spot_img
Home Blog Page 3317

ଝାରୁସୁଗୁଡ଼ା ଉପନିର୍ବାଚନ ନେଇ ପୋଲିସ ଡିଜି ସୁନୀଲ ବଂଶଲଙ୍କ ଉଚ୍ଚସ୍ତରୀୟ ସମୀକ୍ଷା

ଝାରସୁଗୁଡ଼ା: ଝାରୁସୁଗୁଡ଼ା ଉପନିର୍ବାଚନ ଲାଗି ପୋଲିସ ଡିଜି ସୁନୀଲ କୁମାର ବଂଶଲଙ୍କ ଉଚ୍ଚସ୍ତରୀୟ ସମୀକ୍ଷା । ଗୁଇନ୍ଦା ନିର୍ଦ୍ଦେଶକ, ଅତିରିକ୍ତ ପୋଲିସ ଡିଜି ଆଇନ ଓ ଶଙ୍ଖଳା ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା । ଝାରସୁଗୁଡ଼ା ଏସପିଙ୍କ ସହ ବି ନିର୍ବାଚନ ନେଇ କରିଛନ୍ତି ସମୀକ୍ଷା । ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ, ଆଦର୍ଶ ଆଚରଣବିଧି ପାଳନ, ନିର୍ବାଚନ କମିଶନଙ୍କ ଗାଇଡଲାଇନ ପାଳନ, ଉପଯୁକ୍ତ ପୋଲିସ ଓ ନିରାପତ୍ତା ବ୍ୟବସ୍ଥା ଉପରେ ସେ ଆଲୋଚନା କରିଥିଲେ ।

ଏହା ସହ ବେଆଇନ ଅସ୍ତ୍ରଶସ୍ତ୍ର ଜାବତ, ବେଆଇନ ମଦ କାରବାର ରୋକିବା, ଏନବିଡବ୍ଲୁ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ଡିଜିପି । ଏଡିଜିପି ଆଇନ ଓ ଶୃଙ୍ଖଳା ଆର.କେ. ଶର୍ମା ମୋବାଇଲ ସ୍କ୍ବାଡ ଓ ଫ୍ଲାଇଂ ସ୍କ୍କାଡ ସମ୍ପର୍କରେ ସୂଚନା ଦେଇଥିଲେ । ନିର୍ବାଚନ ସୁପରିଚାଳନା ଲାଗି ସିଏପିଏଫ, ୧୬ ପ୍ଲାଟୁନ ଓଏସଏପି ଓ ଏପିଆର, ୨୫ଟି ମୋବାଇଲ ପାଟ୍ରୋଲିଂ ପାର୍ଟି, ୮ଟି ଫ୍ଲାଇଂ ସ୍କ୍ବାଡ, ୮ଟି ଏସଏସଟି ମୁତୟନ ହେବେ ବୋଲି ସୂଚନା ଦିଆଯାଇଛି । ଷ୍ଟ୍ରଙ୍ଗ ରୁମଗୁଡିକୁ କଡ଼ା ନିରାପତ୍ତାରେ ରଖାଯାଇଥିବାବେଳେ ସିସିଟିଭି ବଳୟରେ ସେଗୁଡିକୁ ରଖାଯାଇଥିବା କୁହାଯାଇଛି ।

ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୧୭ତମ ବୈଠକ, ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ଵର: ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ)ର ୧୧୭ତମ ବୈଠକ ଆଜି  ରାଜ୍ୟ  ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏସଏଲଏସଡବ୍ଲ୍ୟୁସିଏ କମିଟି ଦ୍ୱାରା ୨୮୪୦.୭୩ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି,  ଯାହା ଓଡ଼ିଶାବାସୀଙ୍କ ପାଇଁ ୩୭୨୧ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ତନ୍ମଧ୍ୟରୁ  ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ରେ ଅଂଶଗ୍ରହଣ କରି ରାଜ୍ୟରେ ପୁଞ୍ଜିନିବେଶ ପ୍ରସ୍ତାବନା ଦେଇଥିବା ୯ଟି କମ୍ପାନୀ ଅନ୍ତର୍ଭୁକ୍ତ ରହିଛି ।

       ନିବେଶ ଉଦ୍ଦେଶ୍ୟକୁ ବାସ୍ତବରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ନିରବଚ୍ଛିନ୍ନ ପ୍ରୟାସ କରୁଛନ୍ତି । ଆଲୁମିନିୟମ ଓ ଆଲୁମିନିୟମ ଉପରେ ନିର୍ଭରଶୀଳ ସଂପୃକ୍ତ ଇସ୍ପାତ ଏବଂ ଇସ୍ପାତ ସହ ସଂଯୁକ୍ତ ଶିଳ୍ପ, ରାସାୟନିକ ଓ ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ, ବୟନ ଓ ପୋଷାକ, ପର୍ଯ୍ୟଟନ ଏବଂ ଅକ୍ଷୟ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରରେ ଥିବା ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ମିଳିଛି । ବଲାଙ୍ଗୀର, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ  ଅନୁମୋଦିତ ପ୍ରକଳ୍ପ ପ୍ରତିଷ୍ଠା କରାଯିବ ।

