spot_img
Home Blog Page 3316

କୋଟିଆର ବିକାଶ କରିଛନ୍ତି ରାଜ୍ୟ ସରକାର, କୋଟିଆକୁ କେନ୍ଦ୍ର ସରକାର ଦେଇଛନ୍ତି କ’ଣ ?

କୋରାପୁଟ: କୋଟିଆର ବିକାଶ କରିଛନ୍ତି ରାଜ୍ୟ ସରକାର । ହେଲେ କୋଟିଆକୁ କେନ୍ଦ୍ର ସରକାର ଦେଇଛନ୍ତି କ’ଣ । କେବଳ ସେଠାକୁ କୁତ୍ସାରଟନା କରିବାକୁ କେନ୍ଦ୍ରମନ୍ତ୍ରୀ ଯାଉଥିବା କହି ବର୍ଷିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । କେନ୍ଦ୍ରମନ୍ତ୍ରୀ ଗୋଟିଏ ଦିନ ବି କୋଟିଆ ପ୍ରସଙ୍ଗରେ କହିନାହାନ୍ତି । କେନ୍ଦ୍ର ସରକାର କ’ଣ ପଦକ୍ଷେପ ନିଆଯାଇପାରିବ ସେନେଇ କିଛି କହିନାହାନ୍ତି । ଆନ୍ଧ୍ର ବିରୋଧରେ ପଦୁଟିଏ ବି କହିନାହାନ୍ତି କେନ୍ଦ୍ରମନ୍ତ୍ରୀ । କୋଟିଆ ପାଇଁ ସୁପ୍ରିମକୋର୍ଟ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ୧୬୦ କୋଟିର ପ୍ରକଳ୍ପ କୋଟିଆ ପଞ୍ଚାୟତକୁ ଦିଆଯାଇଛି । ପକ୍କା ସଡ଼କ ହୋଇଛି, ପାନୀୟ ଜଳ ଓ ବିଦ୍ୟୁତ ପହଞ୍ଚିଛି । ବଡ଼ ଶିକ୍ଷାନୁଷ୍ଠାନ, ଫାଣ୍ଡି, ଚିକିତ୍ସାଳୟ ନିର୍ମାଣ ହୋଇଛି । ତେଣୁ କୋଟିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ନାଟକବାଜୀ ବନ୍ଦ କରନ୍ତୁ ବୋଲି ପ୍ରଦୀପ କହିଛନ୍ତି । ବିଜେପିକୁ ରାଜ୍ୟବ୍ୟାସୀ ପ୍ରତ୍ୟାଖ୍ୟାନ କରିଆସିଛନ୍ତି। ଆଗାମୀ ଦିନରେ ମଧ୍ୟ ପ୍ରତ୍ୟାଖ୍ୟାନ କରିବେ।

ସେହିପରି କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ପ୍ରଦୀପ ମାଝୀ । କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟିକୁ ଅନ୍ୟତ୍ର ଉଠାଇ ନେବାକୁ ଉଦ୍ୟମ ହେଉଛି ବୋଲି କହିଛନ୍ତି ପ୍ରଦୀପ । ୨୦୦୯ରେ କୋରାପୁଟକୁ ସେଣ୍ଟ୍ରାଲ ୟୁନିଭର୍ସିଟି ମିଳିଲା । ହେଲେ ୨୦୧୪ ପରଠୁ ଏହା ସବୁଠୁ ଅବହେଳିତ ହୋଇଛି । ସେଠାରେ ମାତ୍ର ୧୭ ଆସୋସିଏଟ୍ ଓ ୨ ଜଣ ପରମାନେଣ୍ଟ ପ୍ରଫେସର ଅଛନ୍ତି । ୧୩୮ଟି ଟିଚିଂ ଓ ୯୧ଟି ନନ-ଟିଚିଂ ସହ ମୋଟ୍ ୨୨୯ଟି ପୋଷ୍ଟ ଖାଲି ପଡ଼ିଛି । ୭ଟି ବିଭାଗରେ ୧୪ଟି ପାଠ୍ୟକ୍ରମରେ ଗୋଟିଏ ବିଭାଗ ବି ବଢ଼ାଯାଇନି। ହରିୟାଣା ସେଣ୍ଟ୍ରାଲ ୟୁନିଭର୍ସିଟିରେ ବଢ଼ାଯାଉଛି, ତେବେ କୋରାପୁଟରେ କାହିଁକି ବିଭାଗ ବଢ଼ାଯାଇନି ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି।

