spot_img
Home Blog Page 3260

ସୁପ୍ରିମକୋର୍ଟରେ ନୂଆ ସଂସଦ ଭବନ ଉଦଘାଟନ ମାମଲା, ପିଆଇଏଲ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନୂଆ ସଂସଦ ଭବନ ଉଦଘାଟନ ମାମଲା । ପିଆଇଏଲ ଖାରଜ କଲେ ସୁପ୍ରିମକୋର୍ଟ । ନୂଆ ସଂସଦ ଭବନ ସେଣ୍ଟ୍ରାଲ ଭିଷ୍ଚାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରନ୍ତୁ ବୋଲି ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଜଷ୍ଟିସ ଜେ.କେ. ମାହେଶ୍ବରୀ ଓ ଜଷ୍ଟିସ ପିଏସ ନରସିହ୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିବାକୁ ମନା କରିବା ସହ ପିଟିସନକୁ ଖାରଜ କରିଦେଇଛନ୍ତି ।

କେନ୍ଦ୍ର ସରକାର ସମ୍ବିଧାନ ଉଲ୍ଲଂଘନ କରିଛନ୍ତି ବୋଲି ସୁପ୍ରିମକୋର୍ଟର ଜଣେ ଆଇନଜୀବୀ ସି.ଆର. ଜୟ ସୁକିନ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ଉଦଘାଟନୀ ଉତ୍ସବକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରି ସଂସଦର ଲୋକସଭା ସଚିବ ସାମ୍ବିଧାନିକ ନିୟମ ଭଙ୍ଗ କରିଛନ୍ତି ବୋଲି ପିଟିସନରେ ଉଲ୍ଲେଖ କରାଯାଇଥିଲା । ଆସନ୍ତା ୨୮ରେ ନୂଆ ସଂସଦ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

ଜୁନରେ ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ, ଡିପିଆର ପ୍ରସ୍ତୁତ କରିଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ

ଭୁବନେଶ୍ୱର: ମେଟ୍ରୋ ଟ୍ରେନ ଚଳାଚଳ ନେଇ ନଗର ଉନ୍ନୟନ ବିଭାଗ ସଚିବଙ୍କ ସୂଚନା । ଜୁନ ମାସରେ ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଭିତ୍ତିପ୍ରସ୍ତରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଟ୍ରୋ ଟ୍ରେନ ପାଇଁ ସର୍ଭେ ସରି ଯାଇଛି । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହାର ଡିପିଆର ପ୍ରସ୍ତୁତ କରୁଛି । ଏହା ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । କେଉଁ ରୁଟରେ ମେଟ୍ରୋ ଟ୍ରେନ୍ ଯିବ ତାହା ଚିହ୍ନଟ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚାଲିବ । ପରବର୍ତ୍ତୀ ସମୟରେ ଜଟଣୀ ଓ ପୁରୀକୁ ମେଟ୍ରୋ ଟ୍ରେନ୍ ଯିବା ପାଇଁ ଯୋଜନା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀ ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ସଚିବ ଜି.ମାଥିଭାଥନନ ।

ଶିଖରଚଣ୍ଡୀ ସୌନ୍ଦର୍ଯ୍ୟକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, ଖର୍ଚ୍ଚ ହେବ ୨୫କୋଟି

ଭୁବନେଶ୍ୱର: ବଦଳିବ ରୂପରେଖ, ସୁନ୍ଦର ହେବ ଶିଖରଚଣ୍ଡୀ। ଭୁବନେଶ୍ବର ଉପକଣ୍ଠ  ଶିଖରଚଣ୍ଡୀ ପାହାଡର ସୌନ୍ଦର୍ଯ୍ୟକରଣ କାମର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ ପ୍ରମୁଖ ସାମିଲ ହୋଇଛନ୍ତି । ପୂର୍ବରୁ ଶିଖରଚଣ୍ଡୀ ମନ୍ଦିର ଉନ୍ନୟନ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ  ଅନୁମୋଦନ କରିଥିଲେ। ଶିଖରଚଣ୍ଡୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ ହେବ। ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନତି କରି ଏହାକୁ ଭୁବନେଶ୍ବରର ଅନ୍ୟତମ ଆକର୍ଷଣ କେନ୍ଦ୍ର କରାଯିବ । ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତିକରଣ କରାଯିବ।

କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଭି.କେ ପାଣ୍ଡିଆନ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ଏହାର ବିକାଶ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାଷ୍ଟରପ୍ଲାନ ଅନୁଯାୟୀ ସମୁଦାୟ ଅଞ୍ଚଳକୁ ୪ଟି ଜୋନରେ ବିଭକ୍ତ କରାଯାଇଛି। ଜୋନ୍-୧ରେ ପାର୍କିଂ, ସାଧାରଣ ଲୋକଙ୍କ କ୍ରୀଡ଼ା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥାନର ଉନ୍ନତିକରଣ କରାଯିବ। ଜୋନ୍-୨ରେ ଭିୟୁ ପଏଣ୍ଟ ଓ ଟ୍ରାକିଂ ରୁଟ ରହିବ। ଜୋନ-୩ ଓ ୪ରେ ମନୋରଞ୍ଜନ କାର୍ଯ୍ୟ ପାଇଁ ଭିତ୍ତିଭୂମି, କମ୍ୟୁନିଟି ସେଣ୍ଟର, ମୁଖ୍ୟ ମନ୍ଦିରର ଉନ୍ନତିକରଣ, ଦୋକାନ ଗୃହ ଓ ଅନ୍ୟାନ୍ୟ ସୁବିଧା କରାଯିବ ।

ଆଜି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍, ମୁହାଁମୁହିଁ ହେବେ ଗୁଜରାଟ ଓ ମୁମ୍ବାଇ

ଅହମଦାବାଦ: ଆଜି ଆଇପିଏଲ ସିଜିନ-୧୬ର ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ୍ । ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଆଜି ମ୍ୟାଚରେ ବିଜୟଲାଭ କରି ଫାଇନାଲରେ ପହଞ୍ଚିବାକୁ ଚେଷ୍ଟା କରିବେ ଦୁଇ ଦଳ । ଆଜି ସନ୍ଧ୍ୟା ସାଢ଼େ ୭ଟା ବେଳେ ଖେଳାଯିବ ଏହି ବ୍ଲକବଷ୍ଟର ମ୍ୟାଚ୍ । ଏହି ହାଇଭୋଲଟେଜ୍ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଚଳିତବର୍ଷ ପ୍ରିମିୟର ଲିଗ୍ ସିଜିନ ଆରମ୍ଭରୁ ମୁମ୍ବାଇର ପ୍ରଦର୍ଶନ ଭଲ ନଥିବା ବେଳେ ଏବେ ପୂରା ଟିମ୍ ଫର୍ମରେ ରହିଥିବା ଦେଖାଯାଉଛି ।

ସେପଟେ ଲଗାତାର ଦ୍ବିତୀୟ ଥର ଲାଗି ଫାଇନାଲରେ ପହଞ୍ଚିବାକୁ ସବୁପ୍ରକାର ଚେଷ୍ଟା କରିବ ଗୁଜରାଟ ଟାଇଟନ୍ସ । ଶୁଭମନ ଗିଲ ଓ ବିଜୟ ଶଙ୍କର ପ୍ରଦର୍ଶନ ଗୁଜରାଟର ବ୍ୟାଟିଂ ଲାଇନ ଅଫକୁ ସୁଦୃଢ଼ କରିଛି । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଉପରେ ଆଜି ସମସ୍ତଙ୍କ ନଜର ରହିବ । ସେହିପରି ମହମ୍ମଦ ସାମି, ମୋହିତ ଶର୍ମା ଓ ରସିଦ ଖାନଙ୍କ ବୋଲିଂ ଉପରେ ମଧ୍ୟ ଗୁଜରାଟ ଟାଇଟନ୍ସର ପ୍ରଦର୍ଶନ ନିର୍ଭର କରିବ । ହେଲେ ପୂର୍ବରୁ ଗୁଜରାଟ ଓ ମୁମ୍ବାଇ ମଧ୍ୟରେ ହୋଇଥିବା ତିନିଟି ମ୍ୟାଚରେ ରୋହିତଙ୍କ ଟିମର ପ୍ରଦର୍ଶନ ବେଶ ଭଲ ରହିଛି । ଦୁଇଟି ମ୍ୟାଚରେ ମୁମ୍ବାଇ ବାଜିମାତ କରିଥିବା ବେଳେ ଗୋଟିଏରେ ଗୁଜରାଟ ବିଜୟୀ ହୋଇଥିଲା ।

ନୂଆ ସଂସଦ ଭବନ ଉଦଘାଟନୀ ଅବସରରେ ୭୫ ଟଙ୍କିଆ କଏନ ଜାରି କରିବ କେନ୍ଦ୍ର

ନୂଆଦିଲ୍ଲୀ: ଜାରି ହେବ ୭୫ ଟଙ୍କିଆ କଏନ । ନୂଆ ସଂସଦ ଭବନ ଉଦଘାଟନୀ ଅବସରରେ ୭୫ ଟଙ୍କିଆ କଏନ ଜାରି କରିବ କେନ୍ଦ୍ର । ଏନେଇ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । କଏନେଜ୍‌ ରୁଲସ ୨୦୨୩ ଅନୁଯାୟୀ ଏହି ସ୍ମାରକୀ ମୁଦ୍ରା ଜାରି କରାଯିବ । ଏହାର ନିର୍ମାଣ ଟଙ୍କାଶାଳରେ କରାଯିବ। ରୂପା, ତମ୍ବା, ନିକେଲ୍‌ ଓ ଦସ୍ତା ଧାତୁ ମିଶ୍ରଣରେ ତିଆରି କରାଯିବ ୭୫ ଟଙ୍କିଆ କଏନ ।

ଗତକାଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାଏ ନେଇ ଗେଜେଟ ବିଜ୍ଞପ୍ତି ଜାରି କରାଯାଇଛି । ଏହି ୭୫ ଟଙ୍କିଆ କଏନର ଓନଜ ୩୫ ଗ୍ରାମ ରହିବ ଏବଂ ଏଥିରେ ୫୦ ପ୍ରତିଶତ ରୂପା, ୪୦ ପ୍ରତିଶତ କପର ଏବଂ ୫-୫ ପ୍ରତିଶତ ନିକେଲ ଏବଂ ଜିଙ୍କ ରହିବ । ସଂସଦ ଭବନର ଚିତ୍ର ତଳେ ୨୦୨୩ ମଧ୍ୟ ଲେଖାଯିବ । ତଳ ଗୋଲାର୍ଦ୍ଧ ଧାରରେ ଇଂରାଜୀ ଲିପିରେ ପାର୍ଲାମେଣ୍ଟ୍‌ କମ୍ପ୍ଲେକ୍ସ ଲେଖାଯିବ । ଦେବନାଗରୀ ଲିପିରେ ସତ୍ୟମେବ ଜୟତେ ଲେଖାରହିବ । ସମ୍ମୁଖ ପାର୍ଶ୍ବରେ ଅଶୋକ ସ୍ତମ୍ଭରେ ଥିବା ଜାତୀୟ ସଙ୍କେତ ସିଂହ ରହିବ । ସିଂହ ତଳକୁ ଭାରତୀୟ ଟଙ୍କାର ସଙ୍କେତ ଏବଂ ଇଂରାଜୀ ସଂଖ୍ୟାରେ ୭୫ ଉଲ୍ଲେଖ କରାଯିବ ।

