spot_img
Home Blog Page 3338

ଯକ୍ଷ୍ମା ନିରାକରଣରେ ଓଡ଼ିଶାକୁ ବଡ଼ ସଫଳତା, ସାରା ଦେଶରେ ଦ୍ବିତୀୟ

ଭୁବନେଶ୍ବର: ଯକ୍ଷ୍ମା ବା ଟିବି ନିରାକରଣରେ ଓଡ଼ିଶାକୁ ବଡ଼ ସଫଳତା । ଯକ୍ଷ୍ମା ରୋଗ ନିରାକରଣରେ ସାରା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି ଓଡ଼ିଶା । ଦେଶର ପ୍ରମୁଖ ରାଜ୍ୟକୁ ପଛରେ ପକାଇଛି ଓଡ଼ଶା । ଏନେଇ ଇଣ୍ଡିଆ ଟିବି ରିପୋର୍ଟ ୨୦୨୩ରେ ପ୍ରକାଶ ପାଇଛି ।

କିଛିଦିନ ତଳେ ଟିବି ଦିବସରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଥିଲେ ଓଡ଼ିଶା ଟିବି ଭଳି ମାରାତ୍ମକ ସଂକ୍ରମଣ ରୋଗକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି । ଲଗାତାର କିଛି ବର୍ଷ ହେବ ଯକ୍ଷ୍ମା ନିୟନ୍ତ୍ରଣରେ ସମଗ୍ର ଦେଶରେ ଓଡ଼ିଶା ସଫଳତା ହାସଲ କରି ଚାଲିଛି । ପୂର୍ବରୁ ମଧ୍ୟ ଓଡ଼ିଶା ଦ୍ବିତୀୟ ଓ ତୃତୀରେ ରହିଥିଲା । ୨୦୨୫ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ଯକ୍ଷ୍ମା ମୁକ୍ତ କରିବାକୁ ରାଜ୍ୟ ସରକାର ଦୃଢ ପଦକ୍ଷେପ ନେଉଛନ୍ତି ।

୧୫ ବର୍ଷ ଚୋର-ପୋଲିସ ଖେଳ: ଗୋଟିଏ ଟାଟୁ ପୁଣି ପଠାଇ ଦେଲା ଜେଲ୍

ମୁମ୍ବାଇ: ୧୫ ବର୍ଷର ଚୋର-ପୋଲିସ ଖେଳର ଅନ୍ତ । ୧୫ ବର୍ଷ ହେଲା ଭୂଆଁ ବୁଲାଉଥିବା ଅଭିଯୁକ୍ତକୁ ଶେଷରେ କାବୁ କଲା ପୋଲିସ । ଏପରିକି ପୋଲିସ ଇନଫର୍ମର ତାକୁ ମୃତ ବୋଲି କହି ଦେଇଥିଲେ । ହେଲେ ଗୋଟିଏ ସୁରାକ, ପୋଲିସକୁ ପହଞ୍ଚାଇ ଦେଇଥିଲା ୬୩ ବର୍ଷିୟ ଅଭିଯୁକ୍ତ ପାଖରେ । ପୋଲିସକୁ ଦେଖିବା ପରେ ପ୍ରଥମେ ସେ ନିଜ ଅପରାଧ ମାନି ନଥିଲା । ହେଲେ ହାତରେ ଥିବା ଟାଟୁ କାରଣରୁ ତାକୁ ନିଜ ଅପରାଧ ମାନିବାକୁ ପଡ଼ିଥିଲା ।

ସୂଚନା ଅନୁସାରେ, ୨୦୦୮ରେ ବମ୍ବେ ପୋର୍ଟ ଟ୍ରଷ୍ଟ ଅଞ୍ଚଳରୁ ଅର୍ମୁଗମ ଦେବେନ୍ଦ୍ର ଜଣେ ସାଥୀ ସହ ତେଲ ଚୋରି ଅଭିଯୋଗରେ ଗିରଫ ହୋଇଥିଲା ।  ଏହି ମାମଲାରେ ଦେବେନ୍ଦ୍ରଙ୍କୁ ଜାମିନ ମିଳି ଯାଇଥିଲା । ପୋଲିସ ଚାର୍ଜସିଟ ଦାଖଲ କରିବା ପରେ ଦେବେନ୍ଦ୍ରଙ୍କ ଜାମିନ ରଦ୍ଦ ହୋଇଯାଇଥିଲା । ହେଲେ ସେ ଥାନାରେ ହାଜିର ହୋଇ ନଥିଲା । ଏହାପରେ କୋର୍ଟ ତାକୁ ପଳାତକ ଘୋଷଣା କରିଥିଲେ । ପୋଲିସ ତା’ ଘରକୁ ଯେତେ ଥର ଯାଇଛି, ସେଠାରେ କେବଳ ତା’ ପତ୍ନୀଙ୍କୁ ଦେଖିବାକୁ ପାଇଥିଲା । ହେଲେ ତାକୁ କେବେ ପାଇ ନଥିଲେ । ତେବେ ଦେବେନ୍ଦ୍ର ଗିରଫ ହେବା ବେଳେ ତା’ ହାତରେ ଥିବା ଏକ ଟାଟୁର ଫଟୋ ପୋଲିସ ରଖିଥିଲା । ଯାହାକୁ ଆଧାର କରି ପୋଲିସ ତା’ର ସନ୍ଧାନ ଚଳାଇଥିଲା । ଏହି ଟାଟୁ ବାଦ, ତା’ ସମ୍ପର୍କରେ ଆଉ କୌଣସି ସୂଚନା ପୋଲିସ ପାଖରେ ନଥିଲା ।

