spot_img
Home Blog Page 3310

ପ୍ରଥମକରି ୬୦ ହଜାର ଟଙ୍କା ଟପିଲା ୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନାର ମୂଲ୍ୟ

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ୭୦ ହଜାର ଟଙ୍କା ଛୁଇଁବ ସୁନା ଭରି । ଆଜି ପ୍ରଥମକରି ୬୦ ହଜାର ଟଙ୍କା ଟପିଛି ୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନାର ମୂଲ୍ୟ । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଭୁବନେଶ୍ବରରେ ୫୪ ହଜାର ଟଙ୍କା ଅତିକ୍ରମ କରିଛି । ବର୍ତ୍ତମାନ ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦର ୫୫,୪୫୦ ଟଙ୍କା ରହିଛି। ତେବେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଇତିମଧ୍ୟରେ ୬୦,୦୦୦ ଟଙ୍କା ଟପି ୬୦,୪୭୦ ଟଙ୍କାରେ ପହଞ୍ଚିଛି। ରାଜଧାନୀରେ ମଧ୍ୟ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୬୦,୦୦୦ ଟଙ୍କା  ଅତିକ୍ରମ କରି ୬୦,୯୩୦ ଟଙ୍କାରେ ପହଞ୍ଚିଛି । ତେବେ ଭୁବନେଶ୍ବରରେ ରୁପା କିଲୋ ୭୧,୦୦୦ ଟଙ୍କାରେ ମଧ୍ୟ ପହଞ୍ଚିଛି ।

ଆମେରିକାର ଓ ୟୁରୋପରେ ବ୍ୟାଙ୍କିଂ କ୍ଷେତ୍ରରେ ସଂକଟ ଯୋଗୁଁ ସାଂଘାତିକ ଭାବେ ପ୍ରଭାବିତ ହୋଇଛି ବିଶ୍ବ ଅର୍ଥନୀତି । ବିଭିନ୍ନ ବ୍ୟାଙ୍କରେ ସେୟାର ହ୍ରାସ ଏବଂ ବଣ୍ଡ ମୂଲ୍ୟରେ ହ୍ରାସ କାରଣରୁ ଲୋକେ ଡିପୋଜିଟ୍ ବଦଳରେ ୟେଲୋ ମେଟାଲ୍ ବା ସୁନାନେ ବିବେଶ କରିବାକୁ ପସନ୍ଦ କରୁଛନ୍ତି ଏବଂ ସୁରକ୍ଷତି ମଣୁଛନ୍ତି । ବଡ଼ ବଡ଼ ନିବେଶକମାନେ ଅଧିକ ପରିମାଣର ସୁନା କିଣୁଥିବାରୁ ହଠାତ୍ ସୁନା ମୁଲ୍ୟରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି । ଘରୋଇ ସୁନା ବଜାର ଉପରେ ଏହାର ଘୋର ପ୍ରଭାବ ପଡ଼ିଛି। ବର୍ତ୍ତମାନ ଘରୋଇ ବଜାରରେ ବିବାହ ଋତୁ ଜାରି ରହିଥିବାବେଳେ ସୁନା ମୂଲ୍ୟରେ ହେଉଥିବା ଏଭଳି ଅହେତୁକ ବୃଦ୍ଧି ଏବେ ଗ୍ରାହକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଗତ ସପ୍ତାହେ ମଧ୍ୟରେ ସୁନା ଦରରେ ୪ରୁ ୫ ହଜାର ଟଙ୍କାର ବୃଦ୍ଧି ହୋଇଛି ।

ବିରୋଧୀଙ୍କ ହଲ୍ଲାବୋଲ ଯୋଗୁ ଆସନ୍ତାକାଲି ପର୍ଯ୍ୟନ୍ତ ସଂସଦ ସ୍ଥଗିତ

ନୂଆଦିଲ୍ଲୀ: ଆଜି ବି ଆଦାନୀ ପ୍ରସଙ୍ଗରେ ଗୃହ ଅଚଳ । ହଜାର ହଜାର କୋଟିର ମହାଘୋଟାଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଜେପିସି ଗଠନ ପାଇଁ ସରକାର କାହିଁକି ରାଜି ହେଉନାହାନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । କେନ୍ଦ୍ର-ଆଦାନୀ ସମର୍କକୁ ନେଇ ନାରାବାଜି ହୋଇଥିବା ବେଳେ ତଦନ୍ତ ହେଲେ ବିଜେପିର ଅସଲ ମୁଖା ଖୋଲିଯିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ତିଓ୍ବାରୀ ।

