ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ ଚିତ୍ତରଂଜନ ମହାନ୍ତି । ୮୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ । ପାରାଦୀପ ଏନଫୋର୍ସମେଣ୍ଟ ୟୁନିଟ ଜିଏସଟି ଅଧିକାରୀ ହେଉଛନ୍ତି ଚିତରଂଜନ । ଏକ ଜିଏସଟି ମାମଲାରେ ଜବତ କାଗଜପତ୍ର ମୁକ୍ତ କରିବା ଏବଂ ରିପୋର୍ଟ ବନ୍ଦ କରିବା ପାଇଁ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ଚିତରଂଜନ । ଚିତ୍ତରଂଜନ ମହାନ୍ତିଙ୍କ ୩ଟି ଠିକଣାରେ ଚାଲିଛି ରେଡ୍ । କଟକ ଭିଜିଲାନ୍ସ ପିଏସ୍ କେସ୍ ନଂ-4 dt.30.03.2023 U/s 7 P.C Amendment Act, 2018ରେ ମାମଲା ରୁଜୁ କରାଯାଇଛି ।
ପୋଲିସକୁ କଟୁରିରେ ଗୋଡ଼ାଇ ଗୋଡ଼ାଇ ହାଣିଲା ଅଭିଯୁକ୍ତ, ୫ ଆହତ
ନୀଳଗିରି: ପୋଲିସକୁ କଟୁରିରେ ଗୋଡାଇ ଗୋଡାଇ ହାଣିଲା ଅଭିଯୁକ୍ତ । ୫ ପୋଲିସ କର୍ମଚାରୀ ଆହତ । ନୀଳଗିରି ସଜନାଗଡ ଜାମୁଡ଼ି ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ଆସାମୀ ଆସାମୀ ପଦ୍ମଲୋଚନ ପାତ୍ରକୁ ନୋଟିସ ଦେବାକୁ ଯାଇଥିବାବେଳେ ସେ ଉତକ୍ଷିପ୍ତ ହୋଇ ପୋଲିସକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆହତ ପାଞ୍ଚଜଣ ପୋଲିସ କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ଆହତ ପରେ ବି ପୋଲିସ ପଦ୍ମଲୋଚନକୁ କାବୁ କରିବାରେ ସଫଳ ହୋଇଛି । ୨୦୨୧ମସିହାର ଏକ କେସ ନେଇ ପଦ୍ମଲୋଚନ ପାତ୍ରକୁ ପୋଲିସ ନୋଟିସ୍ ଦେବାକୁ ଯାଇଥିବା ବେଳେ ଘଟିଛି ଏହି ଅଘଟଣ ।
ଇନ୍ଦୋର ମନ୍ଦିର ଟ୍ରାଜେଡି; ମୃତକଙ୍କ ସଂଖ୍ୟା ୩୬କୁ ବୃଦ୍ଧି, ଭେଟିବାକୁ ଯାଇ ବିରୋଧର ଶିକାର ହେଲେ ମୁଖ୍ୟମନ୍ତ୍ରୀ
ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋର ମନ୍ଦିର ଟ୍ରାଜେଡି । ମୃତକଙ୍କ ସଂଖ୍ୟା ୩୬କୁ ବୃଦ୍ଧି । ମାମଲାରେ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ସେବାରାମ ଗଲାନୀଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଛି । ୨୦ରୁ ଅଧିକ ଆହତଙ୍କ ଚିକିତ୍ସା ଏବେବି ଚାଲିଛି । ବିଳିମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲ । ରାତି ୧୨ଟାରୁ ୧.୩୦ ମଧ୍ୟରେ ୧୬ଟି ଶବ ଉଦ୍ଧାର କରାଯାଇଥିଲା । ଶୁକ୍ରବାର ସକାଳେ ଉଦ୍ଧାର ପୁଣିଥରେ ଆରମ୍ଭ କରାଯାଇଥିଲା । ମନ୍ଦିରର କାନ୍ଥ ଏବଂ କୂଅର ସ୍ଲାପ ଭଙ୍ଗାଯାଇଥିଲା । ସେନା ଏବଂ ପ୍ରଶାସନର ଅନେକ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ।