ପୁଅର ସୂଚନା ମିଳିବା ପରେ ପୋଲିସ ପାଇଲା ସୁରାକ

ଏହା ମଧ୍ୟରେ ୧୫ ବର୍ଷ ବିତି ଯାଇଥିଲେ ବି ପୋଲିସ ଦେବେନ୍ଦ୍ରର ସନ୍ଧାନ ଜାରି ରଖିଥିଲା । ପୋଲିସର କିଛି ଗୁପ୍ତଚର ତାକୁ ମୃତ ବୋଲି ମଧ୍ୟ କହି ଦେଇଥିଲେ । ହେଲେ, ପୋଲିସ ଫାଇଲ ବନ୍ଦ କରିନଥିଲା ।  ଏହା ମଧ୍ୟରେ ଦେବେନ୍ଦ୍ରର ପୁଅ ସୂଚନା ପାଇଥିଲା ପୋଲିସ । ପୁଅର ମୋବାଇଲ ନମ୍ବର ଯାଞ୍ଚରୁ କିଛି ନିର୍ଦ୍ଦିଷ୍ଟ ନମ୍ବର  ଉପରେ ସନ୍ଦେହ ହୋଇଥିଲା । ଏହା ଭିତରରୁ ଏକ ନମ୍ବରର ଲୋକେସନ୍ ମୁମ୍ବାଇର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ଥିଲା । ଯାହା ପୋଲିସ ମନରେ ସନ୍ଦେହ ସୃଷ୍ଟି କରିଥିଲା । ଦେବେନ୍ଦ୍ର କୌଣସି ଟ୍ୟୁରିଷ୍ଟ ବସରେ ଥିବା ପୋଲିସ ସନ୍ଦେହ କରିଥିଲା । ଉକ୍ତ ବ୍ୟକ୍ତିଙ୍କ ହ୍ବାଟ୍ସଆପ ଷ୍ଟାଟସରୁ ମୁମ୍ବାଇ ଦର୍ଶନ ଲୋଗ ଲାଗିଥିବା ଏକ ଟ୍ରାନ୍ସପୋର୍ଟ କମ୍ପାନୀର ସୂଚନା ପାଇଥିଲା ପୋଲିସ ।

ଏହାପରେ ଗ୍ରାହକ ସାଜି ପୋଲିସର ଜଣେ ବ୍ୟକ୍ତି ମୁମ୍ବାଇ ଦର୍ଶନ ଅଫିସରେ ପହଞ୍ଚି ଥିଲା । ସେଠାରେ ମୁମ୍ବାଇ ଦର୍ଶନ ପାଇଁ ଏକ ବସ୍ ଯୋଗାଇ ଦେବାକୁ କହିଥିଲା । ଏହାରି ମଧ୍ୟରେ ଛଦ୍ମବେଶରେ ଥିବା ପୋଲିସ ଅଫିସର ଜଣଙ୍କ ଉକ୍ତ ଅଫିସରେ ଦେବେନ୍ଦ୍ରକୁ ଦେଖିଥିଲେ ।  ସେହିଠାରେ ତାକୁ ଗିରଫ କରିନିଆଯାଇଥିଲା । ସେ ନିଜ ପରିଚୟ ଲୁଚାଇବାକୁ ବହୁ ଚେଷ୍ଟା କରିଥିଲା । ହେଲେ ପୋଲିସ ପାଖରେ ଥିବା ତା’ର ଟାଟୁ ଫୋଟ ଦେଖିବା ପରେ ସବୁ ସତ ମାନିଯାଇଥିଲା ।

କଟକରେ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ୍, ଉନ୍ନୟନ କାମର କରୁଛନ୍ତି ସମୀକ୍ଷା

କଟକ: ଶୀଘ୍ର ସରିବ କଟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟକ୍ରମ । କଟକ ଯାଇ ଗ୍ରାଉଣ୍ଡ ଜିରୋରେ ଟର୍ମିନାଲ ନିର୍ମାଣର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ । ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ବସ ଟର୍ମିନାଲର ଅଗ୍ରଗତି ସମ୍ପର୍କରେ କରିଛନ୍ତି ଅନୁଧ୍ୟାନ । ଏଣ୍ଟ୍ରି ଓ ଏଗଜିଟ ପଏଣ୍ଟ ବୁଲି ଦେଖିବା ସହ ଅଫିସ, ଦୋକାନ ଗୃହ ଓ ଯାତ୍ରୀଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଗୁଣାବତ୍ତାକୁ ଧ୍ୟାନ ଦେଇ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ-ଟି ସଚିବ ।

