୍ୱତନ୍ତ୍ର ଲୋକଙ୍କୁ ଦାୟିତ୍ୱ ଦିଆଯାଇଛି । ଶୃଙ୍ଖଳା ସହ ପରୀକ୍ଷା ହେବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।

ଗାଁ ସଭାପତିଙ୍କୁ ହତ୍ୟା ଅଭିଯୋଗ, ଘଟଣାସ୍ଥଳରୁ ସିରିଞ୍ଜ ଓ ହାତଲେଖା ଚିଠି ଜବତ

ଅନୁଗୁଳ: ଅନୁଗୁଳ ଆମ୍ବପାଳ ଗାଁ ସଭାପତିଙ୍କୁ ହତ୍ୟା ଅଭିଯୋଗ। ଘଟଣାସ୍ଥଳରୁ ସିରିଞ୍ଜ ଓ ହାତଲେଖା ଚିଠି ଜବତ। ପୂର୍ବ ଶତ୍ରୁତାରୁ ସଭାପତିଙ୍କ ହତ୍ୟା କରାଯାଇଥିବା ଚିଠିରୁ ସ୍ପଷ୍ଟ ହୋଇଛି। ଘରଠାରୁ କିଛି ଦୂରରେ ଥିବା କୁକୁଡ଼ା ଫାର୍ମରେ ଶୋଇଥିବା ବେଳେ ବାଳକୃଷ୍ଣ ନାୟକକୁ ହତ୍ୟା କରାଯାଇଛି।

ଏହାପରେ ବିଷ ଜ୍ବାଳାରେ ଛଟପଟ ହୋଇ ବାଳକୃଷ୍ଣ ଘରକୁ ଦୌଡ଼ି ପଳାଇ ଆସିଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୁଳ ପରେ କଟକ ସ୍ଥାନାନ୍ତର କରିଥିଲେ । କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଫାର୍ମରେ ଶୋଇଥିବା ସ୍ଥାନରୁ ପରିବାର ଲୋକେ ଏକ ହାତ ଲେଖା ବେନାମୀ ଚିଠି ପାଇଥିଲେ ।

ଯେଉଁଥିରେ ସଭାପତି ମହୋଦୟ , ଗାଁ ପାଇଁ ସହିଦ ହୋଇଯାଅ । ମନା କଲି ମୋ ପଛରେ ଲାଗନା । ଜାନୁଆରୀ ୨୫ ତାରିଖ ଥିଲା , ଆଜି ପୁରଣ ହେଲା ବୋଲି ଲେଖାଯାଇଛି । ଏହାଛଡା ଦୁଇଟି ସିରିଞ୍ଜ ମଧ୍ୟ ଘଟଣାସ୍ଥଳରୁ ମିଳିଛି । କିଏ ଓ କାହିଁକି ବାଳକୃଷ୍ଣଙ୍କୁ ହତ୍ୟା କରିଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାଳକୃଷ୍ଣଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି ।

ଉଦ୍ଧାର ହେଲା ନିଖୋଜ ନାବାଳିକା, ପାଠପଢ଼ା ଡରରେ ଘରୁ ଲୁଚି ପଳାଇଥିଲା

ପାଟକୁରା: ଉଦ୍ଧାର ହେଲା ନିଖୋଜ ନାବାଳିକା । ପାଟକୁରା ଗୋପେଇ ଅଞ୍ଚଳର ଚଉଦ ବର୍ଷୀୟା ନାବାଳିକା ଗତ ୨୮ ତାରିଖରୁ ନିଖୋଜ ଥିଲେ ।