ନବ ଦାସଙ୍କୁ ଯୋଜନାବଦ୍ଧ ହତ୍ୟା କରିଥିଲା ଗୋପାଳ, ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା: ସ୍ବର୍ଗତ ନବକିଶୋର ଦାସଙ୍କୁ ଯୋଜନାବଦ୍ଧ ହତ୍ୟା କରିଥିଲା ଗୋପାଳକୃଷ୍ଣ ଦାସ । ହତ୍ୟା ପାଇଁ ଗୋପାଳ ପୂର୍ବରୁ ଟିକିନିକି ପ୍ଲାନିଂ କରିଥିଲା । ହତ୍ୟା ବେଳେ ଗୋପାଳର ମାନସିକ ଅବସ୍ଥା ସ୍ବାଭାବିକ ଥିଲା । ବ୍ୟକ୍ତିଗତ ଆକ୍ରୋଶ ଓ ରାଗ ଯୋଗୁଁ ସେ ନବକିଶୋର ଦାସଙ୍କୁ ହତ୍ୟା କରିଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଉଲ୍ଲେଖ କରିଛି । ଏପରିକି ନବକିଶୋର ଦାସ ଓ ତାଙ୍କ ସମର୍ଥକଙ୍କଠାରୁ ଜୀବନ ପ୍ରତି ଭୟ ଥିବା ଗୋପାଳ ଅନୁଭବ କରୁଥିଲା । ତେଣୁ ସେ ସୁସ୍ଥ ମସ୍ତିଷ୍କରେ ନବକିଶୋର ଦାସଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ସେହିପରି ମାନସିକ ଭାବେ ସଂପୂର୍ଣ୍ଣ ସୁସ୍ଥ ଥିଲା ଗୋପାଳ । ତା’ର ପରିବାର ଲୋକେ ଗୋପାଳ ବାଇପୋଲାର ଡିଜଅର୍ଡରରେ ପୀଡ଼ିତ ଥିବା ନେଇ ଅଭିଯୋଗ କରିବା ପରେ ଡିଏମଇଟିଙ୍କ ଦ୍ବାରା ଏକ ସ୍ବତନ୍ତ୍ର ମେଡିକାଲ୍ ବୋର୍ଡ ଗଠନ କରାଯାଇଥିଲା । ତେବେ ଯାଞ୍ଚରୁ ଗୋପାଳଠାରେ ସେପରି କୌଣସି ମାନସିକ ରୋଗ ନଥିବା ଜଣାପଡିଥିଲା । ଏହାପରେ ଗୋପାଳର ସହକର୍ମୀ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ତା’ର ମାନସିକ ସ୍ଥିତି ସ୍ବାଭାବିକ ଥିବା ଜଣାପଡିଥିଲା । ତଦନ୍ତ ବେଳେ ମଧ୍ୟ ଗୋପାଳ ସହଯୋଗ କରିବା ସହ ପଚରା ଯାଇଥିବା ସମସ୍ତ ପ୍ରଶ୍ନର ସ୍ବାଭାବିକ ଭାବେ ଉତ୍ତର ଦେଇଥିଲା । ତେଣୁ ଗୋପାଳର ମାନସିକ ସ୍ଥିତି ସ୍ବାଭାବିକ ଥିବା ତଦନ୍ତ ବେଳେ ଜଣାପଡିଛି।

ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମର ଯୋଗଦେବା ପାଇଁ ଯାଉଥିବା ବେଳେ ଗୁଳିମାଡ଼ରେ ଟଳି ପଡ଼ିଥିଲେ ନବକିଶୋର ଦାସ l ଏହାପରେ କ୍ରାଇମବ୍ରାଞ୍ଚର ପ୍ରାୟ ୧୦ଟି ତଦନ୍ତକାରୀ ଟିମ୍ ଝାରସୁଗୁଡ଼ା, ଭୁବନେଶ୍ବର, ବ୍ରହ୍ମପୁର ସହ ରାଜ୍ୟ ବାହାରେ ମଧ୍ୟ ହତ୍ୟାର ବିଭିନ୍ନ ସମ୍ଭାବ୍ୟ ଦିଗ ନେଇ ତଦନ୍ତ କରିଥିଲା । ଅପରାଧକୁ ବୈଜ୍ଞାନିକ ଧାରାରେ ପ୍ରମାଣିତ କରିବା ପାଇଁ ରାଜ୍ୟ ବାହାରୁ ମଧ୍ୟ ବିଶେଷଜ୍ଞଙ୍କ ସହଯୋଗ ନିଆଯାଇଥିଲା । କ୍ରାଇମସ୍ପଟରେ ରେକର୍ଡିଂ ପାଇଁ ଫାରୋ କ୍ୟାମେରା ବ୍ୟବହାର କରାଯାଇଥିଲା । ଏଲଭିଏ, ପଲିଗ୍ରାଫ, ନାର୍କୋ ଟେଷ୍ଟ ମାଧ୍ୟମରେ ଅଭିଯୁକ୍ତର ବୟାନର ସତ୍ୟତା ନେଇ ଯାଞ୍ଚ କରାଯାଇଥିଲା ।