ସାଟେଲାଇଟ ସେଣ୍ଟର ହେଲେ ଭିସି କାର୍ଯ୍ୟାଳୟ ଅନ୍ୟତ୍ର ଉଠିଯିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟିକୁ ଅନ୍ୟତ୍ର ଉଠାଇ ନେବା ବୋଲି ପ୍ରଦୀପ କହିଛନ୍ତି। ଏହି ଉଦ୍ୟମରୁ କ୍ଷାନ୍ତ ରହିବାକୁ ବିଜେଡି ପରାମର୍ଶ ଦେଇଛି। ସେହିପରି ଆଦିବାସୀ ସମାଜକୁ ମାନ୍ୟତା ଦାବିକୁ ଅଣଦେଖା କରୁଛି କେନ୍ଦ୍ର। କେନ୍ଦ୍ର ସରକାର ଖାଲି ମିଛ ପ୍ରତିଶ୍ରୁତି ଦିଅନ୍ତି, କିଛି ପୂରଣ କରନ୍ତିନି ବୋଲି ପ୍ରଦୀପ କହିଛନ୍ତି ।

ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଦିବସ ଅବସରରେ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଦକ୍ଷ ଓ କର୍ମଠ ଲୋକଶକ୍ତି ଆଧାରରେ ଓଡ଼ିଶା ଆମ ଅର୍ଥ ବ୍ୟବସ୍ଥାର ଗ୍ରୋଥ୍ ଇଞ୍ଜିନ ହେବାର ସାମର୍ଥ୍ୟ ବହନ କରେ । ଓଡ଼ିଶାର ଭାଇ ଭଉଣୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ରାଷ୍ଟ୍ରପତି ।

ସେହିପରି ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ପ୍ରଗତିରେ ଓଡ଼ିଶା, ଓଡ଼ିଶା ଜନସାଧାରଣ ଓ ସଂସ୍କୃତିର ସମୃଦ୍ଧ ଅବଦାନକୁ ଜାଣିବାର ଅବସର । ଓଡ଼ିଶାବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ସମୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମଧ୍ୟ ଓଡ଼ିଶା ଦିବସ ଅବସରରେ ଓଡ଼ିସାବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ କରିବାକୁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ଆହ୍ବାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକଙ୍କୁ ଏହି ଅବସରରେ ସମ୍ମାନ ଜଣାଇଛନ୍ତି ନବୀନ । ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନକୁ ବଜାୟ ରଖି ଏକ ନୂଆ ଓଡ଼ିଶା, ଉଚ୍ଚାକାଂକ୍ଷୀ ଓଡ଼ିଶା ଗଠନ ଦିଗରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବାକୁ ଆହ୍ବାନ ଦେଇଛନ୍ତି ନବୀନ ।

ଆଜି ଜେଲରୁ ମୁକୁଳିବେ ନବଜୋତ ସିଂହ ସିଦ୍ଧୁ, ୨୦୨୨ ମେ’ ୨୦ରୁ ପଟିଆଲା ଜେଲରେ ଅଛନ୍ତି ସିଦ୍ଧୁ

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁ ଆଜି ପଟିଆଲା ଜେଲରୁ ମୁକୁଳିବେ । ୧୯୮୮ ମସିହାର ରୋଡ୍‌ ରେଜ୍ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇ ଜେଲରେ ଥିଲେ ସିଦ୍ଧୁ । କୋର୍ଟ ତାଙ୍କୁ ବର୍ଷକ ପାଇଁ ଜେଲଦଣ୍ଡ ଦେଇଥିଲେ । ୨୦୨୨ ମେ’୨୦ରୁ ପଟିଆଲା ଜେଲରେ ଅଛନ୍ତି ନବଜୋତ ସିଂ ସିଦ୍ଧୁ । ଆଜି ସେ ଖଲାସ ହେବାକୁ ଯାଉଛନ୍ତି । ସିଦ୍ଧୁଙ୍କ ଟ୍ୱିଟର ଆକାଉଣ୍ଟରୁ ଏପରି ଟ୍ୱିଟ କରାଯାଇଛି ।

