ମିଶନ ୨୪ ପାଇଁ ଅଣ୍ଟା ଭିଡ଼ିଲେ ବିହାର ମୁଖ୍ୟମନ୍ତ୍ରୀ, ଦିଲ୍ଲୀରେ ନୀତୀଶ-କେଜ୍ରିଓ୍ୱାଲ ଭେଟଘାଟ୍

1 min read

ନୂଆଦିଲ୍ଲୀ: ନୀତୀଶଙ୍କ ମିଶନ-୨୪ । ବିଜେପି ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଣ୍ଟା ଭିଡ଼ିଥିବା ବେଳେ ଆଜି ସେ ଦିଲ୍ଲୀରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିଛନ୍ତି । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଦଳର ନେତା ମନୋଜ ଝା, ଲଲନ ସିଂ ଓ ସଞ୍ଜୟ ଝା ମଧ୍ୟ ନୀତୀଶଙ୍କ ସହ ଦିଲ୍ଲୀରେ ପହଞ୍ଚିଛନ୍ତି । କେଜ୍ରିଓ୍ବାଲଙ୍କ ବାସଭବନରେ ବୈଠକ ବିରୋଧୀ ଏକତା, କେନ୍ଦ୍ରର ଏକଛତ୍ରବାଦୀ ଶାସନ ଆଦି ସମ୍ପର୍କରେ ଆଲୋଚନା ହୋଇଛି । କେନ୍ଦ୍ର ସରକାର ଆଣିଥିବା ନ୍ୟାସନାଲ କ୍ୟାପିଟାଲ ସିଭିଲ ସର୍ଭିସ ଅଥରିଟି ବା ଏନସିସିଏସଏ ଅଧ୍ୟାଦେଶ ବିରୋଧ କରି ସବୁ ବିରୋଧୀ ଦଳ ନେତାଙ୍କୁ ଭେଟିବେ ବୋଲି କହିଥିଲେ କେଜ୍ରିଓ୍ବାଲ । ଦିଲ୍ଲୀରେ ସରକାରୀ ଅଫିସରଙ୍କ ନିଯୁକ୍ତି ଓ ବଦଳି ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସ୍ବତନ୍ତ୍ର ଅଧ୍ୟାଦେଶ ଆଣିଛନ୍ତି କେନ୍ଦ୍ର ସରକାର । ଏହି ଅଧ୍ୟାଦେଶକୁ ବିରୋଧ କରିବା ସହ ସୁପ୍ରିମକୋର୍ଟଙ୍କ ରାୟ ଏହା ବିରୁଦ୍ଧାଚରଣ ବୋଲି ଆମ ଆଦମୀ ପାର୍ଟି କହିଛି ।

ଆଜି ନୀତୀଶ କୁମାରଙ୍କ ସହ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି କେଜ୍ରିଓ୍ବାଲ । ଗତକାଲି କର୍ଣ୍ଣାଟକରେ କଂଗ୍ରେସ ସରକାର ଶପଥ ସମାରୋହରେ ନୀତୀଶ କୁମାର ସାମିଲ ହେବା ପରେ ଦିଲ୍ଲୀରେ ପହଞ୍ଚିଥିଲେ । ଗତ ସପ୍ତାହରେ ଦିଲ୍ଲୀରେ କେଜ୍ରିଓ୍ବାଲଙ୍କୁ ଭେଟିଥିଲେ ଶିବସେନା ଉଦ୍ଧବଗୋଷ୍ଠୀର ନେତା ଆଦିତ୍ୟ ଠାକରେ । ଦେଶରେ ରାଜନୈତିକ ସ୍ଥିତିକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଥିଲେ ଆଦିତ୍ୟ ।