spot_img
Home Blog Page 3308

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମମତା ବାନାର୍ଜୀ, କାଲି ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର: ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିନ ୩ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମମତା । ସେଠାରୁ ପୁରୀ ଯାଇ ସେଠାରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ଅପରାହ୍ମରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ମମତା ବାନାର୍ଜୀ । ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରି ପୁରୀରେ ଦ୍ବିତୀୟ ଦିନ ରାତ୍ରୀଯାପନ କରିବେ ।

ଏହାପରେ ୨୩ ତାରିଖରେ ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ କରିବେ ମମତା । ପରେ ସେହିଦିନ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବା କାର୍ଯ୍ୟକ୍ରମ ରହିଛି ।

ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ ଜାରି, ଆଜି ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ଼ ପ୍ରଭାବ। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ସମ୍ଭାବନା ରହିଛି । ଏଥିପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ କଟକ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ବର୍ଷା ସମୟରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ। ଆଜିଠୁ ପଶ୍ଚିମାଝଡ଼ ପ୍ରଭାବ କମିବାକୁ ଥିବାବେଳେ ଟ୍ରପଲାଇନ୍ ପ୍ରଭାବରେ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ଆସନ୍ତାକାଲିଠୁ ଧିରେଧିରେ ତାପମାତ୍ରା ବୃଦ୍ଧି ପାଇବ । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଶାନ୍ତିପୂର୍ଣ୍ଣ, କମିଛି ମାଓ ହିଂସା, ନିୟନ୍ତ୍ରଣରେ ଅପରାଧ

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । କମିଛି ମାଓବାଦୀ କାର୍ଯ୍ୟକଳାପ । ମହିଳା ହିଂସା ଓ ଶିଶୁ ନିର୍ଯାତନା ହ୍ରାସ ପାଇଛି । ରାଜ୍ୟ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ପ୍ରକାଶିତ ଶ୍ବେତପତ୍ରରେ ସରକାର ଏହି ତଥ୍ୟ ରଖିଛନ୍ତି । ଆଜି ବିଧାନସଭାରେ ସ୍ବରାଷ୍ଟ୍ର ବିଭାଗର ଖର୍ଚ୍ଚଦାବି ଆଗତ କରାଯିବ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୭ ହଜାର ୧୦୩ କୋଟି ୧୪ ଲକ୍ଷ ୪୧ ହଜାର ଟଙ୍କାର ଖର୍ଚ୍ଚଦାବି ଆଗତ କରିବେ ଗୃହମନ୍ତ୍ରୀ । ଯେହେତୁ ଗୃହ ବିଭାଗର ଖର୍ଚ୍ଚଦାବିରେ ବିଧାନସଭାର ବହୁ ସଦସ୍ୟ ଭାଗ ନିଅନ୍ତି ଏଥିପାଇଁ ଆଜି ମୁଲତବି ପ୍ରସ୍ତାବ ଆଲୋଚନା ପାଇଁ ରଖାଯାଇନାହିଁ ।

ସେହିପରି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚଦାବି ମଧ୍ୟ ଆଗତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୫୦୭ କୋଟି ୮୧ ଲକ୍ଷ ୧୪ ହଜାର ଟଙ୍କାର ଖର୍ଚ୍ଚଦାବି ଗୃହରେ ଆଗତ କରାଯିବ । ଏହା ସହିତ ପ୍ରଶ୍ନକାଳରେ ପଞ୍ଚାୟତିରାଜ, ପାନୀୟଜଳ, ଗ୍ରାମୀଣ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ, ଜଙ୍ଗଲ ଓ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।

ରାଜଧାନୀରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ, ପେଟ୍ରୋଲ ପାଇଁ ବୁଲିଲା ଖଣ୍ଡା