ସୂଚନା ଅନୁଯାୟୀ, ସମ୍ପୃକ୍ତ ନାବାଳିକା କୗେଣସି କାରଣବଶତଃ ଘରୁ ରାଗିକି କୁଆଡେ ଚାଲିଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ ପରେ ଖୋଜାଖୋଜି ଆରମ୍ଭ କରିଥିଲା ପୋଲିସ। ଶେଷରେ ମହାକାଳପଡା ଅଞ୍ଚଳର ଜଣେ ସମ୍ପର୍କୀୟ ମାମୁଁ ଘରେ ନାବାଳିକା ଜଣକ ଥିବା ଖବର ପାଇ ପୋଲିସ ନାବାଳିକାକୁ ଉଦ୍ଧାର କରିଛି । ପାଠପଢା ଚାପରେ ନାବାଳିକା ଘର ଛାଡି ମାମୁଁ ଘରକୁ ଲୁଚି ଚାଲି ଯାଇଥିଲା ବୋଲି ସେ କହିଛି।

ତେବେ ମାମୁଁ ଘର ଲୋକଙ୍କ ସହ ପରିବାରର ଭଲ ସମ୍ପର୍କ ନଥିବାରୁ ସେମାନେ ଝିଅ ବାପା ମାଙ୍କୁ କିଛି ଜଣାଇ ନଥିଲେ। ଏବେ ପୋଲିସ ଝିଅକୁ ନେଇ ଘରେ ଛାଡିଛି।

ଅମିତାଭ ବଚ୍ଚନ ଗୁରୁତର ଆହତ, ‘Project K’ ର ସୁଟିଂ ସେଟରେ ଆହତ

ମୁମ୍ବାଇ: ବଲିଉଡର ସେହେନଶାହା ଅମିତାଭ ବଚ୍ଚନ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଅପକମିଂ ଫିଲ୍ମର ସୁଟିଂ ଚାଲିଥିବା ବେଳେ ବିଗ୍ ବି ଆହତ ହୋଇଥିବା ସୂଚନା ମିଳିଛି । ହାଇଦ୍ରାବାଦରେ ‘ପ୍ରୋଜେକ୍ଟ କେ’ ଫିଲ୍ମର ସୁଟିଂ ଚାଲିଥିଲା । ଏକ ଆକ୍ସନ ସିନ୍ ସୁଟ୍ ବେଳେ ବିଗ୍ ବିଙ୍କ ପିଞ୍ଜରାର ମାଂସପେଶୀରେ ଆଘାତ ଲାଗିଥିବା ଜଣାପଡ଼ିଛି ।

ଏନେଇ ବିଗ୍ ବି ନିଜ ବ୍ଲଗରେ ସୂଚନା ଦେଇଛନ୍ତି । ସୁଟିଂ ବାତିଲ ହୋଇଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ବିଶ୍ରାମ ନେଉଛନ୍ତି ।

ଆହତ ହେବା ପରେ ଅମିତାଭ ହାଇଦ୍ରାବାଦସ୍ଥିତ ‘ଏଆଇଜି ହସ୍ପିଟାଲ୍‌’ରେ ଚିକିତ୍ସିତ ହେବା ସହ ‘ସିଟି’ ସ୍କାନ୍‌ କରାଇଥିଲେ । ପରେ ସେ ମୁମ୍ବାଇ ଫେରିଆସିଛନ୍ତି । ହଲଚଲ ହେବା ଏବଂ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିବା ବେଳେ ଆରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ସୁସ୍ଥ ହେବାକୁ କିଛି ସପ୍ତାହ ସମୟ ଲାଗିବ ବୋଲି ନିଜ ବ୍ଲଗରେ ସୂଚନା ଦେଇଛନ୍ତି ବିଗ୍ ବି  ।

ନିକୋବର ଦ୍ୱୀପପୂଞ୍ଜରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୦

ନୂଆଦିଲ୍ଲୀ: ନିକୋବର ଦ୍ୱୀପପୂଞ୍ଜରେ ଭୂକମ୍ପ। ଆଜି ସକାଳ ୫ଟା ୭ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୦ ଥିବା ରେକର୍ଡ ହୋଇଛି। ନିକୋବର ଦ୍ୱୀପର ୧୦କିଲୋମିଟର ଗଭୀରରେ ରହିଛି ଭୂକମ୍ପର ଉତ୍ପତିସ୍ଥଳ । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପଡ଼ୋଶୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା

