ରାଜ୍ୟ ପାଠାଗାର ପରିଦର୍ଶନ କଲେ 5T ସଚିବ, ପିଲାଙ୍କ ଫିଡବ୍ୟାକ୍ ନେଇ ସମସ୍ୟାର କଲେ ସମାଧାନ

1 min read

ଭୁବନେଶ୍ୱର: ୫-ଟି ଉପକ୍ରମରେ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ହେବ ରୂପାନ୍ତରଣ । ଓ୍ବାଇଫାଇ ସହିତ ମିଳିବ ଫୁଡ୍କୋଟ ସୁବିଧା । କୃତୀତ୍ବ ଅର୍ଜନ କରିଥିବା ବ୍ୟକ୍ତିତ୍ବ ମାନଙ୍କ ଦ୍ବାରା ଆୟୋଜନ କରାଯିବ କ୍ୟାରିଅର କାଉନସେଲିଂ ଓ ମୋଟିଭେସନାଲ ଟକ । ପାଠାଗାର ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ସହିତ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରି ଏହି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ।

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ରାଜ୍ୟର ଏକ ପ୍ରମୁଖ ପାଠାଗାର ଏବଂ ପ୍ରତିଦିନ ଏଠାକୁ ଶହ ଶହ ଛାତ୍ରଛାତ୍ରୀ ତଥା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବ ବର୍ଗ ଓ ସାଧାରଣ ଲୋକ ଅଧ୍ୟୟନ ପାଇଁ ଆସିଥାନ୍ତି । ଏଣୁ ଏହାର ପୁନରୁଦ୍ଧାର କରାଯାଇ ଚୌକି, ଟେବୁଲ ଓ ଅନ୍ୟ ଆସବାବପତ୍ରର ନବୀକରଣ ସହ ଚଟାଣ ଓ ବିଭିନ୍ନ ସିଭିଲ ଷ୍ଟ୍ରକଚରର ମଧ୍ୟ ଉନ୍ନତି କରାଯିବ । ପୁସ୍ତକ ଗୁଡିକ ଅତ୍ୟାଧୁନିକ ପଦ୍ଧତିରେ ସଂରକ୍ଷଣ କରି ସଂପୂର୍ଣ୍ଣ ପାଠାଗାରକୁ ବାତାନୁକୂଳିତ କରାଯିବ । ଲାଇବ୍ରେରୀ ପ୍ରାଙ୍ଗଣର କରାଯିବ ଲ୍ୟାଣ୍ଡ ସ୍କେପିଂ ।

ତା ସହିତ ଲାଇବ୍ରେରୀକୁ ଆସୁଥିବା ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ପାଇଁ ଫୁଡକୋର୍ଟ ଓ ମିଶନ ଶକ୍ତି ପକ୍ଷରୁ କାଫେଟେରିଆ ମଧ୍ୟ କରାଯିବ । ଏତଦବ୍ୟତୀତ ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ ଆହାର କେନ୍ଦ୍ର ମଧ୍ୟ ଖୋଲାଯିବ। ଲାଇବ୍ରେରୀରେ ପର୍ଯ୍ୟାପ୍ତ କମ୍ପେଟେଟିଭ୍ ମାଗାଜିନ ରଖାଯିବ । ସଂପୂର୍ଣ୍ଣ ଲାଇବ୍ରେରୀକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ବାରା ପରିଚାଳିତ କରାଯିବ। ଅନ୍ୟପଟେ ରାଜ୍ୟ ପାଠାଗାରରେ ଭିଡ କମାଇବା ପାଇଁ ବାପୁଜୀ ନଗରରେ ଜନ ଲାଇବ୍ରେରୀ ଖୋଲାଯିବ । ସେଠାରେ ଅତ୍ୟାଧୁନିକ ସୁବିଧା ସୁଯୋଗର ବିକାଶ କରାଯିବ। ସେଠାରେ ମଧ୍ୟ ଫୁଡକୋର୍ଟର ବ୍ୟବସ୍ଥା ରଖାଯିବ।