spot_img
Home Blog Page 3282

ଆସନ୍ତାକାଲିଠାରୁ କର୍ଣ୍ଣାଟକରେ ସିଦ୍ଧରମୈୟା-ଶିବକୁମାରଙ୍କ ଶାସନ, ଶପଥଗ୍ରହଣ ଲାଗି ବ୍ୟାପକ ଆୟୋଜନ

ବେଙ୍ଗାଲୁରୁ: ଆସନ୍ତାକାଲି କର୍ଣ୍ଣାଟକରେ ନୂଆ ସରକାର ଶପଥ ସମାରୋହ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା । ଉପମୁଖ୍ୟମନ୍ତ୍ରୀ ହେବେ ଡି.କେ. ଶିବକୁମାର । ବେଙ୍ଗାଲୁରୁର କାନ୍ତିବୀରା ଷ୍ଟାଡିୟମରେ ଶପଥ ସମାରୋହ ପାଇଁ ଜୋରଦାର ପ୍ରସ୍ତୁତ ଚାଲିଥିବା ବେଳେ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିଛନ୍ତି ଶିବକୁମାର । ପ୍ରେସମିଟ୍ କରି ଦଳର କର୍ମକର୍ତ୍ତା ଓ ସମର୍ଥକଙ୍କୁ ଶପଥ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି ଡିକେଏସ୍ । ହାଇକମାଣ୍ଡଙ୍କ ନିଷ୍ପତ୍ତି ପରେ ଗତକାଲି ସନ୍ଧ୍ୟାରେ ବସିଥିବା ବିଧାୟକ ଦଳ ବୈଠକରେ ସିଦ୍ଧରମୈୟାଙ୍କୁ ବିଧାୟକ ଦଳ ନେତା ବଛା ଯାଇଥିଲା । ବୈଠକରେ ପରେ ଉଭୟ ସିଦ୍ଧରମୈୟା ଓ ଶିବକୁମାର ରାଜ୍ୟପାଳ ଥାଓ୍ୱରଚାନ୍ଦ ଗେହଲଟଙ୍କୁ ସାକ୍ଷାତ କରି ସରକାର ଗଠନ ଲାଗି ଦାବି ଜଣାଇଥିଲେ ।

ଶପଥଗ୍ରହଣ ଉତ୍ସବରେ ହିମାଚଳ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତାମିଲନାଡୁ, ବିହାର ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଏହାଛଡ଼ା ଆରଜେଡିର ତେଜସ୍ୱୀ ଯାଦବ, ଏନସିପି ସୁପ୍ରିମୋ ଶରଦ ପାୱାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପିଡିପି ମୁଖ୍ୟ ମେହବୁବା ମୁଫତି, ସିପିଆଇର ଡି ରାଜା, ସିପିଏମର ସୀତାରାମ ୟେଚୁରୀ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିମନ୍ତ୍ରଣ କରାଯାଇଛି । ସେପଟେ କ୍ୟାବିନେଟରେ କାହାକୁ କାହାକୁ ନିଆଯିବ ସେନେଇ ଆଲୋଚନା କରିବାକୁ ଆଜି ଦିଲ୍ଲୀ ଯାଇପାରନ୍ତି ଦୁଇ ନେତା ।