ସୁନ୍ଦରଗଡ଼: ଜମିବାଡି ବିବାଦକୁ ନେଇ ପଡ଼ୋଶୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା ଅଭିଯୋଗ । ଘଟଣାରେ ଅଭିଯୁକ୍ତ ଅଟକ । ସୁନ୍ଦରଗଡ଼ ମହୁଲପଦା ହାତୀସୋଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ଦୀର୍ଘ ଦିନ ହେବ ଗାଁର ଚାଇତୁ ନାଏକ ଏବଂ ଲକ ନାୟକଙ୍କ ମଧ୍ୟରେ ଜମିକୁ ନେଇ ବିବାଦ ଥିଲା। ଉତକ୍ଷିପ୍ତ ଲକ ନାୟକ କାଠ ଫାଳିଆରେ ଚାଇତୁର ମୁଣ୍ଡକୁ ପିଟିପିଟି ମାରିଦେଇଛି । ଘଟଣାସ୍ଥଳରେ ମହୁଲପଦା ପୋଲିସ ପହଁଚି ତଦନ୍ତ ଜାରି ରଖିଛି l ସାଇଣ୍ଟିଫିକ ଟିମ ପହଂଚି ଯାଞ୍ଚ କରିବ ବୋଲି ସୂଚନା ମିଳିଛି । ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି।

ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୋଲିସ, ଜଣେ ଗିରଫ

କନ୍ଧମାଳ: କନ୍ଧମାଳ ଗୋଛାପଡା ପୋଲିସକୁ ସଫଳତା। ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ । ଗୋଛାପଡା ରୁକପଦର ଘାଟିରେ ଦୁଇଟି ପିକଅପ୍ ଭ୍ୟାନରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଥିଲା ପୋଲିସ ।

୧୨୪୮ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଗଞ୍ଜେଇ ମାଫିଆ କାମାଗୁଡ଼଼ି ଗାଁର ଚିତ୍ତରଞ୍ଜନ ବଡ଼ଚାଟ୍ ଗିରଫ ହୋଇଛନ୍ତି। ଗଞ୍ଜେଇ ବୌଦ୍ଧ ଜିଲ୍ଲାକୁ ଚୋରାଚାଲାଣ ହେଉଥିବା ସୂଚନା ମିଳିଛି l ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି l

ଦ୍ରୁତଗତିରେ ତରଳୁଛି ଦକ୍ଷିଣ ମେରୁର ସାମୁଦ୍ରିକ ବରଫ, ଚିନ୍ତାବ୍ୟକ୍ତ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ସଙ୍କଟରେ ଆଣ୍ଟାର୍କଟିକା ମହାସାଗର। ଦ୍ରୁତଗତିରେ ତରଳୁଛି ଦକ୍ଷିଣ ମେରୁର ସାମୁଦ୍ରିକ ବରଫ। ଗତ ଫେବ୍ରୁଆରୀରେ ରେକର୍ଡ ସ୍ତରରେ ବରଫ ତରଳିଛି ବୋଲି କହିଛନ୍ତି ବୈଜ୍ଞାନିକ। ଯାହା ବଡ଼ ଚିନ୍ତାର କାରଣ।

ବୈଜ୍ଞାନିକଙ୍କ କହିବା କଥା ଦକ୍ଷିଣ ମେରୁରେ ଏତେ ବରଫ କେବେବି ତରଳି ନାହିଁ । ଏଭଳି ସ୍ଥିତି ଜାରି ରହିଲେ ଆଗାମୀ କିଛି ବର୍ଷ ମଧ୍ୟରେ ଦକ୍ଷିଣ ମେରୁରେ ଥିବା ଗ୍ଲାସିୟର ଜଳମଗ୍ନ ହୋଇଯିବ । ଗତବର୍ଷ ଫେବ୍ରୁଆରୀରେ ବରଫ ସ୍ତର ୧.୯୨କୁ ଖସିଥିଲା, ଏଥର ଫେବ୍ରୁଆରୀରେ ବରଫର ମାତ୍ରା ଖସି ୧.୭୯ ବର୍ଗ କିମି ରହିଛି । ୧୯୭୯ ମସିହାରେ ସାଟେଲାଇଟ ଚିତ୍ରରୁ କରାଯାଇଥିବା ସମୀକ୍ଷାରୁ ଏହା ସବୁଠୁ କମ୍ ସ୍ତରରେ ରହିଥିଲା।