ବସଷ୍ଟାଣ୍ଡର ୯୦ ପ୍ରତିଶତ ନିର୍ମାଣ ଶେଷ ହୋଇଥିବାବେଳେ ଆଉ ଅଳ୍ପ କିଛି କାମ ବାକି ରହିଛି । ଆସନ୍ତା ମେ ମାସରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ୧୫ ଏକର ଜମିରେ ପାଖପାଖି ୬୫ କୋଟି ଟଙ୍କାରେ ବସ ଟର୍ମିନାଲର ନିର୍ମାଣ ଜାରି ରହିଛି । ୨୦୨୧ ଜୁନ ମାସରେ କୋଭିଡ କଟକଣା ଭିତରେ କାମ ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ ତତ୍ପରତା ପାଇଁ ଦୃତ ଗତିରେ ନିର୍ମାଣ କାମ କରାଯାଇଥିଲା ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଟର୍ମିନାଲ ହେବ ରାଜ୍ୟର ପ୍ରଥମ ମଡେଲ ବସ୍ ଟର୍ମିନାଲ । ଗୋଟିଏ ସ୍ଥାନରେ ଯାତ୍ରୀମାନଙ୍କୁ ରେଳ ଷ୍ଟେସନ ଓ ବିମାନ ବନ୍ଦର ଭଳି ସେବା ମିଳିପାରିବ । ପ୍ରାୟ ୨୦୦ଟି ବସ୍ ଏକା ସାଙ୍ଗରେ ରହିବା ସହ ବସ୍ ଏଣ୍ଟ୍ରି ଓ ଏକଜିଟ ପାଇଁ ଅଲଗା ରାସ୍ତା ରହିଛି । ଡ୍ରାଇଭରଙ୍କ ପାଇଁ ରେଷ୍ଟରୁମ, ମହିଳା ଓ ପୁରୁଷ ଯାତ୍ରୀଙ୍କ ପାଇଁ ଡର୍ମିଟୋରୀ ରହିଛି । ସୂଚନା କେନ୍ଦ୍ରରେ ଯାତ୍ରୀମାନେ ବସର ସମୟ, ସିଟ୍, କ୍ଷମତା, ଦୂରତାର ସମସ୍ତ ସୂଚନା ପାଇ ପାରିବେ । ସୁରକ୍ଷା ପାଇଁ ସିସିଟିଭି ସହ ପୋଲିସ୍ ଆଉଟ ପୋଷ୍ଟରେ ୨୪ ଘଣ୍ଟିଆ ପ୍ରହରା ରହିବ । ଅତ୍ୟାଧୁନିକ ବସ୍ ଟର୍ମିନାଲରେ ସମୁଦାୟ ୩୩ଟି ରୁମ୍ ରହିଛି । ଗ୍ରାଉଣ୍ଡ ଫ୍ଲୋରରେ ୩୦ଟି ଦୋକାନ ଘର ଥିବା ବେଳେ, ଫାଷ୍ଟ ଓ ସେକେଣ୍ଡ ଫ୍ଲୋରରେ ସପିଂ ମଲ ପାଇଁ ଅଛି ବଡ଼ ବଡ଼ କର୍ମସିଆଲ ରୁମ ।

ଚଣ୍ଡୀ ମନ୍ଦିରରେ ଫାଇଫ-ଟି ସଚିବ

ବସ ଟର୍ମିନାଲର ସମୀକ୍ଷା ପରେ କଟକ ଚଣ୍ଡୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିଥିଲେ ଫାଇଭ-ଟି ସଚିବ । ପୂଜାର୍ଚ୍ଚନା କରିବା ପରେ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ବରିଷ୍ଠ ଅଧିକାରୀ ଓ ଉନ୍ନତିକରଣ ଦାୟିତ୍ବରେ ଥିବା ଅଧିକାରୀଙ୍କ ସହିତ ଫାଇଭ-ଟି ସଚିବ ଆଲୋଚନା କରିଥିଲେ । ନକ୍ସା ଦେଖି ମନ୍ଦିରର ସୌନ୍ଦର୍ଯ୍ୟକରଣର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ପରେ ମନ୍ଦିରର ଚାରିପାଖର ଉନ୍ନତିକରଣ ବୁଲି ଦେଖିବା ସହ ଆସନ୍ତା ନଭେମ୍ବର ମାସ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୭୦ କୋଟି ଟଙ୍କାରେ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ମନ୍ଦିର ମଧ୍ୟରେ ଓ ଚାରିପାଖରେ ସୁନ୍ଦର ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯାଉଛି । ମନ୍ଦିର ଚତୁଃପାର୍ଶ୍ବରେ ପଥର ପାଚେରି ସହିତ ଚାରି ଦିଗରେ ନିର୍ମାଣ କରାଯାଉଛି ଚାରୋଟି ଦ୍ବାର । ନୂଆ ଜଗମୋହନ, ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ, ମୁଣ୍ଡନ ମଣ୍ଡପ, ହନୁମାନ ମନ୍ଦିର ଏବଂ ନୂଆ ରୋଷଘର ନିର୍ମାଣ ଚାଲିଛି । ମନ୍ଦିର ପରିସରକୁ ଖୋଣ୍ଡାଲାଇଟ ପଥରରେ ବିଛାଯାଉଛି । ଆଲୋକୀକରଣ ସହ ସରୁକ୍ଷାକୁ ଦୃଷ୍ଟିରେ ରଖି CCTV ଲଗାଯିବା ପ୍ରକ୍ରିଆ ଆରମ୍ଭ ହୋଇଛି । ଯାତ୍ରୀଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ କଣ୍ଟ୍ରୋଲ ରୁମ୍, ପ୍ରସାଦ ସେବନ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ବ୍ୟାଖ୍ୟାନ କେନ୍ଦ୍ର ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି । ଏହାସହ ଯାତ୍ରୀ ନିବାସ, ବିସ୍ଥାପିତ ଦୋକାନୀଙ୍କ ପାଇଁ ଦୋକାନ, ମନ୍ଦିର ପରିସରରେ ସେବାୟତଙ୍କ ପାଇଁ ବିଶ୍ରାମ ଗୃହ, ଅଫିସ ଗୃହ ଆଦି ନିର୍ମାଣ ହେଉଛି । ପାର୍କିଂ ସହିତ ଖୋଲା ସ୍ଥାନର ମଧ୍ୟ ବିକାଶ କରାଯିବ । ଚଣ୍ଡୀ ମନ୍ଦିର ପାଖ ବାଟ ମଙ୍ଗଳା ମନ୍ଦିରର ମଧ୍ୟ ପୁନଃନିର୍ମାଣ କାର୍ଯ୍ୟକରାଯାଉଛି ।