ସେହିପରି ତାଙ୍କ ଓକିଲ ଏଚପିଏସ୍‌ ବର୍ମା ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛନ୍ତି । ସିଦ୍ଧୁଙ୍କ ଟ୍ୱିଟର ଆକାଉଣ୍ଟରୁ ହୋଇଥିବା ଟ୍ୱିଟରେ କୁହାଯାଇଛି ଯେ ’ଆପଣମାନଙ୍କୁ ସୂଚିତ କରିବାକୁ ଚାହୁଁଛୁ ଯେ ସର୍ଦ୍ଦାର ନବଜୋତ ସିଂହ ସିଦ୍ଧୁ ଆଜି ପଟିଆଲା ଜେଲରୁ ମୁକୁଳିବେ’ । ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି ।

 

ଆଜିଠୁ ବଢ଼ିଲା ଓମଫେଡ୍ କ୍ଷୀର ଦର, ଲିଟର ପିଛା ୪ ଟଙ୍କା ବୃଦ୍ଧି

ଭୁବନେଶ୍ୱର: ମହଙ୍ଗା ହେଲା ଓମଫେଡ୍‌ କ୍ଷୀର । ଆଜିଠୁ ଓମଫେଡ୍ କ୍ଷୀର ଉପରେ ବର୍ଦ୍ଧିତ ଦର ଲାଗୁ ହୋଇଛି । ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇଛି ଓମଫେଡ୍ କ୍ଷୀର ଦର । ବର୍ଦ୍ଧିତ ମୂଲ୍ୟର ସିଂହ ଭାଗ ପାଇବେ ଦୁଗ୍ଧଚାଷୀ । ବର୍ଦ୍ଧିତ ୪ ଟଙ୍କାରୁ ଦୁଗ୍ଧଚାଷୀଙ୍କୁ ସିଧାସଳଖ ମିଳିବ ୩ ଟଙ୍କା ୫୦ ପଇସା। ଗୋଖାଦ୍ୟ ସମେତ ଗୋପାଳନ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀର ଦରଦାମ ବୃଦ୍ଧି ଦୃଷ୍ଟିରୁ କ୍ଷୀର ଦର ବୃଦ୍ଧି କରିବାକୁ ଦୁଗ୍ଧଚାଷୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା ।

କ୍ଷୀର ଦର ବୃଦ୍ଧି ପରେ ଏଜେଣ୍ଟଙ୍କୁ ମିଳିବ ଲିଟର ପିଛା ଅଧିକ ୨୦ ପଇସା କମିଶନ । ଓମଫେଡ୍ କ୍ଷୀରର ମୂଲ୍ୟ ବୃଦ୍ଧି ପରେ ଆଜିଠାରୁ ବଜାରରେ ଉପଲବ୍ଧ ଟୋନଡ୍ କ୍ଷୀର ଲିଟର ପିଛା ୪୨ ଟଙ୍କାରୁ ୪୬ ଟଙ୍କା, ଚା’ ସ୍ପେଶାଲ କ୍ଷୀର ଲିଟର ପିଛା ୪୬ ରୁ ୫୦ ଟଙ୍କା, ଗୋଲଡ ଓ ପ୍ରିମିୟମ କ୍ଷୀର ଲିଟର ପିଛା ୪୮ ଟଙ୍କାରୁ ୫୨ ଟଙ୍କାକୁ ବୃଦ୍ଧି ପାଇଛି ।