ଭୁବନେଶ୍ୱର: ମାଗଣା ପେଟ୍ରୋଲ ପାଇଁ ବୁଲିଲା ଖଣ୍ଡା । ରାଜଧାନୀରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । କଳ୍ପନା ଛକ ପେଟ୍ରୋଲ ପମ୍ପରେ ହଙ୍ଗାମା କଲେ ୩ ଦୁର୍ବୃତ୍ତ ।
ପେଟ୍ରୋଲ ପକାଇବା ପରେ ଟଙ୍କା ମାଗିବାରୁ ଖଣ୍ଡା ଓ ଫାର୍ସା ଧରି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ । ଭୟରେ ଦୌଡ଼ିଲେ ତେଲ ପକାଉଥିବା ଲୋକ । ୩ ଦୁର୍ବୃତ୍ତଙ୍କୁ କାବୁ କରି ନିର୍ଦ୍ଧୁମ ଛେଚିଲେ ସାଧାରଣ ଲୋକ । ପିଟିବା ପରେ ପୋଲିସ ଜିମା ଦେଇଛନ୍ତି ଲୋକ । ଯୁବକମାନେ ସତ୍ୟନଗର ଅଞ୍ଚଳର ହୋଇଥିବା ସୂଚନା । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଏକ୍ସକ୍ଲୁସିଭ ଭିଜୁଆଲ ।

ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ କୋର୍ଟରେ ଚାର୍ଜ ଫ୍ରେମ୍

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପାଇଁ ବଢିଲା ଅଦାଲତି ଅଡ଼ୁଆ । ବୁର୍ଲା ଥାନା ଅଧିକାରୀଙ୍କୁ ଆକ୍ରମଣ ମାମଲାରେ କୋର୍ଟରେ ଚାର୍ଜ ଫ୍ରେମ୍ ହୋଇଛି । ତିନି ଦିନ ତଳେ ବହୁଚର୍ଚ୍ଚିତ ଦିଲେଶ୍ବର ସାହୁ ହତ୍ୟା ମାମଲାରେ ସେ ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଅଦାଲତରେ ହାଜର ହୋଇ ଜାମିନରେ ଯାଇଥିବାବେଳେ ୨୦୧୬ରେ ବୁର୍ଲା ଥାନା ଅଧିକାରୀଙ୍କୁ ଆକ୍ରମଣ ଓ ଧମକଚମକ ମାମଲାରେ ଆଜି ପୁଣିଥରେ ତାଙ୍କୁ ଏହି କୋର୍ଟରେ ହାଜର ହେବାକୁ ପଡ଼ିଥିଲା। ଏହି ମାମଲାରେ ଅଦାଲତରେ ତାଙ୍କ ବିରୋଧରେ ଚାର୍ଜ ଫ୍ରେମ୍ ହୋଇଥିବାବେଳେ ବିଚାର ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। କେବଳ ସେତିକି ନୁହେଁ, ଏଣିକି ଏହି ମାମଲାର ଶୁଣାଣିବେଳେ ପ୍ରତ୍ୟେକ ତାରିଖରେ ବ୍ୟକ୍ତିଗତ ହାଜିରା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୬ ମସିହା ଫେବୃୟାରୀ ୩ତାରିଖରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ ଓଡ଼ିଶା ଗସ୍ତ ସମୟରେ ଡ୍ୟୁଟିରେ ଥିବା ତତ୍କାଳୀନ ବୁର୍ଲା ଥାନା ଅଧିକାରୀ ତୋଫାନ ବାଗଙ୍କୁ ଜୟନାରାୟଣ ଓ ତାଙ୍କ ସହଯୋଗୀ ମାନସ ରଂଜନ ବକ୍ସି ଓ ପ୍ରିନ୍ସ ସୋନି ଆକ୍ରମଣ କରିବା, ଜାତିଆଣ ଆକ୍ଷେପ କରିବା ସହ ଧମକଚମକ ଦେଇଥିଲେ। ଥାନା ଅଧିକାରୀଙ୍କ ଅଭିଯୋଗ କ୍ରମେ ଜୟନାରାୟଣ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ପରେ ହାଇକୋର୍ଟରୁ ଜାମିନ ପାଇଥିବାବେଳେ ଡିଏସପି ଅବକାଶ ରାଉତରାୟ ଏହି ମାମଲାର ତଦନ୍ତ କରି ୧୭ ଅକ୍ଟୋବର ୨୦୧୭ ତାରିଖରେ ଚାର୍ଜସିଟ୍ ଦାଖଲ କରିଥିଲେ। ଆଜି ଭୁବନେଶ୍ବରର ସ୍ବତନ୍ତ୍ର କୋର୍ଟରେ ଏହି ମାମଲାର ଶୁଣାଣି ଲାଗି ଜୟନାରାୟଣଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ହାଜର ହେବା ପାଇଁ ସମନ ଜାରି କରିଥିଲେ। କୋର୍ଟ ଅଭିଯୁକ୍ତମାନଙ୍କ ବିରୋଧରେ ଚାର୍ଜ ଫ୍ରେମ୍ କରିଛନ୍ତି ।