     ବୈଠକରେ ୮୯୬.୯୮ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆର.ସି.ଆର ଷ୍ଟିଲ ୱାର୍କସ ପ୍ରାଇଭେଟ ଲିମିଟେଡର ପ୍ରସ୍ତାବକୁ ଏସଏଲଏସଡବ୍ଲୁସିଏ ଅନୁମୋଦନ କରିଛି । ଏଥିରେ ମୟୂରଭଞ୍ଜର ଜାମଦାଠାରେ ଏକ ଇସ୍ପାତ କାରଖାନା ସ୍ଥାପନ କରାଯିବା ସହ ରାଜ୍ୟରେ ପ୍ରାୟ ୭୫୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆଶା କରାଯାଉଛି । ସେହିପରି ରାୟଗଡ଼ା ଜିଲ୍ଲାରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ୍ ଏବଂ ସମ୍ବଲପୁରର ଲାପଙ୍ଗାସ୍ଥିତ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ର ସମ୍ପ୍ରସାରଣ ପ୍ରସ୍ତାବକୁ କମିଟି ଅନୁମୋଦନ କରିଛି, ଯେଉଁଥିରେ ମୋଟ ପ୍ରାୟ ୧୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି ଏବଂ ଏହି ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳରେ ୫୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆଶା କରାଯାଉଛି ।

           ଗଞ୍ଜାମ ଜିଲ୍ଲାର ଚିଲିକା ହ୍ରଦ ସ୍ଥିତ ସୋମାଲୋ ଦ୍ୱୀପରେ ୨୨୮.୪୫ କୋଟି ଟଙ୍କା ବିନିଯୋଗରେ ଏକ ରିସୋର୍ଟ ପ୍ରତିଷ୍ଠା ପାଇଁ ମହିନ୍ଦ୍ରା ହୋଲିଡେଜ୍ ଆଣ୍ଡ ରିସର୍ଟସ୍ ଇଣ୍ଡିଆ ଲିମିଟେଡ୍  ପ୍ରକଳ୍ପ ପ୍ରସ୍ତାବକୁ ମଧ୍ୟ ଏସ୍ଏଲ୍ଏସ ଡବ୍ଲୁଏ ଅନୁମୋଦନ କରିଛି । ଏହି ପ୍ରକଳ୍ପ ଭାରତର ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି । ଆହୁରି ମଧ୍ୟ ରସାୟନ  କ୍ଷେତ୍ରରେ କମିଟି ଆୟନ ଏକ୍ସଚେଞ୍ଜ (ଇଣ୍ଡିଆ) ଲିମିଟେଡ୍ ର ଏକ ପ୍ରକଳ୍ପକୁ କମିଟି ମଞ୍ଜୁରୀ ଦେଇଛି । ୩୦୩ କୋଟି ଟଙ୍କା ବିନିଯୋଗରେ ପାରାଦୀପରେ ୨୫୦୦୦ ମେଟ୍ରିକ୍ ଟନ୍ ଜଳ ବିଶୋଧନ କେମିକାଲ୍ ଏବଂ ୩୦,୦୦୦ ମେଟ୍ରିକ୍ ଟନ୍ ମନୋମର୍ ଓ ପଲିମର୍ସ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ କମ୍ପାନୀ  ପ୍ରସ୍ତାବ ଦେଇଛି, ଯାହା ଓଡ଼ିଶାର ୧୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ।

          ବୟନ ଓ ପୋଷାକ  କ୍ଷେତ୍ରରେ ଇଣ୍ଡିଆନ୍ ଷ୍ଟିଚେସ ପ୍ରାଇଭେଟ୍ ଲିମିଟେଡ୍ ୧୦୦ କୋଟି ଟଙ୍କା ବିନିଯୋଗରେ ଏକ ଫେବ୍ରିକ୍ ପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ କରି ରାଜ୍ୟରେ ୧୦୦୦ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଖୋର୍ଦ୍ଧାରେ ଫୁଡ୍ ପ୍ରୋସେସିଂ ଓ ପ୍ୟାକେଜିଂ ୟୁନିଟ୍ ସ୍ଥାପନ ପାଇଁ ତାଜ୍ ସାଟସ୍  ଲିମିଟେଡ୍ ର ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରୀ  ମିଳିଛି । ଏହି ପ୍ରକଳ୍ପରେ ୫୧ କୋଟି ଟଙ୍କା ବିନିଯୋଗ ହେବା ସହିତ ୨୦୦ ଜଣଙ୍କ ପାଇଁ  ନିଯୁକ୍ତି ସୁଯୋଗ  ରହିଛି ।  ଓଡ଼ିଶା ସରକାର ରାଜ୍ୟରେ ପୁଞ୍ଜିନିବେଶ ପାଇଁ ସର୍ବଦା ଶିଳ୍ପପତିମାନଙ୍କୁ ଉତ୍ସାହିତ ଓ ସ୍ୱାଗତ କରି ଆସୁଛନ୍ତି । ପୂର୍ବ ଭାରତରେ ପାଦ ଥାପିବା କିମ୍ବା ଏହି ଅଞ୍ଚଳରେ ନିଜର ପାଦ ବିସ୍ତାର କରିବାର ସୁଯୋଗକୁ ଅପେକ୍ଷା କରିଥିବା ନିବେଶକଙ୍କ ପାଇଁ ଏହାର ଶିଳ୍ପ ଅନୁକୂଳ ନୀତି ରାଜ୍ୟକୁ ଏକ ଅତ୍ୟନ୍ତ ଲାଭଦାୟକ ଗନ୍ତବ୍ୟସ୍ଥଳରେ ପରିଣତ କରିଛି ।

