spot_img
Home Blog Page 3337

ଆଜି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ବିକାଶକୁ ମିଳିବ ବୁଷ୍ଟର ଡୋଜ୍

ଗଞ୍ଜାମ : ଗଞ୍ଜାମ ପାଇଁ ନୂଆ ସମ୍ଭାବନା । ଆଜି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରରୁ ୧୦ଟା ୫ମିନିଟରେ ଗଞ୍ଜାମ ଅଭିମୁଖେ ଯାତ୍ରା କରିବେ । କବିସୂର୍ଯ୍ୟନଗର, ହିଞ୍ଜିଳି ଓ ଛତ୍ରପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଦିନ ୧୧ଟାରେ କବିସୂର୍ଯ୍ୟନଗର ତହସିଲ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା ପରେ ବଡ଼ ଆଗୁଳ ନିକଟରେ ଏକ ସଭାରେ ଯୋଗଦେବେ । ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଏସଏଚଜିଙ୍କୁ ବିନା ସୁଧରେ ଋଣ ବଣ୍ଟନ କରିବେ । ପରେ ହିଞ୍ଜିଳିର କଞ୍ଚୁଡୁରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏସଏଚଜିଙ୍କୁ ଋଣ ସହିତ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କରିବେ ନବୀନ । ଶେଷରେ ଛତ୍ରପୁରରେ ଏକ ସଭାରେ ଯୋଗଦେଇ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେପଟେ ଗଞ୍ଜାମ ଗସ୍ତ ପୂର୍ବରୁ ଟୁଇଟରରେ ଜିଲ୍ଲାର ବିକାଶର ଏକ ଝଲକକୁ ଅପଲୋଡ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିକ୍ଷାରୁ ସ୍ବାସ୍ଥ୍ୟ, କ୍ରୀଡାରୁ ପର୍ଯ୍ୟଟନ । ସବୁକ୍ଷେତ୍ରରେ ବିକାଶର ଶିଖର ଛୁଇଛି ଗଞ୍ଜାମ । ମୁଖ୍ୟମନ୍ତ୍ରୀ କହିଛନ୍ତି ଗଞ୍ଜାମ ଗସ୍ତ ସବୁବେଳେ ମୋ ପାଇଁ ଖୁସିର ବିଷୟ ।

୪୦୦ ମିଟର ହଡଲସରେ ବାପିଙ୍କୁ ପ୍ରଥମ ସ୍ଥାନ

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ଇତିହାସର ଜୋଡ଼ି ହେଲେ ଆଉ ଜଣେ ଉଦୟମାନ କ୍ରୀଡ଼଼ାବିତ । ନାଁ ବାପି ହାଁସଦା । ଘର ବାଲେଶ୍ବର । ନିକଟରେ ଏକ ଜାତୀୟ ପ୍ରତିଯୋଗିତାରେ ୪୦୦ ମିଟର ହଡଲସରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ୫୧.୯୦ ସେକେଣ୍ଡରେ ଏହାକୁ ଅତିକ୍ରମ କରି ନୂଆ ଇତିହାସ ସୃଷ୍ଟି କରିଛନ୍ତି ବାପି । ଏହାସହ ବାପି ୪୦୦ ମିଟର ହଡଲସରେ ବିଶ୍ୱର ନମ୍ବର ଓ୍ୱାନ ରାଙ୍କଡ୍ ପ୍ଲେୟାର ମାନ୍ୟତା ମଧ୍ୟ ପାଇଛନ୍ତି । ଆଗମୀ ଦିନରେ ଏହି ସଫଳତା ବଜାୟ ରଖିବା  ସହ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆର୍ଜନ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ବାପି ।

ଦୃଢ ଇଚ୍ଛା ଶକ୍ତି ବଳରେ ମାତ୍ର ୧୭ ବର୍ଷ ବୟସରେ ବାପି ଏହି ସଫଳତା ପାଇଛନ୍ତି । ରାଜ୍ୟ ସରକାରଙ୍କ ସହାୟତାରେ କଳିଙ୍ଗ ଷ୍ଟାଡ଼ିୟମରେ ଥିବା ଏଚପିସିରେ ରହି ଅଭ୍ୟାସ ଜାରି ରଖିଛନ୍ତି ବାପି । ଏଚପିସି ତାଙ୍କ ପ୍ରତିଭାକୁ ଚିହ୍ନି ପାରି ୨୦୧୯ରେ କଳିଙ୍ଗ ଷ୍ଟାଡିୟମରେ ସାମିଲ କରିଥିଲା । ଅଳ୍ପ ସମୟ ମଧ୍ୟରେ ତାଙ୍କ ଅସାଧାରଣ ପ୍ରତିଭା ପ୍ରଶିକ୍ଷକମାନଙ୍କୁ ପ୍ରଭାବିତ କରିଥିଲା । ସେବେଠାରୁ ରିଲାଏନ୍ସ ଫାଉଣ୍ଡେସନ ହାଇପରଫରମାନ୍ସ ସେଣ୍ଟରରେ ରହି ପ୍ରଶିକ୍ଷଣ ନେଇଆସୁଛନ୍ତି ବାପି । ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ ଓ୍ବେନ୍ସଙ୍କ ତତ୍ତ୍ବାବଧାନରେ ବାପି ଏଚପିସିରେ ପ୍ରଶିକ୍ଷଣ ଜାରି ରଖିଛନ୍ତି ।