ଦୁବାଇକୁ ଭୁବନେଶ୍ବରରୁ ସିଧା ଉଡ଼ିବ ବିମାନ, ଆଜି ଟିକେଟ ବୁକିଂର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ବରରୁ ଦୁବାଇକୁ ଓଡ଼ିଶାର ଲମ୍ବା ଲମ୍ଫ । ମେ’ ୧୫ରୁ ଭୁବନେଶ୍ୱରରୁ ଡାଇରେକ୍ଟ ଦୁବାଇକୁ ଉଡ଼ିବ ବିମାନ । ଉତ୍କଳ ଦିବସ ଉପଲକ୍ଷେ ଓଡ଼ିଶାକୁ ଭେଟି ସ୍ବରୂପ ଆଜିଠୁ ଟିକେଟ ବୁକିଂ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆନ୍ତର୍ଜାତିକ ବିମାନ ଉଡ଼ାଣରେ ଏହା ପ୍ରଥମ ପାହଚ ରୂପେ ସ୍ବୀକୃତି ପାଇବ । ଭୁବନେଶ୍ୱରରୁ ପୂର୍ବରୁ ମଧ୍ୟ ଆନ୍ତର୍ଜାତିକ ବିମାନ ଉଡ଼ାଣ ହୋଇଛି । ହେଲେ ଦୁବାଇକୁ ସିଧା ବିମାନ ଉଡ଼ାଣରେ ଏହା ହେବ ପ୍ରଥମ ଫ୍ଲାଇଟ । ବିଦେଶରେ ରହୁଥିବା ଓଡ଼ିଆଙ୍କୁ ଏକାଠି କରିବ ଏହି ବିମାନ ସେବା ବୋଲି ମୁଖ୍ୟମନ୍ତ୍ରୀ ଏହାର ଉଡାଣ ନେଇ ତତ୍ପର ପ୍ରକାଶ କରିଥିଲେ ।

ଓଡ଼ିଶାକୁ ଅଧିକ ବ୍ୟବସାୟ ଓ ପୁଞ୍ଜି ନିବେଶର ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ସେପଟେ ଦୁବାଇରେ ରହୁଥିବା ଓଡ଼ିଆ କହିଛନ୍ତି ଅନେକ ଦିନର ଅପେକ୍ଷାରେ ପଡ଼ିଲା ପୂର୍ଣ୍ଣଛେଦ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରବାସୀ ।

ଟ୍ରପଲାଇନ୍ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା, ଘଡ଼ଘଡ଼ି ବିଜୁଳି ସହ ବେହାଲ ଉପାନ୍ତରୁ ଉପକୂଳ

ଭୁବନେଶ୍ୱର: ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷାରେ ବେହାଲ ହେଉଛି ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡ଼ିଶା । ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ପବନ ପାଇଁ ଅଧା ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାଗୁଡିକରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି ।

ଆସନ୍ତାକାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ପରଠାରୁ କୌଣସି ଜିଲ୍ଲାକୁ ସତର୍କତା ଜାରି କରାଯାଇନଥିବା ବେଳେ ସେହିଦିନ ରାତିରେ ପୁଣି ଏକ ପଶ୍ଚିମା ଝଡ ସକ୍ରିୟ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ପୁଣି ଉପକୂଳ ଓଡ଼ିଶା ସମେତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରଭାବିତ ହେବାର ଅଧିକ ସମ୍ଭାବନା ରହିଛି ।

ଉତ୍କଳ ଦିବସରେ କାଳିଆ କିସ୍ତି, ହିତାଧିକାରୀ ଚାଷୀଙ୍କୁ ଆଜି ଅର୍ଥ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉତ୍କଳ ଦିବସରେ କାଳିଆ କିସ୍ତି । ଆଜି ଉତ୍କଳ ଦିବସରେ ଚାଷୀମାନଙ୍କୁ କାଳିଆ କିସ୍ତି ଅର୍ଥ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ କିସ୍ତି ଅର୍ଥ ବଣ୍ଟନ କରାଯିବ । ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଥିବାରୁ ଏହି ଜିଲ୍ଲାର ହିତାଧିକାରୀଙ୍କୁ ଏହି ରାଶି ଉପନିର୍ବାଚନ ପରେ ପ୍ରଦାନ କରାଯିବ ।

୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ପ୍ରଚଳନ କରିଥିଲେ । ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀଙ୍କୁ ୨ଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ରାଜ୍ୟର ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଯୋଜନା ହୋଇଛି । କାଳିଆ ଯୋଜନାର ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି ।