ପୁଞ୍ଜିପତିଙ୍କ ପାଇଁ ବିଜେପି ଦେଶର ନାଗରିକଙ୍କ ହକ୍ ଛଡ଼ାଇ ନେଇଛନ୍ତି । ସଂସଦ ଆରମ୍ଭରୁ ଜେପିସି ଗଠନ ପାଇଁ ଦାବି ହେଉଥିବା ବେଳେ ସରକାର ଗୃହ ଚଳାଇଦେବାକୁ ଚାହୁଁନାହାନ୍ତି । ଜାଣିଶୁଣି ସଂସଦ ମୁଲତବି କରିଦିଆଯାଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ସେପଟେ ବିରୋଧୀଙ୍କ ହଲ୍ଲାବୋଲ ଯୋଗୁ ଉଭୟ ଗୃହକୁ ଦିନ ଆସନ୍ତାକାଲି ଯାଏ ସ୍ଥଗିତ ରଖାଯାଇଛି ।

୩ ମିନିଟ ଧରି ରେଳ ଷ୍ଟେସନରେ ଚାଲିଲା ବ୍ଲୁ ଫିଲ୍ମ

ପାଟନା: ରେଳ ଷ୍ଟେସନରେ ଚାଲିଲା ବ୍ଲୁ ଫିଲ୍ମ । ଲାଜରେ ମୁହଁ ତଳକୁ କରିଦଲେ ଯାତ୍ରୀ । ଗୋଟେ କି ଦୁଇ ମିନିଟ ନୁହେଁ ଲଗାତାର ୩ ମିନିଟ ଧରି ଚାଲିଛି ବ୍ଲୁ ଫିଲ୍ମ । ରେଳ ଷ୍ଟେସନରେ ଲାଗିଥିବା ଟିଭି ସ୍କ୍ରିନରେ ବିଜ୍ଞାପନ ବଦଳରେ ଚାଲିଛି ବ୍ଲୁ ଫିଲ୍ମ । ବିହାରର ରାଜଧାନୀ ପାଟନା ରେଳ ଷ୍ଟେସନରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଗତ ରବିବାର ସକାଳ ୧୦ଟାରେ ପାଟନା ରେଳ ଷ୍ଟେସନର ୧୦ ନଂ ପ୍ଲାଟଫର୍ମରେ ଏହି ଘଟଣା ଘଟିଛି । ବ୍ଲୁ ଫିଲ୍ମ ଚାଲିବା ଦେଖି କିଛି ଯାତ୍ରୀ ମୋବାଇଲରେ ରେକର୍ଡ ବି କରିଥିଲେ । ଯାତ୍ରୀମାନେ ଏହାକୁ ବିରୋଧ କରିବା ସହ ରେଳ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ।

୩ ମିନିଟ ପରେ ରେଳ ଷ୍ଟେସନରେ ସିନା ଅଶ୍ଳୀଳ ଫିଲ୍ମ ବନ୍ଦ ହେଇଯାଇଥିଲା କିନ୍ତୁ ଏହା ମୋବାଇଲରୁ ମୋବାଇଲକୁ ଘୁରିବୁଲୁଥିଲା । ଏବେ ଏହି ମୋବାଇଲ କ୍ଲିପ୍ ଭାଇରାଲ ହେବାରେ ଲାଗିଛି । କିଛି ସୋସିଆଲ ମିଡିଆ ୟୁଜର୍ସ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ରେଳ ବିଭାଗକୁ ଏହି କ୍ଲିପ୍ ଟ୍ବିଟ କରିଛନ୍ତି ।

ରେଳ ଷ୍ଟେସନରେ ଲାଗିଥିବା ଟିଭିରେ ବିଜ୍ଞାପନ ଚଳାଇବା ଦାୟିତ୍ବ ଏକ ଏଜେନ୍ସିକୁ ଦିଆଯାଇଛି । ଦତ୍ତ କମ୍ୟୁନିକେସନ ନାଁରେ ଏହି ଏଜେନ୍ସି ରହିଛି । ଏହି ଏଜେନ୍ସି ନାଁରେ ଏବେ ଏଫଆଇଆର ଦେଇଛି ରେଳ ବିଭାଗ । ଏଭଳି ଭୁଲ କେମିତି ହେଲା ସେ ନେଇ ତଦନ୍ତ ଚାଲିଛି ।

