ଖଳିଲାଗିରେ ଶ୍ରୀଜିଉଙ୍କୁ ଲାଗିହେଲା ସାତ୍ତ୍ବିକ ପାଟବସ୍ତ୍ର, ପରୀକ୍ଷାମୂଳକ ଭାବେ ବୟନ ଶିଳ୍ପ ବିଭାଗ ଉଦ୍ୟମ ସଫଳ

ପୁରୀ: ଖଳିଲାଗିରେ ଶ୍ରୀଜିଉଙ୍କୁ ଲାଗିହେଲା ସାତ୍ତ୍ବିକ ପାଟବସ୍ତ୍ର । ପରୀକ୍ଷା ମୂଳକ ଭାବେ ଉଦ୍ୟମ ସଫଳ । ଏଣିକି ଆଉ ମାରିବାକୁ ପଡ଼ିବନି ରେଶମ ପୋକ । ଅଂହିସା ଉପାୟରେ ମହାପ୍ରଭୁଙ୍କ ପାଇଁ ବସ୍ତ୍ର ବୁଣାଯିବ । ପୂର୍ବରୁ ରେଶମ ପୋକକୁ ମାରି ପାଟ ଉତ୍ପାଦନ ହେଉଥିଲା । ରାଜ୍ୟ ସରକାରଙ୍କ ବୟନ ଶିଳ୍ପ ବିଭାଗ ପରୀକ୍ଷା ମୂଳକ ଭାବେ ପୋକକୁ ନମାରି ସେଥିରୁ ପାଟ ବାହାର କରିଥିଲେ । ଏହି ପାଟରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ମା’ ସୁଭଦ୍ରାଙ୍କ ଲାଗି ଏକ ସେଟ୍ ଗୀତ ଗୋବିନ୍ଦ ପାଟ ଖୋର୍ଦ୍ଧା ରାଉତପଡାର ବୁଣାକାରଙ୍କ ଦ୍ଵାରା ତିଆରି କରିଥିଲେ । ମୁଖ୍ୟ ଶାସନ ସଚିବ ଏହାକୁ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଘୋଷଣା କରିବା ପରେ ଆଜି ଖଳିଲାଗି ଏକାଦଶୀରେ ତାହା ଲାଗି ହୋଇଛି ।

ଅହିଂସା ସାତ୍ତ୍ବିକ ପାଟରେ ମହାପ୍ରଭୁଙ୍କ ସମସ୍ତ ବସ୍ତ୍ର ବୁଣିବାକୁ ରାଉତପଡାରେ ୧୦ଜଣ ବୁଣାକାରଙ୍କୁ ସ୍ଵତନ୍ତ୍ର ତାଲିମ ପ୍ରଦାନ କରାଯାଉଛି । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହି ତାଲିମ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ମହାପ୍ରଭୁଙ୍କ ବସ୍ତ୍ର ବୁଣିବା କୌଶଳକୁ ବୁଲି ଦେଖିଥିଲେ । ସାତ ଦିନ ଧରି ଏହି ତାଲିମ କେନ୍ଦ୍ରରେ ବୁଣାକାରମାନେ ତାଲିମ ନେଇ ମହାପ୍ରଭୁଙ୍କ ଲାଗି ବର୍ଷ ତମାମ ଆବଶ୍ୟକ ହେଉଥିବା ପାଟ ବସ୍ତ୍ର ପ୍ରସ୍ତୁତ କରି ଯୋଗାଇବେ ।