ଆଜି ଜାତି ନନ୍ଦିଘୋଷ କନକ୍ଲେଭ୍-୨୦୨୩, ଭିଜନ୍-୨୦୩୬ ଉପରେ ବରିଷ୍ଠ ପ୍ରଶାସକଙ୍କୁ ନେଇ ହେବ ମାନସ ମନ୍ଥନ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଗଠିତ ହୋଇଥିଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ । ଆସନ୍ତା ୨୦୩୬କୁ ଉତ୍କଳ ପ୍ରଦେଶ ଗଠନକୁ ପୁରିବ ୧୦୦ ବର୍ଷ । ସେତେବେଳକୁ କେମିତି ହୋଇଥିବ ଆମ ରାଜ୍ୟର କଳେବର । କେଉଁ ଲକ୍ଷ୍ୟରେ ଅଗ୍ରସର ହେଉଛେ ଆମେ । କାରଣ ଅଳ୍ପପଥ ଅତିକ୍ରାନ୍ତ, ବହୁପଥ ବାକି । ସେ ରୂପାନ୍ତରଣର ପ୍ରକ୍ରିୟା, ଯୋଜନା ଓ ଲକ୍ଷ୍ୟ କ’ଣ ହେବ । ଏହି ମର୍ମରେ ଏକ ଆଲୋଚନାଚକ୍ର ସହିତ ଆଜି ଅନୁଷ୍ଠିତ ହେଉଛି ଜାତି ନନ୍ଦିଘୋଷ କନକ୍ଲେଭ୍-୨୦୨୩ । ଜାତୀୟ ସ୍ତରରେ ପ୍ରତିଷ୍ଠାଲାଭ କରିଥିବା ୨ ଜଣ ବରିଷ୍ଠ ସାମ୍ବାଦିକ ଏହି କନକ୍ଲେଭରେ ଅତିଥିଭାବରେ ଯୋଗଦେଉଛନ୍ତି ।

ଏହାସହିତ ଭିଜନ୍-୨୦୩୬ ଉପରେ ବରିଷ୍ଠ ପ୍ରଶାସକଙ୍କୁ ନେଇ ହେବ ମାନସ ମନ୍ଥନ । ଜାତି ନନ୍ଦିଘୋଷ କନକ୍ଲେଭରେ ଜୀବନ ବ୍ୟାପୀ ସାଧନା ପାଇଁ ସଂଗୀତ, ସାହିତ୍ୟ ଏବଂ ସାମ୍ବାଦିକତା କ୍ଷେତ୍ରରେ ୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହାସହିତ ୮ ଜଣ ବିକଶିତ ପ୍ରତିଭାଙ୍କୁ ମଧ୍ୟ ସମ୍ମାନିତ କରିବ ନନ୍ଦିଘୋଷ ଟିଭି । ଆଜି ଅପରାହ୍ନ ୪ଟାରୁ ଜାତି ନନ୍ଦିଘୋଷ କନକ୍ଲେଭର ସିଧାପ୍ରସାରଣ ନନ୍ଦିଘୋଷ ଟିଭିରେ ଦେଖିପାରିବେ ।

ଆଜି ଉତ୍କଳ ଦିବସ, ମହାସମାରୋହରେ ଓଡ଼ିଶା ପାଳୁଛି ଦିବସ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ଚଳିତ ବର୍ଷ ୮୭ ତମ ଉତ୍କଳ ଦିବସ ପାଳନ କରିବ ଓଡ଼ିଶା । ଏହି ଦିନକୁ ନେଇ ସାରା ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ଗର୍ବର ସହ ଉତ୍କଳ ଦିବସ ପାଳନ କରିବେ ପ୍ରତିଟି ଓଡ଼ିଆ । ଏପ୍ରିଲ ୧ରେ ହିଁ ଓଡ଼ିଶା ପାଇଥିଲା ନିଜର ସ୍ୱତନ୍ତ୍ର ପରିଚୟ । ପୂର୍ବରୁ ବିହାରର ଏକ ଅଂଶ ହୋଇ ରହିଥିବା ବେଳେ ୧୯୩୬ ମସିହା ଏପ୍ରିଲ ୧ରେ ନୂତନ ପ୍ରଦେଶ ଭାବରେ ପ୍ରତିଷ୍ଠା ହୋଇଥିଲା ଓଡ଼ିଶା । ତେବେ ସେହି ସମୟରେ ରାଜ୍ୟର ନାମ ରହିଥିଲା ଉତ୍କଳ । ତେଣୁ ଏହାକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ ।

