୩୨ ବର୍ଷର ପୁରୁଣା ମାମଲା; ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ବାହୁବଳୀ ମୁଖତାର ଅନସାରୀକୁ ବାରାଣସୀ କୋର୍ଟ ୩୨ ବର୍ଷ ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅବଧେଶ ରାଇ ହତ୍ୟାକାଣ୍ଡ ମାମଲାରେ ମୁଖତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ।

ଏନେଇ ବାନ୍ଦା ଜେଲର ଅଧିକ୍ଷକ ବିରେଜ ରାଜ ଶର୍ମା କହିଛନ୍ତି, ଅବଧେଶ ରାଇ ହତ୍ୟା ମାମଲାରେ ମୁଖତାର ଆଜି କୋର୍ଟରେ ଭିଡ଼ିଓ କନଫରେନ୍ସ ଜରିଆରେ ହାଜର ହୋଇଥିଲେ । ତାକୁ ସଜା ହେବାପରେ ସେ ଚିନ୍ତାମଗ୍ନ ହୋଇପଡିଥିଲା । ପାଖପାଖି ୩୨ ବର୍ଷ ପରେ ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ବାରାଣସୀର ଏମପି, ଏମଏଲଏ କୋର୍ଟ ଏହି ରାୟ ଶୁଣାଇଛନ୍ତି।

୧୯୯୧ ଅଗଷ୍ଟ ୩ ତାରିଖରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଅଜୟ ରାଇଙ୍କ ଭାଇ ଅବଧେଶ ରାୟଙ୍କୁ ଚେତଗଞ୍ଜରେ ଗୁଳି କରି ହତ୍ୟା କରାଯାଇଥିଲା । ଭାଇ ଅଜୟଙ୍କ ସହ ବାସଭବନ ଆଗରେ ଅବଧେଶ ଛିଡା ହୋଇଥିବା ବେଳେ କିଛି ଦୁବୃର୍ତ୍ତ ଅଚାନକ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଯାହାପରେ ବାରାଣସୀର ଚେତଗଞ୍ଜ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା ।

ଏହି ମାମଲାରେ ପୂର୍ବତନ ବିଧାୟକ ଅବଦୁଲ୍ କଲାମ, ଭିମ ସିଂହ, କମଳେଶ ସିଂହ ଓ ରାକେଶ ଶ୍ରୀବାସ୍ତବ ଅଭିଯୁକ୍ତ ଥିଲେ । ତେବେ ମୁଖତାର ଏବେ ବାନ୍ଦା ଜେଲରେ ଥିବା ବେଳେ ଗ୍ୟାଙ୍ଗଷ୍ଟର ଭିମ ସିଂହ ଗାଜିପୁର ଜେଲରେ ସଜା କାଟୁଛି। ଅପରପକ୍ଷେ ପୂର୍ବତନ ବିଧାୟକ ଅବଦୁଲ୍ କଲାମ ଓ କମଳେଶ ସିଂହଙ୍କ ମୃତ୍ୟୁ ଘଟିଛି। ସେହିପରି ରାକେଶ ଏହି ମାମଲାରୁ ନିଜ କେସ୍ ଅଲଗା କରି ଟ୍ରାଏଲ୍ ଆରମ୍ଭ କରିଥିଲେ। ଯାହା ପ୍ରୟାଗରାଜ ସେସନ୍ କୋର୍ଟରେ ଚାଲିଛି।