ଲଣ୍ଡନରେ ତ୍ରିରଙ୍ଗା ଓହ୍ଲାଇ ଖଲିସ୍ତାନୀ ପତାକା ଲଗାଇଲେ ସମର୍ଥକ

ଲଣ୍ଡନ: ଲଣ୍ଡନରେ ତ୍ରିରଙ୍ଗାକୁ ଘୋର ଅପମାନ । ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନରେ ଲାଗିଥିବା ତ୍ରିରଙ୍ଗାକୁ ଅପମାନ କରାଯାଇଛି । ଖଲିସ୍ତାନୀ ସମର୍ଥକଙ୍କ ଦ୍ବାରା ତ୍ରିରଙ୍ଗାକୁ କାଢ଼ି ଖଲିସ୍ତାନୀ ପତାକା ଲଗାଯାଇଛି । ଏହି ଘଟଣାକୁ ନେଇ ସାରା ଦେଶ ଅସନ୍ତୋଷ ବ୍ୟକ୍ତ କରିଥିଲାବେଳେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛି ।

ଏ ନେଇ ଭାରତ ଜଣେ ବ୍ରିଟିଶ କୂଟନୀତିଜ୍ଞଙ୍କୁ ଡକାଇ ଘଟଣାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି । ଏହା ସହ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ବ୍ରିଟେନରେ ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା ମଧ୍ୟରେ ଭେଦଭାବ ରହିଛି ।

ସୂଚନା ଅନୁସାରେ, ଗତ ରବିବାର ବିଳମ୍ବିତ ରାତିରେ ଖଲିସ୍ତାନ ସମର୍ଥକମାନେ ଲଣ୍ଡନ ସ୍ଥିତ ଭାରତୀୟ ହାଇ କମିଶନଙ୍କୁ ଟାର୍ଗେଟ କରିଥିଲେ । କମିଶନଙ୍କ କାର୍ଯ୍ୟାଳୟ ପରିସରରେ ଭଙ୍ଗାରୁଜା କରିବା ସହ ତ୍ରିରଙ୍ଗାକୁ ଅପମାନ କରାଯାଇଥିଲା । ଏହି ଘଟଣାକୁ ବ୍ରିଟେନରେ ଥିବା ଭାରତୀୟ ହାଇ କମିଶନ ଟ୍ବିଟ କରିଛନ୍ତି ।

ଭିଡିଓରେ ଦେଖାଯାଉଛି ଯେ, ଖଲିସ୍ତାନୀ ସମର୍ଥକ ତ୍ରିରଙ୍ଗାକୁ ତଳକୁ ଓହ୍ଲାଇ ତଳେ ପକାଇ ଦେଉଛନ୍ତି । ଏହା ପରେ ସମର୍ଥକମାନେ ଖଲିସ୍ତାନୀ ପତାକାକୁ ଲଗାଉଛନ୍ତି ।

ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା; ଅର୍ଥ କାରବାର ଓ ବ୍ଲାକମେଲିଂ ନେଇ ମିଳିଲା ସୁରାକ୍

ଭୁବନେଶ୍ୱର: ଅକ୍ଷୟ ମହାରଣା ଓରଫ ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା । ଅର୍ଥ କାରବାର ଓ ବ୍ଲାକମେଲିଂ ନେଇ ମିଳିଲା ସୁରାକ୍। ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସିଡିଆର ରିପୋର୍ଟ ମାଗିଲା ଖାରବେଳନଗର ଥାନା ପୋଲିସ । ଆଜେକ୍ସଙ୍କ ସିଡିଆର ନେଇ ମଧ୍ୟ ଯାଞ୍ଚ ଚାଲିଛି । କଲ ରେକର୍ଡରୁ ମିଳିପାରେ ପକ୍କା ପ୍ରମାଣ । ସେପଟେ ବ୍ୟାଙ୍କ ସହ ଯୋଗାଯୋଗ କରିଛି ଖାରବେଳନଗର ଥାନା । ପ୍ରେମିକାଙ୍କ ଆକାଉଣ୍ଟ ଟ୍ରାଞ୍ଜାକ୍ସନ ନେଇ ବ୍ୟାଙ୍କକୁ ତଥ୍ଯ ମଗାଯାଇଛି । ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ପ୍ରେମିକାଙ୍କୁ ଡିଜେ ଆଜେକ୍ସ ଦେଇଥିବା ସୂଚନା ମିଲିଛି । ସେପଟେ ଖୁବଶୀଘ୍ର ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଚରାଉଚରା ହେବ ।

