ଏକ ବର୍ଷ ବଢ଼ିଲା ବିଶାଖାପାଟଣା ’ରୋଗୀ ସହାୟତା କେନ୍ଦ୍ର’ ଅବଧି

1 min read

ଭୁବନେଶ୍ୱର: ବିଶାଖାପାଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ‘ରୋଗୀ ସହାୟତା କେନ୍ଦ୍ର’ ଅବଧିକୁ ଆଉ ବର୍ଷେ ବା ୨୦୨୩-୨୪ ପର୍ଯ୍ୟନ୍ତ ବଢାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ମାଲକାନଗିରିରୁ ବିଶାଖାପାଟଣାକୁ ଯାଉଥିବା ଗରିବ, ଆଦିବାସୀଙ୍କ ଚିକିତ୍ସା କ୍ଷେତ୍ରରେ ସୁବିଧା ଜାରି ରହିବ । ବିଶାଖାପାଟଣାରେ ରାଜ୍ୟ ସରକାର ୨୦୧୬ ମସିହାରୁ ଏକ ’ରୋଗୀ ସହାୟତା କେନ୍ଦ୍ର’ ସ୍ଥାପନ କରିଛନ୍ତି ।

ବିଶାଖାପାଟଣା ମାଲକାନଗିରି ଜିଲ୍ଲାର ଅତି ନିକଟରେ ଥିବାରୁ ଏବଂ ସେଠାରେ ଉଚ୍ଚକୋଟୀର ଚିକିତ୍ସା ସୁବିଧା ମିଳୁଥିବାରୁ ଜିଲ୍ଲାରୁ ଅଧିକାଂଶ ରୋଗୀ ଚିକିତ୍ସା ପାଇଁ ସେଠାକୁ ଯାଇଥାନ୍ତି । ରୋଗୀ ସହାୟତା କେନ୍ଦ୍ରରେ ସେମାନଙ୍କୁ ବିନା ମୂଲ୍ୟରେ ରହିବା ଓ ଖାଇବାର ସୁବିଧା ମିଳିପାରୁଛି । ୨୦୧୬ ରୁ ୨୦୨୨ ମଧ୍ୟରେ ରାଜ୍ୟ ସରକାର ଏହି ସହାୟତା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ୨୦୧୬ରେ ୨୫ ଲକ୍ଷ ଟଙ୍କା ଏବଂ ୨୦୨୦, ୨୦୨୧ ଓ ୨୦୨୨ରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି ।