spot_img
Home Blog Page 3245

ଆଜି ଭାରତ ଆସୁଛନ୍ତି ୟୁକ୍ରେନ ଅତିରିକ୍ତ ବିଦେଶ ମନ୍ତ୍ରୀ, ସମର୍ଥନ ପାଇଁ କରିପାରନ୍ତି ନିବେଦନ

ନୂଆଦିଲ୍ଲୀ: ଆଜିଠୁ ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ୟୁକ୍ରେନର ଅତିରିକ୍ତ ବିଦେଶ ମନ୍ତ୍ରୀ ଏମିନି ଡିଜାପୋର୍ଭା । ଋଷ ଓ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନର କୌଣସି ମନ୍ତ୍ରୀ ପ୍ରଥମ ଥର ପାଇଁ ଭାରତ ଆସୁଛନ୍ତି । ଏମିନି ଏହି ଗସ୍ତ ସମୟରେ ଭାରତର ବୈଦେଶିକ ମନ୍ତ୍ରାଳୟ ସହ ବ୍ୟାପକ ଆଲୋଚନା କରିବେ ବୋଲି ସ୍ପଷ୍ଟ ହୋଇଛି । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁକ୍ରେନ୍ ଯିବା ପାଇଁ ନିମନ୍ତ୍ରଣ କରିବେ ବୋଲି ଜଣାପଡ଼ିଛି । ଭାରତ ଓ ୟୁକ୍ରେନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଓ ବିଶ୍ବ ସମସ୍ୟା ନେଇ ଆଲୋଚନା ହେବ ।

ଋଷର ଆକ୍ରମଣ ଯୋଗୁଁ ୟୁକ୍ରେନର ହୋଇଥିବା କ୍ଷତି ସମ୍ପର୍କରେ ସବିଶେଷ ତଥ୍ୟ ଦେବେ ଏମିନି । ଗତବର୍ଷ ଭାରତ ସରକାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା କରିଥିଲେ । ଯୁଦ୍ଧ ସମୟରେ କୌଣସି ସହାୟତାର ଆବଶ୍ୟକ ପଡ଼ିଲେ ସହାୟତା ଦିଆଯିବ ବୋଲି ଭାରତ ସରକାର କହିଥିଲେ । ଭାରତ ଋଷ ଓ ୟୁକ୍ରେନରୁ ସମଦୂରତା ରକ୍ଷା କରୁଥିବା ବେଳେ ୟୁକ୍ରେନ ପ୍ରତି ଯଥେଷ୍ଟ ସମର୍ଥନ ପାଇଁ ଏମିନି ନିବେଦନ କରିପାରନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଋଷର ଆକ୍ରମଣକୁ ଭାରତ ନିନ୍ଦା କରିନଥିବା ବେଳେ ୟୁକ୍ରେନ କୂଟନୈତିକ ପ୍ରସ୍ତାବ ରଖିପାରେ ବୋଲି ବୈଦେଶିକ ବିଶେଷଜ୍ଞ ଅନୁମାନ କରିଛନ୍ତି ।

ନୂଆ ଓଡ଼ିଶାର ପରିକଳ୍ପନା: ସୋସିଆଲ ମିଡିଆ ହେବ ମୁଖ୍ୟ ମାଧ୍ୟମ

ଭୁବନେଶ୍ବର: ନୂଆ ଓଡ଼ିଶାର ପରିକଳ୍ପନା ପାଇଁ ସୋସିଆଲ ମିଡିଆ ହେବ ମୁଖ୍ୟ ମାଧ୍ୟମ  । ନିର୍ବାଚନ ପାଇଁ ନୁହେଁ ବରଂ ଲୋକଙ୍କ ସମସ୍ୟା ଓ ଏହାର ସମାଧାନ ଲାଗି ସୋସିଆଲ ମିଡିଆକୁ ପ୍ରମୁଖ ଅସ୍ତ୍ର କରିବ ବିଜେଡି । ଏହାସହ ବିରୋଧୀଙ୍କ ଅପପ୍ରଚାରର ସିଧାସଳଖ ଜବାବ ସୋସିଆଲ ମିଡ଼ିଆ ଜରିଆରେ ଦେବାକୁ ଦିଆଯାଇଛି ପ୍ରଶିକ୍ଷଣ । ଫୋକସରେ ରହିବ ଫେସବୁକ , ଟୁଇଟର ଓ ଇନଷ୍ଟାଗ୍ରାମ ।

ସୋସିଆଲ ମିଡିଆ ସାଜିବ ସଶକ୍ତ ଓଡ଼ିଶାର ମୁଖ୍ୟ ଅସ୍ତ୍ର । ଫେସବୁକ୍, ଇନଷ୍ଟାଗ୍ରାମ, ଟ୍ବିଟର ଓ ହ୍ବାଟସଆପ୍ ପରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ହେବେ ବିଜେଡି ନେତା ଓ କର୍ମୀ । ବିକାଶର ଚିତ୍ର ଓ ସରକାରଙ୍କ ବିଭିନ୍ନ ସଫଳ ଯୋଜନାକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବ ଦଳ । ଜନସେବା ସହ ଲୋକଙ୍କ ସମସ୍ୟା ସୋସିଆଲ ମିଡ଼ିଆରେ ଶୁଣି ସମାଧାନର ବାଟ ଫିଟାଇବେ ନେତା । ଖାସ ଏଥିଲାଗି ବିଜେଡ଼ି  ବିଧାୟକ, ସାଂସଦ, ନିର୍ବାଚିତ ପ୍ରତିନିଧିଙ୍କୁ ଦିଆଯାଇଛି ପ୍ରଶିକ୍ଷଣ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ବରେ କ୍ରୀଡ଼ା, ଶିଳ୍ପ ଓ କୃଷି କ୍ଷେତ୍ରରେ ସମଗ୍ର ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡିଶା । ପ୍ରଶିକ୍ଷଣ ନେବା ପରେ ସୋସିଆଲ ମିଡ଼ିଆରେ ପୂରା ଆକ୍ଟିଭ ରହିବା ଲାଗି ବିଜେଡି ନେତାଙ୍କ ମନରେ ଜୋସ । ବିଶ୍ବରେ ଇନଷ୍ଟାଗ୍ରାମର ଅଧିକ ବ୍ୟବହାର ହେଉଥିବାରୁ ଏଥିରେ ସକ୍ରିୟ ହେବାକୁ ଦଳୀୟ ଶିବିରରେ ବଢିଛି ଉତ୍ସାହ ।

ଲୋକଙ୍କ ସହ ଅଧିକ ଜଡ଼ିତ ହେବା କ୍ଷେତ୍ରରେ ସୋସିଆଲ ମିଡିଆ ସାଜିବ ପଜିଟିଭ ପ୍ଲାଟଫର୍ମ । ବିରୋଧୀଙ୍କ ବହୁ ଅପପ୍ରଚାରକୁ ମଧ୍ୟ ସୋସିଆଲ ମିଡ଼ିଆ ଜରିଆରେ ଜବାବ ଦେଇ ଲୋକଙ୍କ ଭରସା ଜିଣିଛି ଦଳ ।

ପ୍ରଥମ ଥର ପାଇଁ ଛଉ ନୃତ୍ୟରେ ନାଚିବେ ମହିଳା

ବାରିପଦା: ବିଶ୍ବ ପ୍ରସିଦ୍ଧ ଛଉ ନୃତ୍ୟରେ ପ୍ରଥମ ଥର ପାଇଁ ସାମିଲ ହେବେ ମହିଳା । ମୟୂରଭଞ୍ଜର ପ୍ରସିଦ୍ଧ ପୁରୁଷ ପ୍ରାଧାନ୍ୟ ଛଉ ନୃତ୍ୟକଳାରେ ପାରଙ୍ଗମ ଦେଖାଇବେ ସାଧାରଣ ଗୃହିଣୀ । ଗ୍ରାମାଞ୍ଚଳରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ରଥମ ଥର ପାଇଁ ପ୍ରଚାର ପ୍ରସାର ଦାୟିତ୍ବ ନେବା ସହ ନିଜେ ମଧ୍ୟ ନାଚିବେ । ଏଥିପାଇଁ ବିଧିବଦ୍ଧ ନୃତ୍ୟ ପ୍ରଶିକ୍ଷଣ ନେବା ଆରମ୍ଭ କରିଛନ୍ତି ଏସ୍ଏଚଜି ମହିଳା । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର ଚିତ୍ରଡ଼ା ଗାଁରୁ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ ।

ବିଶ୍ବ ପ୍ରସିଦ୍ଧ ଛଉ ନୃତ୍ୟକୁ ଆଉ ପାଦେ ଆଗେଇ ନେବେ ଏସଏଚଜି ମାଆ । ପୁରୁଷ ପ୍ରାଧାନ୍ୟ ଛଉ ନୃତ୍ୟରେ ପାଦରେ ପାଦ ମିଳାଇବେ ମହିଳା । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବେ ଦେଶ ବିଦେଶରେ ପହଞ୍ଚିଲେଣି । ଏସଏଚଜିରୁ ଏସଏମ୍ଇ ହୋଇଥିବା ସାଧାରଣ ଗୃହିଣୀମାନେ ପ୍ୟାରିସ, ଲଣ୍ଡନ ଭଳି ସହରରେ ନିଜର ଉପସ୍ଥିତି ଜାହିର କଲେଣି । ଏବେ ଆଉ ଏକ ଭଲ ଖବର ପାଇଁ ଚର୍ଚ୍ଚାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ନିଜ ଅଞ୍ଚଳର ପରମ୍ପରା, ସଂସ୍କୃତିକୁ ବଜାୟ ରଖିବା ସହ ଏହାର ପ୍ରଚାର ପ୍ରସାର ଦାୟିତ୍ବ ନେଇଛନ୍ତି ଏସ୍ଏଚଜି ।

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଚିତ୍ରଡ଼ା ଗାଁର। କେବଳ ପୁରୁଷଙ୍କ ଦ୍ବାରା ହେଉଥିବା ଛଉ ନୃତ୍ୟରେ ମହିଳାମାନେ ମାରିଛନ୍ତି ଏଣ୍ଟ୍ରି । ଆଗରୁ ଛଉ ନୃତ୍ୟ କେବଳ ପୁରୁଷଙ୍କ ଦ୍ବାରା ହେଉଥିଲା ଏବଂ ଏଥିରେ ପୁରୁଷମାନେ ହିଁ ନାରୀ ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ । ହେଲେ ଏବେ ସମୟ ବଦଳିଛି । ଏଥର ଚଇତି ପର୍ବକୁ ଅଧିକ ଉତ୍ସବ ମୁଖରିତ କରିବାକୁ ଏସଏଚଜି ମହିଳାମାନେ କେବଳ ପ୍ରଚାର ପ୍ରସାର ଦାୟିତ୍ବ ନେଇନାହାନ୍ତି, ବରଂ ନୃତ୍ୟକଳାରେ ସାମିଲ ହେବାକୁ ନେଉଛନ୍ତି ପ୍ରଶିକ୍ଷଣ । ନୃତ୍ୟକଳାରେ ପୁରୁଷଙ୍କ ଭୂମିକା ନିଭାଇବେ ମହିଳାମାନେ ।