ପରିବାର ଲୋକଙ୍କ ଅଭିଯୋଗ ଆଧାରରେ କେଉଁ ଫଟୋ ଓ ଭିଡିଓକୁ ନେଇ ବ୍ଳାକମେଲ କରୁଥିଲେ ପ୍ରେମିକା ? ସେ ଫଟୋ ଓ ଭିଡିଓରେ ଥିଲା କଣ ? ଆଜେକ୍ସ ତାଙ୍କ ଗାର୍ଲଫ୍ରେଣ୍ଡ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କଣ କଥା ହୋଇଥିଲେ, ସେସବୁ ତଥ୍ୟ କଲ୍ ଡିଟେଲ୍ସ ରେକର୍ଡ ରିପୋର୍ଟରୁ ସ୍ପଷ୍ଟ ହେବ । ଦଫା ୩୦୬ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଓ ଦଫା ୩୪ରେ ମାମଲା ରୁଜୁ ହୋଇଛି । ଶନିବାର ସଂଧ୍ୟାରେ ଆତ୍ମହତ୍ୟା କରିଥିଲେ ଆଜେକ୍ସ । ଆତ୍ମହତ୍ୟା ପଛରେ ତାଙ୍କ ପ୍ରେମିକା ଓ ପୁରୁଷବନ୍ଧୁ ରହିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ସିଲ୍ ବନ୍ଦ ଲଫାଫା ଦେଖି ବିରକ୍ତି ପ୍ରକାଶ କଲେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ: ୱାନ ରାଙ୍କ ୱାନ ପେନସନ ଯୋଜନାରେ କେନ୍ଦ୍ରକୁ ଜୋରଦାର ଝଟକା । ବକେୟା ଦେବା ନେଇ କେନ୍ଦ୍ରର ସିଲ ବନ୍ଦ ଲଫାପାକୁ ଗ୍ରହଣ କରିବାକୁ ସିଧା ମନା କରିଦେଇଛନ୍ତି ସୁପ୍ରିମୋକୋର୍ଟ । ଆଜି ଏ ନେଇ ଶୁଣାଣି ଥିବାବେଳେ କେନ୍ଦ୍ରର ବନ୍ଦ ଲଫାପା ପଲିସିକୁ ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତି । ସିଲ୍ ବନ୍ଦ ଲଫାଫା ଦିଆଯିବାକୁ ନେଇ ପ୍ରଧାନବିଚାରପତି ଆଟର୍ଣ୍ଣି ଜେନେରାଲଙ୍କୁ କଡ଼ା ଶବ୍ଦରେ ଚେତାବନୀ ଦେଇଛନ୍ତି । ସେ ଏହି ପ୍ରକାରର ଲଫାଫାକୁ ନ୍ୟାୟିକ ସିଦ୍ଧାନ୍ତ ବିରୋଧୀ ବୋଲି କହିଛନ୍ତି । ମଙ୍ଗଳବାର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କୋର୍ଟରେ ସିଲବନ୍ଦ ଲଫାଫାର ବ୍ୟବହାରକୁ ନେଇ ଆପତ୍ତି ପ୍ରକାଶ କରିଥିଲେ । ସେ କହିଥିଲେ ଆମେ କୌଣସି ବି ଗୋପନୀୟ ଦସ୍ତାବିଜ ବା ସିଲବନ୍ଦ ଲଫାଫା ନେବୁ ନାହିଁ ଏବଂ ମୁଁ ବ୍ୟକ୍ତିଗତ ଭାବେ ଏହାର ବିରୋଧୀ ଅଟେ ।