ନବକିଶୋର ଦାସଙ୍କୁ ହତ୍ୟା ଏବଂ ବ୍ରଜରାଜନଗର ଆଇଆଇସି ପିକେ ସ୍ବାଇଁ ଓ ଜୀବନ କୁମାର ନାୟକଙ୍କୁ ହତ୍ୟା ଉଦ୍ୟମ ନେଇ ଗୋପାଳ ବିରୋଧରେ ଝାରସୁଗୁଡ଼ା JMFC କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି । ଆଇପିସି ଦଫା ୩୦୨, ୩୦୭ ଆର୍ମସ ଏକ୍ଟ ୨୭(୦୧) ଅନୁଯାୟୀ ଚାର୍ଜସିଟ ଦାଖଲ ହୋଇଛି। ୧୨୦ ଦିନ ପୂର୍ବରୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୫୪୩ ପୃଷ୍ଠାର ପ୍ରିଲିମିନେରୀ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ତଦନ୍ତକାରୀ ଅଧିକାରୀଙ୍କ ସମେତ ୮୯ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ୫୪୩ ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତ କରାଯାଇଛି ।

ସତୈନ୍ଦ୍ର ଜୈନଙ୍କୁ ଆଶ୍ବସ୍ତି, ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସତ୍ୟେନ୍ଦ୍ର ଜୈନଙ୍କୁ ଅନ୍ତରୀଣ ଜାମିନ । ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ୬ ସପ୍ତାହ ପାଇଁ ବେଲ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅସୁସ୍ଥତା ଯୋଗୁ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି କୋର୍ଟ । ବିନା ଅନୁମତିରେ ସେ ଦିଲ୍ଲୀ ବାହାରକୁ ଯାଇପାରିବେ ନାହିଁ । ଏବଂ ମିଡିଆରେ କୌଣସି ବିବୃତ୍ତି ନରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମନିଲଣ୍ଡରିଂ କେସରେ ଜୈନଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତକାଲି ଜେଲ୍ ଓ୍ବାସରୁମରେ ପଡ଼ି ଆହତ ହୋଇଥିଲେ ଜୈନ । ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଯୋଗୁ ଦିଲ୍ଲୀର LNJP ହସ୍ପିଟାଲରେ ICUରେ ଭର୍ତ୍ତି କରାଯାଇଛି । ୨୦୨୨ ମେ’ ମାସରୁ ତିହାର ଜେଲରେ ଥିଲେ ସତ୍ୟେନ୍ଦ୍ର ଜୈନ ।

ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣା, କମ୍ବିଂ ବେଳେ ୩ ଶିକାରୀ ଗିରଫ