ରାଜ୍ୟକୁ ପୁଣି ଫେରିଲା ତାତି, ୪୦ ଡିଗ୍ରୀ ଉପରେ ୧୪ ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲା ତାତି । ୪୦ ଡିଗ୍ରୀ ଉପରେ ୧୪ ସହରର ତାପାମାତ୍ରା ରେର୍କଡ । ୪୨ ଡିଗ୍ରୀ ସହ ବୌଦ୍ଧ ସୁବଠାରୁ ଉତ୍ତପ୍ତ ସହର ପାଲଟିଛି । ଝାରସୁଗୁଡା ଓ ସମ୍ବଲପୁରରେ ୪୧.୬ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଛି । ସେହିଭଳି ରାଉରକେଲା ୪୧.୪, ଅନୁଗୁଳ ୪୧ .୧ , ସୁନ୍ଦରଗଡରେ ୪୧ ଡିଗ୍ରୀ ତାପମାନ୍ରା ରେକର୍ଡ କରାଯାଇଛି ।

ସ୍ବାଭାବିକ ଠାରୁ ଦିନର ତାପମାତ୍ରା ଅଧିକ ରହିବାରୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହୋଇଛନ୍ତି ଲୋକ । ଉପକୂଳ ଓ ମଧ୍ୟ ଓଡ଼ିଶାରେ ଅଧିକ ଗୁଳଗୁଳି ଅନୁଭୂତ ହେଉଛି । ଆସନ୍ତା ତିନିରୁ ଚାରିଦିନ ଏଭଳି ସ୍ଥିତି ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ଶେଷ ଦିନରେ ହେବିୱେଟଙ୍କ ଧୂଆଁଧାର ପ୍ରଚାର

ବେଙ୍ଗାଲୁରୁ: ସରିଲା ପ୍ରଚାର । ଦିନକ ପରେ ନିର୍ବାଚନ । ମାରାଥନ ରାଲି, ଜନସଭା, ରୋଡ ଶୋ ସାଙ୍ଗକୁ ବୟାନବାଜିରେ ସରିଲା ପ୍ରଚାର । ପୁଳା ପୁଳା ପ୍ରତିଶ୍ରୁତିରେ ଜନତାଙ୍କୁ ପୋତିଛନ୍ତି ସବୁ ଦଳର ପ୍ରାର୍ଥୀ । ଶେଷ ଦିନରେ ଧୂଆଁଧାର ପ୍ରଚାର ପରେ ଶାନ୍ତ ପଡ଼ିଛି ନିର୍ବାଚନୀ ମୈଦାନ । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର କ୍ୟାମ୍ପେନର ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଚାର କରିଥିବା ବେଳେ କେନ୍ଦ୍ର ମନ୍ତ୍ରୀଙ୍କୁ ନେଇ ମଇଦାନକୁ ଓହ୍ଲାଇଥିଲା ବିଜେପି ।

ବିଜୟନଗର, ବେଙ୍ଗାଳୁରୁରେ ପ୍ରିୟଙ୍କା ରୋଡ ଶୋ କରିବା ସହ ଜନସଭାକୁ ସମ୍ବୋଧିତ କରିଥିଲେ । ବେଙ୍ଗାଳୁରୁରେ ଆୟୋଜିତ ଏକ ବିରାଟ ଜନସଭାରେ ସାମିଲ ହୋଇଥିଲେ ପିସିସି ସଭାପତି ଡି କେ ଶିବକୁମାର । ବେରୋଜଗାରୀ, ଭ୍ରଷ୍ଟାଚାର, ପିସି କାରବାରକୁ କଂଗ୍ରେସ ମୁଖ୍ୟ ମୁଦ୍ଦା କରିଥିବା ବେଳେ ବିଜେପି ଗାନ୍ଧି ପରିବାରକୁ ପ୍ରସଙ୍ଗ କରିଥିଲା । ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ର ମନ୍ତ୍ରୀମାନେ ପ୍ରଚାର କରିଛନ୍ତି । ୨୨୪ ଆସନ ପାଇଁ ମଇଦାନରେ ୨ହଜାର ୬୧୩ ପ୍ରାର୍ଥୀ ରହିଛନ୍ତି । ହାଇ ପ୍ରେଫାଇଲ ଆସନ ଉପରେ ସମସ୍ତଙ୍କ ନଜର ରହିଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ସିଦ୍ଧରମୈୟା, ପିସିସି ସଭାପତି ଡି କେ ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡଗେ, ମୁଖ୍ୟମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ବାସବରାଜ ବୋମାଇ, ୟଦ୍ଦ୍ୟୁରପ୍ପାଙ୍କ ପୁଅ ବି ଓ୍ବାଇ ବିଜୟେନ୍ଦ୍ର, ଜେଡିଏସ ସୁପ୍ରିମୋ ଏଚ ଡି କୁମାରସ୍ବାମୀ ପ୍ରମୁଖଙ୍କ ଆସନ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ୧୦ ତାରିଖ ନିର୍ବାଚନରେ ଭୋଟରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫କୋଟିରୁ ଊର୍ଦ୍ଧ୍ବ ଭୋଟର । ୧୩ ତାରିଖରେ ଭୋଟ ଗଣତି । ସେପଟେ ଏକାଧିକ ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ସର୍ଭେରେ କଂଗ୍ରେସକୁ ବହୁମତ ମିଳିଥିବା ବେଳେ ବିଜେପି ପାଇଁ ଏହା ଟେନସନ ବଢ଼ାଇ ଦେଇଛି ।