ତାଳଦଣ୍ଡାର ସୌନ୍ଦର୍ଯ୍ୟକରଣ କାମ ପରଖିଲେ

ଚଣ୍ଡୀ ମନ୍ଦିରରୁ ତାଳଦଣ୍ଡା କେନାଲ ରାଣୀହାଟ ପୋଲ ନିକଟରେ ଓଡ଼ିଶାର ପ୍ରଥମ କ୍ଲକ ଟାଓ୍ବାରକୁ ଯାଇଥିଲେ ଫାଇଭ-ଟି ସଚିବ । ୬୦ ଫୁଟ ଉଚ୍ଚତାର ଏହି ଟାଓ୍ବାରଟି ୬୫ ଲକ୍ଷ ଟଙ୍କା ବ୍ୟୟରେ ଲଣ୍ଡନର ବିଗବେନ କ୍ଲକ ଟାଓ୍ବାର ଢାଞ୍ଚାରେ ନିର୍ମିତ । ଯାହାର ଚାରିପାଖରେ ରହିଛି ୪ଟି ଘଣ୍ଟା । ଏହାର ନିର୍ମାଣ ସରିଥିବାବେଳେ ଶୀଘ୍ର ଉଦଘାଟିତ ହେବ । ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ଯୋବ୍ରାରୁ ମାତୃଭବନ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ କାମ ଶେଷ ହୋଇଛି । ଏବେ ଦ୍ବିତୀୟ ପର୍ଯ୍ୟାୟରେ ନୂଆବଜାର ପର୍ଯ୍ୟନ୍ତ ଚାଲିଥିବା ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଫାଇଭ-ଟି ସଚିବ ।

କୋଭିଡ-୧୯ ପାଇଁ ଆସିବ ନୂଆ ଗାଇଡଲାଇନ

ଭୁବନେଶ୍ୱର: ବଢ଼ୁଛି କରୋନା ଗ୍ରାଫ୍‌ । କୋଭିଡ-୧୯ ପାଇଁ ଆସିବ ନୂଆ ଗାଇଡଲାଇନ । ଦେଶ ଓ ରାଜ୍ୟରେ କୋଭିଡ ସ୍ଥିତି ବଢ଼ିଥିବାରୁ ଅଧିକ ତତ୍ପରତା ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ । ସୋମବାର କରୋନା ପାଇଁ ବସିବ ଉଚ୍ଚସ୍ତରୀୟ ବୈଠକ । ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନ ୪ଟାରେ ବୈଠକ ବସିବ । ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଯୋଗଦେବେ । ହଠାତ କରୋନା ଗ୍ରାଫ ବୃଦ୍ଧିକୁ ନେଇ ସତର୍କ ହୋଇଛି ସ୍ବାସ୍ଥ୍ୟ ବିଭାଗ । ବିଭିନ୍ନ ରାଜ୍ୟରେ କରୋନାର ସ୍ଥିତି ଓ ମୁକାବିଲା ପ୍ଲାନକୁ ନେଇ ଆଲୋଚନା ହେବ ।

ଏପଟେ ଓଡ଼ିଶାରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ସର୍ଭେଲାନ୍ସ, ଟ୍ରାକିଂ ଓ ଟେଷ୍ଟିଂକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ପ୍ରସ୍ତୁତ ରହିଛି । ଲୋକମାନେ ଭୟଭୀତ ନହୋଇ ସତର୍କ ରହିବାକୁ କୁହାଯାଇଛି । ସେପଟେ ଦେଶରେ ଗତ ୨୪ ଘଣ୍ଟାରେ ୧୫୯୦ ମାମଲା ସାମ୍ନାକୁ ଆସିଥିବେବେଳେ ଗତ ୧୪୬ ଦିନ ଭିତରେ ସର୍ବାଧିକ ବୋଲି ରେକର୍ଡ କରାଯାଇଛି ।

 