ବାରିପଦା: ଶିମିଳିପାଳ ଜଙ୍ଗଲରେ ଶିକାରୀଙ୍କ ଗୁଳିରେ ଫରେଷ୍ଟଗାର୍ଡଙ୍କ ମୃତ୍ୟୁ ଘଟଣା। ପୋଲିସର କମ୍ବିଂରେ ୩ ଶିକାରୀ ଗିରଫ, ୧୦ ବନ୍ଧୁକ ଜବତ । ଗତ ରାତିରେ ପୋଲିସର ସ୍ବତନ୍ତ୍ର ଟିମ୍ ଶିମିଳିପାଳ ନିକଟ ଗାଁରେ କମ୍ବିଂ ଚଳାଇଥିଲା । ଗତ ୨୨ ତାରିଖରେ ଶିକାରୀଙ୍କ ଗୁଳିରେ ଫରେଷ୍ଟଗାର୍ଡ ବିମଳ ଜେନାଙ୍କର ମୃତ୍ୟୁ ହୋଇଥିଲା। ଶିକାରୀଙ୍କଠାରୁ କୁଟୁରା ମାଂସ ଜବତ କରିବା ସହ ରେଞ୍ଜରଙ୍କୁ ଫୋନ୍ କରିଥିଲେ ବିମଳ । ସେପଟେ ଫରେଷ୍ଟ ଗାର୍ଡ ଥିବା ପତ୍ନୀ ଫୋନ୍ ଉଠାଇଥିବାରୁ ଶିକାରୀଙ୍କ ବିଷୟରେ ଜଣାଇବା ବେଳେ ଶିକାରୀଙ୍କ ଗୁଳିରେ ସେଇଠି ଟଳି ପଡ଼ିଥିଲେ ବିମଳ ।

ଚୀନରେ କରୋନାର ନୂଆ ଲହର, ପ୍ରତି ସପ୍ତାହରେ ଆକ୍ରାନ୍ତ ହୋଇପାରନ୍ତି ସାଢ଼େ ୬ କୋଟି ଲୋକ

ବେଜିଂ: ଚୀନରେ କରୋନାର ନୂଆ ଲହର । ଅନ୍ତୁଡିଶାଳରେ ପୁଣି ମୃତ୍ୟୁର ତାଣ୍ଡବ ରଚିପାରେ କୋଭିଡ୍-୧୯ ଭୂତାଣୁ । ଜୁନ୍ ଶେଷ ସୁଦ୍ଧା ପିକ୍ ଛୁଇଁପାରେ ସଂକ୍ରମଣ । ପ୍ରତି ସପ୍ତାହରେ ୬ କୋଟି ୫୦ ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଟିକାକରଣକୁ ବିଶେଷଜ୍ଞ ଗୁରୁତ୍ବ ଦେଉଥିବା ବେଳେ ସତର୍କ ରହିବାକୁ ସାରା ଦେଶରେ ଆଲର୍ଟ ଜାରି କରାଯାଇଛି । ଓମିକ୍ରନର XBB ସବ୍ ଭାରିଆଣ୍ଟ ଯୋଗୁ ଚୀନରେ ପୁଣି ଥରେ ସଂକ୍ରମଣ ଗ୍ରାଫ୍ ଉପରମୁହାଁ ହୋଇଛି । ଆଗାମୀ ମାସେ ମଧ୍ୟରେ ଏହା ଘାତକ ରୂପ ନେଇପାରେ ବୋଲି ରିପୋର୍ଟ କରିଛି ଦି ଓ୍ବାଶିଂଟନ ପୋଷ୍ଟ ।

ଏବେ ଚୀନରେ ମାଡୁଥିବା କରୋନାର ସବ ଭାରିଆଣ୍ଟ ଅତ୍ୟଧିକ ସଂକ୍ରାମକ । ଏବଂ ଇମ୍ୟୁନୋ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଏହା ବିଶେଷ କ୍ଷତି ପହଞ୍ଚାଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି । ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞ କରୋନାର ନୂଆ ଲହର ଆସିବା ନେଇ ସଙ୍କେତ ଦେଇଥିଲେ । ୨୦୨୦ରେ ସାରା ବିଶ୍ବରେ କରୋନା ଭୂତାଣୁ ମୃତ୍ୟୁର ତାଣ୍ଡବ ରଚିଥିବା ବେଳେ ଚୀନ ସରକାର ଜିରୋ କୋଭିଡ ପଲିସି ଲାଗୁ କରିଥିଲେ ।