ଥମିଲା ପ୍ରଚାର, ଦିନକ ପରେ ଭୋଟ୍; ଶେଷ ଦିନରେ ଝାରସୁଗୁଡ଼ାରେ ଝାଳବୁହା କ୍ୟାମ୍ପେନିଂ

ଝାରସୁଗୁଡ଼ା: ଥମିଲା ପ୍ରଚାର, ଦିନକ ପରେ ଭୋଟ୍ । ଶେଷ ଦିନରେ ଝାରସୁଗୁଡ଼ାରେ ଝାଳବୁହା କ୍ୟାମ୍ପେନିଂ ।  ସଭା, ଶୋଭାଯାତ୍ରାରେ କମ୍ପିଲା ସହର, ଗାଁ ଗାଁରେ ଡୋର୍ ଟୁ ଡୋର୍ ପ୍ରଚାର। ଭୋଟ୍ ମାଗିଲେ ପ୍ରାର୍ଥୀ, ନେତା, କର୍ମୀ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରଚାର। ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଓ ନେତା ଶେଷ ଦିନରେ ଜୋରଦାର କ୍ୟାମ୍ପେନିଂ କରିଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଝାରସୁଗୁଡ଼ା ସହରର ୩ନମ୍ଵର ଓ ୧୯ନମ୍ବର ୱାର୍ଡରେ ନିର୍ବାଚନ ପ୍ରଚାର କରିଛନ୍ତି ।

ମହିଳାମାନେ ଦୀପାଳିଙ୍କ ଉପରେ ପୁଷ୍ପ ବୃଷ୍ଟି କରି, ଉତ୍ତରୀୟ ଦେଇ, ମିଠା ଖୁଆଇ ସ୍ଵାଗତ ସମ୍ବର୍ଦ୍ଧନା କରିବା ସହ ସମର୍ଥନ ଜଣାଇଥିଲେ। ସବୁଠି ଦେଖିବାକୁ ମିଳିଛି ଦୀପାଳିଙ୍କ କ୍ରେଜ୍। ମାଟିର ଝିଅକୁ ମନଖୋଲା ସମର୍ଥନ ଜଣାଉଛନ୍ତି ଝାରସୁଗୁଡ଼ାବାସୀ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ାରେ ନିର୍ବାଚନୀ ସଭା ପରେ ବିଜେଡି କର୍ମୀଙ୍କ ଉତ୍ସାହ ଆହୁରି ବଢ଼ିଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଝାରସୁଗୁଡ଼ାର ବିଭିନ୍ନ ସଂଗଠନ, ସମାଜ ସମର୍ଥନ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି, ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା, ବିକାଶ କାର୍ଯ୍ୟ ସହିତ ସ୍ବର୍ଗତ ନବକିଶୋର ଦାସଙ୍କ ଲୋକପ୍ରିୟତା ଯୋଗୁଁ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ବିପୁଳ ଜନସମର୍ଥନ ଦେଖିବାକୁ ମିଳିଛି । ନିର୍ବାଚନର ଶେଷ ଦିନରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ମଧ୍ୟ ନିର୍ବାଚନ ପ୍ରଚାର କରିଛନ୍ତି। କିନ୍ତୁ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ମଧ୍ୟରୁ ଜନସମର୍ଥନ ହାସଲରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବହୁ ଆଗରେ ଥିବା ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

ଯଦି ଅତିଥି ଭଲ ହୋଇଥାନ୍ତେ ତେବେ ମୁଁ ଭଲ ଅତିଥି ସତ୍କାରକ ହୋଇଥାନ୍ତି..ପାକିସ୍ତାନ ବିଦେଶମନ୍ତ୍ରୀଙ୍କୁ ନେଇ ଏମିତି କହିଲେ ଜୟଶଙ୍କର

ନନ୍ଦିଘୋଷ ବ୍ୟୁରୋ: ଯେମିତି ଦିଅଁ…ସେମିତି ପୂଜା । ଭଲ ଗେଷ୍ଟ ପାଇଲେ… ଭଲ ହୋଷ୍ଟ ହେବି । ଏମିତି ତେରଛା ବାଣ ମାରି ଚର୍ଚ୍ଚାରେ ରହିଛନ୍ତି ବୈଦେଶିକ ମନ୍ତ୍ରୀ ଜୟଶଙ୍କର। ସାଘାଂଇ ସହଯୋଗ ସଙ୍ଗଠନ ବୈଠକରେ ଯୋଗଦେବାକୁ ଗୋଆ ଆସିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ । ଏହି ସମୟରେ ବିଲାୱଲଙ୍କ ସହ ହାତ ନମିଶାଇ ଦୂରରୁ ନମସ୍କାର କରିଥିଲେ ଜୟଶଙ୍କର। ଏହାକୁ ନେଇ ମିଡିଆାରେ ଚର୍ଚ୍ଚା ହେବା ପରେ ଏମିତି ଜବାବ ରଖିଛନ୍ତି ଜୟଶଙ୍କର ।

