କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ରାମଲୀଲା ମୈଦାନରୁ ଆମ ଆଦମୀ ପାର୍ଟିର ରଣହୁଙ୍କାର

ନୂଆଦିଲ୍ଲୀ: କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ରାମଲୀଲା ମୈଦାନରୁ ରଣହୁଙ୍କାର । ଦିଲ୍ଲୀରେ ଅସାମ୍ବିଧାନିକ ଅଧ୍ୟାଦେଶ ବିରୋଧରେ ଆମ ଆଦମୀ ପାର୍ଟିର ମହାରାଲି । ଦରବୃଦ୍ଧି, ବେରାରଜଗାରୀ, କେନ୍ଦ୍ରର ତାନାସାହି ଶାସନ ବିରୋଧରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଅଧିକାର ଛଡ଼ାଇବା ପାଇଁ କେନ୍ଦ୍ର ସରକାର ଦିଲ୍ଲୀରେ ଜନ ବିରୋଧୀ ଅଧ୍ୟାଦେଶ ଆଣିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଆଜିଠୁ ସମ୍ବିଧାନ ବଞ୍ଚାଅ ଆନ୍ଦୋଳନର ଆରମ୍ଭ ହୋଇଛି ।

ଏହି ରାଲି କେନ୍ଦ୍ରର ଏକଛତ୍ରବାଦୀ ଶାସନକୁ ବିରୋଧ କରିଆୟୋଜନ କରାଯାଇଛି । କେନ୍ଦ୍ରର ତାନାସାହି ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ବୋଲି କେଜ୍ରିଓ୍ବାଲ କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ଜନ ବିରୋଧୀ । କେନ୍ଦ୍ରର ବିଜେପି ସରକାର ଲୋକତନ୍ତ୍ରକୁ ନଷ୍ଟ କରିବାକୁ ଚାହୁଁଛନ୍ତି ବୋଲି ଆପ୍ ସାଂସଦ ସଞ୍ଜୟ ସିଂ କହିଛନ୍ତି । ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରଠୁ ଇଡି, ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ବିଶ୍ବସନୀୟତା ହରାଇଛନ୍ତି ବୋଲି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି । ବିଜେପିକୁ ଭାରତୀୟ ଜୁଗାଡ଼ ପାର୍ଟି କହି ବର୍ଷିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ।

ଆପ୍ ର ଏହି ମହାରାଲି ପାଇଁ ରଷ୍ଟ୍ରୀୟ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମ୍ବିଧାନ ଓ ଲୋକତନ୍ତ୍ରର ରକ୍ଷା ପାଇଁ ଏହି ରାଲିରେ ଆୟୋଜନ କରାଯାଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି । ଦିଲ୍ଲୀରେ ସରକାରୀ ଅଫିସରଙ୍କ ନିଯୁକ୍ତି ଓ ବଦଳି ପାଇଁ ନିର୍ବାଚିତ ସରକାରଙ୍କର କ୍ଷମତା ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇବା ପରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣି ଏହାକୁ ଚ୍ୟାଲେଞ୍ଜ କରିଛନ୍ତି । ଏହି ଅଧ୍ୟାଦେଶ ବଳରେ ସରକାରୀ ଅଫିସରଙ୍କ ନିଯୁକ୍ତି ଓ ବଦଳି ପାଇଁ ଉପରାଜ୍ୟପାଳଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।