ନକଲି ଭିଜିଲାନ୍ସ ଏସପି ମନୋଜ ମାଝିର ଆଜି ସରିବ ରିମାଣ୍ଡ ଅବଧି

ଭୁବନେଶ୍ୱର: ନକଲି ଭିଜିଲାନ୍ସ ଏସପି ମନୋଜ ମାଝିର ଆଜି ସରିବ ରିମାଣ୍ଡ ଅବଧି । ରିମାଣ୍ଡ ବେଳେ STF ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ  । ‘ଲଭ କେଲିୟେ କୁଛ ଭି କରେଗା’ ଷ୍ଟାଇଲରେ ଉଡ଼ାଉଥିଲା ଟଙ୍କା । ଠକେଇ ଟଙ୍କାରେ ପ୍ରେମିକାକୁ ବୁଲାଇ ନେଉଥିଲା ବିଦେଶ । ଏହା ସହ ଲୋକଙ୍କୁ ଲଗାଉଥିଲା ଚୂନ । ଠକେଇ ଟଙ୍କାରେ ପ୍ରେମିକାକୁ କିଣି ଦେଉଥିଲା ସୁନା । ଏପରିକି ରିଲାକ୍ସ ହେବା ପାଇଁ ଠକ ପିଉଥିଲା ୨୦ ହଜାର ଟଙ୍କିଆ ମଦ । ମନୋଜଙ୍କ ପ୍ରେମିକା ଏକ ପ୍ରାଇଭେଟ କମ୍ପାନୀରେ କାମ କରନ୍ତି ବୋଲି ସୂଚନା ମିଳିଛି । ଖୁବଶୀଘ୍ର ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ । ଠକ ମନୋଜର ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ । ନିଜକୁ ଭିଜିଲାନ୍ସ ଏସପି ପରିଚୟ ଦେଇ ଲୋକଙ୍କୁ ଚୂନ ଲଗାଉଥିଲା ଏହି ଠକ । ମନୋଜର ୩ଟି ଆକାଉଣ୍ଟରୁ ମିଳିଛି ମାତ୍ର ୬୫ ଟଙ୍କା ।

ସରିଲା ଡେଡଲାଇନ୍, ଇମ୍ରାନଙ୍କ ଜମାନ ପାର୍କ ବାସଭବନେର ଆରମ୍ଭ ହୋଇପାରେ ପୋଲିସ ଅପରେସନ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଲାହୋରସ୍ଥିତ ଜମାନ ପାର୍କ ବାସଭବନେର ଆରମ୍ଭ ହୋଇପାରେ ପୋଲିସ ଅପରେସନ । ଘରେ ୪୦ ଆତଙ୍କବାଦୀ ଥିବା ନେଇ ଅଭିଯୋଗ ହେବା ପରେ ଆକ୍ସନ ମୋଡରେ ପୋଲିସ । ଦିଆଯାଇଥିବା ୨୪ ଘଣ୍ଟାର ଡେଡଲାଇନ୍ ସରିବା ପରେ କୌଣସି ମୁହୂର୍ତ୍ତରେ ଇମ୍ରାନଙ୍କ ଘରେ ପଶିପାରେ ପୋଲିସ । ଆତଙ୍କବାଦୀଙ୍କୁ ୨୪ ଘଣ୍ଟା ଭିତରେ ପୋଲିସ ହାତରେ ଅର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆତଙ୍କୀଙ୍କୁ ବାହାର କରିବା ଲାଗି ପୋଲିସ ଅପରେସନ ଆରମ୍ଭ କରିବା ସହ ଇମ୍ରାନଙ୍କ ବାସଭବନକୁ ଘେରି ରହିଛନ୍ତି ପୋଲିସ । ପଞ୍ଜାବ ସରକାର କହିଛନ୍ତି ଡେଡଲାଇନ ସରିଥିବାରୁ ଇମ୍ରାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଇମ୍ରାନଙ୍କ ବାସଭବନ ଚାରିପାଖେ ଅସ୍ତ୍ରଧାରୀ ପୋଲିସ ପଇଁତରା ମାରୁଥିବାବେଳେ ସମସ୍ତ ରାସ୍ତାକୁ ସିଲ୍ କରିଦିଆଯାଇଛି । ପୋଲିସ ବାହିନୀକୁ ସତର୍କ ରଖାଯାଇଛି ।