ଏପରିକି ଭୁଟ୍ଟାେଙ୍କୁ ଆତଙ୍କବାଦୀ ଶିଳ୍ପର ମୁଖପାତ୍ର ବୋଲି କହିବାକୁ ପଛାଇ ନାହାନ୍ତି । ଏସସିଓ ବିଦେଶ ମନ୍ତ୍ରୀଙ୍କ ବୈଠକରେ ବିଲାୱଲ ଏକ ବିବାଦୀୟ ବୟାନ ଦେଇଥିଲେ । ଯାହାକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ କଶ୍ମୀରରେ ଜି -୨୦ ବୈଠକ ଆୟୋଜନ କରିବା ପ୍ରଶ୍ନରେ ବିଲାୱଲ କହିଥିଲେ ଯେ ‘ସମୟ ଆସିଲେ ଉତ୍ତର ଦିଆଯିବ’ । ନିକଟରେ ଗୋଆରେ ଅନୁଷ୍ଠିତ ସାଘାଂଇ ସହଯୋଗ ସଙ୍ଗଠନର ବିଦେଶ ମନ୍ତ୍ରୀମାନଙ୍କର ବୈଠକ ହୋଇଥିଲା ।

ଏଥିରେ ଅନ୍ୟ ସଦସ୍ୟଙ୍କ ସହିତ ପାକିସ୍ତାନର ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଯୋଗଦେଇଥିଲେ । ଏହପରେ ଏକ ପ୍ରେସ କନଫରେନ୍ସରେ ଯୋଗଦେଇ ପାକିସ୍ତାନ ଉପରେ ବର୍ଷିଛନ୍ତି ଜୟଶଙ୍କର । ପାକ୍ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କୁ ଆତଙ୍କବାଦ ଇଣ୍ଟଷ୍ଟ୍ରିର ପ୍ରବକ୍ତା ବୋଲି କହିଛନ୍ତି । ଆହୁରୀ ମଧ୍ୟ କହିଛନ୍ତି ଯେ, କୌଣସି ପରିସ୍ଥିତିରେ ପାକିସ୍ତାନ ଉପରେ ଭରସା କରାଯାଇପାରିବ ନାହିଁ। ଆତଙ୍କବାଦୀ ଏବଂ ଷଡଯନ୍ତ୍ରକାରୀଙ୍କ ସହ ବସି କୌଣସି କଥାବାର୍ତ୍ତା ହେବା ଉଚିତ ନୁହେଁ ।

ଜୟଶଙ୍କର ବିଲାୱଲଙ୍କୁ ଏଭଳି କଟକ୍ଷ କରି ଉକ୍ତ କନଫରେନ୍ସରେ କହିଛନ୍ତି । ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଥିଲେ ଯେ, ଯଦି ଅତିଥି ଭଲ ହୋଇଥାନ୍ତେ ତାହେଲେ ସେ ଜଣେ ଭଲ ଅତିଥି ସତ୍କାରକ ହୋଇପାରିଥାନ୍ତେ । ଅର୍ଥାତ୍ ଜଣେ ଭଲ ଗେଷ୍ଟ ପାଇଲେ ଭଲ ହୋଷ୍ଟ ହୋଇପାରିବେ । ଏଥିରୁ ସେ ସ୍ପଷ୍ଟ କରିଦେଇଛନ୍ତି ଯେ, ପାକିସ୍ତାନର ବିଦେଶ ମନ୍ତ୍ରୀ ଜଣେ ଭଲ ଅତିଥି ନୁହନ୍ତି। ପାକିସ୍ତାନ ଜମ୍ମୁ-କଶ୍ମୀରର ଯେଉଁ ଅଞ୍ଚଳ (ପିଓକେ)କୁ ବେଆଇନ ଭାବେ ଦଖଲ କରିଛି, ସେଠାରୁ ତୁରନ୍ତ ହଟିଯିବା ଉଚିତ । ଭାରତ ସବୁବେଳେ ଏହାର ସ୍ଥିତି ସ୍ପଷ୍ଟ କରିଆସିଛି ଯେ ଆତଙ୍କବାଦ ଓ କଥାବାର୍ତ୍ତା ଦୁଇଟା ଏକାସଙ୍ଗେ ଚାଲିପାରିବ ନାହିଁ ବୋଲି କହିଛନ୍ତି ଜୟଶଙ୍କର ।

ସରିଲା 5-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟ, ଡିସେମ୍ବର ସୁଦ୍ଧା ବାକି ସ୍କୁଲର ରୂପାନ୍ତରିତ କରାଯାଇ ଲୋକାର୍ପଣ କରାଯିବ