ବାପି ପ୍ରଥମେ ୪୦୦ ମିଟର ହଡଲ୍ସ ଖେଳୁ ନଥିଲେ । ସେ ୮୦୦ ମିଟର ରେସରେ ଅଶଂଗ୍ରହଣ କରିଆସୁଥିବା ବେଳେ ସେଥିରେ ଏତେଟା ସଫଳତା ମିଳୁ ନଥିଲା । ହେଲେ କୋଚ ଏବଂ ନିଜ ବଡ ଭାଇଙ୍କ କଥାରେ ସେ ୮୦୦ ମିଟର ପରିବର୍ତ୍ତେ ୪୦୦ ମିଟର ହଡଲ୍ସ ଖେଳିବା ଆରମ୍ଭ କରିଥିଲେ । ଆଗକୁ  ରାଜ୍ୟ ଗୋଷ୍ଠୀକ୍ରୀଡ଼ାରେ ସ୍ବର୍ଣ୍ଣପଦକ ହାସଲ ଲକ୍ଷ୍ୟ ରହିଥିବା ବେଳେ ଭାରତ ତଥା ଓଡ଼ିଶା ପାଇଁ ଅଲିମ୍ପିକରେ ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ଆଣିବା ତାଙ୍କର ସ୍ୱପ୍ନ ରଖିଛନ୍ତି ।

ବିଶ୍ବର ଏକ ନମ୍ବର ସ୍ଥାନରେ ରହିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୨୫ ଲକ୍ଷର ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଏମିତିକି ୫ଟି ସଚିବ ଭିକେ ପାଣ୍ଡିଆନ୍ ବାପିଙ୍କ ସହ ସ୍ବତନ୍ତ୍ର ସାକ୍ଷାତ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ: ଧରଣୀଧର ସଭାପତି

କଟକ: ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ ଫଳ ପ୍ରକାଶ ପାଇଛି । ଆସୋସିଏସନର  ସଭାପତି ଭାବେ  ନିର୍ବାଚିତ ହେଲେ ଧରଣୀଧର ନାୟକ । ସେହିଭଳି ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି  ଚିତ୍ତରଂଜନ ସ୍ୱାଇଁ । ଉପ ସଭାପତି ଭାବେ ବିଦ୍ୟାଧର ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବେ ଦେବାଶିଷ ନନ୍ଦ, ସହ ସମ୍ପାଦକ ଭାବେ ଦେବାଶିଷ ସ୍ୱାଇଁ  ନିର୍ବାଚିତ ହୋଇଛନ୍ତି । ଆଇନଜୀବୀଙ୍କ ବିଭିନ୍ନ ମୁଖ୍ୟ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଧରଣୀଧର ନାୟକ ।

ଏକ ଘଣ୍ଟା ବନ୍ଦ ରହିଲା ନବୀନ ନିବାସର ସମସ୍ତ ଲାଇଟ୍

ଭୁବନେଶ୍ବର: ଏକ ଘଣ୍ଟା ପାଇଁ ଅନ୍ଧାର ହୋଇଗଲା ନବୀନ ନିବାସ । ବନ୍ଦ ରହିଲା ସମସ୍ତ ଲାଇଟ୍ । ଆର୍ଥ ଆଓ୍ବାର ପାଇଁ ଲାଇଟ୍ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିଲେ ଆହ୍ବାନ । ତାଙ୍କ ଆହ୍ବାନ କ୍ରମେ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ନବୀନ ନିବାସର ସମସ୍ତ ଲାଇଟ୍ ବନ୍ଦ ରହିଥିଲା ।

କେବଳ ନବୀନ ନିବାସର ଲାଇଟ୍ ବନ୍ଦ ରହି ନଥିଲା । ଏହି ସମୟରେ ଲାଇଟ୍ ବନ୍ଦ ରଖିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ । ତାଙ୍କ ଆହ୍ବାନ କ୍ରମେ ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ ସହ ଲୋକମାନେ ଏହି ସମୟରେ ଲାଇଟ ବନ୍ଦ ରଖିଥିଲେ ।

ଭୁବନେଶ୍ବର କମିଶନରେଟ ଅଫିସରେ ଲାଇଟ୍ ବନ୍ଦ ରହିଥିବା ବେଳେ ଷ୍ଟିଲ୍ ସିଟି ରାଉରକେଲା ଏକ ଘଣ୍ଟା ପାଇଁ ଅନ୍ଧାର ହୋଇଯାଇଥିଲା ।

ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ୨୦୦୪ରୁ ଆର୍ଥ ଆଓ୍ବାର ପାଳିତ ହୋଇ ଆସୁଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବିଜୁଳି ବନ୍ଦ ରଖିବାକୁ ରାଜ୍ୟବାସୀଙ୍କୁ ଦେଇଥିଲେ ଆହ୍ବାନ ।