ଏହାସହ ପୂର୍ବ ସର୍ତ୍ତ ଅନୁସାରେ ଜାମିନ ପ୍ରଦାନ କରିବା ସହ ଆଉ କୌଣସି ଅପରାଧିକ ମାମଲାରେ ସଂଶ୍ଳିଷ୍ଟ ନ ହେବାକୁ ତାଗିଦ କରିଛନ୍ତି। ଏହାଛଡ଼ା ମାମଲାର ଶୁଣାଣି ପାଇଁ ପ୍ରତ୍ୟେକ ତାରିଖରେ ବ୍ୟକ୍ତିଗତ ହାଜର ପାଇଁ ମଧ୍ୟ କୋର୍ଟ ଜୟନାରାୟଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବହୁଚର୍ଚ୍ଚିତ ଦିଲେଶ୍ବର ସାହୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଜୟନାରାୟଣ ମିଶ୍ର ଅନ୍ୟ ୧୧ ଜଣ ଅଭିଯୁକ୍ତଙ୍କ ସହ ତିନି ଦିନ ତଳେ ସ୍ବତନ୍ତ୍ର କୋର୍ଟରେ ହାଜର ହୋଇ ଜାମିନରେ ଯାଇଥିଲେ। ଆଜି ସେ ପୁଣିଥରେ କୋର୍ଟରେ ହାଜର ହେବା ଏବଂ ମାମଲାର ପ୍ରତ୍ୟେକ ତାରିଖରେ ତାଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯାହାକି ଜୟନାରୟଣଙ୍କ ଅଡୁଆ ଆହୁରି ବଢାଇ ଦେଇଛି ।

ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ପ୍ରତିରୋଧ କ୍ଷମତା ସଂପର୍ଣ୍ଣ ବିଦ୍ୟୁତ୍ ନେଟୱାର୍କ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ  ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବିଦ୍ୟୁତ୍ ଆବଣ୍ଟନ ସଂସ୍କାର କମିଟି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ପୁନଃନିର୍ମାଣ ଆବଣ୍ଟନ କ୍ଷେତ୍ରୀୟ ଯୋଜନା ଅଧିନସ୍ଥ କ୍ରିୟାନୁଷ୍ଠାନ ଏବଂ ତତ୍ସଂକ୍ରାନ୍ତୀୟ ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ଏହି କମିଟି ନୀତିଗତ ଭାବେ ଅନୁମୋଦନ କରିଛି । ଏହାକୁ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟକୁ ପ୍ରେରଣ କରାଯିବ ।

ଉକ୍ତ ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କମିଟିର କ୍ରିୟାନୁଷ୍ଠାନ ଯୋଜନା ସଂପର୍କରେ ଉପସ୍ଥାପନ କରିଥିଲେ । ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ପ୍ରତିରୋଧ କ୍ଷମତା ସଂପର୍ଣ୍ଣ ବିଦ୍ୟୁତ୍ ନେଟ୍ୱାର୍କ ସୁଦୃଢ଼ୀକରଣ ଉପରେ ମୁଖ୍ୟ ଶାସନ ସଚିବ ଜେନା ଗୁରୁତ୍ୱାରୋପ କରିଥିଲେ । ବାତ୍ୟାଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେବା ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗୀକରଣ ସୁଦୃଢ଼ କରାଗଲେ ବାତ୍ୟା ପରବର୍ତ୍ତୀ ବିଦ୍ୟୁତ୍ କ୍ଷୟକ୍ଷତି ଅନେକାଂଶରେ ରୋକାଯାଇପାରିବ ।