ନନ୍ଦିଘୋଷ ବ୍ୟୁରୋ: ସରିଲା ଫାଇଭ-ଟି ଉପକ୍ରମରେ ତୃତୀୟ ପର୍ଯ୍ୟାୟରେ ରୂପାନ୍ତରିତ ସ୍କୁଲ ଲୋକାର୍ପଣ । ଏ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ମୋଟ୍‌ ୬ ହଜାର ୧୩୨ ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ତୃତୀୟ ପର୍ଯ୍ୟାୟରେ ୨ ହଜାର ୧୫୧ଟି ହାଇସ୍କୁଲ ଲୋକାର୍ପଣ ହୋଇଥିବା ବେଳେ ପୂର୍ବରୁ ୨ଟି ପର୍ଯ୍ୟାୟରେ ୩ ହଜାର ୯୮୧ଟି ସ୍କୁଲ ଲୋକାର୍ପିତ ହୋଇଥିଲା । ଆଜି ତୃତୀୟ ପର୍ଯ୍ୟାର ଷଷ୍ଠ ଦିନରେ ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କଟକ ଜିଲ୍ଲାର ୯୮ଟି ସ୍କୁଲ, କଳାହାଣ୍ଡି ଜିଲ୍ଲାର ୧୧୫ଟି ସ୍କୁଲ, ମାଲକାନାଗିରିର ୪୯ଟି ସ୍କୁଲ, ଯାଜପୁର ୭୩ଟି ସ୍କୁଲର ଲୋକାର୍ପଣ କରାଯାଇଛି । ବାକି ହାଇସ୍କୁଲ ଡିସେମ୍ବର ସୁଦ୍ଧା ରୂପାନ୍ତରିତ କରାଯାଇ ଲୋକାର୍ପଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରୂପାନ୍ତର ପରେ ୩ ଶ୍ରେଷ୍ଠ ସ୍କୁଲକୁ ପୁରସ୍କାର ମିଳିବ ବୋଲି କହିଛନ୍ତି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ପ୍ରଥମ ପୁରସ୍କାର ବାବଦରେ ସ୍କୁଲକୁ ମିଳିବ ୩ କୋଟି ଟଙ୍କା। ଦ୍ବିତୀୟ ପୁରସ୍କାର ୨କୋଟି ଓ ତୃତୀୟ ପୁରସ୍କାର ବାବଦରେ ୧କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ସୂଚନା ଦେଇଛନ୍ତି ।

ପଶ୍ଚିମବଙ୍ଗରେ ‘ଦ କେରଳ ଷ୍ଟୋରୀ’ ଉପରେ ବ୍ୟାନ

କୋଲକାତା: ପଶ୍ଚିମବଙ୍ଗର ମମତା ବନାର୍ଜୀ ସରକାର ‘ଦ କେରଳ ଷ୍ଟୋରୀ’ ସିନେମାକୁ ରାଜ୍ୟରେ ବ୍ୟାନ କରିଛନ୍ତି । ନିଜେ ମମତା ବନାର୍ଜୀ ଏହି ସିନେମା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ‘ଦ କାଶ୍ମୀର ଫାଇଲ୍ସ’ କଣ ଥିଲା? ଏହା ଏକ ବର୍ଗକୁ ଅପମାନିତ କରୁଥିବା କାହାଣୀ ଥିଲା । ‘ଦ କେରଳ ଷ୍ଟୋରୀ’ କଣ ଅଟେ? ଏହା ମଧ୍ୟ ଏକ ଭୁଲ ଢଙ୍ଗରେ ଉପସ୍ଥାପିତ କରାଯାଇଥିବା କାହାଣୀ ଅଟେ । ମମତା ବନାର୍ଜୀ ଏହି ମାମଲାରେ ବିରୋଧୀ ଦଳ ସିପିଏମ ଉପରକୁ ମଧ୍ୟ ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି, ସେମାନେ ଏହି ମାମଲାରେ ପାଟି ବି ଖୋଲୁନାହାନ୍ତି ।

ରାଜ୍ୟ ସଚିବାଳୟରେ ମମତା ବନାର୍ଜୀ ଫିଲ୍ମ ଉପରେ ବ୍ୟାନ ନେଇ ଘୋଷଣା କରିଛନ୍ତି । ଏହାର କିଛି ସମୟ ପୂର୍ବରୁ ସେ ଅଭିଯୋଗ କରିଥିଲେ ଯେ ବିଜେପି ‘ଦ କାଶ୍ମୀର ଫାଇଲ୍ସ ଭଳି ବେଙ୍ଗଲ ଉପରେ ମଧ୍ୟ ଏକ ଫିଲ୍ମ ନିର୍ମାଣ କରୁଛି ଏବଂ ଏଥିପାଇଁ ଫଣ୍ଡିଂ ମଧ୍ୟ କରୁଛି । ମମତା ବନାର୍ଜୀ ‘ଦ କେରଳ ଷ୍ଟୋରୀ’ ଉପରେ ବ୍ୟାନ ନିଷ୍ପତ୍ତି ଶୁଣାଇବା ସହ ମୁଖ୍ୟ ଶାସନ ସଚିବଙ୍କୁ ଆଦେଶ ଦେଇଛନ୍ତି ଯେ ସେ ଏହା ସୁନିଶ୍ଚିତ କରନ୍ତୁ ଯେ ରାଜ୍ୟରେ କେଉଁଠାରେ ମଧ୍ୟ ଫିଲ୍ମର ସ୍କ୍ରିନଂ ନହୋଇପାରିବ ।

ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ରାଜ୍ୟରେ ଆଇନ ବ୍ୟବସ୍ଥାକୁ ବଳବତ୍ତର ରଖିବା ପାଇଁ ନିଆଯାଇଛି । ଏହି ଫିଲ୍ମ ଚାଲିବା ଦ୍ୱାରା ଆଇନ ବ୍ୟବସ୍ଥା ବିଗିଡ଼ିବା ଏବଂ ହିଂସା ଘଟଣାର ଆଶଙ୍କା ଅଧିକ ରହିଛି । ମମତା ଆଗକୁ କହିଥିଲେ ଯେ ବେଙ୍ଗଲ ଉପରେ ମଧ୍ୟ ଏକ ସିନେମା ନିର୍ମାଣ କରାଯାଉଥିବା ନେଇ ମୋତେ ସୂଚନା ଆସିଛି । ପ୍ରଥମେ ଏମାନେ କାଶ୍ମୀରର ଲୋକଙ୍କୁ ଅପମାନ କରିଥିଲେ । ଏହାପରେ କେରଳର ଲୋକଙ୍କ ସହ ଏପରି ହେଲା ।

ଏବେ ବେଙ୍ଗଲକୁ ମଧ୍ୟ ଅପମାନ କରିବା ପାଇଁ ଯୋଜନା କରାଯାଉଛି । ସୂଚନାଥାଉକି, ‘ଦ କେରଳ ଷ୍ଟୋରୀ’କୁ ନେଇ ବର୍ତ୍ତମାନ ସମୟରେ ଚର୍ଚ୍ଚା ଜୋର ଧରିଛି । କେହି କେହି କହିଛନ୍ତି ଯେ ଫିଲ୍ମଟି କେରଳର ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି । ଫିଲ୍ମ ଜରିଆରେ ହିନ୍ଦୁ ଯୁବତୀମାନେ ସଚେତନ ହେବେ ବୋଲି କୁହାଯାଇଛି । ସେହିପରି ଆଉ କେହି କେହି ଫିଲ୍ମକୁ ବିରୋଧ କରି ମୁସଲିମଙ୍କ ବିରୋଧରେ ଘୃଣା ସୃଷ୍ଟି କରିବାକୁ ଏହି ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ତେବେ ସିନେମା ୫ ତାରିଖରେ ରିଲିଜ୍ ହୋଇଥିବା ବେଳେ ସାରା ଦେଶରେ ବହୁତ ଭଲ ରେସପନ୍ସ ମିଳୁଛି ।

ଝାରସୁଗୁଡ଼ା ଉପନିର୍ବାଚନ: ବହୁମାତ୍ରାରେ ଆସି ଭୋଟ୍ ଦେବାକୁ ମତଦାତାଙ୍କୁ ଅନୁରୋଧ କଲେ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ପ୍ରେସମିଟ୍ । ପ୍ରେସମିଟରେ ଉପନିର୍ବାଚନକୁ ନେଇ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀ ଧଳ । ସେ କହିଛନ୍ତି ଝାରସୁଗୁଡ଼ାରେ ଆଜି ସନ୍ଧ୍ୟା ୬ଟାରେ ନିର୍ବାଚନୀ ପ୍ରଚାର ସରିବ । ୩୩୦ ଜଣ ବରିଷ୍ଠ ନାଗରିକ ଘରେ ରହି ଭୋଟ ଦେବେ ବୋଲି ଅପିଲ କରିଥିଲେ । ବର୍ତ୍ତମାନ ସୁଦ୍ଧା ୩୨୧ ଜଣ ମତଦାନ କରିଛନ୍ତି । ତେବେ ୧୦ ତାରିଖରେ ବହୁମାତ୍ରାରେ ଆସି ଭୋଟ ଦେବାକୁ ସେ ମତଦାତାମାନଙ୍କୁ ଅନୁରୋଧ କରିଛନ୍ତି ।

ଉପନିର୍ବାଚନ ପାଇଁ ମୋଟ୍ ୨୫୩ ବୁଥ୍ ପ୍ରସ୍ତୁତ କରାଯାଇଛି । ଏଥିମଧ୍ୟରେ ୨୬ ଟି ପିଙ୍କ ବୁଥ୍ ରହିଛି ।ଏହିସବୁ ବୁଥର ଦାୟିତ୍ବରେ ରହିବେ ମହିଳା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପିଙ୍କ ବୁଥର ବ୍ୟବସ୍ଥା କରାଯାଇଛି । ୨୬ ପିଙ୍କ ବୁଥରୁ ୨୦ ଟି ଝାରସୁଗୁଡ଼ା ମ୍ୟୁନିସପାଲିଟିରେ ରହିଛି । ବିନା ହିଂସାରେ ନିର୍ବାଚନ କରାଇବା ନେଇ ଲକ୍ଷ୍ୟ ରଖାଯାଇଛି । ସେଥି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ନିର୍ବାଚଚମଣ୍ଡଳୀର ୨୫୩ଟି ବୁଥରୁ ୧୪୪ ବୁଥରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସବାହିନୀ ନିୟୋଜିତ ହୋଇଛନ୍ତି । ସମସ୍ତ ବୁଥରେ ୧୦୧୨ ଜଣ ପୋଲିଂ ଅଧିକାରୀ ନିୟୋଜିତ ଅଛନ୍ତି । ଅତିରିକ୍ତ ୧୦୦ ଜଣ ପୋଲିଂ ଅଧିକାରୀଙ୍କୁ ରିଜର୍ଭ କରାଯାଇଛି । ୧୦୦ ପ୍ରତିଶତ ବୁଥରେ ଓ୍ବେବ କାଷ୍ଟିଙ୍ଗ ହେବ । ଭିନ୍ନକ୍ଷମ ଭୋଟର ପାଇଁ ୧୧୮ଟି ଅଟୋ ରିକ୍ସା ବ୍ୟବସ୍ଥା ଜିଲ୍ଲାପାଳଙ୍କ ଦ୍ବାରା କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ୯୯ ବୁଥରେ ମାଇକ୍ରୋ ଅବଜଭର ରଖାଯାଇଛି । ସକାଳ 7ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ ।