ଅଦାଲତରେ ସ୍ୱଚ୍ଛତା ରହିବା ଆବଶ୍ୟକ । କୋର୍ଟରେ କୌଣସି ଗୋପନୀୟତାର ଆବଶ୍ୟକତା ନାହିଁ । ସେ ସ୍ପଷ୍ଟ ଭାବେ କହିଥିଲେ ଯେ ସେ ସିଲବନ୍ଦ ଲଫାଫାର ବ୍ୟବହାରକୁ ବନ୍ଦ କରିବାକୁ ଚାହୁଁଛନ୍ତି । ସେ ଆଟର୍ଣ୍ଣି ଜେନେରାଲଙ୍କୁ କହିଥିଲେ ଯଦି ସୁପ୍ରିମକୋର୍ଟ ଏହାର ପାଳନ କରୁଛନ୍ତି ତେବେ ହାଇକୋର୍ଟ ମଧ୍ୟ କରିବେ । ଏଥିସହିତ ସେ ସରକାରଙ୍କ ସର୍ବୋଚ୍ଚ ଓକିଲଙ୍କୁ ଲଫାଫାରେ ବନ୍ଦ ସୂଚନାକୁ ପଢ଼ିକି ଶୁଣାଇବା ବା ଫେରାଇ ନେବାକୁ କହିଥିଲେ । ସିଜେଆଇ କହିଥିଲେ, ଏହା ସେତେବେଳେ ଗ୍ରହଣ କରାଯିବ ଯେତେବେଳେ ସୂତ୍ରଙ୍କ ସମ୍ବନ୍ଧରେ ସୂଚନା ଥିବ ବା କାହାର ଜୀବନ ପ୍ରତି ବିପଦ ଥିବ ।

ଚାଷୀ ଆନ୍ଦୋଳନ ପାର୍ଟ-୨: ରାମଲୀଲା ମୈଦାନରେ କେନ୍ଦ୍ର ବିରୋଧରେ ଚାଷୀଙ୍କ ରଣହୁଙ୍କାର

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଷୀ ଆନ୍ଦୋଳନ ପାର୍ଟ-୨ । ରାମଲୀଲା ମୈଦାନରେ କେନ୍ଦ୍ର ବିରୋଧରେ ଚାଷୀଙ୍କ ରଣହୁଙ୍କାର । କିଷାନ ମହାପଞ୍ଚାୟତରେ କେନ୍ଦ୍ର ବିରୋଧରେ ଗର୍ଜନ କରିବେ ଚାଷୀ । ଦେଶର ବିଭିନ୍ନ ରାଜ୍ୟରୁ ଚାଷୀମାନେ ଏକାଠି ହୋଇଥିବା ବେଳେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୂର୍ବଥର ଆନ୍ଦୋଳନ ପ୍ରତ୍ୟାହର ପାଇଁ ଚାଷୀଙ୍କୁ ସରକାର ତାମାମ ପ୍ରତିଶ୍ରୁତି ଦେଇଥିଲେ ବି ସେଗୁଡ଼ିକ ପୂରଣ କରାଯାଇ ନଥିବା ବେଳେ, ଏମଏସପି ଗ୍ୟାରେଣ୍ଟି ପାଇଁ ଚାଷୀମାନେ ଆନ୍ଦୋଳନ କରିଛନ୍ତି । କେନ୍ଦ୍ର ସରକାରଙ୍କ କୃଷି ନୀତି ଚାଷୀଙ୍କୁ ସୁହାଉ ନଥିବା ବେଳେ କାହା ସ୍ବାର୍ଥରେ ଏଭଳି ନୀତି ପ୍ରସ୍ତୁତ କରାଯାଇଛି ବୋଲି ଚାଷୀ ପ୍ରଶ୍ନ କରିଛନ୍ତି ।

ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଟ୍ରାଫିକ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି । ମିଳିତ କିଷାନ ମୋର୍ଚ୍ଚା ପକ୍ଷରୁ ଚାଷୀ ମହାପଞ୍ଚାୟତ ଡାକରା ଦିଆଯାଇଥିବା ବେଳେ ଆଜି ପ୍ରାୟ ୫୦ହଜାର ଚାଷୀ ଏକାଠି ହେବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । କୃଷି କାର୍ଯ୍ୟ ପାଇଁ ଖର୍ଚ୍ଚ ବଢ଼ିଥିବା ବେଳେ ଲାଭ ମିଳୁ ନଥିବାରୁ ୮୦ପ୍ରତିଶତ ଚାଷୀ ଋଣ ବୋଝରେ ବୁଡ଼ି ରହିଛନ୍ତି । ଫଳରେ ପ୍ରତିବର୍ଷ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି । ଚାଷୀଙ୍କୁ ଋଣ ଛାଡ ଓ ଚାଷ କାର୍ଯ୍ୟରେ ବ୍ୟବହୃତ ସାର ଔଷଧ ମୂଲ୍ୟ କମ୍ କରିବାକୁ ଦାବି ରଖିଛି କୃଷକ ସଂଗଠନ । ଏହାସହ ବିଜୁଳି ସଂଶୋଧନ ବିଧେୟକ ୨୦୨୨କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବାକୁ ଚାଷୀ ଦାବି କରିଛନ୍ତି ।