ପଞ୍ଜାବ ସୂଚନା ମନ୍ତ୍ରୀ ଆମିର ମୀର କହିଛନ୍ତି- ଇମ୍ରାନଙ୍କ ଘରେ ପ୍ରାୟ ୪୦ ଜଣ ଆତଙ୍କୀ ରହିଛନ୍ତି । ପାକିସ୍ତାନ ଆର୍ମି ଆକ୍ଟ ଓ ଅଫିସିଆଲ ସିକ୍ରେଟସ ଆକ୍ଟ ଅନୁସାରେ ଇମ୍ରାନଙ୍କ ବିଚାର କରାଯିବ । ପୋଲିସ କହିଛି- ଜମାନ ପାର୍କ ଇଲାକାରୁ ୮ ଜଣ ଲୋକଙ୍କୁ ଗିରଫ କରାଯାଇଛି । ସେମାନେ ମେ ୯ରେ ବିଭିନ୍ନ ଆର୍ମି ପ୍ରତିଷ୍ଠାନ ଉପରେ ଆକ୍ରମଣ ଲାଗି ଯୋଜନା କରିଥିବା ନେଇ ଅଭିଯୋଗ ହୋଇଥିଲା । ପେଶାଓ୍ବାର କୋର କମାଣ୍ଡରଙ୍କ ଘର ଉପରେ ଆକ୍ରମଣ ଲାଗି ଯୋଜନା କରାଯାଇଥିଲା ବୋଲି ପୋଲିସ କହିଛି । ଲାହୋରସ୍ଥିତ କର୍ପସ କମାଣ୍ଡରଙ୍କ ଘରେ ନିଆଁ ଲଗାଇବା ଘଟଣାରେ ଗତ ମେ ୧୦ ତାରିଖରେ ଇମ୍ରାନ ଓ ତାଙ୍କର ଶତାଧିକ କର୍ମୀଙ୍କ ନାମରେ ମାମଲା ରୁଜୁ କରିଥିଲା ପୋଲିସ ।

୩ ଚିତା ମୃତ୍ୟୁ ପରେ ସୁପ୍ରିମକୋର୍ଟଙ୍କ ଉଦବେଗ, ରାଜସ୍ଥାନ ନେଇଯିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ଦୁଇ ମାସ ମଧ୍ୟରେ ତିନିଟି ଚିତାଙ୍କ ମୃତ୍ୟୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ । ମଧ୍ୟପ୍ରଦେଶର କୁନୋ ପାର୍କରେ ରହିଥିବା ଅତିଥିଙ୍କୁ ରାଜସ୍ଥାନକୁ ସ୍ଥାନାନ୍ତର କରିବା ଲାଗି କୋର୍ଟ ପରାମର୍ଶ ଦେଇଛନ୍ତି । ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ ସଞ୍ଜୟ କାରୋଲଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ବିଶେଷଜ୍ଞ ଓ ତଥ୍ୟକୁ ଆଧାର କରି ଚିତାମାନଙ୍କୁ ସ୍ଥାନାନ୍ତର କରିବା ଲାଗି ପରାମର୍ଶ ଦେଇଛନ୍ତି । ଅଧିକ ସଂଖ୍ୟକ ଚିତାଙ୍କ ଲାଗି ମଧ୍ୟପ୍ରଦେଶର କୁନେ ନ୍ୟାସନାଲ ପାର୍କ ପ୍ରଯୁଜ୍ୟ ନୁହେଁ ବୋଲି କୋର୍ଟ କହିଛନ୍ତି । ଚିତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଟାକ୍ସଫୋର୍ସ ଅନୁଧ୍ୟାନ କରୁଛି ଏବଂ ସେମାନଙ୍କୁ ଅନ୍ୟତ୍ର ନେବା ଲାଗି ଯୋଜନା ଚାଲିଛି ବୋଲି କହିଥିଲେ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭଟ୍ଟି ।