ଶୈଳବାଳାଙ୍କର ସ୍ବପ୍ନ ଏବେ ସାକାର ହେଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏକ ଯୁଗ ଥିଲା ଯେଉଁଠି ମହିଳାମାନେ ଘରେ ଅତ୍ୟନ୍ତ ଦୀନହୀନ ଜୀବନ ଯାପନ କରୁଥିଲେ । ହେଲେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ କନ୍ୟା ଶୈଳବାଳା ଦାସଙ୍କ ପ୍ରେରଣାରେ ମହିଳାମାନେ ଜାଗ୍ରତ ହୋଇଥିଲେ । ସେମାନଙ୍କର ବିକାଶ ହେବା ସହ ମହିଳାମାନେ ସଶକ୍ତ ହୋଇଥିଲେ । ଆଜି ସେହି ମହିୟସୀ ମହିଳାଙ୍କର ଜୟନ୍ତୀରେ ସଶ୍ରଦ୍ଧ ସମ୍ମାନ ଜଣାଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଗକୁ ସେ କହିଛନ୍ତି, ଶୈଳାବାଳାଙ୍କର ସ୍ବପ୍ନ ଏବେ ସାକାର ହେଉଛି । ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ମହିଳାମାନେ ବିକାଶର ନେତୃତ୍ବ ନେଉଛନ୍ତି । ଶିକ୍ଷାରୁ ଗବେଷଣା, କ୍ରୀଡାରୁ ସଂସ୍କୃତି, ବିଜ୍ଞାନ ଓ କାରିଗରୀ, ବାଣିଜ୍ୟ ଆଦି କ୍ଷେତ୍ରରେ ମହିଳା ପାରଦର୍ଶିତା ଦେଖାଇଲେଣି । ଏକବିଂଶ ଶତାବ୍ଦୀ ମହିଳାଙ୍କର ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଛାତ୍ରୀ ହିସାବରେ ନିଜର ସ୍ବପ୍ନ ରହିବା ଉଚିତ । କେବେ ହେଲେ ନିଜ ସ୍ବପ୍ନ ସହିତ ସାଲିସ ନକରି କୌଣସି କ୍ଷୁଦ୍ର ଜିନିଷରେ ନିଜକୁ ସୀମିତ ନରଖିବାକୁ ମୁଖ୍ୟମନ୍ତ୍ରୀ ଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

ଶୈଳବାଳା ମହାବିଦ୍ୟାଳୟର ଭିତ୍ତିଭୂମି ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ବଦ୍ଧପରିକର । ଏହି ଅବସରରେ ୧୦ କୋଟି ଟଙ୍କା ବ୍ୟୟରେ ୪୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହାସହ ୩୫ କୋଟି ଟଙ୍କାରେ ଏକ ବହୁତଳ କୋଠା ନିର୍ମାଣ ପାଇଁ ଭିତ୍ତି ସ୍ଥାପନ କରାଯାଇଛି । ଆଗକୁ ମହାବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ସତ୍ୟସାଇ ହାର୍ଟ ହସ୍ପିଟାଲ ସହ ଦୁଇ ବର୍ଷ ଚୁକ୍ତି ବଢ଼ାଇଲେ ସରକାର

ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ବ୍ୟବସ୍ଥା ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟ ସେବା ପାଇଁ ସାଜିଛି ବରଦାନ । ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା ସହିତ ୩ ଶହରୁ ଅଧିକ ଘରୋଇ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣା ମିଳୁଛି ସେବା । ଏହାସହ ରାଜ୍ୟ ବାହାରର ଶତାଧିକ ହସ୍ପିଟାଲରେ ବି ବିଏସକେଓ୍ବାଇ ଅଧୀନରେ ମାଗଣା ରୋଗୀ ସେବା ଚାଲିଛି । ମାଗଣା ହୃଦରୋଗ ଚିକିତ୍ସା ପାଇଁ ରାଜ୍ୟ ସରକାର ୫ ବର୍ଷ ହେଲାଣି ସତ୍ୟସାଇ ହାର୍ଟ ହସ୍ପିଟାଲ ସହ କରିଥିବା ଚୁକ୍ତିକୁ ଆଉ ୨ ବର୍ଷ ପାଇଁ ବଢାଇଛନ୍ତି । ଏହି ଚୁକ୍ତି ବଳରେ ରାଜ୍ୟର ହଜାରେ ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ମିଳିବ । ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ ବିଶେଷଜ୍ଞମାନେ ସ୍ବାଗତ କରିଛନ୍ତି । ସେହିପରି ପ୍ରଶାନ୍ତି ମେଡିକାଲ ସର୍ଭିସେସ ଏଣ୍ଡ ରିସର୍ଚ୍ଚ ସହ ମଧ୍ୟ ରାଜ୍ୟ ସରକାର ଦୁଇ ବର୍ଷ ଚୁକ୍ତି ବଢ଼ାଇଛନ୍ତି ।