ସେପଟେ ଶାନ୍ତି ଶୃଙ୍ଖଳା ପାଇଁ ୧୭୧ଟି ଲାଇସେନ୍ସ ବନ୍ଧୁକ ଜିମା ନେଇଛି ପୋଲିସ । ୧୦୮ ଟି NBW ଏବଂ ୧୩ ଲକ୍ଷ ୨୪ ହଜାର ଟଙ୍କାର ବିଭିନ୍ନ ଜିନିଷ ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୨ଟି ଅଭିଯୋଗ ଆସିଥିବା ବେଳେ ୯ଟି ମଡେଲ କୋର୍ଡ ଅଫ କଣ୍ଡର୍ଟ ଅଭିଯୋଗ ଆସିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହେବ । ତେଣୁ ଏହି ନିର୍ବାଚନୀ ପର୍ବରେ ସମସ୍ତେ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

 

ଆନ୍ଧ୍ରରେ ଅର୍ଥ କାରବାର ମାମଲାରେ ଗିରଫ ହୋଇପାରନ୍ତି ବିଜେପି ନେତା: ବିଜେଡି

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶରେ ବିଧାନ ପରିଷଦ ସଦସ୍ୟ କରାଇଦେବା ଲାଗି ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କାର ହୋଇଛି କାରବାର । ଏହି କେଳେଙ୍କାରୀକୁ ନେଇ ଆନ୍ଧ୍ରପ୍ରଦେଶରେ ଏକ ଫୌଜଦାରୀ ମାମଲା ରୁଜୁ ହେବାକୁ ଯାଉଛି । ଏଥିରେ ସାମିଲ ବ୍ୟକ୍ତିମାନଙ୍କୁ ଗିରଫ କରାଯିବା ସମ୍ଭାବନା ରହିଛି ବୋଲି କହିଛି ବିଜେ଼ଡି । ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି- ଜୀବନରେ ସାଧାରଣ ଓ୍ବାର୍ଡମେମ୍ବରଟିଏ ହୋଇପାରି ନଥିବା ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ବିଭିନ୍ନ ପ୍ରସଙ୍ଗରେ ବିବୃତି ଦେବାରେ ଲାଗିଛନ୍ତି ।

ବିଜେପିର କୁହାଳିଆ ନେତା ପୃଥ୍ବୀରାଜ ହରିଚନ୍ଦନ ସବୁବେଳେ ଓଡ଼ିଶା ବିରୋଧୀ କଥା କୁହନ୍ତି । ଓଡ଼ିଶାରେ କେହି ବି ତାଙ୍କୁ ଗୁରୁତ୍ବ ଦିଅନ୍ତି ନାହିଁ । ଓଡ଼ିଶାରେ କେଉଁ ମଡେଲ ଶାସନ ଚାଲିଛି, ସେ ବିଷୟରେ ବଡ ବଡ କଥା କହୁଥିବା ପୃଥ୍ବୀରାଜ ନିଶ୍ଚିତ ଭାବେ ଜାଣି ଥିବେ ଯେ ଆନ୍ଧ୍ରମଡେଲ ମଧ୍ୟ ରହିଛି । ଆନ୍ଧ୍ରମଡେଲରେ ବିଧାନ ପରିଷଦରେ ସଦସ୍ୟ କରାଇଦେବାକୁ କହି ଆଶାୟୀମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ ହୋଇଛି ।

ଓଡ଼ିଶା ବିଜେପିର କାର୍ଯ୍ୟଶୌଳୀ ଦେଖି ଲାଗୁଛି ବୋଧହୁଏ ତାଙ୍କ ସଙ୍ଗଠନରେ କେହି ବିଧାୟକ କିମ୍ବା ସାଂସଦ ନାହାନ୍ତି ଯିଏକି ରାଜନୈତିକ ପ୍ରସଙ୍ଗରେ ମନ୍ତବ୍ୟ ଦେଇପାରିବେ । ନହେଲେ ଫୌଜଦାରୀ ମାମଲାରେ ଛନ୍ଦିହୋଇ ଯେକୌଣସି ମୁହୂର୍ତ୍ତରେ ଜେଲ ଯିବାର ଆଶଙ୍କା ଥିବା ଜୁନିୟର ଲୋକଙ୍କୁ ଗଣମାଧ୍ୟମରେ ମନ୍ତବ୍ୟ ଦେବାକୁ ଛାଡି ନଥାନ୍ତେ । ଏନେଇ ରାଜ୍ୟ ବିଜେପି ସତର୍କ ହୋଇ ରହିବାକୁ ପରାମର୍ଶ ଦେଇଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ।