ଆଜି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍, ମୁହାଁମୁହିଁ ହେବେ ଗୁଜରାଟ ଓ ମୁମ୍ବାଇ

1 min read

ଅହମଦାବାଦ: ଆଜି ଆଇପିଏଲ ସିଜିନ-୧୬ର ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ୍ । ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଆଜି ମ୍ୟାଚରେ ବିଜୟଲାଭ କରି ଫାଇନାଲରେ ପହଞ୍ଚିବାକୁ ଚେଷ୍ଟା କରିବେ ଦୁଇ ଦଳ । ଆଜି ସନ୍ଧ୍ୟା ସାଢ଼େ ୭ଟା ବେଳେ ଖେଳାଯିବ ଏହି ବ୍ଲକବଷ୍ଟର ମ୍ୟାଚ୍ । ଏହି ହାଇଭୋଲଟେଜ୍ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଚଳିତବର୍ଷ ପ୍ରିମିୟର ଲିଗ୍ ସିଜିନ ଆରମ୍ଭରୁ ମୁମ୍ବାଇର ପ୍ରଦର୍ଶନ ଭଲ ନଥିବା ବେଳେ ଏବେ ପୂରା ଟିମ୍ ଫର୍ମରେ ରହିଥିବା ଦେଖାଯାଉଛି ।

ସେପଟେ ଲଗାତାର ଦ୍ବିତୀୟ ଥର ଲାଗି ଫାଇନାଲରେ ପହଞ୍ଚିବାକୁ ସବୁପ୍ରକାର ଚେଷ୍ଟା କରିବ ଗୁଜରାଟ ଟାଇଟନ୍ସ । ଶୁଭମନ ଗିଲ ଓ ବିଜୟ ଶଙ୍କର ପ୍ରଦର୍ଶନ ଗୁଜରାଟର ବ୍ୟାଟିଂ ଲାଇନ ଅଫକୁ ସୁଦୃଢ଼ କରିଛି । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଉପରେ ଆଜି ସମସ୍ତଙ୍କ ନଜର ରହିବ । ସେହିପରି ମହମ୍ମଦ ସାମି, ମୋହିତ ଶର୍ମା ଓ ରସିଦ ଖାନଙ୍କ ବୋଲିଂ ଉପରେ ମଧ୍ୟ ଗୁଜରାଟ ଟାଇଟନ୍ସର ପ୍ରଦର୍ଶନ ନିର୍ଭର କରିବ । ହେଲେ ପୂର୍ବରୁ ଗୁଜରାଟ ଓ ମୁମ୍ବାଇ ମଧ୍ୟରେ ହୋଇଥିବା ତିନିଟି ମ୍ୟାଚରେ ରୋହିତଙ୍କ ଟିମର ପ୍ରଦର୍ଶନ ବେଶ ଭଲ ରହିଛି । ଦୁଇଟି ମ୍ୟାଚରେ ମୁମ୍ବାଇ ବାଜିମାତ କରିଥିବା ବେଳେ ଗୋଟିଏରେ ଗୁଜରାଟ ବିଜୟୀ ହୋଇଥିଲା ।