ଶାନ୍ତି ଶୃଙ୍ଖଳାରେ ସରିଲା ମାଟ୍ରିକ ପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ: ଶାନ୍ତି ଶୃଙ୍ଖଳାରେ ସରିଲା ମାଟ୍ରିକ ପରୀକ୍ଷା । ରାଜ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଗତ ୧୦ ତାରିଖରୁ ଚାଲିଥିବା ମାଟ୍ରିକ ସମେଟିଭ୍-୨ ପରୀକ୍ଷା ଶେଷ ହୋଇଛି । ଏଥର ରାଜ୍ୟର ୩୨୧୮ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୩୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଶେଷ ଦିନରେ ଆଜି ଗଣିତ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧୫ ମିନିଟ୍ ଦିଆଯାଇଥିଲା ।

ପରୀକ୍ଷା ପରେ ବେଶ ଖୁସିରେ ପିଲାମାନେ ହଲରୁ ବାହାରିଥିଲେ। ଏପ୍ରିଲ ୩ ତାରିଖରୁ ରାଜ୍ୟର ୫୬ ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ୧୨ ଦିନ ଧରି ଖାତା ମୂଲ୍ୟାୟନ ଚାଲିବ। ପରେ ୪୫ ଦିନ ମଧ୍ୟରେ କିମ୍ବା ପରେ ପରୀକ୍ଷା ଫଳ ପ୍ରକାଶ ପାଇବ। ପ୍ରଶ୍ନ ପତ୍ର ସେଟ୍ ଅଦଳବଦଳ ଓ ତ୍ରୁଟି ଏକ ଯାନ୍ତ୍ରିକ ତୃଟି । ଏଥି ପାଇଁ ବିକଳ୍ପ ବ୍ୟବସ୍ଥା ବୋର୍ଡ ପକ୍ଷରୁ କରାଯାଇଥିବାରୁ ଛାତ୍ରଛାତ୍ରୀଙ୍କର କିଛି ବି ସମସ୍ୟା ହେବନି ।

ଲିକ୍ ହୋଇନି ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର, କେବଳ ମୁଦ୍ରଣଜନିତ ତ୍ରୁଟି ଥିଲା: ସମୀର ଦାଶ

ଭୁବନେଶ୍ୱର: ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇନି । ମୁଦ୍ରଣଜନିତ ତ୍ରୁଟି ଥିଲା ବୋଲି ଗତକାଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କାରଯାଇଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା କହିଛନ୍ତି । ଏଥିପାଇଁ ଛାତ୍ରଛାତ୍ରୀ କି ଅଭିଭାବକ ବ୍ୟସ୍ତ ହେବା ଦରକାର ନାହିଁ । ମାର୍କିଂ ସମୟରେ ପିଲାମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବ । ଆଜି ମାଟ୍ରିକ ପରୀକ୍ଷାର ଶେଷ ଦିନ ଥିଲା । ତେବେ ସକାଳୁ ପୁରୀରେ ପ୍ରଶ୍ନପତ୍ର ଲିକ୍ ନେଇ ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ମନ୍ତ୍ରୀ କହିଛନ୍ତି । ବୋର୍ଡ ସଭାପତି, ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ, ପୁରୀ ଜିଲ୍ଲାପାଳଙ୍କ ସହ ମନ୍ତ୍ରୀ କଥାହୋଇଥିଲେ ।