୫୩ ବର୍ଷୀୟ ସୁନୀଲ ନାମକ ବ୍ୟକ୍ତିଙ୍କ ଶବ ଆଜି ୧୨ଟାରେ ବାହାରକୁ ବାହାର କରାଯାଇଛି । ଏଥିସହିତ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଘଟଣାସ୍ଥଳ ପାଖରେ ଏକ ଧର୍ମଶାଳାରେ ପଟେଲ ସମାଜର ଲୋକମାନେ ରୁଣ୍ଢ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଶୁକ୍ରବାର ସକାଳେ ସେମାନଙ୍କୁ ଭେଟିବାକୁ ପହଞ୍ଚିଥିଲେ । ଏଠାରେ ଲୋକମାନେ ହାଏ-ହାଏ ଏବଂ ମୁର୍ଦ୍ଦାବାଦ ନାରା ଲଗାଇଥିଲେ । ଦୁର୍ଘଟଣାରେ ପଟେଲ ସମାଜର ୧୧ଜଣଙ୍କର ମୃତ୍ୟୁ ହୋଇଛି । ସମାଜର ପଦାଧିକାରୀ କହିଛନ୍ତି ଯେ, ଯେଉଁମାନଙ୍କ ମୃତ୍ୟୁ ହୋଇଛି, ସେମାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଆବଶ୍ୟକ ।
ପ୍ରକାଶଥାଉକି, ଗତକାଲି ଅର୍ଥାତ ଗୁରୁବାର ରାମନବମୀ ଅବସରରେ ୬୦ ବର୍ଷ ପୂରୁଣା ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିଲା । ୧୧ଟା ସମୟରେ ହୋମ ଆରମ୍ଭ ହୋଇଥିଲା । ମନ୍ଦିର ପରିସରରେ ଥିବା କୂଅ ଛାତରେ ୬୦ରୁ ଅଧିକ ଲୋକ ବସିଥିଲେ । ପ୍ରାୟ ୧୨ ଟା ୩୦ ସମୟରେ ସ୍ଲାବ ଭୁଶୁଡ଼ିପଡ଼ିଥିଲା । ଲୋକମାନେ ୬୦ ଫୁଟ ଗଭୀର କୂଅକୁ ଖସିପଡ଼ିଥିଲେ । ମୃତକଙ୍କ ମଧ୍ୟରେ ୨୧ ମହିଳାଏବଂ ୧୫ ପୁରୁଷ ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରେ ୩ ଶିଶୁ କନ୍ୟା ଓ ଜଣେ ପୁଅ ସାମିଲ ଅଛନ୍ତି । ମୃତକଙ୍କ ପରିବାର ପାଇଁ ୫ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ହଜାର ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର ।
ଜେଲରେ ରହିବେ ମନିଷ ସିସୋଦିଆ, ଜାମିନ ଆବେଦନ ଖାରଜ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଆଉ ଏକ ଝଟକା । ଜେଲରୁ ଏବେ ବି ବାହାରି ପାରିବେନି ସିସୋଦିଆ । ମନିଷ ସିସୋଦିଆ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ ଦାଖଲ କରିଥିଲେ । ହେଲେ ମନିଷ ସିସୋଦିଆଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିନାହିଁ । ରାଉଜ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ଜଜ୍ (ସିବିଆଇ) ଏମକେ ନାଗପିଳ ମନିଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ରାଉଜ ଆଭେନ୍ୟୁ କୋର୍ଟରୁ ଜାମିନ ଆବେଦନ ଖାରଜ ପରେ ଏବେ ମନିଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟ ଯିବେ । ସୂଚନାଥାଉକି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ୨୬ ଫେବ୍ରୁଆରୀରେ ଗିରଫ କରିଥିଲା । ସିବିଆଇ ମନିଷ ସିସୋଦିଆଙ୍କୁ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଗିରଫ କରିଥିଲା ।
କୋଟିଏ ଟଙ୍କାର ବଟି ମାଗିବା ଘଟଣାରେ ବନ୍ଧା ହେଲେ ୨ ଲେଡି ଡନ