ଏଥିରେ ପ୍ରାୟ ୭୦ ଶତକଡ଼ା ପାଣ୍ଠି ବିନିଯୋଗ ଦ୍ୱାରା ସଂପୃକ୍ତ ଅଞ୍ଚଳରେ ଥବା ଡାକ୍ତରଖାନା, ଆଶ୍ରୟସ୍ଥଳୀ, ଜଳଯୋଗାଣ ଉତ୍ସ, ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଏବଂ ପ୍ରଶାସନିକ କୋଠା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବାତ୍ୟା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରାଯାଇପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ଉକ୍ତ ବୈଠକରେ ୬୨୮୩ କୋଟି ଟଙ୍କାର ଯୋଜନା ଅଟକଳକୁ ଅନୁମୋଦନ କରାଯାଇଛି । ଏଥି ମଧ୍ୟରୁ ୩୯୪୨ କୋଟି ଟଙ୍କା କେନ୍ଦ୍ର ସରକାର ବହନ କରିବା ବେଳେ ୨୩୪୧ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଭରଣା କରାଯିବ ।

 

କଂଗ୍ରେସ କ୍ଷମତାକୁ ଆସିଲେ ଗ୍ରାଜୁଏଟ ପାଇବେ ମାସିକ ୩ ହଜାର ଟଙ୍କା, ମିଳିବ ମାଗଣା ବିଜୁଳି

ବେଙ୍ଗାଲୁରୁ: କଂଗ୍ରେସ କ୍ଷମତାକୁ ଆସିଲେ ଚାକିରି ପାଇ ନଥିବା ଗ୍ରାଜୁଏଟଙ୍କୁ ମିଳିବ ମାସିକ ୩ ହଜାର ଟଙ୍କା । ଲୋକଙ୍କୁ ମିଳିବ ମାଗଣା ବିଜୁଳି । ଆଜି କର୍ଣ୍ଣାଟକରେ ନିର୍ବାଚନୀ ପ୍ରଚାର କରିବାବେଳେ ଏପରି କହିଛନ୍ତି ରାହୁଲ ଗାନ୍ଧି ।

ବିଜେପିକୁ ଗାଦିଚ୍ୟୁତ କରିବାକୁ ଆହ୍ବାନ ଦେବା ସହ କ୍ଷମତାକୁ ଆସିଲେ କ’ଣ ସବୁ କରିବେ ତାହା କହିଛନ୍ତି । କର୍ଣ୍ଣାଟକରେ ଚାକିରି ପାଇ ନଥିବା ଗ୍ରାଜୁଏଟଙ୍କୁ ମିଳିବ ୨ ବର୍ଷ ଯାଏ ମିଳିବ ମାସିକ ୩ ହଜାର ଟଙ୍କା । ଡିପ୍ଲୋମାଧାରୀ ପାଇବେ ୧୫ ଶହ ଟଙ୍କା । ୨ ବର୍ଷ ଯାଏ ଦିଆଯିବ ଏହି ଭତ୍ତା । ଏହା ସହ ଲୋକଙ୍କୁ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ।

ରାହୁଲ କହିଛନ୍ତି ଭାରତ ଯୋଡ଼ ଯାତ୍ରା ବେଳେ ଯୁବବର୍ଗ ମୋ ପାଖକୁ ଆସିଥିଲେ, ସେମାନେ ବେରୋଜଗାର ଥିବା କହିଥିଲେ । ତେଣୁ ତାଙ୍କୁ ଭତ୍ତା ଆକାରରେ ଏହି ଟଙ୍କା ଦେବାକୁ କହିଛନ୍ତି ରାହୁଲ । ରାହୁଲ ଆହୁରି କହିଛନ୍ତି ଯେ, ଆମେ ୫ ବର୍ଷ ଭିତରେ ୧୦ ଲକ୍ଷ ଯୁବଗୋଷ୍ଠିଙ୍କୁ ଚାକିରି ଦେବୁ । ରାଜ୍ୟରେ ଖାଲି ପଡ଼ିଥିବା ୨.୫ ଲକ୍ଷ ପଦବୀ ପୂରଣ ହେବ । ବିପିଏଲ ତାଲିକାରେ ଥିବା ମହିଳାମାନେ ମାସକୁ ୩ ହଜାର ଟଙ୍କା ଏବଂ ପରିବାର ପିଛା ୧୦ କେଜି ଚାଉଳ ପାଇବେ । ସେମାନଙ୍କୁ ୨ ହଜାର ୟୁନିଟ ଯାଏ ମାଗଣା ବିଜୁଳି ବି ମିଳିବ ।

