ବାଖମୁତରେ ଋଷର କବଜା, ରକ୍ତାକ୍ତ ସଂଘର୍ଷ ପରେ ସଲ୍ଟ ମାଇନିଂ ଟାଉନକୁ ନିଜ ଅକ୍ତିଆରକୁ ନେଇଛି ମସ୍କୋ

କିଭ୍: ୟୁକ୍ରେନର ବାଖମୁତ ସହର ଉପରେ ଋଷର କବଜା । ଲଗାତାର ୟୁକ୍ରେନ ସେନାଠାରୁ ହାର ମାନୁଥିବା ବେଳେ ବାଖମୁତ ସହରରେ ଘମାଘୋଟ ସଂଘର୍ଷ ପରେ ଋଷ ସେନା ଏହି ସହରକୁ ନିଜ ଅଧୀନକୁ ନେଇଛି ବୋଲି ଦାବି କରିଛି । ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଜାରି ରହିଥିବା ବେଳେ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ବପୂର୍ଣ୍ଣ । ବାଖମୁତରେ ଋଷ ସେନା ବିଜୟ ସେଲିବ୍ରେସନ କରିବା ସହ ପତାକା ଓ ବ୍ୟାନର ଧରିଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ବିଜୟ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେନାକୁ ଶୁଭେଚ୍ଛା ଜଣାଇଥିବା ବେଳେ ୟୁକ୍ରେନ ମିଲିଟାରୀ ମୁଖପାତ୍ର ଏହାକୁ ଖଣ୍ଡନ କରିଛନ୍ତି ।

ସଲ୍ଟ ମାଇନିଂ ଟାଉନ ଭାବେ ଜଣାଶୁଣା ବାଖମୁତ ସହରର ଜନସଂଖ୍ୟା ୭୦ ହଜାରରୁ ଅଧିକ । ବାଖମୁତ ସହରକୁ ନିଜ କବଜାକୁ ନେବାକୁ ଯୁଦ୍ଧ ଆରମ୍ଭଠାରୁ ଋଷ ସେନା ପ୍ରୟାସ ଚଳାଇଥିଲା । ବାଖମୁତ ସହରକୁ କବଜା କରିବା ପରେ ଡୋନବାସର ଅନ୍ୟ ପ୍ରାନ୍ତକୁ ଅକ୍ତିଆର କରିବା ଋଷ ପାଇଁ ସହଜ ହେବ ବୋଲି ପୂର୍ବରୁ ୟୁକ୍ରେନ ଆର୍ମିକୁ ଆଲର୍ଟ କରାଇଥିଲେ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।