କିଡନୀ ଖରାପ କାରଣରୁ ଗତ ମାର୍ଚ୍ଚ ୨୭ରେ ନାମିବ୍ୟାରୁ ଆସିଥିବା ସାସା ନାମ୍ନୀ ଚିତାଙ୍କ ମୃତ୍ୟୁ ଘଟିଥିଲା । ହୃଦରୋଗ ଓ ଶ୍ବାସକ୍ରିୟାଜନିତ ସମସ୍ୟାରୁ ଗତ ଏପ୍ରିଲ ୨୩ରେ ସାଉଥ ଆଫ୍ରିକାରୁ ଆସିଥିବା ଉଦୟର ମୃତ୍ୟୁ ଘଟିଥିଲା । ହିଂସ୍ର ସଂଘର୍ଷରୁ ଗତ ମେ ୯ ତାରିଖରେ ସାଉଥ ଆଫ୍ରିକାର ମାଈ ଚିତା ଦକ୍ଷାର ମୃତ୍ୟୁ ଘଟିଥିଲା । ଭାରତରେ ୧୯୪୭-୪୮ ମସିହାରୁ ବିଲୁପ୍ତ ହୋଇଯାଇଥିଲେ ଚିତା । ମାର୍ଚ୍ଚ ୨୭ରେ ପ୍ରଥମ ଚିତାର ମୃତ୍ୟୁ ଘଟିବା ପରେ ୨୮ ତାରିଖରେ ଚିତା ଟାସ୍କ ଫୋର୍ସର ବିଶେଷଜ୍ଞଙ୍କଠାରୁ ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ । ୨୦୨୨ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୮ଟି ଚିତା ଅଣାଯାଇଥିବାବେଳେ ଗତ ଫେବ୍ରୁଆରୀ ୧୮ ତାରିଖରେ ସାଉଥ ଆଫ୍ରିକାରୁ ଅଣାଯାଇଥିଲା ୧୨ ଚିତା ।  ସେମାନଙ୍କ ମଧ୍ୟରେ ଥିଲେ ୭ଟି ମାଈ ଓ ୫ଟି ଅଣ୍ଡିରା ।

ୟୁକ୍ରେନ ବାହିନୀ ନିକଟରେ ପରାସ୍ତ ହେବାରେ ଲାଗିଛି ଋଷ, ୨୯ଟି କ୍ରୁଜ ମିସାଇଲ ଖସାଇଲା ୟୁକ୍ରେନ୍

କିଭ୍: ଯୁଦ୍ଧରେ ବିଜୟ କାହାର ? ୟୁକ୍ରେନ ପ୍ରତିରକ୍ଷା ବାହିନୀ ନିକଟରେ ପରାସ୍ତ ହେବାରେ ଲାଗିଛି ଋଷ ବାହିନୀ । ଗତ ୨୪ ଘଣ୍ଟାରେ ଋଷର ୩୦ଟି କ୍ରୁଜ୍ ମିସାଇଲ ମଧ୍ୟରୁ ୨୯ ଟିକୁ ଖସାଇଛି ୟୁକ୍ରେନ । ଏହା ସହ ଋଷର ଚାରିଟି ଡ୍ରୋନକୁ ବି ଖସାଇଛି ୟୁକ୍ରେନ । ଏହି ମିସାଇଲଗୁଡିକ କିଭ୍ ଓ ଅନ୍ୟାନ୍ୟ ସହରକୁ ଟାର୍ଗେଟ କରିବା ପୂର୍ବରୁ ସେଗୁଡ଼ିକୁ ଧ୍ୱଂସ କରାଯାଇଥିଲା । ସେପଟେ କିଭରେ ଦୁଇଟି ଅଞ୍ଚଳରେ ଘଟିଛି ଦୁଇଟି ବଡ଼ ଧରଣର ବିସ୍ଫୋରଣ । ଆହତ ହୋଇଛନ୍ତି ୫ଜଣ ।