5T ଉପକ୍ରମରେ ତିନି ଶକ୍ତି ପୀଠର ହେବ ଉନ୍ନତି, ମାଷ୍ଟରପ୍ଲାନକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ଯୁଗେ ଯୁଗେ ଏକ ପ୍ରମୁଖ ଶକ୍ତି ପୀଠ ଭାବରେ ପ୍ରସିଦ୍ଧ ଲାଭ କରିଛି । ଓଡିଶାର ବିଭିନ୍ନ ଅଞ୍ଚଳରେ ମା ବିଭିନ୍ନ ରୂପରେ ପୂଜା ପାଇ ଆସୁଛନ୍ତି । ଶକ୍ତି ପୂଜାରେ ଚୈତ୍ର ମାସ ବିଶେଷ ଗୁରୁତ୍ୱ ବହନ କରିଥାଏ । ମାଙ୍କ ର ଚୈତ୍ର ମଙ୍ଗଳବାରକୁ ସାରା ଓଡିଶାର ମହିଳାମାନେ ଅତ୍ୟନ୍ତ ଭକ୍ତି ଓ ନିଷ୍ଠା ର ସହ ପାଳନ କରିଥାନ୍ତି । ମା ଙ୍କର ଏହି ପବିତ୍ର ମାସ ଅବସରରେ ଆଜି ରାଜ୍ୟର ତିନୋଟି ପ୍ରମୁଖ ଶକ୍ତିପୀଠ, କାକଟପୁରର ମା ମଙ୍ଗଳା, ଭୂଷୁଣ୍ଡପୁରର ମା ଉଗ୍ରତାରା ଓ ବାଣପୁରର ମା ଭବବତୀ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି  । 5T ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ପୂର୍ତ୍ତ ବିଭାଗର ପର୍ଯ୍ୟଟନ ସ୍ଥଳ ଓ ଐତିହ କିର୍ତ୍ତିରାଜୀର ସମ୍ୱନିତ ବିକାଶ ଯୋଜନାରେ ଏହାକୁ ସାମିଲ କରାଯାଇଛି । ଓଡିଶା ସେତୁ ନିର୍ମାଣ ନିଗମ ଉପରେ ବିକାଶ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

ପୁରୀ ଜିଲ୍ଲା ର କାକଟପୁରରେ ବିରାଜିତ ମା ମଙ୍ଗଳା ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ମା ମାଙ୍ଗଳାଙ୍କ ପୀଠର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହ ଘନିଷ୍ଠ ସଂପର୍କ ରହିଛି । ନବକଳେବର ସମୟରେ ଦଇତାପତି ସେବକମାନେ ମାଙ୍କ ଆଜ୍ଞାକ୍ରମେ ଏଠାରୁ ହିଁ ଦାରୁ ସନ୍ଧାନରେ ଯାଇଥାନ୍ତି। ଚୈତ୍ର ମାସରେ ଝାମୁ ଯାତ୍ରା ମାଙ୍କ ପ୍ରସିଦ୍ଧ ପର୍ବ । 5T ଉପକ୍ରମରେ ଏହି ପ୍ରାଚୀନ ଶକ୍ତିପୀଠର ବିକାଶ ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନ ରେ ମନ୍ଦିରରେ khondalite ପଥର ବିଛାଯିବା ସହିତ ମନ୍ଦିରର ରୋଷଘର ଓ ଜଳ ନିଷ୍କାସନ ବ୍ୟବସ୍ଥାର ସଂସ୍କାର କରାଯିବ ।

ଏହା ସହିତ ସେବାୟତ ଭବନ, ଭୋଗ ଦୋକାନ ପ୍ରାଚୀ ନଦୀ କୂଳରେ ମୁଣ୍ଡନ kiosk, ଚନ୍ଦନଘାଟର ବିକାଶ, ଗୋଷ୍ଠୀ ଶୌଚାଳୟ ଆଦିର ବିକାଶ କରାଯିବ । ପୀଠକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ କୋଣାର୍କ ପାର୍ଶ୍ୱ ରାସ୍ତାରେ ଐତିହ ଦ୍ୱାର ନିର୍ମାଣ କରାଯିବ । ଯାତ୍ରୀମାନଙ୍କ ସୁବିଧାପାଇଁ ବିଭିନ୍ନ ପଦକ୍ଷେପ ନେବା ସହିତ ଆଲୋକୀକରଣ, Landscaping ଓ ବୃକ୍ଷରୋପଣ କରାଯିବା ସହିତ ପାର୍କିଙ୍ଗ ସ୍ଥଳର ମଧ୍ୟ ବିକାଶ କରାଯିବ । ଓଡିଶା ସେତୁ ନିର୍ମାଣ ନିଗମ ୧୨ ମାସ ମଧ୍ୟରେ ଏହାକୁ ସଂପୂର୍ଣ୍ଣ କରିବ ।