୯୦ ଦଶକର ଶେଷ ଆଡ଼କୁ ଯଦିଓ ମହିଳା କଳାକାରମାନେ ଏଥିରେ ସାମିଲ ହେଉଥିଲେ, ହେଲେ କେବଳ ମହିଳାଙ୍କୁ ନେଇ ସ୍ବତନ୍ତ୍ର ଗ୍ରୁପ ନଥିଲା । ପ୍ରଥମ ଥର ପାଇଁ ଚିତ୍ରଡ଼ାରେ ମହିଳାମାନେ ଛଉ ନୃତ୍ୟର ସମ୍ପୂର୍ଣ୍ଣ ଭାର ସମ୍ଭାଳିଛନ୍ତି । ୫୦ରୁ ଅଧିକ ମହିଳା ନିଜ ଘର କାମ ସାରିବା ପରେ ନୃତ୍ୟଶିକ୍ଷା ଗ୍ରହଣ କରୁଛନ୍ତି । ଦିନକୁ ୩ ଘଣ୍ଟା ନୃତ୍ୟଶିକ୍ଷା ପାଇଁ ନିଯୁକ୍ତ ହୋଇଛନ୍ତି ସ୍ବତନ୍ତ୍ର ଶିକ୍ଷକ । ପ୍ରସିଦ୍ଧ ଚିତ୍ରଡ଼ାର ଉଡ଼ା ପର୍ବରେ ଅନୁଷ୍ଠିତ ହେଉଥିବା ଛଉନୃତ୍ୟ ପ୍ରତିଯୋଗିତାରେ ସାମିଲ ହେବେ ଏସଏଚଜି ଗ୍ରୁପ । ଛଉନୃତ୍ୟ ଶିଖିବା ପ୍ରଥମେ କଷ୍ଟ ଲାଗୁଥିଲା, ହେଲେ ନିରନ୍ତର ଉଦ୍ୟମ ବଳରେ ଧିରେ ଧିରେ ଭୟ ଦୂରେଇଗଲାଣି ବୋଲି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା କହିଛନ୍ତି ।

ଛଉ ନୃତ୍ୟ ମୟୂରଭଞ୍ଜର ପରିଚୟ ହୋଇଥିବା ବେଳେ ଏଥିରେ କିଛି ଭିନ୍ନତା ଓ ସ୍ବତନ୍ତ୍ରତା ଆଣିବାକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମାଆମାନେ ପ୍ରତ୍ୟକ୍ଷ ଭାବେ ସାମିଲ ହେବା ଏକ ପ୍ରଶଂସନୀୟ ପଦକ୍ଷେପ ।

ଜମ୍ମୁରେ କିରନ ରିଜିଜୁଙ୍କ କାରକୁ ଧକ୍କା ଦେଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଆଇନ ମନ୍ତ୍ରୀ

ଜମ୍ମୁ: କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ କାର୍ ଶନିବାର ଜମ୍ମୁ କାଶ୍ମୀରରେ ଦୁର୍ଘଟଣାର ଶିକାର ହୋଇଛି । ଜମ୍ମୁରୁ ଶ୍ରୀନଗର ଯିବା ବାଟରେ କିରଣ ରିଜିଜୁଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଅବଶ୍ୟ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି । ସମସ୍ତେ ସୁରକ୍ଷିତ ଅଛନ୍ତି । ପୋଲିସ କହିବା ମୁତାବିକ, ଦୁର୍ଘଟଣା ସେହି ସମୟରେ ହୋଇଥିଲା ଯେବେ ଆଇନ ମନ୍ତ୍ରୀଙ୍କ କାର୍ ଜମ୍ମୁରେ ଉଧମପୁର ପାଖ ଦେଇ ଯାଉଥିଲେ । ପୋଲିସ କହିବା ମୁତାବିକ କାରଟି ସମ୍ପୂର୍ଣ୍ଣ ଭାବେ ଫୁଲ୍ ଥିଲା ।

ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଦେଖାଯାଉଛି ଯେ ଦୁର୍ଘଟଣା ପରେ ସୁରକ୍ଷାକର୍ମୀ କେନ୍ଦ୍ରୀ ମନ୍ତ୍ରୀଙ୍କ କାର ଆଡ଼କୁ ଦୌଡ଼ିକି ଯାଉଛନ୍ତି । କାର୍ ପାଖରେ ପହଞ୍ଚି ସୁରକ୍ଷାକର୍ମୀମାନେ ମନ୍ତ୍ରୀଙ୍କ କଳା ରଙ୍ଗର ସ୍କର୍ପିଓର ଡୋର ଖୋଲୁଛନ୍ତି ଏବଂ ଲୋକମାନଙ୍କୁ ବାହାରକୁ ଆଣୁଛନ୍ତି । ଭିଡିଓରେ ଦେଖାଯାଇଛି ଯେ ଯେଉଁ ସମୟରେ କିରେନ ରିଜିଜୁ କାରରୁ ବାହାରକୁ ବାହାରୁଛନ୍ତି ସେ ସମୟରେ ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀ ତାଙ୍କୁ ଘେରି ରହିଥିଲେ ।

ଚାଷୀଙ୍କୁ ସମବାୟ ଋଣ ପ୍ରଦାନରେ ଅଗ୍ରଣୀ ଓଡ଼ିଶା

ଭୁବନେଶ୍ବର: ଚାଷୀଙ୍କୁ ସମବାୟ ଋଣ ପ୍ରଦାନରେ ଅଗ୍ରଣୀ ଓଡ଼ିଶା । ବିନା ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଥିଲା । ଏବେ ଚାଷୀଙ୍କୁ ବିନା ସୁଧରେ ମିଳିବ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ । ଗତବର୍ଷ ଖରିଫରେ ୯ ହଜାର କୋଟିରୁ ୯୭ ପ୍ରତିଶତ ଋଣ ଆବଣ୍ଟନ ହୋଇଥିଲା । ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଥିବା ରବି ଋତୁରେ ୧୦୪ ପ୍ରତିଶତ ଋଣ ଆବଣ୍ଟନ କରି ରେକର୍ଡ କରିଛନ୍ତି ସରକାର । ରାଜ୍ୟର ଜଣେ ବି ଚାଷୀର ଅର୍ଥାଭାବରୁ ଚାଷକାର୍ଯ୍ୟ ଯେମିତି ବାଧାପ୍ରାପ୍ତ ନ ହୁଏ, ତାହା ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି କଡ଼ା ନିର୍ଦ୍ଦେଶ ।

