ଅଣସରରେ ମହାପ୍ରଭୁଙ୍କର ଚାଲିଛି ଗୁପ୍ତସେବା, ଶ୍ରୀମନ୍ଦିରରେ ପଟିଦିଅଁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: ଅଣସରରେ ମହାପ୍ରଭୁଙ୍କର ଚାଲିଛି ଗୁପ୍ତସେବା  । ମହାପ୍ରଭୁଙ୍କ ସ୍ଥାନରେ ଶ୍ରୀମନ୍ଦିରରେ ଭକ୍ତମାନେ ପଟିଦିଅଁଙ୍କୁ ଦର୍ଶନ କରୁଛନ୍ତି  । ଆଜି ଭୋର ୪ଟାରେ ମନ୍ଦିର ଖୋଲିବା ପରେ ମଙ୍ଗଳ ଆଳତୀ, ତଡ଼ପ ଲାଗି, ଅବକାଶ,  ଅନବସର ବେଶ , ହୋଇଥିଲେ ।  ୫ ଟାରେ ଗୋପାଳ ବଲ୍ଲଭ ପରେ ଏବେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା’ ଭୂବନେଶ୍ବରୀ, ଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତପାବନ ପୂଜା ପାଉଛନ୍ତି ।

ସେପଟେ ଶ୍ରୀଜୀଉଙ୍କ ଅଣସର ସମୟରେ ଦୁର୍ଲ୍ଲଭ ଦର୍ଶନ ଦେଉଛନ୍ତି ଅଲାରନାଥ । ଶିଳାବ୍ରହ୍ମଙ୍କୁ ଦର୍ଶନ କରି ଶ୍ରୀଜଗନ୍ନାଥ ଦର୍ଶନର ପୁଣ୍ୟ ଅର୍ଜନ କରୁଛନ୍ତି ଶ୍ରଦ୍ଧାଳୁ । ବ୍ରହ୍ମଗିରି ଅଲାରନାଥଙ୍କ କ୍ଷୀରି ଭୋଗର ରହିଛି ସ୍ବତନ୍ତ୍ରତା । ଶ୍ରୀଅଲାରନାଥଙ୍କ ଦର୍ଶନ ପାଇଁ ହଜାରହଜାର ଭକ୍ତଙ୍କ ଗହଳି ଲାଗୁଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭିଡ ନିୟନ୍ତ୍ରଣ ପାଇଁ ୬ ପ୍ଳାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ୬ ଜଣ ଆଇଆଇସିଙ୍କ ନେତୃତ୍ବରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଜାରି ରହିଛି ।