ଖୋର୍ଦ୍ଦା ଜିଲ୍ଲା ବାଣପୁରର ମା ଭବବତୀଙ୍କ ପୀଠକୁ ପ୍ରତିଦିନ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ଓ ପୂଜା ପାଇଁ ଆସିଥାନ୍ତି । ମାଙ୍କ ପୀଠରେ ଦଶହରା ପର୍ବ ବିପୁଳ ଉତ୍ସାହ ମଧ୍ୟରେ ପାଳନ କରାଯାଇଥାଏ । ନବମ ଶତାବ୍ଦୀରେ ନିର୍ମିତ ମାଙ୍କ ମନ୍ଦିର ର ବିକାଶ ପାଇଁ 5T ଉପକ୍ରମରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ସିଂହଦ୍ୱାରଠାରୁ ଆରମ୍ଭ କରି ପରିକ୍ରମା, ଘାଟ, ଯାତ୍ରା ପଡିଆ, ଯାତ୍ରୀ ସୁବିଧା ତଥା ଜଗନ୍ନାଥ ମନ୍ଦିର ର ବିକାଶ ପାଇଁ ଏଥିରେ ସ୍ୱତନ୍ତ୍ର ଫୋକସ ରଖାଯାଇଛି । ଏହା ସହିତ ବହୁମୁଖୀ ହଲ, ରାସ୍ତା ଓ ନଦୀଘାଟ ଆଦିର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ରାଜ୍ୟ ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ତତ୍ତ୍ୱାବଧାନରେ ଓଡିଶା ସେତୁ ନିର୍ମାଣ ନିଗମ ୨୪ ମାସ ମଧ୍ୟରେ ଏହି କାର୍ଯ୍ୟ ସଂପାଦନ କରିବ ।

ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ହେଉଛି ଭୁଷୁଣ୍ଡପୁରର ମା ଉଗ୍ରତାରାଙ୍କ ପୀଠ । ୧୩୫୨ ଖ୍ରୀଷ୍ଟାବ୍ଦରେ ନିର୍ମିତ ମା ଉଗ୍ରତାରାଙ୍କ ପୀଠ ଭକ୍ତମାନଙ୍କ ବିଶ୍ୱାସ ର କେନ୍ଦ୍ର ହୋଇ ରହି ଆସିଛି । ଏହି ପୀଠର ବିକାଶ ପାଇଁ ପ୍ରସ୍ତୁତ ଯୋଜନାରେ ମନ୍ଦିରର ବିକାଶ ସହ arrival plaza, ଯାତ୍ରୀ ଙ୍କ ସୁବିଧା, parking landscaping, picnic spot, ଯାତ୍ରା ପଡିଆ ସହିତ ପୋଖରୀ ର ମଧ୍ୟ ପୁନରୁଦ୍ଧାର କରାଯିବ । ଓଡିଶା ସେତୁ ନିର୍ମାଣ ନିଗମ ଦ୍ଵାରା ୧୮ ମାସ ମଧ୍ୟରେ କାମ ଶେଷ କରାଯିବ ।
ଏହି ତିନି ଗୋଟି ପୀଠର ବିକାଶ ଯୋଜନା କୁ ଅନୁମୋଦନ କରିବା ସହ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେବାୟତ ମାନଙ୍କ ସହ ମଧ୍ୟ ଆଲୋଚନା କରି ଯୋଜନା ସଂପର୍କରେ ସେମାନଙ୍କ ମତାମତ ନେଇଥିଲେ । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T)  ଭି.କେ. ପାଣ୍ଡିଆନ ବିଭିନ୍ନ ସମୟରେ ଏହି ପୀଠ ମାନଙ୍କୁ ଯାଇ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ବିକାଶ ସଂପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ ଓ ପୂର୍ତ୍ତ ବିଭାଗ ର ପ୍ରମୁଖ ଶାସନ ସଚିବ ଭି.ଭି. ଯାଦବ ଉପସ୍ଥାପନା ରଖିଥିଲେ । ତିନି ପୀଠର ସେବାୟତମାନେ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ବୈଠକରେ ଯୋଗ ଦେଇଥିଲେ । ସେବାୟତମାନେ ସେମାନଙ୍କ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ ।