ତେଣେ ଆମେରିକା ଓ ଜର୍ମାନୀର ଭୂମିକାକୁ ସମାଲୋଚନା କରିଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ । ନିଜର ସ୍ବାର୍ଥ ଲାଗି ୟୁକ୍ରେନକୁ ବ୍ୟବହାର କରାଯାଉଛି ବୋଲି ସେ କରିଛନ୍ତି ଅଭିଯୋଗ । ୟୁକ୍ରେନକୁ ଜର୍ମାନୀ ମଡର୍ଣ୍ଣ ବ୍ୟାଟଲ ଟ୍ୟାଙ୍କ୍ ଯୋଗାଇବା ଲାଗି ଘୋଷଣା କରିଥିବାରୁ ଏହାକୁ ବିରୋଧ କରିଛନ୍ତି ଲାଭରୋଭ । ସେପଟେ ଋଷର ଆକ୍ରମଣରେ ଭୂତ ସହରରେ ପରିଣତ ହେଲାଣି ୟୁକ୍ରେନର ବାଖମତ । ସ୍କୁଲ, ବ୍ୟାବସାୟିକ ପ୍ରତିଷ୍ଠାନ ଓ ସାଧାରଣ କୋଠା ଧ୍ବଂସସ୍ତୂପରେ ପରିଣତ ହୋଇଛି । ଲୋକମାନେ ସହର ଛାଡ଼ି ପଳାୟନ କରିଥିବାବେଳେ ସହର ଜନଶୂନ୍ୟ ହୋଇଛି । ସହରରରେ ଅବସ୍ଥିତ ପେରେହୋମା ଭିକ୍ଟରି ପାର୍କ ବି ଛାରଖାର ହୋଇଛି ।

୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମଲହରୀ, ପଶ୍ଚିମ ଓଡ଼ିଶାରେ ଅଧିକ ରହିବ ତାପମାତ୍ରା

ଭୁବନେଶ୍ୱର: ପଶ୍ଚିମରେ ତାତି, ଉପକୂଳରେ କାଳବୈଶାଖୀ । ରାଜ୍ୟରେ ଦିନରେ ତାପମାତ୍ରା ବୃଦ୍ଧି ସହିତ ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଛି । ଫଳରେ ସକାଳୁ ଗରମ ସହିତ ଅପରାହ୍ମରେ ଆଶ୍ବସ୍ତି ମିଳୁଛି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖରା ବଢ଼ିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । କେତେକ ସ୍ଥାନର ତାତି ୪୫ ଡିଗ୍ରୀ ଛୁଇଁପାରେ । ଏବେ କେତେକ ସହରର ତାପମାତ୍ରା ୪୪ ଡିଗ୍ରୀରୁ ଅଧିକ ରହୁଥିବାବେଳେ ୨୦ ଅଧିକ ସହର ୪୦ ଡିଗ୍ରୀ ଉପରେ ରହୁଛି  ।

ଖରା ସମୟରେ ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସକ୍ରିୟ ରହିଥିବାରୁ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେଉଛି । ଏହି ସମୟରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି ।

ଆଜି ସାବିତ୍ରୀ ଅମାବାସ୍ୟା, ସ୍ୱାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା । ଯମରାଜଙ୍କ ପଛରେ ଯାଇ ସ୍ବାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ । ହିନ୍ଦୁ ଶାସ୍ତ୍ରର ସେହି ପୌରାଣିକ କଥାକୁ ମନେ ପକାଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଛନ୍ତି ବିବାହିତା ମହିଳାମାନେ । ରାଜ୍ୟର ବିଭିନ୍ନ ପୀଠରେ ସକାଳୁ ସକାଳୁ ପୂଜା କରିବାକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ହାତରେ ଭୋଗ, ମନରେ ଉତ୍ସାହ ନେଇ ଦେବାଳୟକୁ ଯାଇଛନ୍ତି ସଧବା । ନୂଆ ଶାଢୀ, ସଙ୍ଖା, ସିନ୍ଦୁର ଓ ଅଳତା ନେଇ ପୂଜାର୍ଚ୍ଚନା କରୁଛନ୍ତି । ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ । ବିଶେଷ କରି ଆମ୍ବ, ପଣସ, ନଡ଼ିଆ, ଫୁଟି କାକୁଡି, ତାଳ, ଖଜୁରୀ ଆଦି ଦେଶୀ ଫଳରେ ପୂଜା କରୁଛନ୍ତି ।

