ବାହୁଡ଼ା ଯାତ୍ରା: ଶୂନ୍ୟ ପହଣ୍ଡିରେ ରଥରେ ବିଜେ କଲେ ମା’ ସୁଭଦ୍ରା

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ତିନିରଥ । ବାହୁଡ଼ା ଯାତ୍ରା ଅବସରରେ ବଡ଼ ଠାକୁରଙ୍କ ପହଣ୍ଡି ପରେ ଆରମ୍ଭ ହୋଇଛି ଦେବୀ ମା’ ସୁଭଦ୍ରାଙ୍କ ପହଣ୍ଡି ବିଜେ । ଶୂନ୍ୟ ପହଣ୍ଡିରେ ରଥରେ ବିଜେ କରିଛନ୍ତି ମା’ ସୁଭଦ୍ରା । ଦେବୀ ମା’ ସୁଭଦ୍ରାଙ୍କ ପହଣ୍ଡି ପରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ ।

ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଆଇନ ଶୃଙ୍ଖଳା, ଟ୍ରାଫିକ ଓ ଶୃଙ୍ଖଳିତ ରଥଟଣା ଉପରେ ଫୋକସ କରାଯାଇଛି । ସ୍ବତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ଆପଣାଯାଇଛି । ଜରୁରୀକାଳୀନ ସେବା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା ହୋଇଛି । ସୁନାବେଶରେ ମଧ୍ୟ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ବ୍ୟାରିକେଡ୍ ଆଦିର ବ୍ୟବସ୍ଥା କରାଯିବ ।