ଆମେରିକାରେ ନାଟୁନାଟୁ କ୍ରେଜ୍, ଟେସଲା କାରରେ ହେଲା ଲାଇଟ୍ ସୋ’

ଓ୍ବାସିଂଟନ୍: ଫିଲ୍ମ RRR ରିଲିଜ ହେଲାପରେ ନାଟୁନାଟୁ ଗୀତରେ ସମସ୍ତେ ପାଗଳ ହୋଇଛନ୍ତି । ଗୀତଟି ଏତେ  ମନକୁ ଛୁଇଁଥିଲା ଯେ, ସୋସିଆଲ ମିଡିଆରେ ଏହା ଟ୍ରେଣ୍ଡ କରିବାକୁ ଲାଗିଲା । ନିକଟରେ ନାଟୁନାଟୁ ଗୀତକୁ ଓସ୍କାର ମିଳିଛି । ଓସ୍କାର ମିଳିବା ପରେ ଏହି ଗୀତର ଚର୍ଚ୍ଚା ଭାରତ ସହ ବିଦେଶରେ ବି ଆରମ୍ଭ ହୋଇଛି । ବିଦେଶୀ ବି ଏହି ଗୀତର ଧୁମରେ ନାଚୁଛନ୍ତି । ସୋସିଆଲ ମିଡିଆରେ ଏହାକୁ ନେଇ ରିଲ୍ସ ତିଆରି ହେବା ସହ ଖୁବ୍ ପ୍ରଶଂସା ପାଉଛି ।

ନିକଟରେ ଆମେରିକା ବି ଏହି ଗୀତ ଦେଖି ପାଗଳ ହେଇଯାଇଛି । ସେଠାରେ ଟେସଲା କାରରେ ନାଟୁନାଟୁ ଗୀତର ଲାଇଟ୍ ସୋ’ ହୋଇଛି । ଗୀତର ଧୂନ୍ ତାଳେ ତାଳେ କାରର ଲାଇଟ ଗୁଡ଼ିକ ଜଳୁଥିବାର ଦେଖାଯାଉଛି । ଏମିତି ଲାଗୁଛି ଯେପରି କାର୍ ଗୁଡ଼ିକ ଗୀତରେ ନାଚୁଛନ୍ତି । ରାତିରେ ଏହି କାର ଲାଇଟ୍ ବେଶ ସୁନ୍ଦର ଦେଖାଯାଉଛି ।

ଏହି କାର୍ ଲାଇଟର ଭିଡିଓ RRR ଫିଲ୍ମର ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଉଛି । ଆମେରିକାର ନ୍ୟୁ ଜର୍ସି ସହରରେ ଟେସଲା କାରକୁ ପାର୍କିଂ କରି ଏପରି କରାଯାଇଛି ।

‘ବିଜେପିର ପ୍ରବକ୍ତା ସାଜିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର’

ଭୁବନେଶ୍ୱର: ସ୍ୱର୍ଗତ ନବ ଦାସଙ୍କ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଦେଇଥିବା ବୟାନ ଉପରେ ବିଜେଡିର ପ୍ରତିକ୍ରିୟା  ।  ନବକିଶୋର ଦାସ ଦୀର୍ଘବର୍ଷ ଧରି ନରସିଂହ ମିଶ୍ରଙ୍କର ଜଣେ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ। କିନ୍ତୁ ବିନା ତଥ୍ୟ ପ୍ରମାଣରେ ସେ ଯେଭଳି ଭାବେ ନିଜର ଜଣେ ଦିବଂଗତ ସହଯୋଗୀଙ୍କ ଚରିତ୍ର ସଂହାର କଲେ, ତାହା ଓଡ଼ିଶାବାସୀ ଦେଖêଛନ୍ତି। ନିଜକୁ ବିଜେପିର ପ୍ରବକ୍ତା ମନେ କରି ଶ୍ରୀ ମିଶ୍ର ନିୟମିତ ଭାବେ ଯେଉଁସବୁ ନିମ୍ନମାନର ମନ୍ତବ୍ୟ ଦେଇ ଆସୁଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ।