ଚିକିତ୍ସା କ୍ଷେତ୍ରରେ ଆଶୀର୍ବାଦ ସାଜିଛି ବିଏସକେୱାଇ । ୪ ବର୍ଷ ମଧ୍ୟରେ ୬୪୦ ଶିଶୁଙ୍କ ହୋଇଛି ମାଗଣା ହାର୍ଟ ଅପରେସନ । ୨୦୧୮ରୁ ୨୦୨୨ ମଧ୍ୟରେ ୨୫୬ ଜଣ ସାବାଳକଙ୍କ ବି ମାଗଣା ହାର୍ଟ ଅପରେସନ ହୋଇଛି । ଅହମ୍ମଦାବାଦ ଓ ରାଜକୋଟରେ ଥିବା ପ୍ରଶାନ୍ତି ମେଡିକାଲ ସର୍ଭିସେସ ଏଣ୍ଡ ରିସର୍ଚ୍ଚ ସହ ରାଜ୍ୟ ସରକାର ୪ ବର୍ଷ ତଳୁ ଚୁକ୍ତି କରିଥିଲେ । ଏବେ ଆଉ ଦୁଇ ବର୍ଷ ପାଇଁ ଅର୍ଥାତ ୨୦୨୫ ଫେବ୍ରୁଆରୀ ଯାଏଁ ରାଜ୍ୟବାସୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇବାକୁ ନୂଆ ଚୁକ୍ତି ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଜିଲ୍ଲା ଚିକିତ୍ସାଳୟ ଓ ମେଡିକାଲ କଲେଜରେ ହୃଦରୋଗୀଙ୍କ ସ୍କ୍ରିନିଂ କ୍ୟାମ୍ପ ଜରିଆରେ ରୋଗୀଙ୍କୁ ଚିହ୍ନଟ କରାଯିବ । ଚୁକ୍ତି ବଳରେ ବର୍ଷକୁ ୫ ଶହ ଶିଶୁ ଓ ୫ ଶହ ଲୋକଙ୍କୁ ସତ୍ୟସାଇ ହାର୍ଟ ହସ୍ପିଟାଲ ମାଗଣା ଅପରେସନ କରିବ । ୩ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ରୋଗୀଙ୍କୁ ଅହମ୍ମଦାବାଦର ଶ୍ରୀସତ୍ୟସାଇ ହସ୍ପିଟାଲରେ ଓ ୧୯ରୁ ୬୫ ବର୍ଷ ଲୋକଙ୍କୁ ରାଜକୋଟର ହସ୍ପିଟାଲରେ ମାଗଣା ଅପରେସନ କରାଯିବ ।

ପ୍ରଶାନ୍ତି ମେଡିକାଲ ସର୍ଭିସେସ ଏଣ୍ଡ ରିସର୍ଚ୍ଚ ସହ ହୋଇଥିବା ଚୁକ୍ତି ଅନୁସାରେ ରୋଗୀଙ୍କ ଚିକିତ୍ସା ଓ ଅପରେସନ ସମ୍ପୂର୍ଣ୍ଣ ମାଗଣା ହେବାକୁ ଥିବା ବେଳେ ଆଟେଣ୍ଡାଣ୍ଟଙ୍କ ରହିବା ଖାଇବା ଖର୍ଚ୍ଚ ବି ସତ୍ୟସାଇ ହସ୍ପିଟାଲ ବୁଝିବ । ଓଡ଼ିଶାରୁ ଅହମ୍ମଦାବାଦ ଓ ରାଜକୋଟ ଯିବା ଆସିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ରୋଗ ଚିହ୍ନଟ, ରୋଗର ଷ୍ଟାଟସ ଜାଣିବା ପାଇଁ ସବୁ ପ୍ରକାର ଟେଷ୍ଟ ସହ ହସ୍ପିଟାଲରେ ଅପରେସନ, ଆଇସିୟୁ, ସମସ୍ତ ଉପକରଣ ସମ୍ପୂର୍ଣ୍ଣ ମାଗଣାରେ କରିବ ସତ୍ୟସାଇ  ହସ୍ପିଟାଲ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏବେ ରାଜ୍ୟବାସୀଙ୍କ ପାଇଁ ବରଦାନ ସାଜିଥିବା ବେଳେ ବିଏସକେଓ୍ବାଇ କାର୍ଡ ନଥିଲେ ମଧ୍ୟ ଜଣେ ହୃଦରୋଗୀ ଦେଶର ସବର୍ବୃହତ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇପାରିବେ । ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ ବିଶେଷଜ୍ଞମାନେ ସ୍ବାଗତ କରିଛନ୍ତି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣା ଟେଷ୍ଟିଂ ଓ ଚିକିତ୍ସା ସୁବିଧା କରାଯାଇଛି । ରାଜ୍ୟ ଭିତରେ ୩ ଶହରୁ ଅଧିକ ଓ ରାଜ୍ୟ ବାହାରେ ଶତାଧିକ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଁ ଅନୁବନ୍ଧିତ ହୋଇଛନ୍ତି  । ପ୍ରତ୍ୟେକ ପରିବାରର ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

ଜାପାନ ଯିବେ ନବୀନ ! ଆସିବ ବଡ଼ଧରଣର ପୁଞ୍ଜି ନିବେଶ

ଭୁବନେଶ୍ବର: ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନ ଗସ୍ତ କରିପାରନ୍ତି ମୁଖ୍ୟମନ୍ତ୍ରୀ ନୀନ ପଟ୍ଟନାକୟ । ବିଦେଶରୁ ଆସିବ ଆହୁରି ପୁଞ୍ଜି । ଏହି ଗସ୍ତ ସମୟରେ ଜାପାନର ବଡ଼ ବଡ଼ କମ୍ପାନୀ ଓଡ଼ିଶାରେ କିପରି ପୁଞ୍ଜିନିବେଶ କରିବେ ତାହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେବେ । ୨୦୧୮ ମେକ ଇନ ଓଡ଼ିଶା କନକ୍ଲେଭରେ କଣ୍ଟ୍ରି ପାର୍ଟନର ଥିବା ଜାପାନ ସହ ଓଡ଼ିଶା ବାଣିଜ୍ୟ ସାଂସ୍କୃତିକ ସମ୍ପର୍କ ଭଲ ଥିବାରୁ ନବୀନଙ୍କ ଜାପାନ ଗସ୍ତ ବେଶ ସଫଳ ହେବ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଅନ୍ୟପଟେ ଜାପାନରେ ଅଧିକ ଟେକ୍ନୋଲୋଜି ଭିତ୍ତିକ ଶିଳ୍ପ ରହିଥିବାରୁ ଏହି କ୍ଷେତ୍ରରେ ଅଧିକ ପୁଞ୍ଜି ଆସିବ ବୋଲି ଆଶା ରଖିଛି ଶାସକ ଦଳ ।