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପ୍ରସଙ୍ଗ, ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗ । ଦେଶର ବିଭିନ୍ନ ଭାଗରେ ଚାଲିଛି ପ୍ରତିବାଦ ଆନ୍ଦୋଳନ । ଗଣତନ୍ତ୍ରର ସୁରକ୍ଷା ଲାଗି କଂଗ୍ରେସ ପକ୍ଷରୁ ଜାରି ରହିଛି ବିକ୍ଷୋଭ । ରାହୁଲଙ୍କ ସଂସଦୀୟ କ୍ଷେତ୍ର ୱାୟାନାଡ୍ ସମେତ ଭୋପାଳ ଓ ଅନ୍ୟାନ୍ୟ ସ୍ଥାନରେ କର୍ମୀ ଜୋରଦାର ବିକ୍ଷୋଭ କରିଛନ୍ତି । ଦିଲ୍ଲୀରେ ଶହ ଶହ କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଓ୍ୱାୟାନାଡରେ କର୍ମୀମାନେ ବିକ୍ଷୋଭ କରିବା ସହ ରେଳରୋକ କରିଛନ୍ତି । ତେଣେ ସଦସ୍ୟତା ରଦ୍ଦ ନିଷ୍ପତ୍ତି ପ୍ରତିବାଦରେ ସୁପ୍ରିମକୋର୍ଟରେ ଦାୟର ହେଲା ଜନସ୍ବାର୍ଥ ମାମଲା ।

୧୯୫୧ ଜନପ୍ରତିନିଧି ଆଇନ ଅନୁସାରେ ଜଣେ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗର ବିଭିନ୍ନ ଦିଗ ତର୍ଜମା ଲାଗି ପିଟିସନରେ ଦର୍ଶାଯାଇଛି । କେରଳର ସାମାଜିକ କର୍ମୀ ଆଭା ମୁରଲୀଧରନଙ୍କ ପକ୍ଷରୁ ଏହି ପିଟିସନ ଦାୟର ହୋଇଛି । ଏହି ଧରଣର ପଦକ୍ଷେପ ଦ୍ବାରା ଦେଶରେ ନିର୍ବାଚନ ବ୍ୟବସ୍ଥା ବିଗିଡ଼ିବା ସହ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ବୋଲି ଦର୍ଶାଯାଇଛି । ସମ୍ବିଧାନର ଧାରା ୧୯(୧)ର ’କ’ ଧାରା ଅନୁସାରେ ଜଣେ ସାଂସଦ ଯେପରି ନିଜର ଅଧିକାର ସାବ୍ୟସ୍ତ କରିପାରିବେ ସେଥିଲାଗି ବ୍ୟବସ୍ଥା ରହିଥିବାବେଳେ ସଭ୍ୟପଦ ରଦ୍ଦ ସଂକ୍ରାନ୍ତ ନିଷ୍ପତ୍ତି ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ପିଟିସନରେ ଦର୍ଶାଯାଇଛି ।

ନୂଆପଡ଼ାରେ ବାଘ ଆତଙ୍କ, ପୁଣି ଗାଈ ଶିକାର କଲା କଲରା ପତରିଆ

ନୂଆପଡ଼ା: ପୁଣି ଗାଈ ଶିକାର କଲା ବାଘ । ନୂଆପଡ଼ା ସଦର ରେଞ୍ଜ ମୂଷରିଙ୍ଗ ପ୍ରସ୍ତାବିତ ଜଙ୍ଗଲକୁ ଲାଗି ରହିଥିବା ମହୁଲଭଟ୍ଟା ଗାଁର ହୋମନ୍ ନାୟକଙ୍କ ଗାଈକୁ ଆଜି ସକାଳୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି । ଏହା ପୂର୍ବରୁ ବୁଧବାର ଜଳଡେହି ଗାଁରେ ବାଛୁରୀକୁ ବାଘ ମାରି ଖାଇଥିଲା ।

ବନବିଭାଗ ସେହି ସ୍ଥାନରେ ୬ଟି ଟ୍ରlପ କ୍ୟାମେରା ଲଗାଇ ବାଘର ଗତିବିଧି ଅନୁଧ୍ୟାନ କରିଥିଲା । କ୍ୟାମେରାରେ କଲରା ପତରିଆ ବାଘର ଚିତ୍ର ଆସିବା ସହ ଡୋକ୍ରା ଗାଁ ନିକଟରେ କଲରା ପତରିଆ ବାଘର ପାଦ ଚିହ୍ନ ଠାବ ହୋଇଥିଲା । ଅଞ୍ଚଳରେ ବାଘ ବୁଲୁଥିବାରୁ ଲୋକଙ୍କୁ ସଚେତନ କରିଛି ବନ ବିଭାଗ ।