ଆମେରିକାର ବୈଜ୍ଞାନିକଙ୍କ ଅନୁଯାୟୀ ଏତେ କମ୍ ବରଫ ଦକ୍ଷିଣ ମେରୁରେ କେବେବି ଦେଖାଯାଇନାହିଁ । ବୈଜ୍ଞାନିକ ଏହାକୁ ପ୍ରଦୂଷଣ ଓ ପ୍ରଖର ସୂର୍ଯ୍ୟତାପକୁ ଦାୟୀ କରିଛନ୍ତି । ସମୁଦ୍ର ଉପରେ ବରଫର ମୋଟା ଚାଦର ରହିଥିବାରୁ ଅନେକ ସାମୁଦ୍ରିକ ଝଡ଼ ଏଡାଇଯାଇଥାଏ । ହେଲେ ବରଫ ତରଳୁ ଥିବାରୁ ଆଣ୍ଟାର୍କଟିକା ମହାସାଗରର ଜଳ ସ୍ତର ବଢୁଛି । ଫଳରେ ଉପକୂଳିଆ ଲୋକେ ଅସୁରକ୍ଷିତ ହୋଇପଡ଼ିଛନ୍ତି ।

ଆସନ୍ତା ୪ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର, ୪୦ ଡିଗ୍ରୀ ଛୁଇଁପାରେ ପାରଦ

ଭୁବନେଶ୍ୱର: ତତଲା ତାଓ୍ବାରେ ଭାଜି ହେଉଛି ଓଡ଼ିଶା । ଆଗାମୀ ୪ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାକୁ ଖରାରୁ ନାହିଁ ନିସ୍ତାର । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ବଢିବ ତାପମାତ୍ରା । ଅଧିକାଂଶ ସ୍ଥାନରେ ୩୭ ରୁ ୪୦ ଡିଗ୍ରୀ ଛୁଇଁପାରେ ପାରଦ । ଗତକାଲି ୩୭ଡିଗ୍ରୀ ଉପରେ ରହିଥିଲା ରାଜ୍ୟର ୧୬ସହରର ତାପମାତ୍ରା।

ସେହିପରି ୩୮ ଡିଗ୍ରୀ ଉପରେ ରହିଥିଲା ୫ ସହରର ପାରା । ୩୮. ୮ ଡିଗ୍ରୀ ସହିତ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିବାବେଳେ ରାଜଧାନୀ ଭୁବନେଶ୍ବରରେ ରେକର୍ଡ ହୋଇଥିଲା ୩୮.୪ ଡିଗ୍ରୀ  ତାପମାତ୍ରା । ସେପଟେ ପଶ୍ଚିମା ଝଡ ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାକୁ ମିଳିବ ତ୍ରାହି ।

କାଲିଠୁ ୯ତାରିଖ ପର୍ଯ୍ୟନ୍ତ ଆକାଶ ମେଘୁଆ ରହିବା ସହ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। କାଲି ୭ଟି ଜିଲ୍ଲା ବରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜରେ ବର୍ଷା ସମ୍ଭାବନା ରହିଛି। ସେହିପରି ୮ ତାରିଖରେ ୧୪ ଜିଲ୍ଲା ଏବଂ ୯ ତାରିଖରେ ୭ ଜିଲ୍ଲାକୁ କାଳବୈଶାଖି ସତର୍କତା ଜାରି କରାଯାଇଛି।