ପୁଣି ଆମେରିକାରୁ ରାହୁଲ ଗାନ୍ଧିଙ୍କ ଟାର୍ଗେଟ, କହିଲେ ଭାରତରେ ବିଭିନ୍ନ ପ୍ରତିଷ୍ଠାନର ସ୍ବାଧୀନତାକୁ କରାଯାଉଛି କ୍ଷୁର୍ଣ୍ଣ

1 min read

ଓ୍ୱାଶିଂଟନ: ଭାରତରେ ବିଭିନ୍ନ ପ୍ରତିଷ୍ଠାନଗୁଡ଼ିକର ସ୍ବାଧୀନତାକୁ କ୍ଷୁର୍ଣ୍ଣ କରାଯାଇଛି । ଏହାକୁ ନେଇ ବିଭିନ୍ନ ସଂସ୍କୃତି ଓ ସାମାଜିକ ସଂଗଠନ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଉଛି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଓ୍ବାଶିଂଟନରେ ନ୍ୟାସନାଲ ପ୍ରେସ୍ କ୍ଲବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାହୁଲ କହିଛନ୍ତି- ଭାରତରେ ପ୍ରତିଷ୍ଠାନଭିତ୍ତିକ ଫ୍ରେମଓ୍ବାର୍କ ଉପରେ କଟକଣା ଲାଗୁ କରାଯାଉଛି । ଏକ ଗଣତାନ୍ତ୍ରିକ ସମାଜରେ ପ୍ରେସ୍ ସ୍ବାଧୀନତା ଜରୁରୀ । ଭାରତ ଯୋଡ଼ ଯାତ୍ରାବେଳେ ସେ ଏନେଇ ଲୋକଙ୍କ ମଧ୍ୟରେ ଥିବା ଅସନ୍ତୋଷ ଥିବା ଜାଣିବାକୁ ପାଇଥିଲେ ।

ସେ କହିଛନ୍ତି କନ୍ୟାକୁମାରୀରୁ କାଶ୍ମୀର ଯାତ୍ରା ବେଳେ ସେ ସିଧାସଳଖ ଲକ୍ଷ ଲକ୍ଷ ଭାରତୀୟଙ୍କ ସହ ଆଲୋଚନା କରିଥିଲେ । ଦେଶରେ କ୍ରମବର୍ଦ୍ଧିତ ବେକାରୀ, ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ଲୋକଙ୍କ ମଧ୍ୟରେ ଥିବା କ୍ଷୋଭ ଏହି ଯାତ୍ରାରେ ପ୍ରତିଫଳିତ ହୋଇଥିଲା । ବିଜେପି ଉପରେ ବିଷୋଦଗାର କରି ରାହୁଲ କହିଛନ୍ତି- ଭାରତରେ ଏକ ଧ୍ରୁବୀକରଣ ଦୃଷ୍ଟିଭଙ୍ଗୀ ପ୍ରୟୋଗ କରି ବିଜେପି ଦେଶକୁ କଳୁଷିତ କରୁଛି । ଭାରତରେ ବର୍ତ୍ତମାନ ବିରୋଧୀ ଦଳମାନେ ଏକାଠି ହେବାରେ ଲାଗିଛନ୍ତି ଏବଂ କଥାବାର୍ତ୍ତା ଜାରି ରହିଛି । ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ବ୍ୟାପକ ସଫଳତା ଲାଭ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ରାହୁଲ ।