ଚାଷୀଙ୍କ ପାଇଁ ହାତ ଖୋଲି ଦେଇଛନ୍ତି ସରକାର । କାଳିଆ, ବଳରାମ ସହାୟତା ସହିତ  ଯାହାକୁ ଯେତେ ସମବାୟ ଋଣ । ଋଣ ଅଭାବରୁ କୌଣସି ଚାଷୀ ଯେପରି ଅସୁବିଧାରେ ନ ପଡ଼େ, ମୁଖ୍ୟମନ୍ତ୍ରୀ କରିଛନ୍ତି ବ୍ୟବସ୍ଥା । ଲକ୍ଷ୍ୟ କେବଳ ଗୋଟିଏ, ଓଡ଼ିଶାର ଚାଷୀଙ୍କ ଆର୍ଥିକ ବିକାଶ । ସମବାୟ ଋଣ ପ୍ରଦାନରେ ଏବେ ରେକର୍ଡ କରିଛନ୍ତି ରାଜ୍ୟ ସରକାର । ଏବେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଗତବର୍ଷ ଖରିଫରେ ୯ ହଜାର କୋଟିର ସମବାୟ ଋଣ ଆବଣ୍ଟନ ନେଇ ଧାର୍ଯ୍ୟ କରାଯାଇଥିଲା । ଚାଷୀ ନେଲେ ୮ ହଜାର ୭୧୦ କୋଟି ୭୮ ଲକ୍ଷ ଟଙ୍କା । ଏବର୍ଷ ରବି ପାଇଁ ମାର୍ଚ୍ଚ ସୁଦ୍ଧା ୭ ହଜାର ୫୦୦ କୋଟି ଟଙ୍କା ଧାର୍ଯ୍ୟ ଋଣ ଅର୍ଥରୁ ଚାଷୀଙ୍କୁ ୭ ହଜାର ୮୧୨ କୋଟି ୨୨ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି । ରବି ଋତୁରେ ଚାଷୀଙ୍କୁ ୧୦୪ ପ୍ରତିଶତ ଋଣ ଆବଣ୍ଟନ କରି ଦେଶରେ ଅଗ୍ରଣୀ ହୋଇଛି ଓଡ଼ିଶା । ମୋଟ ୧୬ ହଜାର ୫୨୩ କୋଟି ଟଙ୍କାର ସମବାୟ ଋଣ ପ୍ରଦାନ କରାଯାଇଛି । ୨୦୨୩-୨୪ ଖରିଫ ପାଇଁ ମଧ୍ୟ ୯ ହଜାର କୋଟି ସମବାୟ ଋଣ ପ୍ରଦାନ ନେଇ ପ୍ରସ୍ତାବ ରହିଛି ।

ସମବାୟ ଋଣ ପର୍ଯ୍ୟାପ୍ତ ମିଳୁଥିବାରୁ ଚାଷୀମାନେ ମଧ୍ୟ ଖୁସ୍ । ସାର, କୀଟନାଶକ ସହିତ ଋଣ ଅର୍ଥରେ ଚାଷୀ ଟ୍ରାକ୍ଟରରେ ଚାଷ କରିପାରୁଛନ୍ତି । ଉପାନ୍ତରୁ ଉପକୂଳ ସବୁଠି ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଚାଷୀ ।

କେନ୍ଦ୍ରାପଡ଼ାରେ ଲଜ୍ଜା: ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ା: ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ । କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ମେରାଇନ୍ ଥାନା ଅଞ୍ଚଳରୁ ଆସିଛି ଅଭିଯୋଗ । ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଦୁଇଟି ଭିନ୍ନ ଭିନ୍ନ ଏତଲା ଦେଇଛନ୍ତି । ଅଭିଯୋଗ ଅନୁଯାୟୀ, ମାର୍ଚ୍ଚ ୩୧ ତାରିଖ ଦିନ ନାବାଳିକା ଜଣଙ୍କ ଜମ୍ବୁର ଏକ ବ୍ୟାଙ୍କକୁ କୌଣସି କାମରେ ଯାଇଥିଲେ । ଘରକୁ ନଫେରିବାରୁ ପରିବାର ଲୋକେ ଝିଅ ନିଖୋଜ ହେବା ନେଇ ଥାନାରେ ଅଭିଯୋଗ କରିଥିଲେ ।

ତେବେ ଏପ୍ରିଲ ୪ ତାରିଖ ରାତି ୧୦ଟାରେ ନିଜ ଗାଁର ବାବୁଲାଲ ପାଳ ନାମକ ଜଣେ ଯୁବକ ନାବାଳିକାକୁ ତାଙ୍କ ଘର ପାଖରେ ଛାଡି ଦେଇ ଯାଇଥିଲା । ପରେ ନାବାଳିକାଙ୍କ ପରିବାର ପକ୍ଷରୁ ଝିଅ ସହିତ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି । ଘଟଣାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ନାବାଳିକାଙ୍କ ବାପା-ମା’ କେନ୍ଦ୍ରାପଡା ଏସଡିପିଓଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ସିସିଟିଭିକୁ ଚକମା ଦେବାକୁ ଟ୍ରାଫିକ୍ ଅମାନିଆଙ୍କ ନୂଆ ଫର୍ମୁଲା

ଭୁବନେଶ୍ବର: ଫାଇନରୁ ବର୍ତ୍ତିବାକୁ ଅମାନିଆଙ୍କ ନୂଆ ଫର୍ମୁଲା । ପୋଲିସ ତ ପୋଲିସ, ସିସିଟିଭି କ୍ୟାମେରାକୁ ଚକମା ଦେଉଛନ୍ତି ଉଲ୍ଲଘଂନକାରୀ । ଟ୍ରାଫିକ ସିସିଟିଭିରୁ ବଞ୍ଚିବା ପାଇଁ ନୂଆ ଫଣ୍ଡା ଆପଣାଉଛନ୍ତି ଯୁବପିଢି । ନମ୍ବର ପ୍ଲେଟକୁ ଭାଙ୍ଗିବା, ନମ୍ବର ପ୍ଲେଟର କିଛି ନମ୍ବର ଲିଭାଇ ଦେବା ଭଳି ପନ୍ଥା ଆପଣାଇ ଜରିମାନାରୁ ବଞ୍ଚିବା ସହିତ ଅପରାଧ ଭିଆଉଛନ୍ତି । ଯାହାକୁ ନେଇ କମିଶନରେଟ୍ ପୋଲିସ ଆରମ୍ଭ କରିଛି ସ୍ବତନ୍ତ୍ର ଡ୍ରାଇଭ ।