ଆକ୍ସନ ମୋଡ଼ରେ ବଲାଙ୍ଗୀର ପୋଲିସ, ଜାଲ୍ ସାର୍ଟିଫିକେଟ ଦେଇ ଚାକିରି ଆବେଦନ ମାମଲାରେ ୨୦ ଅଟକ

ବଲାଙ୍ଗୀର: ବଲାଙ୍ଗୀର ପୋଷ୍ଟ ଅଫିସରେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି ପାଇଁ ଆବେଦନ ମାମଲା I ଗୁମର ଖୋଲିଲା ବଲାଙ୍ଗୀର ଟାଉନ ଥାନା ପୋଲିସ । ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ୟୁନିଭର୍ସିଟି ନାଁରେ ମାଳମାଳ ଜାଲ ସାର୍ଟିଫିକେଟ ଜବତ I ଜାଲ୍‌ ସାର୍ଟିଫିକେଟ ସିଣ୍ଡିକେଟର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସହ ୨୦ ଜଣଙ୍କୁ ଅଟକ ରଖିଛି ପୋଲିସ I ବଲାଙ୍ଗୀର କଲେଜ ଛକରେ ଥିବା ଏକ କୋଚିଂ ସେଣ୍ଟରରେ ପୋଲିସର ଚଢ଼ାଉ ଜାରି ରହିଛି । ଏଠି ତିଆରି ହେଉଥିଲା ଜାଲ ସାର୍ଟିଫିକେଟ । ଜିଲ୍ଲା ଶିକ୍ଷାଧିକାରୀ ଓ ତହସିଲଦାରଙ୍କ ସହ ବରିଷ୍ଠ ଅଧିକାରୀଙ୍କ ସିଲ୍‌ ଜବତ I ଲାପଟପ୍, କମ୍ପ୍ୟୁଟର ଓ ପ୍ରିଣ୍ଟର ସହ ବହୁ ଗୁରୁତ୍ୱପୂର୍ଣ୍ଣ ସମାଗ୍ରୀ ଜବତ ହୋଇଛି I

ଗ୍ରାମୀଣ ଡାକ ସେବା ପଦବୀ ପାଇଁ ଆବେଦନ ବେଳେ ମାଳମାଳ ଜାଲ ସାର୍ଟିଫିକେଟ ଧରାପଡ଼ିଥିଲା I ଡାକ ବିଭାଗର ଯାଞ୍ଚ ବେଳେ ଧରାପଡ଼ିଛି ୩୭ରୁ ଅଧିକ ଜାଲ୍‌ ସାର୍ଟିଫିକେଟ I ପୋଷ୍ଟାଲ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି I ୟୁପିରୁ ସାର୍ଟିଫିକେଟ ଇସ୍ୟୁ ହୋଇଥିବା କହି ବଲାଙ୍ଗୀରରେ ଏହି ନକଲି ସାର୍ଟିଫିକେଟ ତିଆରି ହେଉଥିବା ଜଣାପଡିଛି I ଏବେ ବି ଚଢ଼ାଉ ଜାରି ରହିଛି ।

ମୋଦିଙ୍କ ଆଖିରେ ଡର ଦେଖିଛି, ମୁଁ କ୍ଷମା ମାଗିବି ନାହିଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ସାଂସଦ ପଦ ରଦ୍ଦ ପରେ ରାହୁଲ ଗାନ୍ଧୀଙ୍କ ପ୍ରେସମିଟ୍‌ । ଆଦାନୀ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବନ୍ଧୁତା ବେସ୍ ପୁରୁଣା । ମୁଁ ପ୍ରମାଣ ସହ ଲୋକସଭାରେ ଏହି କଥା ରଖିଥିଲି । ଏୟାରପୋର୍ଟ୍ ଆଦାନୀଙ୍କୁ ନିୟମ ବଦଳାଇ ଦିଆଯାଇଥିଲା। ଏହି ବାବଦରେ ମୁଁ ପ୍ରମାଣ ମଧ୍ୟ ଲୋକସଭା ବାଚସ୍ପତିଙ୍କୁ ଦେଇଥିଲି । ଏହାପରେ ସଂସଦରେ ମୋ ବାବଦରେ ମନ୍ତ୍ରୀମାନେ ମିଛ କହିଥିଲେ । କୁହାଯାଇଥିଲା ଯେ, ମୁଁ ବିଦେଶୀ ମାଟିରେ ବିଦେଶୀ ଦେଶଙ୍କଠାରୁ ସାହାଯ୍ଯ ମାଗିଥିଲି । ମୁଁ ଏ ବାବଦରେ ବାଚସ୍ପତିଙ୍କୁ ପତ୍ର ଲେଖିଥିଲି । ମୁଁ ଲେଖିଥିଲି ଯେ, ଜଣକ ବିଷୟରେ ଯେତେବେଳେ ଆରୋପ ଲଗାଯାଏ ସେତେବେଳେ ତାଙ୍କୁ କହିବାର ସୁଯୋଗ ଦେବା ଆବଶ୍ୟକ । ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ ମୋତେ ଉତ୍ତର ମିଳିନଥିଲା । ଏହାପରେ ମୁଁ ବାଚସ୍ପତିଙ୍କ ଅଫିସ ଯାଇ ତାଙ୍କୁ ଦେଖା କରିଥିଲି । ମୁଁ ତାଙ୍କୁ ପଚାରିଥିଲି ଯେ, ମୋତେ କହିବା ପାଇଁ ସୁଯୋଗ କାହିଁକି ମିଳୁନାହିଁ। ଉତ୍ତରରେ ସ୍ପିକର ହସିଥିଲେ ଓ କହିଥିଲେ ମୁଁ ସୁଯୋଗ ଦେଇ ପାରିବି ନାହିଁ। ତା ପରେ ଯାହା ହୋଇଥିଲା ଆପଣମାନେ ଜାଣିଛନ୍ତି । ମୁଁ କିନ୍ତୁ ପ୍ରଶ୍ନ ପଚାରିବା ଜାରି ରଖିବି । ୨୦ ହଜାର କୋଟି ଟଙ୍କା ଆଦାନୀଙ୍କ ସେଲ୍ କମ୍ପାନୀରେ ଅଛି। ଏହି ଟଙ୍କା କେଉଁଠୁ ଆସିଲା ଓ ଏହା କାହାର ଟଙ୍କା । ଜଣେ ଚାଇନା ବ୍ୟକ୍ତି ଏଥିରେ ସାମିଲ ଅଛନ୍ତି। କ’ଣ ପାଇଁ କେହି ସେହି ଚୀନ ବ୍ୟକ୍ତି କିଏ କାହିଁକି କିଛି କୁହାଯାଉନାହିଁ ବୋଲି ପ୍ରେସମିଟରେ କହିଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି କି ମୁଁ ଭାରତର ଗଣତନ୍ତ୍ର ପାଇଁ ଲଢ଼ୁଛି । ମୋତେ ଧମକାଇ ଚୁପ୍ କରାଯାଇ ପାରିବ ନାହିଁ । ଆଦାନୀଙ୍କର ଅନେକ ନକଲି କମ୍ପାନୀ ଅଛି । ସଂସଦରେ ମୋ ଭାଷଣକୁ ହଟାଯାଇଛି । ମୁଁ କାହାକୁ ଡରୁନାହିଁ । ସେମାନେ ସମସ୍ତଙ୍କୁ ଡରାଇ ରଖିଛନ୍ତି କିନ୍ତୁ ମୋତେ ଡରାଇ ପାରିବେ ନାହିଁ । ଆଦାନୀ ଓ ମୋଦିଙ୍କ ମଧ୍ୟରେ ଗଭୀର ସହଯୋଗୀତା ରହିଛି ବୋଲି କହିଛନ୍ତି ରାହୁଲ ।

ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି, ମୁଁ ଲୋକଙ୍କ ମଧ୍ୟରେ ସାଢ଼େ ୪ ମାସ ରହିବି । ଏହା ମୋ କାମ ଓ ମୁଁ କରିବି । ଆଗରୁ ରାଜନୈତିକ ଦଳଙ୍କୁ ଯେଉଁ ସହଯୋଗ ମିଡିଆ ଓ ଅନୁଷ୍ଠାନରୁ ମିଳୁଥିଲା ଏବେ ତାହା ମିଳୁନି । ତେଣୁ କେବଳ ଲୋକଙ୍କ ଭିତରକୁ ଯିବାକୁ ପଡ଼ିବ । ସେହିପରି ଓବିସିଙ୍କୁ ଅପମାନ ପ୍ରସଙ୍ଗରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ବିଜେପି ଧ୍ୟାନ ହଟାଇବାକୁ ଏମିତି କହୁଛି । ମୁଁ ସବୁ ବର୍ଗଙ୍କୁ ସମ୍ମାନ ଦିଏ । ତେବେ ଏଠାରେ ପ୍ରଶ୍ନ ହେଉଛି ୨୦ ହଜାର କୋଟି କାହାର । ଆଉ ସେହି ଟଙ୍କା ଆଦାନୀଙ୍କର ନୁହେଁ । ମୋତେ ମାରନ୍ତୁ, ପିଟନ୍ତୁ। ଜେଲରେ ରଖନ୍ତୁ। ମୁଁ ପ୍ରଶ୍ନ କରିବି। ସତ୍ୟ କହିବି । ଏହି ଦେଶ ମୋତେ ସବୁକିଛି ଦେଇଛି । ତେଣୁ ମୁଁ ଏହା କରୁଛି ।

ବିଜେପି ନେତାଙ୍କ କାମ ହେଉଛି ମୋତେ ଆକ୍ରମଣ କରିବା । ସେମାନେ ନରେନ୍ଦ୍ର ମୋଦିଙ୍କୁ ଡରନ୍ତି । ବିଜେପି ନେତା ସବୁ ଜାଣିଛନ୍ତି କିନ୍ତୁ ମୋଦିଙ୍କୁ ଡରୁଛନ୍ତି। ମୋଦି କହିଲେ ଧ୍ୟାନ ହଟାଅ ତେଣୁ ସେମାନେ ଏମିତି କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋର ଆଗାମୀ ଭାଷଣକୁ ନେଇ ଭୟଭୀତ ଥିଲେ । ମୁଁ ତାଙ୍କ ଆଖି ଦେଖିଛି । ସେ ଭୟଭୀତ ଥିଲେ ଯେ, ଆଗାମୀ ଭାଷଣରେ ଆଦାନୀଙ୍କ ବାବଦରେ କ’ଣ କହିବି। ତେଣୁ ମୋ ସଦସ୍ୟତା ରଦ୍ଦ କରାଯାଇଛି । ମୋତେ ସଦସ୍ୟତା ମିଳୁ କି ନ ମିଳୁ ମୁଁ ମୋ କାମ କରିବି। ମୋତେ ସେମାନେ ସ୍ଥାୟୀ ଭାବେ ଏକ୍ସପେଲ କରିଦେଲେ ମଧ୍ୟ ମୁଁ ମୋ କାମ କରିବି। ମୋତେ ପୁଣି ସଦସ୍ୟତା ମିଳିଲେ ମଧ୍ୟ ମୁଁ ମୋ କାମ କରିବି । ଜନତା ଜାଣିଛନ୍ତି ଆଦାନୀ ଭ୍ରଷ୍ଟ। ଲୋକ ଏବେ ଜାଣିବାକୁ ଚାହୁଁଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜଣେ ଭ୍ରଷ୍ଟ ବ୍ୟକ୍ତିଙ୍କୁ କାହିଁକି ବଂଚାଇବାକୁ ଚାହୁଁଛନ୍ତି । ରାହୁଲ ଗାନ୍ଧୀଙ୍କୁ ଅନେକ ବିରୋଧୀ ଦଳ ସମର୍ଥନ କରିଛନ୍ତି ଏହି ପ୍ରସଙ୍ଗରେ ସେ କହିଛନ୍ତି କି ମୁଁ ବିରୋଧୀ ଦଳଙ୍କ ପ୍ରତି କୃତଜ୍ଞ । ଆମେ ମିଶିକରି କାମ କରିବୁ ।