ଆଜିଠୁ ୧୦ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍

ସମ୍ବଲପୁର: ଆଜି ହୀରାକୁଦରେ ପହଂଚିବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ । ଛତିଶଗଡ଼ ପରେ ଓଡ଼ିଶାରେ ପହଞ୍ଚିବେ ଟିମ୍ । ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନରେ ହୀରାକୁଦ ବୁଲିବ ଟିମ୍ । ଆଜି ଏନେଇ ଅଶୋକ ନିବାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ପରେ ହୀରାକୁଦ ଡ୍ୟାମ୍ ବୁଲିବ ଟ୍ରିବୁନାଲ । ଏହି ଟିମ୍ ୨୩ ତାରିଖ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍ ଓ ମହାନଦୀ ଆୟାକଟ୍ ଅଞ୍ଚଳ ବୁଲି ଦେଖିବେ । ୨୪ ତାରିଖରେ ଟ୍ରିବ୍ୟୁନାଲ ଭୁବନେଶ୍ବର ଆସିବେ । ୨୫ ତାରିଖରେ ବିଶ୍ରାମ କରିବା ପରେ ୨୬ରୁ ୨୮ ପର୍ଯ୍ୟନ୍ତ କଟକସ୍ଥିତ ନରାଜ, ମୁଣ୍ଡୁଳୀ, ଅଂଶୁପା ଓ ଚିଲିକା ହ୍ରଦ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି।

 

କେତେବାଟ ଆଗେଇଛି କଳାହାଣ୍ଡିର ବିକାଶ, ଗ୍ରାଉଣ୍ଡ ଜିରୋକୁ ଯାଇ ଅନୁଧ୍ୟାନ କରିବେ 5T ସଚିବ

ଭୁବନେଶ୍ୱର: କେତେବାଟ ଆଗେଇଛି କଳାହାଣ୍ଡିର ବିକାଶ । ପ୍ରଗତି ପଥେ କ’ଣ ରହିଛି ସମସ୍ୟା । କ’ଣ ରହିଛି ଲୋକଙ୍କ ଅସୁବିଧା । ଜିଲ୍ଲାର ସାମଗ୍ରିକ ବିକାଶର ଅନୁଧ୍ୟାନ ପାଇଁ ଆଜିଠୁ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଯାଉଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଗ୍ରାଉଣ୍ଡରେ ବିକାଶର ଅନୁଧ୍ୟାନ କରିବା ସହ ଲୋକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବେ । ସକାଳ ୧୦ଟାରେ ଉତକେଲାରେ ପହଞ୍ଚିବେ 5T ସଚିବ। ସେଠାରୁ ବେଲଖଣ୍ଡି ଶିବ ମନ୍ଦିର ଯାଇ ଦର୍ଶନ କରିବା ପରେ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ପୂଜକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ । ପରେ ଆମ ହସ୍ପିଟାଲରେ ଅଧିନରେ ରୂପାନ୍ତରିତ ହେଉଥିବା ଏମ. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଅନୁଧ୍ୟାନ କରିବେ । ସାନ୍ଦୁଲ ଜଳସେଚନ ପ୍ରକଳ୍ପ ନିର୍ମାଣ ଅଗ୍ରଗତୀର ସମୀକ୍ଷା କରିବେ 5T ସଚିବ । ପରେ ନର୍ଲା ମିଶନ ଶକ୍ତି କାଫେ ଓ ମିନି ଷ୍ଟାଡିୟମ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା ଶୁଣିବେ । ଅପରାହ୍ନରେ ଭବାନୀପାଟଣା ପୋଲିସ ହାଇସ୍କୁଲଠାରେ ସମସ୍ୟା ସମ୍ପର୍କରେ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିବେ ।