ଅମାନିଆଙ୍କ ଅଜବ ଷ୍ଟାଇଲ । ନମ୍ବର ପ୍ଲେଟ ଲିଭାଇବା ଟୁଇନସିଟିରେ ପାଲଟିଛି ଟ୍ରେଣ୍ଡ । ସିସିଟିଭିକୁ ଚକମା ଦେବାକୁ ଯୁବପିଢିଙ୍କ ଧୂର୍ତ୍ତ ବୁଦ୍ଧି । ସଚେତନ ପରେ ବି ଚେତୁ ନାହାନ୍ତି ଅମାନିଆ । ସଡକ ସୁରକ୍ଷା ଓ ଟ୍ରାଫିକ ନିୟମ ଉଲ୍ଲଘଂନ ନେଇ ପ୍ରିତଦିନ ଧରପଗଡ କରୁଛି ପୋଲିସ ।

କେଉଁଠି ଅମାନିଆ ବିନା ହେଲମେଟରେ ବୁଲୁଛନ୍ତି ତ ଆଉ କେଉଁଠି ତଣ୍ଡ ନଗଣିବାକୁ ନମ୍ବର ପ୍ଲେଟ ଘୋଡାଇବା କିମ୍ବା ସିଙ୍ଗଲ ନମ୍ବର କାଟିବା ଭଳି ପନ୍ଥା ଆପଣାଉଛନ୍ତି । କିଏ ଗାଡିର ନମ୍ବର ପ୍ଲେଟରେ କାଦୁଅ ଲଗାଇ ଦେଉଛି ତ ଆଉ କିଏ ଚୁଇଙ୍ଗମ । କିଏ ଫାଇନ ଫାଙ୍କିବାକୁ ଆଉ କିଏ ଅପରାଧ ଘଟାଇବା ପାଇଁ ନମ୍ବର ପ୍ଲେଟ ଭାଙ୍ଗୁଛନ୍ତି ।

ଅମାନିଆଙ୍କୁ ଧରିବାକୁ ପ୍ରାୟ ଏକବର୍ଷ ହେଲା ସହରର ୩୨ ଜାଗାରେ ଲାଗିଛି କ୍ୟମେରା । ଏହାସହ ପ୍ରମୁଖ ଛକର ପୋଲିସ କରୁଛି ସ୍ପେଶାଲ ଡ୍ରାଇଭ । ତାହା ପରେ ବି ଚେତୁ ନାହାନ୍ତି ଲୋକେ । ସେଣ୍ଟ୍ରାଲ ମୋଟର ଭେଇକିଲ ଆକ୍ଟକୁ ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି । ପୋଲିସ ପ୍ରଥମେ ସଚେତନ କରିବା ସହିତ ୫୦୦ ଟଙ୍କା ଚାଲାଣ କାଟୁଛି । ଉଲ୍ଲଘଂନକାରୀ ବାରମ୍ବାର ଏପିରି କଲେ ଗାଡି ଜବତ କରିବ ବୋଲି ଟ୍ରାଫିକ ଏସିପି କହିଛନ୍ତି ।

ସେପଟେ ସହରରେ ଟ୍ରାଫିକ ସମସ୍ୟାକୁ ସୁଧାରିବା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । କମିଶନରେଟ ପୋଲିସ, ବିଡିଏ ଓ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ ଟ୍ରାଫିକ ଛକରେ ସମୀକ୍ଷା କରିଛନ୍ତି । ବିଭିନ୍ନ ଛକରେ ଅଟୋ ଚାଳକଙ୍କ ବେପରୁଆ ଚାଳନା ଓ ପାର୍କିଂ ପାଇଁ ସୃଷ୍ଟି ହେଉଥିବା ଟ୍ରାଫିକ ଜାମକୁ ସୁବ୍ୟବସ୍ଥିତ କରିବ ପୋଲିସ । ଅଟୋ ଷ୍ଟାଣ୍ଡ ପାଇଁ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ କରିବା ସହିତ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାତ୍ରୀ ଭଡା ସ୍ଥିର କରି ନିର୍ଦ୍ଧାରିତ ମୂଲ୍ୟର ତାଲିକା ପ୍ରତି ଷ୍ଟାଣ୍ଡରେ ଲଗାଯିବ । ଯାହାକୁ ସ୍ବାଗତ କରିଛି ଅଟୋ ଆସୋସିଏସନ । ଏବେ ରାଜଧାନୀରେ ୫୨ ହଜାର ଅଟୋ ପଞ୍ଜୀକୃତ ହୋଇଥିବା ବେଳେ ୩୦ ହଜାର ଚାଲୁଛି । ସହରରେ ପ୍ରମୁଖ ଜାଗାରେ ୧୫୦ ଅଟୋ ଷ୍ଟାଣ୍ଡ ରହିଛି ।

ରାଜଧାନୀରେ ଦିନକୁ ଗାଡି ମୋଟର ସଂଖ୍ୟ ବୃଦ୍ଧି ପାଉଥିବାରୁ ଲୋକମାନେ ଜାମରେ ନ ଫଶିବା ପାଇଁ ସୋସିଆଲ ମିଡିଆରେ ଯୋଡି ହୋଇଛି ଟ୍ରାଫିକ ପୋଲିସ । କେଉଁ ରୁଟରେ କ’ଣ ସମସ୍ୟା ରହିଛି ଟୁଇଟର, ଫେସବୁକ ଓ ଏଫଏମ ମାଧ୍ୟମରେ ଲୋକଙ୍କୁ ଅବଗତ କରୁଛି ପୋଲିସ ।

ଆମେରିକା ସହ ତାଇୱାନର ସମ୍ପର୍କକୁ ନେଇ ଚୀନ୍ ଖପ୍ପା, ସୈନ୍ୟ ଅଭ୍ୟାସ ପାଇଁ ତାଇୱାନ ସୀମାରେ ନିୟୋଜିତ କଲା ଯୁଦ୍ଧପୋତ