ରୋମ, ଦୁବାଇ ପରେ ସୂର୍ଯୋଦୟର ଦେଶ ଜାପାନରୁ ଛୁଟିବ ପୁଞ୍ଜିର ସୁଅ । ନିବେଶକାରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପ୍ରିଲ ପ୍ରଥମ ସପ୍ତାହରେ ଗସ୍ତ । ଫୋକସରରେ ରହିବ ଟେକ୍ନୋଲଜି ଭିତ୍ତିକ ଶିଳ୍ପ ।

ଜାପାନ ସହ ଓଡ଼ିଶାର ବାଣିଜ୍ୟ ଓ ସାଂସ୍କୃତିକ ସୁ-ସମ୍ପର୍କ ରହିଥିବାରୁ ଏହାକୁ ଆହୁରି ମଜଭୁତ କରାଯିବ । ଏପ୍ରିଲ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ କରିବାର ସମ୍ଭାବନା ରହିଛି । ଓଡ଼ିଶାରେ ଟେକ୍ନୋଲୋଜି ଭିତ୍ତିକ ଶିଳ୍ପରେ ପୁଞ୍ଜି ନିବେଶ ପାଇଁ ନବୀନ ନିବେଶକାରୀଙ୍କ ସହ ଆଲୋଚନା କରିବେ । ଓ୍ବାନ ଟୁ  ଓ୍ବାନ ଆଲୋଚନା ସହ ରୋଡ ଶୋ’ ମାଧ୍ୟମରେ ଇନଭେଷ୍ଟର୍ସଙ୍କୁ ଆକୃଷ୍ଟ କରିବେ । ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି, କ୍ଷେତ୍ରରେ ଓଡିଶାରେ ପୁଞ୍ଜିନିବେଶ କରିବାର ବ୍ୟାପକ ସୁଯୋଗ ରହିଛି ବୋଲି ଜାପାନ ନିବେଶକାରୀଙ୍କୁ ବୁଝାଇବେ । ଓଡ଼ିଶାର ନୂଆ ଶିଳ୍ପନୀତି ସହ ସବୁ କ୍ଷେତ୍ରରେ ନିବେଶକାରୀଙ୍କୁ ରାଜ୍ୟ ସରକାର ପ୍ଲସ ଓ୍ବାନ ସୁବିଧା ଯୋଗାଇ ଦେଉଥିବା କଥା ମଧ୍ୟ ଆଲୋଚନା ହେବ । ପୂର୍ବରୁ ୨୦୧୮ ମେକ ଇନ ଓଡ଼ିଶା କନକ୍ଲେଭରେ ଜାପାନର ପ୍ରତିନିଧିମାନେ ସାମିଲ ହୋଇ ଓଡ଼ିଶା ସହ ବାଣିଜ୍ୟ ସମ୍ପର୍କ ମଜଭୁତ କରିଛନ୍ତି । ତେଣୁ ନବୀନଙ୍କ ଜାପାନ ଗସ୍ତ ବଡ଼ ପୁଞ୍ଜି ଆଣିବ ବୋଲି ଶାସକ ଦଳ କହିଛି ।

ଅନ୍ୟପଟେ ୨୦୨୨ ଅଗଷ୍ଟ ମାସରେ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ୩୦ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଦିଲ୍ଲୀରେ ଆଲୋଚନା କରିଥିଲେ । ଏହାସହ ରୋମ ଓ ଦୁବାଇ ଗସ୍ତ ପରେ ବି ବିଦେଶରୁ ପୁଞ୍ଜିର ସୁଅ ଛୁଟିଥିଲା । ଏବେ ପୁଣିଥରେ ମୁଖ୍ୟମନ୍ତ୍ରୀ ବିଦେଶରୁ ଅଧିକ ପୁଞ୍ଜି ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି । ବିଦେଶରୁ ପୁଞ୍ଜି ଆଣିବାରେ ଦେଶର ଟପ ଥ୍ରୀ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରହିଛି । ସାରା ଦେଶରେ ପୁଞ୍ଜି ନିବେଶ ପାଇଁ ଓଡ଼ିଶା ବଡ଼ ସଫଳତା ମଧ୍ୟ ସାଉଁଟିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ବେଶ ସଫଳ ହେବ ବୋଲି ବିଶେଷଜ୍ଞ କହିଛନ୍ତି ।