ସେଠାରୁ ଆଶା ସାଗର ଯାଇ ଅନୁଧ୍ୟାନ କରିବା ପରେ ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଓ ମାଆ ଲଙ୍କେଶ୍ବରୀ ମନ୍ଦିର ଯାଇ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିବେ ଭିକେ ପାଣ୍ଡିଆନ । ପରେ ଭବାନୀପାଟଣା ସରକାରୀ ମେଡିକାଲ କଲେଜ ଓ ଟିଚିଂ ହସ୍ପିଟାଲ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ମେଡିକାଲ କଲେଜ କ୍ୟାମ୍ପସ ଅଡିଟୋରିୟମରେ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ପରେ ଓୟୁଏଟି କଲେଜ ଅଡିଟୋରିୟମରେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ପରେ ଭବାନୀପାଟଣା ଟାଉନ୍ ହଲରେ ଏସଏଚଜିଙ୍କ ସହ ଆଲୋଚନା କରିବେ । ସ୍ପୋର୍ଟ୍ସ ହଷ୍ଟେଲରେ ପିଲାଙ୍କ ସହିତ ଆଲୋଚନା କରିବା ସହ କିଛି ସମୟ ବିତାଇବେ 5T ସଚିବ ।  ଭଟ୍ଟାଙ୍ଗପଦର ଇକୋ ଟୁରିଜମ କପ୍ଲେକ୍ସରେ ରାତ୍ର ରହଣୀ କାର୍ଯ୍ୟକ୍ରମ ରହିଛି ।

ଶିକ୍ଷା କ୍ଷେତ୍ରରେ ଡିଜିଟାଲ୍ ଯୁଗକୁ ଆପଣାଇବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ

ଭୁବନେଶ୍ବର: ଆଜି ଇଲେଟ୍ସ ଏବଂ ମାଇକ୍ରୋସପ୍ଟ୍ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ “ଫ୍ୟୁଚର ରେଡି ଭାରତ — ଓଡ଼ିଶା ସଂସ୍କରଣ” ଅନୁଷ୍ଠିତ ହୋଇଯାଇଛି  । ଉଦ୍ଘାଟନୀ ଉତ୍ସବରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ଇଲେଟ୍ସ ଟେକ୍ନୋମେଡ଼ିଆ ପ୍ରତିଷ୍ଠାତା ଡଃ. ରବି ଗୁପ୍ତା, ମାଇକ୍ରୋସଫ୍ଟ ଇଣ୍ଡିଆ ନିର୍ଦ୍ଦେଶକ ଅଭିଷେକ ବୋଷ ଏବଂ ଅନ୍ୟ ପଦାଧୂକାରୀମାନେ ଉପସ୍ଥିତ ଥିଲେ  ।

ଆଜିର ପ୍ରତିଯୋଗିତାମୂଳକ ଡିଜିଟାଲ୍ ଦୁନିଅ।ରେ ବ୍ୟକ୍ତିବିଶେଷ ଓ ସମ୍ପ୍ରଦାୟର ବିକାଶ ପାଇଁ ଗୁଣାତ୍ମକ ଶିକ୍ଷାର ଉପଲବ୍ଧତା ଅତ୍ୟନ୍ତ ଜରୁରୀ  । ଏହି ସମାବେଶର ମୁଖ୍ୟ ଶୀର୍ଷକ ଭାବେ “ ରାଜ୍ୟରେ ଶିକ୍ଷାଦାନ ପ୍ରଣାଳୀ, ବୈଷୟିକ ଶିକ୍ଷା ଏବଂ ଅଭିବୃଦ୍ଧି” ବିଷୟରେ ଆଲୋକପାତ କରାଯାଇଥିଲା । ଶିକ୍ଷା କ୍ଷେତ୍ରରେ ସକାରାତ୍ମକ ପରିବର୍ତନ ଆଣିବା ଏବଂ ଡିଜିଟାଲ୍ ଯୁଗର ଆହ୍ଵାନକୁ ନଜରରେ ରଖି ଛାତ୍ରଛାତ୍ରୀମାନଙ୍କ ପ୍ରସ୍ତୁତି ନିମନ୍ତେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଏହି ଦିନିକିଆ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା  ।

ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶିକ୍ଷାବିତ୍, ବୈଷୟିକ ବିଶେଷଜ୍ଞ ଏବଂ ପ୍ରତିଷ୍ଠିତ ବ୍ୟକ୍ତି ଏହି ସମାବେଶରେ ଅଂଶଗ୍ରହଣ କରିଥିଲେ । ଏଥିରେ ଯୋଗ ଦେଇଥିବା ପ୍ରମୁଖ ଅତିଥିମାନେ ନିଜର ସୂଚନାତ୍ମକ ଓ ପ୍ରେରଣାଦାୟୀ ଚିନ୍ତାଧାରା ଉପସ୍ଥାପନ କରିଥିଲେ  । ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ପାଇଁ ଓଡ଼ିଶା ଆଜି ଦେଶର ସର୍ବୋକୃଷ୍ଟ ବୈଷୟିକ କେନ୍ଦ୍ର ଭାବେ ସ୍ଵତନ୍ତ୍ର ପରିଚୟ ପାଇପାରିଛି  । ଦେଶର ଅଗ୍ରଣୀ ବୈଷୟିକ ଅନୁଷ୍ଠାନମାନେ ବୈଷେୟିକ ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ପ୍ରମୁଖ ରାଜ୍ୟ ଭାବେ ମାନ୍ୟତା ପ୍ରଦାନ କରିଛନ୍ତି (Odisha-Skill Capital of Tech World) ।

ଏହା ବ୍ୟତୀତ ଓଡ଼ିଶାର ବୈଷୟିକ ଶିକ୍ଷାକ୍ଷେତ୍ରରେ ହୋଇଥିବା ଉନ୍ନତି ସାମୂହିକ ନୁହେଁ ବରଂ ଏହା ଉଲ୍ଲେଖନୀୟ ରୂପାନ୍ତରଣ (Transformation) ବୋଲି ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ତାଙ୍କ ଅଭିଭାଷଣରେ ଭଲ୍ଲେଖ କରିଥିଲେ  ।

ମାଇକ୍ରୋସଫ୍ଟ ଇଣ୍ଡିଆର ବିଶେଷଜ୍ଞ ସ୍ଵାତୀ କୌଶଲ ସମସ୍ତଙ୍କ ପାଇଁ ଉପଲବ୍ଧ ଶିକ୍ଷାରେ ପ୍ରଯୁକ୍ତି ବିଦ୍ୟାର ଭୂମିକା ଉପରେ ଏକ ଆକର୍ଷଣୀୟ ଉପସ୍ଥାପନା କରିଥିଲେ  । ଏହି ଉପସ୍ଥାପନାରେ ସେ ବିବିଧ ଦକ୍ଷତା ଥିବା ବ୍ୟକ୍ତିମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ଭୂମିକା ଉପରେ ଆଲୋକପାତ କରିଥଲେ  । ଏହି କର୍ମଶାଳାରେ ୪ ଗୋଟି ଶୀର୍ଷକରେ ଆଲୋଚନା କରାଯାଇଥିଲା  । ଏଥିରେ ୧୫ରୁ ଅଧିକ ବକ୍ତା ସେମାନଙ୍କର ଅଭିଜ୍ଞତା ଉପସ୍ଥାପନ କରିଥିଲେ  । ବକ୍ତାମାନଙ୍କ ମଧ୍ୟରେ ଏନ୍ଆଇସି, ଓଡ଼ିଶାର ଉପମହାନିର୍ଦ୍ଦେଶକ ଡ. ଆର.କେ.ଦାସ, ଓକେସିଏଲର ଏମ୍‌ଡି ମନୋରଞ୍ଜନ ପୁଥାଲ ପ୍ରମୁଖ ଉପସ୍ଥିତ ଥିଲେ ।