ଭୁବନେଶ୍ବର: ୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ବଟି ମାଗିବା ଘଟଣାରେ ଭଙ୍ଗାରୁଜା କରିଥିବା ୨ ଜଣ ଲେଡି ଡନଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ଦୁଇ ଲେଡି ଡନଙ୍କ ଘର ଲକ୍ଷ୍ମୀସାଗର ଅଞ୍ଚଳରେ ବୋଲି ଜଣାପଡିଛି । ତେବେ ଏହି ମାମଲାରେ ଗତକାଲି ୭ ଜଣ ଜମି ପୋଜେସନ ମାଫିଆଙ୍କୁ ବାନ୍ଧିଥିଲା ନୟାପଲ୍ଲୀ ପୋଲିସ ।
ପ୍ରେସିଡେନ୍ସି ହୋଟେଲ ପଛରେ ଏକ ବିବାଦୀୟ ଜମିକୁ ଏମାନେ ପୋଜେସନ ନେଉଥିଲେ । ପୋଜେସନ ନେବା ପାଇଁ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । ୨୫ ତାରିଖରେ ଏ ନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ନକୁଳ ମହାକୁଡ଼, ଆଶିଷ ଜେନା, ଦୀପକ ଦାସ, ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ ବଳିଆର ସିଂ ଓ ଆଶିଷ ରାୟ ।
ନକୁଳ ମହାକୁଡ଼ ନାଁ ରେ ପୂର୍ବରୁ NSA ଲାଗିଥିଲା । ମାଷ୍ଟରମାଇଣ୍ଡ ଝାରପଡାର ରାଘବ ଜେନା ଏବେ ବି ଫେରାର ଅଛି । ରାଘବ ଓ କୋ’ ମହିଳାଙ୍କୁ ଢାଲ କରି ଜମି ପୋଜେସନ ଗ୍ୟାଙ୍ଗ ଚଳାଇଥିଲେ ।
୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ କାଳିଆ କିସ୍ତି, ଝାରସୁଗୁଡାକୁ ବାଦ୍ ଦେଲେ ସରକାର
ଭୁବନେଶ୍ବର: ଉତ୍କଳ ଦିବସରେ ମିଳିବ କାଳିଆ କିସ୍ତି । ଆସନ୍ତାକାଲି ଉତ୍କଳ ଦିବସରେ ଚାଷୀମାନଙ୍କୁ କାଳିଆ କିସ୍ତି ଅର୍ଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣ୍ଟନ କରିବେ । ଭିସି ମାଧ୍ୟମରେ ରାଜ୍ୟର ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ କିସ୍ତି ଅର୍ଥ ବଣ୍ଟନ କରାଯିବ । ତେବେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷିତ ହୋଇନଥିବାରୁ ଏହି ଜିଲ୍ଲାର ହିତାଧିକାରୀଙ୍କୁ କିସ୍ତି ରାଶି ଉପନିର୍ବାଚନ ପରେ ପ୍ରଦାନ କରାଯିବ ।
୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ପ୍ରଚଳନ କରିଥିଲେ। ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀଙ୍କୁ ୨ଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ରାଜ୍ୟର ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଯୋଜନା ହୋଇଛି । କାଳିଆ ଯୋଜନାର ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି।
ଲଡ଼ୁରୁ ଆୟ ୫ଶହ କୋଟି, ବ୍ୟାଙ୍କରେ ଅଛି ୧୦ ଟନ୍ ସୁନା- ୧୬ ହଜାର କୋଟି ଟଙ୍କା