ଭାରତର ଖଣିଜ ସମ୍ପଦ କ୍ଷେତ୍ରରେ ଓଡ଼ିଶାର ସିଂହଭାଗ ରହିଛି ।  ଓଡ଼ିଶା ଏବେ ଶିଳ୍ପର ହବ୍ ପାଲଟିଛି । ପ୍ରାକୃତିକ ସମ୍ପଦରେ ଭାରତର ଟପ୍ ୧୧ଟି ଆଇଟିଆଇ ସଂସ୍ଥା ଓଡ଼ିଶାରେ ରହିଛି । ଏଡିବି ଓ ସିଙ୍ଗାପୁରର ଆଇଟିଇଇଏସ ଓ ଓଡ଼ିଶା ସରକାରଙ୍କ ସହଭାଗିତାରେ ଭୁବନେଶ୍ବରରେ ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଓଡ଼ିଶାର ଦକ୍ଷ ମାନବ ସମ୍ବଳ ମଧ୍ୟ ପୁଞ୍ଜି ନିବେଶ ଲାଗି ସହାୟକ ହୋଇଛି । ଏବେ ଓଡ଼ିଶା ଓ ଜାପାନର ୫୨ଟି କମ୍ପାନୀ ବିଭିନ୍ନ ସେକ୍ଟରରେ କାରବାର କରୁଛନ୍ତି । ଆଗକୁ ଏହି ଧାରା ଅଧିକ ତ୍ବାରାନ୍ବିତ ହେବ ।

ମୁହଁରେ ତାଲା ପକାଇ କଂଗ୍ରେସର ପ୍ରତିବାଦ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ସଂସଦ ବାଟ ବନ୍ଦ ହେବା ପରେ କଂଗ୍ରେସର ଗର୍ଜନ । କଂଗ୍ରେସ ନେତା ଓ କର୍ମୀ କଳା ଦିବାସ ପାଳିବା ସହ ମୁହଁରେ ତାଲା ଲଗାଇ ଅନେକ ସ୍ଥାନରେ କରାଯାଇଛି ପ୍ରତିବାଦ ଓ ବିକ୍ଷୋଭ । ବିଜେପି ନିଜ ଷଡଯନ୍ତ୍ରରେ କେବେ ସଫଳ ହେବ ନି ବୋଲି କହିଛି କଂଗ୍ରେସ । ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି ରାହୁଲଙ୍କ ସାଂସଦ ପଦ ରଦ୍ଦର ଇଫେକ୍ଟ । ରେଳରୋକ କରି ପ୍ରତିବାଦ ଜଣାଇଛି ଓଡ଼ିଶା କଂଗ୍ରେସ । ଆସନ୍ତାକାଲି ସାରା ଦେଶରେ ସତ୍ୟାଗ୍ରହ କରିବ କଂଗ୍ରେସ  ।

ହାରିବନି ଗାନ୍ଧି । ସବୁଠି ପ୍ରତିବାଦ । ସତ୍ୟ ପାଇଁ ଲଢେଇ ହେବ ଜୋରଦାର । ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ପରେ ସାରା ଦେଶରେ ବିକ୍ଷୋଭ । ସୁରଟ କୋର୍ଟଙ୍କ ରାୟ ବିରୋଧରେ କଂଗ୍ରେସ ସମର୍ଥକଙ୍କ ପ୍ରଦର୍ଶନ । ସାରା ଦେଶରେ କଳା ଦିବସ ପାଳନ କରୁଛି କଂଗ୍ରେସ  । ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ପକ୍ଷରୁ ପ୍ରବଳ ବିରୋଧ । ଦେଶ ପାଇଁ ଲଢେଇ ଜାରି ରହିବ କହିଲା କଂଗ୍ରେସ । ବିରୋଧୀଙ୍କ ପାଟି ଚୁପ୍ କରି ଏକଛତ୍ରବାଦ ଶାସନ କରିବାକୁ ସ୍ବପ୍ନ ଦେଖୁଛି ବିଜେପି  । ଯାହା କେବେବି ପୂରଣ ହେବ ନାହିଁ ବୋଲି କହିଛି କଂଗ୍ରେସ ।

ବାୟନାଡରେ କଂଗ୍ରେସ ସମର୍ଥକ ଜୋରଦାର ବିରୋଧ କରିଥିବା ବେଳେ ବ୍ୟାରିକେଡ ଭାଙ୍ଗି ଥିଲେ ସମର୍ଥକ । ଏହି ସମୟରେ ପୋଲିସ ସହ ହୋଇଥିଲା ଧସ୍ତାଧସ୍ତି । ସୁରଟ କୋର୍ଟଙ୍କ ରାୟ ବେଆଇନ ବୋଲି କହିଥିଲେ କଂଗ୍ରେସ ସମର୍ଥକ । ୨୦୧୯ରେ ଏକ ବୟାନକୁ ନେଇ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛି କଂଗ୍ରେସ ।

ମହାରାଷ୍ଟ୍ର ଓ ଭୋପାଳରେ ମଧ୍ୟ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ ପ୍ରତିବାଦ କରାଯାଇଛି । ବାଚସ୍ପତିଙ୍କ ଏହି ନିଷ୍ପତ୍ତି ଗଣତନ୍ତ୍ର ବିରୋଧୀ ବୋଲି ଦଳ ପକ୍ଷରୁ କୁହାଯାଇଛି । ପାଟିରେ କଳା କପଡା ସହ ଚାବି ଲଗାଇ ପ୍ରତିବାଦ କରିଛନ୍ତି ଦଳୀୟ କର୍ମୀ । ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ସହ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କଂଗ୍ରେସ ସଦସ୍ୟ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି । ଆନ୍ଦୋଳନକୁ ଦବେଇବା ପାଇଁ ବିଜେପି ଶାସିତ ରାଜ୍ୟଗୁଡିକରେ ପ୍ରୟାସ କରାଯାଇଥିବା  କଂଗ୍ରେସ କହିଛି । ତେଲେଙ୍ଗାନାରେ ମଧ୍ୟ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ବିରୋଧୀ ।