ଜମି ରେଜିଷ୍ଟ୍ରେସନ ପାଇଁ ଅନଲାଇନ ସ୍ଲଟ ବୁକିଂ ବାଧ୍ୟତାମୂଳକ

କଟକ: ଜମିଜମା ଇ-ରେଜିଷ୍ଟ୍ରେସନ୍ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ । ଭିଡ଼ ସମସ୍ୟା ଦୂର କରିବା ଲାଗି ଏବେ ଅନ୍ ଲାଇନ୍ ସ୍ଲଟ୍‌ ବୁକିଂ କରିବାକୁ ପଡ଼ିବ । ସ୍ଲଟ୍ ବୁକିଂ ସମୟରେ ମିଳିଥିବା ସମୟ ଅନୁଯାୟୀ ଜମି ପଞ୍ଜୀକରଣ ହେବ । ଏନେଇ ଆଇଜିଆର ପକ୍ଷରୁ ଗତକାଲି ଘୋଷଣା କରାଯାଇଛି ।

ଆଇଜିଆରଙ୍କ ଘୋଷଣା ଅନୁସାରେ ଏଣିକି ଜମି କିଣାବିକା ବା ଯେକୌଣସି ସେଲ୍ ଡିଡ୍ ବା ପଞ୍ଜୀକରଣ ପାଇଁ ସବ୍ ରେଜିଷ୍ଟ୍ରାର ଅଫିସରେ ଭିଡ଼ ଲଗାଇବାର ଆବଶ୍ୟକତା ରହିବ ନାହିଁ । ଜମି କିଣାବିକା ପାଇଁ ଅନଲାଇନରେ ଆଗୁଆ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ । ସ୍ଲଟରେ ମିଳିଥିବା ସମୟ ଅନୁସାରେ ଜମି ପଞ୍ଜୀକରଣ ହେବ । ଯଦି ଅନଲାଇନରେ ପୂର୍ବରୁ ପଞ୍ଜୀକରଣ କରି ସ୍ଲଟ୍ ନେଇ ନଥିବେ ତେବେ ଜମି କିଣିବା ପାଇଁ ଅନୁମତି ମିଳିବ ନାହିଁ । ବିଶେଷ କ୍ଷେତ୍ରରେ ଅନଲାଇନରେ ପଞ୍ଜୀକରଣ କରାଇ ତତ୍କାଳ ସ୍ଲଟ୍‌ ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିବ । ଏଭଳି ନିୟମ କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବାକୁ ଯାଉଛି ।

ଜଣେ ବ୍ୟକ୍ତି ବିଶ୍ୱର ଯେକୌଣସି ସ୍ଥାନରେ ଥିଲେ ବି ତା’ର ଜମିଜମା କିଣାବିକା ପଞ୍ଜୀକରଣ ପାଇଁ ଅନଲାଇନରେ ଆବେଦନ କରିପାରିବେ । ଅନଲାଇନରେ ପଞ୍ଜୀକରଣ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବାକୁ ପର୍ଯ୍ୟାପ୍ତ ସମୟ ପାଇବେ । ଫଳରେ ଜାଲିଆତି କରି ଜମି କିଣାବିକା ଉପରେ ମଧ୍ୟ ଅଙ୍କୁଶ ଲାଗିପାରିବ ।

ଏବେ ରାଜ୍ୟର ୨୦୫ଟି ସବ୍ ରେଜିଷ୍ଟ୍ରେସନ୍ କେନ୍ଦ୍ରରେ ଅନଲାଇନ୍ ସ୍ଲଟ୍‌ ବୁକିଂ କରାଯାଉଛି । ଏହାକୁ ନେଇ ବିଧିବଦ୍ଧ ଗେଜେଟ୍‌ ମଧ୍ୟ ପ୍ରକାଶ କରାଯାଉଛି । ମେ’ ୨୩ ତାରିଖ ଦିନ ଏନେଇ ଓଡ଼ିଶା ଗେଜେଟରେ ଏ ସଂପର୍କିତ ନିୟମ ଓ ସୂଚନା ଜାରି କରାଯାଇଛି ।