ମଥାରୁ ଲିଭିଗଲା ସିନ୍ଦୂର, ହେଲେ ବାପାଙ୍କ ଆସିବା ବାଟକୁ ଚାହିଁରହିଛି ଅବୁଝା ପିଲା

ବାଲେଶ୍ୱର: କାନ୍ଥରୁ ଲିଭିନି ଶୁଭ ବିବାହର ଚିତ୍ର। ହେଲେ ମଥାରୁ ଲିଭିଗଲା ସିନ୍ଦୂର। ମୃତ୍ୟୁ କ’ଣ ଜାଣିନଥିବା ଝିଅ ଦେଖିଲା ବାପାର ମଲାମୁହଁ। ସ୍ନେହର ହାତ ଆଜି ତା ପାଇଁ ସ୍ମୃତି। ବାହାନଗା ଟ୍ରେନ ଟ୍ରାଜେଡି ବିକ୍ଷିପ୍ତଙ୍କ ପରିବାରକୁ କରିଦେଇଛି ଆଜି ବିକ୍ଷିପ୍ତ। ଫଟୋକୁ ଧରି ତାଙ୍କୁ ମନେପକାଇ ବାହୁନି ବାହୁନି କାନ୍ଦୁଛନ୍ତି ପରିବାର। ସ୍ତ୍ରୀ ଶୁଭଶ୍ରୀଙ୍କୁ ଭାଙ୍ଗିଦେଇଛି ଅଶୁଭ ସମୟ।

ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବାଲେଶ୍ବର ଜିଲ୍ଲା ଝିଙ୍କିରିଆ ପଞ୍ଚାୟତ ସିଙ୍ଗିପୁରର ବିକ୍ଷିପ୍ତ ପଲେଇ। ବାଲେଶ୍ବରରେ ଚାକିରି କରୁଥିବା ବିକ୍ଷିପ୍ତ ଭଦ୍ରକରେ ଘରଭଡ଼ା ନେଇ ରହୁଥିଲେ ଓ ପ୍ରତିଦିନ କରମଣ୍ଡଳ ଏକ୍ସପ୍ରେସରେ ବାଲେଶ୍ବର ଯିବା ଆସିବା କରୁଥିଲେ। ସବୁଦିନ ପରି ଶୁକ୍ରବାର ମଧ୍ୟ ସେହି ଟ୍ରେନରେ ଯାଇ ଫେରୁଥିଲେ । ଟ୍ରେନରେ ବସିବା ପରେ ସ୍ତ୍ରୀ ଶୁଭଶ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ। ହେଲେ ଶୁଭଶ୍ରୀ ଜାଣିନଥିଲେ ସ୍ବାମୀଙ୍କର ଏହି କଲ୍‌ ଥିଲା ଶେଷ କଲ୍‌।

ବିକ୍ଷିପ୍ତଙ୍କର ଏକ ମାତ୍ର ୪ ବର୍ଷର ଝିଅ ବାପାଙ୍କ ଫଟୋକୁ ଗେଲ କରିବା ସହିତ ବାପା ବାପା ବୋଲି ଡାକ ପକାଉଛି । ହେଲେ ସେ ଜାଣିନି ତା’ ବାପା ଆଉ କେବେବି ତା’ ଡାକ ଶୁଣିବେନି ।