ବାହାନଗା ଟ୍ରେନ୍ ଦୁର୍ଘଟଣା; ଆହତଙ୍କ ପାଇଁ ଦେବଦୂତ ସାଜିଥିଲେ ସ୍ଥାନୀୟ ଲୋକେ

1 min read

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ବେଳେ ଦେବଦୂତ ସାଜିଥିଲେ ସ୍ଥାନୀୟ ଲୋକେ। ଜନତାଙ୍କ ଏଭଳି ମହାମାନବିକତାକୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ସରକାର । ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ପ୍ରଶାସନକୁ ନ ଅନେଇ ସ୍ଥାନୀୟ ଲୋକେ ଆରମ୍ଭ କରି ଦେଇଥିଲେ ରେସକ୍ୟୁ ଅପରେସନ। ଘଟଣାସ୍ଥଳରେ ପହଞ୍ଚି ଗୋଲଡେନ୍ ପିରିୟଡରେ ହିଁ ଆହତଙ୍କୁ ହସ୍ପିଟାଲ ନିଆଯିବାରୁ ପ୍ରାୟ ୧୨ଶହ ଜୀବନ ବଞ୍ଚି ଯାଇଥିଲା। ସେହିପରି ଅଗ୍ନିଶମ ଓ ଓଡ୍ରାଫ ବାହିନୀ ମଧ୍ୟ ଠିକଣା ସମୟରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ଅନ୍ଧାର ରାତିରେ ରେସକ୍ୟୁ ଅପରେସନ୍ ଥିଲା ସବୁଠୁ ଚ୍ୟାଲେଞ୍ଜିଂ।

ପ୍ରତିକୂଳ ପରିସ୍ଥିତିରେ ବି ପ୍ରତିଟି ଜୀବନ ମୂଲ୍ୟବାନ ମନ୍ତ୍ରକୁ ପାଳନ କରି ଆହତଙ୍କୁ ଉଦ୍ଧାର କରାଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ। ଜାତୀୟ ରାଜପଥ ଖାଲି କରିବାଠୁ ଆରମ୍ଭ କରି ହସ୍ପିଟାଲରେ ଆଗୁଆ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ କରାଯାଇଥିଲା। ଆହତଙ୍କୁ ଖୁବ୍ ସମୟରେ ହସପିଟାଲ ନିଆଯାଇ ଆବଶ୍ୟକ ଚିକିତ୍ସା କରାଯାଇଥିଲା। ସ୍ଥାନୀୟ ଲୋକେ ମଧ୍ୟ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ସ୍ଥାନୀୟ ଦୋକାନୀ ମାଗଣାରେ ଖାଇବା ବାଣ୍ଟି ଦେଇଥିଲେ। ସପ୍ଲାଏ ଚେନ୍ ସିଷ୍ଟମ ଯୋଗୁଁ ରାତି ସୁଦ୍ଧା ଦୁର୍ଘଟଣାସ୍ଥଳକୁ ଆଲୋକିତ କରାଯାଇଥିଲା। ଜନତାଙ୍କ ଏଭଳି ମହାମାନବିକତାକୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ସରକାର ।

ତେବେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୦ଟି ଶବ ଚିହ୍ନଟ ହୋଇସାରିଛି। ମୃତଦେହ ଚିହ୍ନଟ ଓ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ମୃତକଙ୍କ ପରିବାର ଲୋକେ ଯେମିତି କୌଣସି ଅସୁବିଧା ନଭୋଗିବେ ସେନେଇ ଗୁରୁତ୍ବ ଦିଆଯାଉଛି। ମୃତଦେହ ନେବା ପାଇଁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ କୋ-ଅର୍ଡିନେଟ୍ କରୁଛନ୍ତି। ଡେଥ୍ ସାର୍ଟିଫିକେଟ୍ ସଂଗ୍ରହ କରି ସବୁଠୁ କମ ସମୟରେ ସ୍ପିଡ ପୋଷ୍ଟରେ ପଠାଯିବ।

ତେବେ ୧୯୯୯ ପରେ ଏତେ ବଡ଼ ବିପତ୍ତିକୁ ସାମ୍ନା କରିଛି ରାଜ୍ୟ। ସ୍ଥାନୀୟ ଲୋକଙ୍କ ସହଯୋଗ, ରାଜ୍ୟ ପ୍ରଶାସନ ତତ୍ପରତା ଏବଂ ପାଖାପାଖି ସବୁ ଜିଲ୍ଲାର ଭିତ୍ତିଭୂମିକୁ ବ୍ୟବହାର କରି ଅନେକ ଜୀବନ ରକ୍ଷା କରାଯାଇପାରିଛି। ଦୁର୍ଘଟଣାସ୍ଥଳକୁ ପୁଣି ଥରେ ତନ ତନ ଯାଞ୍ଚ କରାଯାଉଛି।