ଏହି ସ୍ପର୍ଶକାତର ପ୍ରସଙ୍ଗରେ ଆଜି ଶ୍ରୀ ମିଶ୍ର ବିଭ୍ରାନ୍ତିକର ବୟାନ ଦେବା ପରେ ଏକ ପ୍ରେସ ବିବୃତିରେ ବିଜେଡି ମୁଖପାତ୍ର ଡ.ଲେନିନ ମହାନ୍ତି କହିଛନ୍ତି ଯେ ନରସିଂହ ବାବୁ ରାଜ୍ୟର କେବଳ ଜଣେ ଆଗଧାଡ଼ିର ଅଭିଜ୍ଞ ରାଜନେତା ନୁହନ୍ତି  । ଜଣେ ବରିଷ୍ଠ ଆଇନଜୀବୀ ମଧ୍ୟ। ତାଙ୍କୁ କିଏ କହିଥିଲା ଯେ ନବକିଶୋର ଦାସଙ୍କ ହତ୍ୟାକାରୀ ଗୋପାଳ ଜଣେ ପାଗଳ ବୋଲି? ତଦନ୍ତକାରୀ ସଂସ୍ଥା କହିଥିଲା କି? ସରକାର କହିଥିଲେ କି? ବିଜୁ ଜନତା ଦଳ କହିଥିଲା କି? ଗୋପାଳ ପାଗଳ ବୋଲି ପ୍ରଥମେ ତାଙ୍କ ପରିବାର ଲୋକ କହିଥିଲେ। ଆଉ ପରେ ପରେ ନିଜେ ନରସିଂହ ବାବୁ ଏବଂ କଂଗ୍ରେସ ତଥା ଭାରତୀୟ ଜନତା ପାର୍ଟିର ନେତାମାନେ ଗୋପାଳ ପାଗଳ ବୋଲି କହି ବୁଲିଲେ।

ଏବେ ସେଇ ନରସିଂହ ବାବୁ ଗୋପାଳ ପାଗଳ ନୁହେଁ ବୋଲି କହୁଛନ୍ତି। ଦୁର୍ଭାଗ୍ୟର ବିଷୟ ହେଲା, ନରସିଂହ ବାବୁଙ୍କ ଭଳି ଜଣେ ବରିଷ୍ଠ ଆଇନଜୀବୀ ଏହି ସ୍ପର୍ଶକାତର ମାମଲାରେ ବିଜେପିର ପ୍ରବକ୍ତା ଭଳି ଆଜି ଗୋଟିଏ କଥା, କାଲି ଗୋଟିଏ କଥା କହି ବିଭ୍ରାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ସେ ମନେ ରଖିବା ଉଚିତ ଯେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ମାମଲାର ତଦନ୍ତକୁ ତଦାରଖ କରୁଛନ୍ତି। ତେଣୁ ଘଟଣା ପଛର ସତ କ’ଣ, ତାହା ଖୁବ୍ ଶୀଘ୍ର ପଦାକୁ ଆସିବ।

ଲେନିନ ମହାନ୍ତି ଆହୁରି କହିଛନ୍ତି ଯେ ଏହି ମାମଲାରେ FBI ଏବଂ NIMHANSର ସାହାଯ୍ୟ କାହିଁକି ଲୋଡ଼ା ହେଲା, ତାହା ଆଗରୁ ସ୍ପଷ୍ଟ କରାଯାଇଛି। ତଥାପି ବିରୋଧୀଦଳର ନେତାମାନେ ଏହି ମାମଲାରୁ ରାଜନୈତିକ ଫାଇଦା ହାସଲ ପାଇଁ ଜାଣିଶୁଣି ନ୍ୟାରେଟିଭ୍ ତିଆରି କରିବାକୁ ଚେଷ୍ଟା କରୁଛନ୍ତି। ତେବେ ନରସିଂହ ମିଶ୍ରଙ୍କ ଭଳି ଜଣେ ବରିଷ୍ଠ ଆଇନଜୀବୀଙ୍କଠାରୁ ଏଭଳି ବିଭ୍ରାନ୍ତକାରୀ ମନ୍ତବ୍ୟ ଆଶା କରାଯାଏ ନାହିଁ ।