ଏପ୍ରିଲ ୧ରେ ଓଡ଼ିଶା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟାତା ପାଇଥିଲା । ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା ଦିବସକୁ ମନେ ରଖିବା ପାଇଁ ଏହି ଦିନକୁ ପାଳନ କରିଥାନ୍ତି କୋଟି କୋଟି ଓଡ଼ିଆ । ରାଜ୍ୟର ପ୍ରତି ଜିଲ୍ଲାରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । କେବଳ ଓଡ଼ିଶା ନୁହେଁ, ନୂଆଦିଲ୍ଲୀ ଓ ଅନ୍ୟାନ୍ୟ ନଗରୀରେ ମଧ୍ୟ ଉତ୍କଳ ଦିବସ ପାଳନ କରାଯାଉଛି ।

ମଧୁବାବୁଙ୍କ ଜନ୍ମପୀଠରେ 5T ସଚିବ, ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ 5T ସଚିବଙ୍କ ମାଲ୍ୟାର୍ପଣ

ଭୁବନେଶ୍ୱର: ଭୁବନେଶ୍ବର ପରେ କଟକ ମଧୁପୁର ଓ ସତ୍ୟଭାମାପୁର ଗସ୍ତ କରିଥିଲେ 5T ସଚିବ । ମଧୁସୂଦନ ଦାସଙ୍କ ଜନ୍ମ ପୀଠରେ ମାଲ୍ୟାର୍ପଣ କରିବା ସହ ପୀଠ ସମ୍ପର୍କରେ ବୁଝିଥିଲେ । ସ୍ଥାନୀୟ ଅଧିକାରୀମାନେ ପୀଠର ନକ୍ସା ଦେଖାଇବା ସହ 5T ସଚିବଙ୍କ ସହ ଆଲୋଚନା କରିଥିଲେ । ପୀଠ ପରିସରରେ ଥିବା ସଂଗ୍ରହାଳୟ ବୁଲିବା ସହିତ ଏଠାରେ ରଖାଯାଇଥିବା ସ୍ମୃତି ସମ୍ପର୍କରେ ପଚାରି ବୁଝିଥିଲେ । ସ୍ମୃତି ଫଳକ ଓଡ଼ିଆ ସମେତ ଅନ୍ୟ ଭାଷାରେ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ପୀଠ ପରିସରରେ ଥିବା ଗାନ୍ଧିଜୀଙ୍କ ଅବସ୍ଥାନ ପୀଠ ଦର୍ଶନ କରିଥିଲେ 5T ସଚିବ । ମଧୁ ବାବୁଙ୍କ ଏନ୍ତୁଡ଼ିଶାଳରେ ଉତ୍କଳ ଗୌରବଙ୍କ ସ୍ମୃତିଚାରଣ କରିଥିଲେ । ଏଠାରେ ରଖାଯାଇଥିବା ବିରଳ ଫୋଟୋ ଓ ହସ୍ତ ଲିପି ସମ୍ପର୍କରେ ଉପସ୍ଥିତ ଟ୍ରଷ୍ଟ କର୍ମକର୍ତ୍ତାଙ୍କ ଠାରୁ ସବିଶେଷ ଜାଣିଥିଲେ ।

ଶେଷରେ ମିଶନ ଶକ୍ତି ମା’ ମାନଙ୍କ ସହିତ ପୀଠ ସମ୍ପର୍କରେ ଆଲୋଚନା କରିବା ସହିତ ମଧୁ ସ୍ମୃତି ପୀଠରେ ମଧୁବାବୁଙ୍କ ଜୀବନୀକୁ ନେଇ ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ପୀଠର ଉନ୍ନିତକରଣ ପାଇଁ ଏକ ବିସ୍ତୃତ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମଧୁସୂଦନ ସାଂସ୍କୃତିକ ପରିଷଦ ପକ୍ଷରୁ ୧୨ଟି ପ୍ରସ୍ତାବ ସମ୍ବଳିତ ଏକ ପତ୍ର ପ୍ରଦାନ କରାଯାଇଥିଲା । ଗସ୍ତ ସମୟରେ ଆରଡିସି ସୁରେଶ ଚନ୍ଦ୍ର ଦଳାଇ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରମୁଖ ଉପସ୍ଥିତ ଥିଲେ ।