ବାଗେଶ୍ୱର ବାବା ଜାଣିଥିଲେ କି ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ? ଏମିତି ଦାବି କଲେ…

ନୂଆଦିଲ୍ଲୀ: ବାଲେଶ୍ୱରର ବାହାନଗା ଟ୍ରେନ ଦୁର୍ଘଟଣା ପରେ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ଯଦି ସେ ଭବିଷ୍ୟ ଦେଖିପାରନ୍ତି, ତେବେ ସେ ବାହାନଗା ଟ୍ରେନ ଦୁର୍ଘଟଣା ବିଷୟରେ କାହିଁକି ଜଣାଇ ପାରିଲେ ନାହିଁ ବୋଲି କହି ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି ।

ପ୍ରସିଦ୍ଧ ଧାର୍ମିକ ପ୍ରବଚକ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କୁ ଜଣେ ସାମ୍ବାଦିକ ପ୍ରଶ୍ନ କରୁଛନ୍ତି ଯେ, ଆପଣଙ୍କ ଶକ୍ତି ଭାରତରେ ହେବାକୁ ଥିବା ବଡ଼ ଘଟଣା ବିଷୟରେ ସଙ୍କେତ ଦେଇପାରେ କି ? ଉତ୍ତରରେ ସେ କହୁଛନ୍ତି ହଁ । ହେଲେ ବଡ଼ ଘଟଣା ବିଷୟରେ ସଙ୍କେତ ମିଳିବା ଏବଂ ଏହାକୁ ରୋକିବା ୨ଟା ଭିନ୍ନ କଥା । ଭଗବାନ କୃଷ୍ଣ ମହାଭାରତ ହେବ ବୋଲି ଜାଣିଥିଲେ, କିନ୍ତୁ ସେ ଏହାକୁ ରୋକି ପାରିନଥିଲେ । ତାଙ୍କର ଏଭଳି ଭିଡିଓ ଭାଇରାଲ ହେବା ପରେ ଏବେ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି । ଯଦି ବାବା ଭବିଷ୍ୟ ଦେଖିପାରନ୍ତି, ତେବେ ବାଲେଶ୍ବରରେ ହୋଇଥିବା ଟ୍ରେନ ଦୁର୍ଘଟଣା ବିଷୟରେ କାହିଁକି ଜଣାଇଲେ ନାହିଁ । ଜଣାଇଥିଲେ ଦୁର୍ଘଟଣାକୁ ରୋକାଯାଇପାରିଥାନ୍ତା ବୋଲି କହି ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି।

ବାଗେଶ୍ୱର ଧାମର ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀ ତାଙ୍କର ଚମତ୍କାରିତା ପାଇଁ ଗତ କିଛି ମାସ ହେଲାଣି ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି । ସେ ସମସ୍ତଙ୍କ ଅତୀତକୁ ଦେଖି ପାରୁଥିବା ଦାବି କରନ୍ତି । ବେଳେବେଳେ ସେ ଭବିଷ୍ୟବାଣୀ ମଧ୍ୟ କରୁଥିବା ଦେଖାଯାଏ ।