କୌଣସି ପ୍ରଶ୍ନପତ୍ର ଲିକ ହୋଇନଥିବା ସେ କହିଛନ୍ତି । ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ବିରୋଧୀ ହୋହଲ୍ଲା କରିଥିଲେ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନିଜ ଆସନରେ ଠିଆ ହୋଇ ପ୍ରସଙ୍ଗ ଉଠାଇଥିବା ବେଳେ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଓ ଅନ୍ୟ ବିଜେପି ସଦସ୍ୟ ନାରାବାଜି କରି ଗୃହର ମଧ୍ୟଭାଗକୁ ଚାଲି ଆସିଥଲେ । ଶୂନକାଳରେ ଏହି ପ୍ରସଙ୍ଗ ଉଠାଇବାକୁ କହିଥିଲେ ବାଚସ୍ପତି । ହେଲେ ମାନିବାକୁ ନାରାଜ ଥିଲେ ବିଜେପି ସଦସ୍ୟ । ବିଜେପିକୁ ସମର୍ଥନ ଜଣାଇ କଂଗ୍ରେସ ସଦସ୍ୟ ମଧ୍ୟ ହୋହଲ୍ଲା କରିଥିଲେ । ଅଚଳାବସ୍ଥା ଜାରି ରହିବାରୁ ଗୃହକୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ।

ଅମୃତପାଲ ସିଂ ବିରୋଧରେ ପୋଲିସର ଆକ୍ସନ ଜାରି; ରାଜ୍ୟରେ ଆସନ୍ତାକାଲି ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ

ଅମୃତସର: ଅମୃତପାଲ ସିଂ ଓ ଓ୍ବାରିସ ପଞ୍ଜାବ ଦେ ସଂଗଠନ ବିରୋଧରେ ପୋଲିସର ଆକ୍ସନ ଜାରି । ପଳାତକ ଅମୃତପାଲକୁ ଧରିବାକୁ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି । ଏବେସୁଦ୍ଧା ଅମୃତପାଲର ୧୧୨ଜଣ ଘନିଷ୍ଠଙ୍କୁ ପୋଲିସ ଗିରଫ କରିଛି । ସୋସିଆଲ ମିଡିଆ ଉପରେ ଲଗାତାର ନଜର ରଖାଯାଇଛି । ହିଂସା ସୃଷ୍ଟିକାରୀ ଭାଷଣ ଦେବା ବା ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । କୌଣସି ସ୍ଥାନରେ ସାମ୍ପ୍ରଦାୟିକ ଦଙ୍ଗା ଯେପରି ଉପୁଯେ ତା’ ଉପରେ କଡ଼ା ନଜର ରଖାଯାଇଛି ।

ସେପଟେ ପୋଲିସ ଆକ୍ସନ ପୂର୍ବରୁ ଅମୃତପାଲର ଦାଦା ହରଜିତ ଓ ଡ୍ରାଇଭର ହରପ୍ରୀତ ସରେଣ୍ଡର କରିଥିବା ଜଣାପଡ଼ିଛି । ସାରାରାଜ୍ୟରେ ସୁରକ୍ଷାକର୍ମୀ ହାଇଆଲର୍ଟରେ ରହିଥିବା ବେଳେ ବର୍ଡର ଆଖପାଖ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କଡ଼ାକଡ଼ି କରାଯାଇଛି । ବିଭିନ୍ନ ସହରରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ଅମୃତପାଳ ଫେରାର ପଛରେ ପାକିସ୍ତାନ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI କନେକ୍ସନକୁ ନେଇ ଛାନବିନ କରୁଛି ପୋଲିସ ।

ଗତକାଲି ପୋଲିସ ଗିରଫ କରିଥିବା ଅମୃତପାଲର ୪ସହଯୋଗୀଙ୍କ ବିରୋଧରେ NSA ଆକ୍ଟରେ ମାମଲା ରୁଜୁ ହୋଇଛି । ସେପଟେ ବ୍ରିଟେନ ହାଇ କମିସନରଙ୍କ ଅଫିସ ଆଗରେ ଖଲିସ୍ତାନୀ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଖଲିସ୍ତାନ ଜିନ୍ଦାବାଦ ନାରା ଦେଇଛନ୍ତି । ବିକ୍ଷୋଭ ବେଳେ ତ୍ରିରଙ୍ଗା ତଳକୁ ଖସାଯାଇଥିବା ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଥିବା ବେଳେ ବ୍ରିଟିସ ଡେପୁଟଇ ହାଇକମିସନରଙ୍କୁ ଏ ନେଇ ଉତ୍ତର ମାଗିଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । ସେହିପରି ରାଜ୍ୟରେ ଏସଏମଏସ ଓ ଇଣ୍ଟରନେଟ୍ ସେବା ଆସନ୍ତାକାଲି ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଆଶା କରାଯାଉଛି ଯେ ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କୁ ଗିରଫ କରିବ ପଞ୍ଜାବ ପୋଲିସ ।