ରାହୁଲଙ୍କ ପାସପୋର୍ଟ ବିବାଦ; ୩ ବର୍ଷ ପାଇଁ NOC ପ୍ରଦାନ କଲେ କୋର୍ଟ

1 min read

ନୂଆଦିଲ୍ଲୀ: ରାହୁଲଙ୍କ ପାସପୋର୍ଟ ବିବାଦ। ତିନି ବର୍ଷ ପାଇଁ NOC ପ୍ରଦାନ କଲେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ । ରାହୁଲ ଗାନ୍ଧୀ ନୂଆ ପାସପୋର୍ଟ ପାଇଁ ଆବେଦନ କରିଥିବା ବେଳେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କୋର୍ଟରେ ଏହାକୁ ବିରୋଧ କରିଥିଲେ। ନୂଆ ପାସପୋର୍ଟ ପାଇଁ ରାହୁଲଙ୍କୁ ଏନଓସି ନ ଦେବାକୁ ସେ ବିରୋଧ କରିଥିଲେ। ଯଦି ରାହୁଲ ଗାନ୍ଧୀଙ୍କୁ ବିଦେଶ ଯିବାକୁ ଦିଆଯାଏ ତାହେଲେ ଏହା ନ୍ୟାସନାଲ ହେରାଲଡ଼ ମାମଲାର ତଦନ୍ତ ଉପରେ ପ୍ରଭାବ ପକାଇପାରନ୍ତି ବୋଲି ସେ ଯୁକ୍ତି ରଖିଥିଲେ।

ନ୍ୟାସନାଲ ହେରାଲଡ ମାମଲାରେ ୨୦୧୫ ମସିହାରେ ରାହୁଲଙ୍କୁ ବେଲ ମିଳିଥିବା ବେଳେ ତାଙ୍କ ଉପରେ ନୋ ଟ୍ରାଭେଲ କଟକଣା ଜାରି ହୋଇଥିଲା । ମୋଦି ସାଙ୍ଗିଆ ପ୍ରସଙ୍ଗକୁ ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ ସେ ତାଙ୍କ ଡିପ୍ଲୋମାଟିକ ପାସପୋର୍ଟ ଜମା ଦେଇଥିଲେ। ରାହୁଲ ବିଦେଶ ଗଲେ କେନ୍ଦ୍ରର ପୋଲ୍‌ ଖୋଲୁଥିବାରୁ ତାଙ୍କ ପାସପୋର୍ଟ ପାଇଁ ଏନଓସି ଦେବାକୁ ବିଜେପି ନେତା ବିରୋଧ କରୁଛନ୍ତି କଂଗ୍ରେସ କହିଛି ।

ସରକାରଙ୍କ ପ୍ରତିନିଧି, ବରିଷ୍ଠ ଅଫସରଙ୍କ ଡିପ୍ଲୋମାଟିକ ପାସପୋର୍ଟ ଦିଆଯାଇଥାଏ । ଏହି ପାସପୋର୍ଟଧାରୀଙ୍କ ପାଇଁ ଏମବାସିଠାରୁ ଆରମ୍ଭ କରି ବିଦେଶରେ ଯାତ୍ରା ବେଳେ ଅନେକ ସୁବିଧା ଦିଆଯାଇଥାଏ । ଏହାସହ ଇମିଗ୍ରେସନ ମଧ୍ୟ ସାଧାରଣ ଲୋକଙ୍କ ତୁଳନାରେ ଶୀଘ୍ର ହୋଇଯାଇଥାଏ । ରାହୁଲଙ୍କ ସଂସଦ ପଦ ଯିବା ପରେ ସେ ଏହି ପାସପୋର୍ଟ ଜମା ଦେଇ ନୂଆ ପାସପୋର୍ଟ ପାଇଁ ଆବେଦନ କରିଥିଲେ ।