ବେଜିଙ୍ଗ: ତାଇୱାନ ଆମେରିକା ସହ ସମ୍ପର୍କ ଦୃଢ଼ କରିବା ଦେଖି ବିଚଳିତ ହୋଇଯାଇଛି ଚିନ୍ । ଫଳସ୍ୱରୂପ ତାଇୱାନକୁ ନିଜର ଶକ୍ତି ଦେଖାଇବା ପାଇଁ ସୈନ୍ୟ ଅଭ୍ୟାସର ଚେତାବନୀ ଦେଇଛି । ସୈନ୍ୟ ଅଭ୍ୟାସ ପାଇଁ ଶନିବାର ଚୀନ୍ ତାଇୱାନ ଅଭିମୁଖେ ବିପୁଳ ସଂଖ୍ୟାରେ ଯୁଦ୍ଧପୋତ ଏବଂ ଯୁଦ୍ଧ ବିମାନ ପଠାଇଛି । ତାଇୱାନ ସରକାର ଏନେଇ ସୂଚନା ଦେଇଛନ୍ତି । ଏହାଦ୍ୱାରା ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି । ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ-ୱେନ ଆମେରିକୀୟ ପ୍ରତିନିଧି ମଣ୍ଡଳର ଅଧ୍ୟକ୍ଷଙ୍କୁ ଭେଟି ସ୍ୱଦେଶ ଫେରିବା ପରେ ଚୀନ୍ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ସୂଚନାଥାଉକି ଚୀନ୍ ଦାବି କରି ଆସୁଛି ଯେ ତାଇୱାନ ତାର ଅଂଶବିଶେଷ ବୋଲି । ହେଲେ ତାଇୱାନ ନିଜକୁ ସ୍ୱତନ୍ତ୍ର ଦେଶ ବୋଲି ମାନି ଆସୁଛି । ଏହି କାରଣରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି । ସୂଚନାନୁସାରେ, ଚୀନ ଏହି ସୈନ୍ୟ ଅଭ୍ୟାସରେ ନିଜ ଯୁଦ୍ଧ ବିମାନକୁ ତାଇୱାନର ଜଳ ସୀମା ଆଖପାଖ ଏବଂ ତାଇୱାନର ଉତ୍ତର, ଦକ୍ଷିଣ ଏବଂ ପୂର୍ବରେ ଅଭ୍ୟାସ କରିବ । ସେହିପରି ଚୀନ ଏହି ଅଭ୍ୟାସ ଜରିଆରେ ତାଇୱାନକୁ ନିଜ ସୈନ୍ୟ ଶକ୍ତି ଦେଖାଇବା ସହ ପୁଣିଥରେ ଯୁଦ୍ଧ ଚେତାବନୀ ଦେବାକୁ ଚାହୁଁଛି । ଚୀନ୍ ସେନା ପିଏଲଏ କହିଛି ଯେ ଯୁଦ୍ଧ ପ୍ରସ୍ତୁତି ସହ ସମ୍ବନ୍ଧିତ ତିନି ଦିବସୀୟ ପେଟ୍ରୋଲିଂ ଆରମ୍ଭ କରାଯିବା ତାଇୱାନ ଲୋକଙ୍କ ପାଇଁ ଚେତାବନୀ ଅଟେ ।

ପିଏଲଏ ଏହି ସଙ୍କେତ ଦେଇ ନାହିଁ ଯେ ଗସ୍ତରେ ଗତଥର ଭଳି ମିସାଇଲ ସାମିଲ କରିବ କି ନାହିଁ, ଯାହାଦ୍ୱାରା ସମୁଦ୍ର ଏବଂ ଆକାଶ ପଥରେ ପରିବହନ ପ୍ରଭାବିତ ହୋଇଥିଲା । ଆମେରିକୀୟ ପ୍ରତିନିଧି ସଭାର ଅଧ୍ୟକ୍ଷ ମାକ୍କାର୍ଥି ଗୁରୁବାର କାଲିଫୋର୍ଣ୍ଣିଆରେ ରାଷ୍ଟ୍ରପତି ସାଇ ଇଙ୍ଗ-ୱେନଙ୍କ ସହ ବୈଠକ କରିଥିଲେ । ଏଥିସହିତ ସେ ସେହି ବିଦେଶୀ ଜନପ୍ରତିନିଧିମାନଙ୍କ ସହ ସାମିଲ ହୋଇଯାଇଥିଲେ, ଯେଉଁମାନେ ଚୀନର ଧମକ ମଧ୍ୟରେ ୱେନଙ୍କୁ ଭେଟିଥିଲେ । ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ତାଇୱାନ ସୀମା ପାଖରେ ଶନିବାର ଆଠଟି ଯୁଦ୍ଧପୋତ ଏବଂ ୪୨ଟି ବିମାନ ଦେଖାଯାଇଛି ।

ଏଥିମଧ୍ୟରୁ ୨୯ଟି ସୀମାକୁ ପାର୍ କରିଛି । ଏହି ରେଖା ତାଇୱାନ ଏବଂ ମୁଖ୍ୟ ଭୂମୀ ଚିନକୁ ଅଲଗା କରିଥାଏ । ପିଏଲଏ ଏକ ବୟାନରେ କହିଛି ଯେ ଜଏଣ୍ଟ ସ୍ୱର୍ଡ ଅଭ୍ୟାସ ରାଷ୍ଟ୍ରୀୟ ସାର୍ବଭମୌତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ରକ୍ଷା ପାଇଁ ଜରୁରୀ ଅଟେ । ସେହିପରି ତାଇୱାନ ସେନା କହିଛି ଯେ ମିସାଇଲ ରକ୍ଷା ପ୍ରଣାଳୀକୁ ସକ୍ରିୟ କରି ଦିଆଯାଇଛି ଏବଂ ଚାଇନିଜ୍ ବିମାନକୁ ଚିହ୍ନଟ କରିବା ପାଇଁ ଆକାଶ ଏବଂ ସମୁଦ୍ରୀ ପେଟ୍ରୋଲିଂ ଦଳକୁ ପଠାଯାଇଛି ।