ନନ୍ଦିଘୋଷ ବ୍ୟୁରୋ: ଲଡୁରୁ କୋଟି କୋଟି ଆୟ। ମନ୍ଦିରକୁ ଧନୀ କରୁଛି ଲଡୁ। ଭାରତରେ ରହିଛି ଅନେକ ପ୍ରସିଦ୍ଧ ମନ୍ଦିର । ସେଥିମଧ୍ୟରୁ ଆନ୍ଧ୍ରପ୍ରଦେଶ ଚିତୁର ଜିଲ୍ଲାର ତିରୁମାଳ ପର୍ବତରେ ଅବସ୍ଥିତ ତିରୁପତି ବାଲାଜୀଙ୍କ ମନ୍ଦିର। ଏଠାରେ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ତିରୁପତି ମନ୍ଦିରକୁ ଭାରତର ସବୁଠାରୁ ଧନୀ ମନ୍ଦିର ବୋଲି କୁହାଯାଏ। ଏଠାରେ ତିରୁପତି ବାଲାଜୀଙ୍କ ମୂର୍ତ୍ତିକୁ ଭେଙ୍କଟେଶ୍ୱର ସ୍ୱାମୀ କୁହାଯାଇଥାଏ। ଏହା ଭାରତର ମୁଖ୍ୟ ତୀର୍ଥ ସ୍ଥଳରୁ ଗୋଟିଏ। ତେବେ ଏହି ମନ୍ଦିରକୁ କାହିଁକି ଧନୀ ମନ୍ଦିର ବୋଲି କୁହାଯାଏ, ତାହା ଆପଣ ଜାଣିଛନ୍ତି କି? ତେବେ ଚାଲନ୍ତୁ ଜାଣିବା ଏହି ମନ୍ଦିର ସମ୍ବନ୍ଧରେ କିଛି ଅଲୌକିକ କାହାଣୀ।

ଭେଙ୍କଟେଶ୍ୱର ସ୍ୱାମୀଙ୍କ ପାଖରେ ଲଡୁ ଭୋଗ ଲାଗି ହୋଇଥାଏ। ଏହି ପ୍ରସାଦ ପାଇବା ପାଇଁ ଲୋକଙ୍କ ଭିତରେ ନାହିଁ ନଥିବା ଭିଡ ଦେଖିବାକୁ ମିଳେ । ସୂଚନା ଅନୁଯାୟୀ, ଚଳିତ ବର୍ଷ ଲଡୁରୁ ବାର୍ଷିକ ଆୟ ୫ଶହ କୋଟି ଟଙ୍କା ମିଳିପାରେ। ଏହାସହ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଶ୍ରଦ୍ଧାଳୁମାନେ ଏଠି ସୁନା, ରୂପା, ହୀରା, ଟଙ୍କା ଆଦି ଦାନ କରିଥାନ୍ତି । ବର୍ତ୍ତମାନ ବ୍ୟାଙ୍କରେ ମନ୍ଦିରର ୧୦ ଟନରୁ ଅଧିକ ସୁନା ଥିବା ବେଳେ ୧୬ ହଜାର କୋଟି ଟଙ୍କା ଅର୍ଥ ରାଶି ଜମା ହୋଇଛି।

କୁହାଯାଏ ଯେ, ତିରୁପତି ମନ୍ଦିରରେ ଭେଙ୍କଟେଶ୍ୱର ସ୍ୱାମୀଙ୍କ ରୂପରେ ସ୍ବୟଂ ବିଷ୍ଣୁ ବିରାଜମାନ ଅଛନ୍ତି । ଧାର୍ମିକ ମାନ୍ୟତା ଅନୁସାରେ, ମାତା ଲକ୍ଷ୍ମୀ ମଧ୍ୟ ଭଗବାନଙ୍କ ଏହି ରୂପରେ ଅନ୍ତର୍ଭୁକ୍ତ ଅଛନ୍ତି। ଏହି କାରଣ ଯୋଗୁଁ ପ୍ରଭୁଙ୍କୁ ଉଭୟ ପୁରୁଷ-ସ୍ତ୍ରୀଙ୍କ ପୋଷାକ ପରିଧାନ କରାଯାଇଥାଏ। ଭକ୍ତ ଏଠି ନିଜ ମନସ୍କାମନା ପୂରଣ ପାଇଁ ମୁଣ୍ଡନ କରିଥାନ୍ତି।

ବାଲିଜୀ ମନ୍ଦିରର ଅନେକ ରୋଚକ ତଥ୍ୟ ରହିଛି । ସେଥି ମଧ୍ୟରୁ ପ୍ରଭୁ ଭେଙ୍କଟେଶ୍ୱରଙ୍କ ଉପରେ ଯେଉଁ ଚୁଟି ଲାଗିଛି, ତାହା ଅସଲି ଏବଂ ଏହା କେବେବି ଅଡୁଆ ହୁଏ ନାହିଁ ବୋଲି କୁହାଯାଏ । ମାନ୍ୟତା ଅଛି ଯେ, ଭଗବାନଙ୍କ ମୂର୍ତ୍ତିରୁ ଝାଳ ବାହାରିଥାଏ । ଏଥିପାଇଁ ମନ୍ଦିରର ଗର୍ଭଗୃହରେ ତାପମାତ୍ରା କମ୍ ରଖାଯାଇଥାଏ।

ମନ୍ଦିର ଠାରୁ କିଛି ଦୂରରେ ଏକ ଗାଁ ରହିଛି । ସେହି ଗାଁର ଲୋକେ ଶୃଙ୍ଖଳିତ ଏବଂ ଅନୁଶାସିତ ଜୀବନଯାପନ କରିଥାନ୍ତି । ଏହି ଗାଁକୁ ବାହାର ଲୋକ ପ୍ରବେଶ କରିପାରିବେ ନାହିଁ । ଏହା ଉପରେ ନିଷେଦ୍ଧାଦେଶ ରହିଛି । ପ୍ରଭୁଙ୍କ ପାଖରେ ଲାଗି କରାଯାଉଥିବା କଦଳୀ, କ୍ଷୀର, ଦହି, ସର ଆଦି ଏହି ଗାଁରୁ ଆସିଥାଏ । କୁହାଯାଏ ଯେ, ମନ୍ଦିରରେ ସବୁବେଳେ ଗୋଟିଏ ଦୀପ ଜଳି ରହିଥାଏ । ଏଥିରେ କେହି କେବେ ତେଲ କିମ୍ବା ଘିଅ ଢାଳି ନଥାନ୍ତି, ଦୀପ ମନକୁ ଜଳିରହୁଥାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏକଥା କେହି ଜାଣି ନହାନ୍ତି ଏହି ଦୀପ କେବେଠୁ ଜଳୁଛି ଓ କିଏ ଲଗାଇଛି ।

