ଆଜି ସନ୍ଧ୍ୟାରେ ଜଖାଉ ପୋର୍ଟରେ ଲ୍ୟାଣ୍ଡଫଲ କରିବ ବିପର୍ଯ୍ୟୟ, ୧୫୦ କିମି ଛୁଇଁବ ପବନର ବେଗ

1 min read

ଗାନ୍ଧିନଗର: ଅତି ଭୀଷଣ ରୂପ ନେଇ ଉପକୂଳ ଆଡ଼କୁ ମୁହାଁଉଛି ’ବିପର୍ଯ୍ୟୟ’ । ଅତିଭୀଷଣ ବାତ୍ୟା ପାଇଁ ଆଲର୍ଟରେ ପ୍ରଶାସନ । ସଜାଗ ଉଦ୍ଧାରକାରୀ ଟିମ୍ । ଗୁଜରାଟ ଉପକୂଳରେ ବାତ୍ୟା ମାଡ଼ ସମ୍ଭାବନା ରହିଥିବା ବେଳେ ଷ୍ଟେଟ ଏମର୍ଜେନ୍ସି ଅପରେସନ ସେଣ୍ଟରରେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ପୋରବନ୍ଦରଠାରୁ ୩୩୦ କିଲୋମିଟର ଓ ଦ୍ବାରକାଠାରୁ ୨୬୦ କିମି ଦୂରରେ ରହିଛି ବାତ୍ୟା । ଆଜି ସନ୍ଧ୍ୟା ସୁଦ୍ଧା ଗୁଜରାଟର ସୌରାଷ୍ଟ୍ର-କଚ୍ଛ ଉପକୂଳ ଓ ଏହାର ଆଖପାଖ ପାକିସ୍ତାନ ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ବେଳକୁ ବାତ୍ୟା ସାମାନ୍ୟ ଦୁର୍ବଳ ହୋଇଯାଇଥିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଜଖାଉ ପୋର୍ଟଠାରୁ ପ୍ରାୟ ୨୮୦ କିଲୋମିଟର ଦୂର ପଶ୍ଚିମ-ଉତ୍ତର ପଶ୍ଚିମରେ ରହିଛି ବାତ୍ୟା । ଲ୍ୟାଣ୍ଡଫଲ ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୧୨୫ରୁ ୧୩୫  କିଲୋମିଟର ରହିବ । ଅଧିକରୁ ଅଧିକ ୧୫୦ କିମି ପର୍ଯ୍ୟନ୍ତ ପବନ ବହିବା ସମ୍ଭାବନା ରହିଛି ବୋଲି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ବିପର୍ଯ୍ୟୟ ପାଇଁ ଏବେ ସମୁଦ୍ର ଭିତରେ ପବନର ବେଗର ଘଣ୍ଟା ପ୍ରତି ୧୪୫ରୁ ୧୫୫ କିମି ରହିଛି । ବାତ୍ୟା ପ୍ରଭାବରେ ପଶ୍ଚିମ ଭାରତର ୮ଟି ରାଜ୍ୟ ପ୍ରଭାବିତ ହେବାକୁ ଥିବା ବେଳେ ଗୁଜରାଟ ପାଇଁ ହାଇଆଲର୍ଟ ଜାରି କରାଯାଇଛି । ଗୁଜରାଟରେ ୧୭ଟି NDRF ଟିମ୍ ମୁତୟନ କରାଯାଇଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବା ବେଳେ ଆଜି ସନ୍ଧ୍ୟା ଯାଏଁ ସମୁଦ୍ରରେ ୧୪ରୁ ୧୬ ମିଟର ପର୍ଯ୍ୟନ୍ତ ଜୁଆର ଉଠିବା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମହାରାଷ୍ଟ୍ର, କେରଳ ଓ ଗୋଆରେ ବିପର୍ଯ୍ୟୟ ପ୍ରଭାବ ଦେଖାଦେଇଛି । ରାଜସ୍ଥାନର କିଛି ଜିଲ୍ଲାରେ ବି ବାତ୍ୟା ପ୍ରଭାବରେ ବର୍ଷା, ପବନ ହୋଇଛି । କେନ୍ଦ୍ର ଗୃହମନ୍ତ୍ରାଳୟ ଲଗାତାର ସ୍ଥିତି ସମୀକ୍ଷା କରୁଛି । ଗୁଜରାଟରେ ଏନଡିଆରଏଫ, ସେନା, ବାୟୁସେନା, ନୌସେନା, ତଟରକ୍ଷୀ ବାହିନୀ ମୁତୟନ ହୋଇଛନ୍ତି । ୪୫ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।