 

ରାଜଧାନୀରେ ଛାତ ଉପରେ ଲାଗି ପାରିବନି ହୋର୍ଡିଂ

ଭୁବନେଶ୍ବର: ବିଏମସିର ଚରମ ନିଷ୍ପତ୍ତି । ଏଣିକି ରାଜଧାନୀର କୌଣସି ଛାତ ଉପରେ ରହିବନି ହୋର୍ଡିଂ । ହୋର୍ଡିଂ ହଟାଇବା ବିଏମସି ପୂର୍ବରୁ ଅନେକ ଥର ନୋଟିସ ଜାରି କରିଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରିନି । ଫଳରେ ଅସୁରକ୍ଷିତ ହୋର୍ଡ଼ିଂକୁ ନେଇ ଲୋକଙ୍କ ମଧ୍ୟରେ ଲାଗି ରହିଥିଲା ଅସନ୍ତୋଷ । ବେନିୟମ ହୋର୍ଡିଂ ଯୋଗୁଁ ବିଏମସିକୁ ମଧ୍ୟ ରାଜସ୍ୱ କ୍ଷତି ସହିବାକୁ ପଡୁଥିଲା । ବିଳମ୍ବରେ ହେଲେ ବି ପଦକ୍ଷେପ ନେଇଛି ବିଏମସି । ହୋର୍ଡିଂ ହଟାଇବା ନେଇ ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି ଦାୟିତ୍ୱ ।

ବିଳମ୍ବରେ ହେଲେ ବି ବିଏମସିକୁ ଘାରିଲା ରାଜଧାନିବାସୀଙ୍କ ସୁରକ୍ଷା ଚିନ୍ତା । ଛାତ ଉପରୁ ହଟିବ ବେନିୟମ ତଥା ଅସୁରକ୍ଷିତ ହୋର୍ଡିଂ । ବେନିୟମ ହୋର୍ଡିଂ ଯୋଗୁଁ ବଦନାମ ସହିତ ରାଜସ୍ବ କ୍ଷତି ସହୁଥିଲା ବିଏମସି । ଶେଷ ହୋଇଛି ହୋର୍ଡିଂ ହଟାଇବା ନେଇ ବିଏମସି ଦେଇଥିବା ଅବଧି ।

ସ୍ମାର୍ଟସିଟି ଭୁବନେଶ୍ୱରର ଅଧିକାଂଶ ଘରର ଛାତ ଉପରେ ଠିଆ ହୋଇଛି ବଡ଼ ବଡ଼ ହୋର୍ଡିଂ ବା ବିଜ୍ଞାପନ। ବହୁ ପୁରୁଣା ଘରର ଛାତ ଉପରେ, ଜନଗହଳି ପୂର୍ଣ ସ୍ଥାନରେ ଲୁହାର ଫ୍ରେମରେ ନିର୍ମାଣ ଏସବୁ ହୋର୍ଡିଂ ବିପଦପୂର୍ଣ୍ଣ । ଯେକୌଣସି ମୁହୂର୍ତ୍ତରେ କିଛି ବି ଅଘଟଣ ଘଟିପାରେ । ବେନିୟମ ତଥା ଅସୁରକ୍ଷିତ ଅବସ୍ଥାରେ ଥିବା ହୋର୍ଡିଂ ଯୋଗୁଁ ବିଏମସି ରାଜସ୍ୱ ମଧ୍ୟ ହରାଉଛି । ପୂର୍ବରୁ ହୋର୍ଡିଂ ହଟାଇବା ନେଇ ବିଜ୍ଞାପନ ସଂସ୍ଥା ଓ ସମ୍ପୃକ୍ତ ଗୃହ ମାଲିକଙ୍କୁ ନୋଟିସ ଦେଇଥିଲା ବିଏମସି । ନୋଟିସ ଅବଧି ଶେଷ ପରେ ଏବେ ଆକ୍ସନ ମୋଡ଼ରେ କର୍ତ୍ତୃପକ୍ଷ । ଏକ ଘରୋଇ ସଂସ୍ଥାକୁ ହୋର୍ଡିଂ ହଟାଇବା ପାଇଁ ନିୟୋଜିତ କରାଯାଇ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

ବିଏମସିର ରାଜସ୍ବ ଆୟର ଅନ୍ୟତମ ପ୍ରମୁଖ ଉତ୍ସ ହେଉଛି ହୋର୍ଡିଂ। ତେବେ ବିନିୟମ ହୋର୍ଡିଂରୁ ବିଏମସିକୁ ଟଙ୍କାଟିଏ ଆୟ ହେବା ତ ଦୂରର କଥା ବରଂ ବେଶୀ ବଦନାମ ହେବାକୁ ପଡୁଛି । ଲୋକଙ୍କ ଦାବି ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ମେୟର ଓ କମିଶନର ନେଇଥିବା ପଦକ୍ଷେପକୁ ସ୍ୱାଗତ କରିଛନ୍ତି କର୍ପୋରେଟର ଓ ବୁଦ୍ଧିଜୀବୀ । ତେବେ ପୂର୍ବ ଭଳି କେବଳ ନୋଟିସ ଜାରି କରି ଚୁପ ନବସି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି ।

କେବଳ ହୋର୍ଡିଂ ନୁହେଁ ବରଂ ଘର ଛାତ ଉପରେ ଥିବା ବେନିୟମ ଟାୱାର, ରାସ୍ତାକଡ଼ ଗଛ, ବିଦ୍ୟୁତ ଖୁଣ୍ଟ ଓ ପ୍ରାଚୀରରେ ଲାଗୁଥିବା ବିଜ୍ଞାପନ ପୋଷ୍ଟର ଉପରେ ମଧ୍ୟ ପଡିଛି ବିଏମସିର ନାଲି ଆଖି । ଯାହା ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଛି ।

