ମହାପ୍ରଭୁଙ୍କ ରଥ ଅଟାକାଇବ ବ୍ରଜରାଜନଗର ବ୍ରେକ୍

ଝାରସୁଗୁଡ଼ା: ରଥ ଅଟାକାଇବ ବ୍ରଜରାଜନଗର ବ୍ରେକ୍ । ଅଘଟଣ ରୋକିବ ଜଗୁ ବେନିଆଁଙ୍କ କମାର ଶାଳରେ ପ୍ରସ୍ତୁତ ଯନ୍ତ୍ର । ଆଉ ମାତ୍ର କିଛି ଦିନ ପରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଘର୍ଘର ନାଦରେ ବଡ଼ ଦାଣ୍ଡରେ ଗଡିବ ଶ୍ରୀଜିଉଙ୍କ ତିନି ରଥ । ଲୋକାରଣ୍ୟ ପରିବେଶ ଭିତରେ ରଥ ନିକଟରେ କିଛି ବି ଅଘଟଣ ଘଟିବାର ଆଶଙ୍କା ରହିଛି । ଏନେଇ ଆବଶ୍ୟକ ସ୍ଥଳେ ରଥ ରୋକିବାକୁ ବ୍ୟବହାର ହୋଇଥାଏ ସ୍ବତନ୍ତ୍ର ବ୍ରେକ୍ । ଏହି ବ୍ରେକ୍ ଝାରସୁଗୁଡ଼ା ବ୍ରଜରାଜନଗର ସାନଯୋବ ଗାଁର ଜଗୁ ବେନିଆଁଙ୍କ କମାର ଶାଳରେ ପ୍ରସ୍ତୁତ ହୋଇଥାଏ । ବ୍ରେକ୍ ତିଆରି ପାଇଁ ସମସ୍ତ ଖର୍ଚ୍ଚ ନିଜେ ବହନ କରିଥାନ୍ତି କାରିଗର । ଏପରିକି ପୁରୀ ଯାଇ ରଥରେ ଲାଗାଇବା ସମସ୍ତ ଖର୍ଚ୍ଚ ମଧ୍ୟ ନିଜେ ଉଠାଇଥାନ୍ତି ଜଗୁ ବେନିଆଁ । ମହାପ୍ରଭୁଙ୍କ ସେବାରେ ନିୟୋଜିତ କରିବାର ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେକରିଛନ୍ତି ଜଗୁ ବେନିଆଁ, ଅଶ୍ବିନୀ ମିଶ୍ର ଏବଂ ସହଯୋଗୀ ।

ତିନି ରଥର ବ୍ରେକ୍ ତିଆରି ପାଇଁ ରବର ଓ ନାଇଲନ ଲେୟାର ଥିବା ବେଲ୍ଟ ଆବଶ୍ୟକ ହୋଇଥାଏ । ତିନି ରଥ ପାଇଁ ମୋଟ ୩୬ ଖଣ୍ଡ ବେଲ୍ଟ ଦରକାର ହୁଏ । ପ୍ରତି ବେଲ୍ଟର ଲମ୍ବ ୧ ଫୁଟ, ଚଉଡା ୯ ଇଞ୍ଚ, ମୋଟା ୧୬ ମିଲିମିଟର ରଖାଯାଏ । ଏହା ସହିତ ୧୫ କେଜି ନିହାଣ କଣ୍ଟା, ୫ କେଜି ଜୁଖିଆ କଣ୍ଟା ଓ ୩ କେଜି ୱାସର ବ୍ୟବହାର ହୋଇଥାଏ । ଏହି ସମଗ୍ରୀଗୁଡ଼କୁ ଜଗୁ ନିଜେ ନିଜ ପୁଅ ଏବଂ ସାଥି ମାନଙ୍କ ସହ ନିଜ କମାର ଶାଳରେ ପ୍ରସ୍ତୁତ କରିଥାନ୍ତି । ୨୦୦୮ ମସିହାରୁ ଜଗୁ ବେନିଆଁ ଓ ଇଂଜିନିୟର ଅଶ୍ବିନୀ ମିଶ୍ର ମିଶି ପୁରୀ ରଥ ପାଇଁ ବ୍ରେକ୍ ତିଆରି କରି ଆସୁଛନ୍ତି । ମହାପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରି ଜିଲ୍ଲା ପାଇଁ ଗୌରବ ପାଲଟିଛନ୍ତି ଜଗୁ ବେନିଆଁ ଓ ପରିବାର ।