ଓଡ଼ିଶାରେ ମଧ୍ୟ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ । କଳା ଦିବସ ପାଳନ କରିଛି କଂଗ୍ରେସ । ରେଳରୋକ କରି ପ୍ରତିବାଦ କରିଛି ଦଳ । କେନ୍ଦ୍ର ସରକାରଙ୍କ ତାନାସାହି ଆଉ ଚାଲିବ ନାହିଁ ବୋଲି କହିଛି ରାଜ୍ୟ କଂଗ୍ରେସ ।

ଅନ୍ୟପକ୍ଷରେ ସଦସ୍ୟତା ରଦ୍ଦ ନିଷ୍ପତ୍ତି ପ୍ରତିବାଦରେ ସୁପ୍ରିମକୋର୍ଟରେ ଦାୟର ହୋଇଛି ଜନସ୍ବାର୍ଥ ମାମଲା । ୧୯୫୧ ଜନପ୍ରତିନିଧି ଆଇନ ଅନୁସାରେ ଜଣେ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗର ବିଭିନ୍ନ ଦିଗ ତର୍ଜମା ଲାଗି ପିଟିସନରେ ଦର୍ଶାଯାଇଛି । ଏଭଳି ପଦକ୍ଷେପ ଦ୍ବାରା ଦେଶରେ ନିର୍ବାଚନ ବ୍ୟବସ୍ଥା ବିଗିଡିବା ସହ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ରହିଛି । ସମ୍ବିଧାନର ଧାରା ୧୯(୧)ର ‘କ’ ଧାରା ଅନୁସାରେ ଜଣେ ସାଂସଦ ଯେପରି ନିଜର ଅଧିକାର ସାବ୍ୟସ୍ତ କରିପାରିବେ ସେଥିଲାଗି ବ୍ୟବସ୍ଥା ରହିଛି । ସଭ୍ୟ ପଦ ରଦ୍ଦ ସଂକ୍ରାନ୍ତ ନିଷ୍ପତ୍ତି ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ।

ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେବାକୁ ନେଇ ରାହୁଲଙ୍କୁ ସୁରଟର ଏକ କୋର୍ଟ ଦଣ୍ଡାଦେଶ ଦେବା ବିରୋଧୀଙ୍କୁ ହଜମ ହୋଇନି । ସେପଟେ ଲୋକସଭା ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ରାଜନୈତିକ ବିଶେଷଜ୍ଞଙ୍କୁ ଚକିତ କରିଛି ।

ଭଲ ଫସଲ ପାଇଁ ଧରଣୀ ପୂଜା: ଆଦିବାସୀଙ୍କ ନିଆରା ପର୍ବ ‘ବିହନ ଯାତ୍ରା’

କୋକସରା: ଆଦିବାସୀ ସମ୍ପ୍ରଦାୟଙ୍କ ଭିନ୍ନ ଏକ ପରମ୍ପରା ବିହନ ଯାତ୍ରା । ଏଥିରେ ମାଆ ଧରଣୀଙ୍କ କରାଯାଇଥାଏ ପୂଜା । ପ୍ରକୃତିରାଣୀଙ୍କୁ ପୂଜାର୍ଚ୍ଚନା କରି ଭଲ ଫସଲ ଅମଳ ପାଇଁ ଆଦିବାସୀ ସମ୍ପ୍ରଦାୟର ଲୋକେ କରୁଛନ୍ତି ଗୁହାରୀ । ବଳି ଦେବା ସହ ଚାଷ ଆରମ୍ଭ ପୂର୍ବରୁ ଧାନକୁ ଧରଣୀ ରାଣୀଙ୍କ ନିକଟରେ ସମର୍ପି ଦେଇଥାନ୍ତି । ପରେ ତାକୁ ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଥାଏ ଓ ଲୋକ ତାକୁ ଅକ୍ଷୟ ତୃତୀୟାରେ ନିଜ ନିଜ ବିଲରେ ବୁଣିଥାନ୍ତି । କଳାହାଣ୍ଡି କୋକସରା ବ୍ଲକ ଗୋତାମୁଣ୍ଡାରେ ପାଳନ ହେଉଥିବା ଏହି ସ୍ବତନ୍ତ୍ର ପୂଜାକୁ ନେଇ ଆସନ୍ତୁ ଜାଣିବା ।

ପ୍ରତିବର୍ଷ ଫାଲଗୁନ ମାସ ମଧୁ ଅମାବାସ୍ୟାରୁ ଆରମ୍ଭ ହୋଇଥାଏ ଏହି ପର୍ବ l ପ୍ରଥମ ଦିନ ଧରଣୀ ଦେବୀ ପୂଜକ ବା ଝାକର ଲୁଚି ରହି ପିତାବିହନ ଯାତ୍ରା କରିଥାନ୍ତି । ଦ୍ବିତୀୟ ଦିନ ଅର୍ଥାତ୍ ଚୈତ୍ର ପ୍ରତିପଦାରେ ବିହନ ଯାତ୍ରା ପାଳନ କରାଯାଇଥାଏ ।