ମୁଁ ସଂସଦରେ ରୁହେ କି ନ ରୁହେ ମୋତେ ଫରକ ପଡେନି । ମୁଁ କ୍ଷମା ମାଗିବି ନାହିଁ । ମୁଁ ସାବରକର ନୁହେଁ । ମୁଁ ଗାନ୍ଧୀ । ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ । ମୋତେ ସବୁଦିନ ପାଇଁ ଅଯୋଗ୍ୟ ଘୋଷଣା କରିଦିଅନ୍ତୁ । କିନ୍ତୁ ମୁଁ ଯାହା କହୁଛି ତାହା କହିବି। ଦେଶରେ ଗଣତନ୍ତ୍ର ମରିଯାଇଛି। ଲୋକ ଯାହା କହିବାକୁ ଚାହୁଁଛନ୍ତି ତାହା କହି ପାରୁନାହାନ୍ତି। ମୁଁ କାହାକୁ ଡରୁନି । ମୋଦିଙ୍କ ଆଖିରେ ମୁଁ ଡର ଦେଖିଛି। ସେ ମୋର ଆଗାମୀ ଭାଷଣକୁ ଡରି ଏମିତି କରିଛନ୍ତି ବୋଲି କହିଛନ୍ତି ରାହୁଲ ।

ଚାକିରି ଲାଗି ଜମି ମାମଲା, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ CBIର ପଚରାଉଚରା

ନୂଆଦିଲ୍ଲୀ: ଚାକିରି ଲାଗି ଜମି ମାମଲା । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ସିବିଆଇର ପଚରାଉଚରା । ତେଜସ୍ବୀ କହିଛନ୍ତି- ସେ ଓ ତାଙ୍କ ପରିବାର ତଦନ୍ତକାରୀ ସଂସ୍ଥାକୁ ସମସ୍ତ ସହଯୋଗ କରିଆସିଛନ୍ତି । ମାତ୍ର ଦେଶରେ ଯାହା ଚାଲିଛି ସେ କ୍ଷେତ୍ରରେ ତାଙ୍କୁ କଷ୍ଟ ସ୍ବୀକାର କରିବାକୁ ପଡ଼ୁଛି । ତେବେ ଏହା ବିରୋଧରେ ସେ ଓ ତାଙ୍କ ପରିବାର ଲଢେଇ ଜାରି ରଖିବେ ଏବଂ ଶେଷରେ ସେମାନେ ବିଜୟୀ ହେବେ ବୋଲି କହିଛନ୍ତି ତେଜସ୍ୱୀ ଯାଦବ ।

ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ତେଜସ୍ବୀଙ୍କ ଭଉଣୀ ମିସା ଭାରତୀ । ଏହାକୁ ନେଇ ମିସା ଭାରତୀଙ୍କୁ ଭେଟିଛନ୍ତି ସମାଜବାଦୀ ପାର୍ଟ ନେତା ଅଖିଳେଶ ଯାଦବ ।

ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ତିନିଟି ସ୍ଥାନ- କବିସୂର୍ଯ୍ୟନଗର, ହିଞ୍ଜିଳି ଓ ଛତ୍ରପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଥମେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବଡ଼ ଆଗୁଳ ନିକଟରେ ଏକ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ବିନା ସୁଧରେ ଋଣ ବଣ୍ଟନ କରିବେ । ପରେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିର କଞ୍ଚୁଡ଼ୁରେ ଆୟୋଜିତ ସଭାରେ ଯୋଗଦେଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ନବୀନ ।

ଶେଷରେ ଛତ୍ରପୁରରେ ଏକ ସଭାରେ ଯୋଗଦେଇ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । କବିସୂର୍ଯ୍ୟନଗର, ହିଞ୍ଜିଳି ଓ ଛତ୍ରପୁରରେ ସଭାସ୍ଥଳଗୁଡ଼ିକରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ସଭାସ୍ଥଳ ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।