ଓଡ଼ିଶାରେ ହେବ ଜିମ୍ନାଷ୍ଟିକ୍ ହାଇପରଫରମାନ୍ସ ସେଣ୍ଟର, ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ସହ ଏମଓୟୁ

ଭୁବନେଶ୍ବର: ଓଡ଼ିଶାରେ ହେବ ଜିମ୍ନାଷ୍ଟିକ୍ ହାଇପରଫରମାନ୍ସ ସେଣ୍ଟର । କ୍ରୀଡ଼ା ବିଭାଗ ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ମଧ୍ୟରେ ହେଲା ବୁଝାମଣା ପତ୍ର ସ୍ବାକ୍ଷର । ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ପ୍ରତିଷ୍ଠା କରିବ ଜିମ୍ନାଷ୍ଟିକ୍ ହାଇପରଫରମାନ୍ସ ସେଣ୍ଟର । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଅବସରରେ ଆର୍ସେଲର ମିତ୍ତର ନିପ୍ପନ ଷ୍ଟିଲ ଅଧିକାରୀଙ୍କ ସହ ଏନେଇ ଆଲୋଚନା ହୋଇଛି ।  ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି ।

ବିଶ୍ବସ୍ତରୀୟ ସ୍ପୋର୍ଟ୍ସ ସେଣ୍ଟର ଭବିଷ୍ୟତରେ ଜିମ୍ନାଷ୍ଟିକ କ୍ଷେତ୍ର ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ । ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଉପରେ ଥିବା ଫୋକସକୁ ନେଇ ଆଲୋଚନା କରିଥିଲେ । ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ଷ୍ଟାଡିୟମ ବିଷୟରେ ମଧ୍ୟ କହିଥିଲେ । ଯାହା ରେକର୍ଡ ସମୟ ୧୫ ମାସ ମଧ୍ୟରେ ତିଆରି ହୋଇଥିଲା । କିଛିଦିନ ତଳେ କୋୟଟୋର ଦୋଶିସା ବିଶ୍ବବିଦ୍ୟାଳୟର ଏକ ପ୍ରତିନିଧି ଦଳ କିଟ୍‌ ବିଶ୍ବବିଦ୍ୟାଳୟ ଆସିଥିଲେ । ସେମାନେ ଓଡ଼ିଶା ଆସି ଏଠାରେ ଅନେକ ସମ୍ଭାବନାର ସୁଯୋଗ ଦେଖିବାକୁ ପାଇଥିଲେ । କ୍ରୀଡା  ଓ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟରେ ଏଭଳି ପ୍ରତିନିଧି ଦଳ ଓଡ଼ିଶା ଆସି ସମ୍ଭାବନା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଓ ଜାପାନ ମଧ୍ୟରେ ସମ୍ପର୍କର ନୂଆ ଦିଗ ପ୍ରତି ଦୃଷ୍ଟି ଦେବାକୁ ଅପିଲ କରିଥିଲେ ନବୀନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତରେ ନିବେଶ ପ୍ରସ୍ତାବ ଆସୁଥିବା ବେଳେ ଓଡ଼ିଶା ବିକାଶର ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ଆଇଟି ଓ ଆଇଟିଏସ୍ କ୍ଷେତ୍ରରେ ରାଜ୍ୟରେ ଥିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଫୁଜି ସଫ୍ଟ ଗ୍ରୁପ୍ ଭୁବନେଶ୍ବରରେ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଖୋଲିବାକୁ ପ୍ରସ୍ତାବ ଦେଇଛି । ରାଜ୍ୟର ଦକ୍ଷତା ବିକାଶ ପଦକ୍ଷେପକୁ ଧ୍ୟାନରେ ରଖି ନିଟକଲ OUTR ସହିତ ମିଳିତ ଭାବେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବ । ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆର ଲଜିଷ୍ଟିକ୍ ଏବଂ ଷ୍ଟୋରେଜରେ ନିବେଶ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ପ୍ରସ୍ତାବ ଦେଇଛନ୍ତି ।

NYK ଲାଇନ୍ସ ଗ୍ରୀନ୍ ଆମୋନିୟା ପରିବହନ ପାଇଁ ପାରାଦୀପ, ଗୋପାଳପୁର, ଧାମରାରେ ନିବେଶ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛି । ଏହି ଅବସରରେ ଓଡ଼ିଶାରେ ଥିବା ବନ୍ଦରରେ ବର୍ତ୍ତମାନ ଥିବା ବ୍ୟବସ୍ଥା ଓ ଦକ୍ଷତା ସମ୍ପର୍କରେ ଆଲୋଚନା ହୋଇଛି । ଗ୍ରୀନ ଆମୋନିଆ ଓ ହାଇଡ୍ରୋଜେନ ଟ୍ୟାଙ୍କ ଏବଂ ଷ୍ଟୋରେଜ ଫେସିଲିଟି ପାଇଁ ସୁମିଟୋମୋ କର୍ପୋରେସନ ମଧ୍ୟ ନିବେଶ କରିବାକୁ ପ୍ରସ୍ତାବ ଦେଇଛି । ସେମାନେ ଗୋପାଳପୁରରେ ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ନିବେଶର ରୋଡମ୍ୟାପ ଦେଖେଇବା ସହ ହେବାକୁ ଥିବା ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସମର୍ଥନ ରହିବ ବୋଲି କହିଛନ୍ତି ।

ପର୍ଯ୍ୟଟନ ଶିଳ୍ପ, ବୌଦ୍ଧ ଧର୍ମଭିତ୍ତିକ ଇକୋଟୁରିଜିମ କ୍ଷେତ୍ରର ବିକାଶ ଉପରେ ଜାପାନ ପ୍ରତିନିଧିଙ୍କ ସହ  ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟତଃ ଜାପାନ-ଓଡିଶା ମଧ୍ୟରେ ସାଂସ୍କୃତିକ ଓ ବାଣିଜ୍ୟିକ ସଂପର୍କକୁ ଅଧିକ ସୁଦୃଢ କରିବା ପାଇଁ  ଆଲୋଚନା କରାଯାଇଛି ।