ପୂର୍ବପୁରୁଷମାନେ ବର୍ଷକୁ ଥରେ ବର୍ଷା ଋତୁରେ ଖରିଫ ଧାନ ଚାଷ ପରେ ରବି ଫସଲ ଚାଷ କରୁଥିଲେ । ରବି ଫସଲ ଅମଳ ପରେ ହିନ୍ଦୁ ନବ ବର୍ଷର ଆରମ୍ଭ ପୂର୍ବରୁ ଭଲ ଫସଲ ପାଇଁ ଧରଣୀ ରାଣୀକୁ ପୂଜା କରିଥାନ୍ତି । ବଳି ଦେବା ସହ ପୁଣି ଚାଷ ଆରମ୍ଭ ପୂର୍ବରୁ ଧାନକୁ ଧରଣୀ ରାଣୀଙ୍କ ନିକଟରେ ସମର୍ପି ଦେଇଥାନ୍ତି । ପରେ ତାକୁ ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଥାଏ ଓ ଏହାକୁ ଅକ୍ଷୟ ତୃତୀୟାରେ ନିଜ ନିଜ ବିଲରେ ବୁଣାଯାଇଥାଏ । ଏହି ପରମ୍ପରାକୁ ପୂର୍ବପୁରୁଷରୁ ପାଳନ କରିଆସୁଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକେ ।

ବିହନ ଯାତ୍ରା କେବଳ କୋକସରା ବ୍ଲକ ଦଣ୍ଡ ପାଟ ଅଞ୍ଚଳର ପର୍ବ ନୁହେଁ ବରଂ ଏହାକୁ ସାରା ପଶ୍ଚିମ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ଲୋକେ ପାଳନ କରିଥାନ୍ତି । ଏହି ପର୍ବରେ ଚାଷୀ, ଭୂମିହିନ ଚାଷୀ ସମସ୍ତେ ସାମିଲ ହୋଇଥାନ୍ତି । ଏହି ପର୍ବ ଚାଷୀଙ୍କ ମଧ୍ୟରେ ଏକତା ଓ ଭାଇଚାରାର ଏକ ପ୍ରତୀକ ମଧ୍ୟ ।

ମୋଦିଙ୍କୁ ସୌମ୍ୟଙ୍କ ଜବାବ: ରାହୁଲଙ୍କୁ ଡରିଲେ, ବିଶ୍ବଗୁରୁ ହେବ କେମିତି ?

ଭୁବନେଶ୍ବର: ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦକୁ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଜବାବ ଦେଇଛନ୍ତି ସୌମ୍ୟ । କହିଛନ୍ତି- ବିଶ୍ବଗୁରୁ ହେବାକୁ ଚାହୁଁଛ, ରାହୁଲଙ୍କୁ ଡରିଲେ ବିଶ୍ବଗୁରୁ ହେବ କେମିତି ? ଏହାସହ ରହୁଲଙ୍କୁ ନିଜ କଥା ଉପରେ ନିୟନ୍ତ୍ରଣ ରଖିବାକୁ ଦେଲେ ପରାମର୍ଶ ।

ସେ କହିଛନ୍ତି, ‘ରାହୁଲଙ୍କ ସଭ୍ୟ ପଦ ରଦ୍ଦ ପରେ କାହାର ଲାଭ ହେବ, କାହାର କ୍ଷତି ହେବ ବିଚାର କଲେ ଆପଣ ଜାଣି ପାରିବେ । ନରେନ୍ଦ୍ର ମୋଦି ବିଶ୍ବଗୁରୁ ହେବାକୁ ଚାହୁଁଛନ୍ତି । ରାହୁଲ ଗାନ୍ଧିଙ୍କୁ ଜେଲ ପଠାଇ ସେ କ’ଣ ହାସଲ କରିବେ, ଏକଥା ସେ ନିଜେ ଚିନ୍ତା କରିବାର ଦରକାର । ରାହୁଲଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଅନ୍ୟକୁ ବାରମ୍ବାର ସମାଲୋଚନା କଲେ ଭୋଟ ମିଳିବ ବୋଲି ଭାବିବା ଉଚିତ ନୁହେଁ । ଉଭୟଙ୍କୁ ଶିକ୍ଷା ଲାଭ କରିବାର ଅଛି ।’

ଆଗକୁ ସେ କହିଛନ୍ତି, ‘ରାହୁଲ ଗାନ୍ଧି ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଏଭଳି ମନ୍ତବ୍ୟ ଦେଇ ବିରୋଧୀଙ୍କୁ ସମାଲୋଚନା କରିବାକୁ ସୁଯୋଗ ନ ଦିଅନ୍ତୁ । ନରେନ୍ଦ୍ର ମୋଦି ରାହୁଲଙ୍କୁ ହରିବା ଭଳି ଲାଗୁଛି । ଯଦି ରାହୁଲଙ୍କୁ ଡରିବେ ତେବେ ବିଶ୍ବଗୁରୁ ହେବେ କେମିତି ? ଗଣତନ୍ତ୍ରରେ ପ୍ରତିପକ୍ଷଙ୍କ ମୁହଁ ବନ୍ଦ କରିବାକୁ କ୍ଷମତା ଓ କୌଶଳ ବ୍ୟବହାର ଗ୍ରହଣୀୟ ନୁହେଁ । ନରେନ୍ଦ୍ର ମୋଦି ଯେଉଁ ସ୍ତରକୁ ଯିବାକୁ ଚାହିଁଛନ୍ତି, ସେଠାକୁ ଯିବାକୁ ଏହା ମାଧ୍ୟମ ନୁହେଁ ।’