spot_img
Home Blog Page 3244

ନକଲି ସାର୍ଟିଫିକେଟ୍ କାରବାର ମାମଲାରେ ଛାନବିନ୍, ୩ ସନ୍ଦିଗ୍ଧଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର: ବଲାଙ୍ଗୀର ଫେକ୍ ସାର୍ଟିଫିକେଟ୍ ମାମଲାରେ ଛାନବିନ୍ । ରାକେଟରେ ସାମିଲ ଥିବା ୩ ଜଣ ସନ୍ଦୀଗ୍ଧଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ । ଆଗକୁ ଗିରଫଦାରୀ ସଂଖ୍ୟ ବଢ଼ିପାରେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି I ପୂର୍ବରୁ ମାଷ୍ଟରମାଇଣ୍ଡ ସହ ୪ ଜଣଙ୍କୁ ଗିରଫ କରାଯାଇଛି । ରିମାଣ୍ଡ ସମୟରେ ଅଭିଯୁକ୍ତଙ୍କଠାରୁ ସୁରାକ ପାଇବା ପରେ ତଦନ୍ତକୁ ଆହୁରୁ ବ୍ୟାପକ କରିଛି କ୍ରାଇମବ୍ରାଞ୍ଚ I

ତିନି ଦିନିଆ ରିମାଣ୍ଡରେ ଥିବା ୪ ଅଭିଯୁକ୍ତ ମଧ୍ୟରୁ ଆଲୋକ ଓ ତ୍ରିବିହାରୀ ଜେରା ବେଳେ କ୍ରାଇମବ୍ରାଞ୍ଚକୁ ଅନେକ ତଥ୍ୟ ଦେଇଛନ୍ତି I ଯାହାକୁ ନେଇ କ୍ରାଇମବ୍ରାଞ୍ଚ ସ୍କାନରରେ ପ୍ରାୟ ଦୁଇଶହ ବ୍ୟକ୍ତି ରହିଥିବା ଜଣାପଡ଼ିଛି I ଜାଲ ସାର୍ଟିଫିକେଟରେ ଚାକିରି ହାତେଇଥିବା ଲୋକଙ୍କ ଲିଷ୍ଟ ପ୍ରସ୍ତୁତ କରାଯାଇଛି I ଏଥିରେ କିଛି ସରକାରୀ ଚାକିରିଆ ବି ସାମିଲ ଅଛନ୍ତି I ଜାଲ ସାର୍ଟିଫିକେଟ ରାକେଟରେ ଥିବା ମନୋଜର ସହଯୋଗୀକୁ ମଧ୍ୟ ଚିହ୍ନଟ କରାଯାଇଛି I ଜାଲ ସାର୍ଟିଫିକେଟ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ଆଲୋକ ଉଦଗାତା, ତ୍ରିବିହାରି ପଣ୍ଡା ଓ ପରେସ ବୁଡେକକୁ ରିମାଣ୍ଡରେ ନେଇ ଅଧିକ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ I

 

 

EMIରେ ମିଳୁଛି ଆମ୍ବ, କିସ୍ତିରେ ଟଙ୍କା ଦେଇ ପ୍ରିମିୟମ ଆମ୍ବ ଖାଉଛନ୍ତି ମାୟାନଗରୀ ବାସିନ୍ଦା

ମୁମ୍ବାଇ: EMIରେ ମିଳୁଛି ଆମ୍ବ । କିସ୍ତିରେ ଟଙ୍କା ଦେଇ ପ୍ରିମିୟମ ଆମ୍ବ ଖାଉଛନ୍ତି ମାୟାନଗରୀ ବାସିନ୍ଦା । କଥାରେ ଅଛି ଫଳ ଭିତରେ ରାଜା ହେଉଛି ଆମ୍ବ । ହେଲେ କିସ୍ତିରେ ଟଙ୍କା ଦେଇ ଆମ୍ବ କିଣିବା ଗୋଟେ ଅଜବ କଥା । ପ୍ରିମିୟମ ଆମ୍ବର ଦାମ୍ ଅଧିକ ରହିଥିବାରୁ ଦୋକାନୀ ଏହାକୁ EMIରେ ବିକ୍ରି କରୁଥିବା ଦେଖାଯାଇଛି । ମାୟାନଗରୀ ମୁମ୍ବାଇରେ ଏହି ଘଟଣା ସାମ୍ନାକୁ ଆସିଛି । ଔଷଧୀୟ ଗୁଣ, ନିଆରା ସ୍ବାଦ ପାଇଁ ବିଶ୍ବରେ ପ୍ରସିଦ୍ଧ ଅଲଫାନସୋ ଆମ୍ବ ବା ହାପୁସ ଆମ୍ବକୁ କିସ୍ତିରେ ଟଙ୍କା ଦେଇ କିଣୁଛନ୍ତି ଗ୍ରାହକ ।

କରୋନା ପରେ ବହୁମୂଲ୍ୟ ଏହି ଆମ୍ବ କିଣିବାକୁ ଗ୍ରାହକ ଇଚ୍ଛା କରୁନଥିବାରୁ ଏଥର ଦୋକାନୀମାନେ ଇଏମଆଇ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଡଜନ ଆମ୍ବର ମୂଲ୍ୟ ୬ ଶହରୁ ୧୩ ଶହ ମଧ୍ୟରେ ରହିଛି । ଉଭୟ କ୍ରେଡିଟ୍ ଓ ଡେବିଟ୍ କାର୍ଡରେ ଇଏମଆଇ ଯୋଗେ ଆମ୍ବ ବିକ୍ରି ପାଇଁ ମାର୍କେଟିଂ ଆରମ୍ଭ ହୋଇଛି । ଫଳରେ ଗ୍ରାହକ ମଧ୍ୟ କିସ୍ତିରେ ଆମ୍ବ କିଣିବାକୁ ପସନ୍ଦ କରୁଥିବା ଜଣେ ଦୋକାନୀ କହିଛନ୍ତି ।

ଚନ୍ଦ୍ରଶେଖରପୁର ପୋଲିସକୁ ବଡ଼ ସଫଳତା, ୧୨ ଘଣ୍ଟାରେ ଲୁଟେରାଙ୍କୁ ଧରିଲା ପୋଲିସ୍

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ସଫଳତା । ଲୁଟର ୧୨ ଘଣ୍ଟା ମଧ୍ୟରେ ଲୁଟେରାଙ୍କୁ ଧରିଲା ପୋଲିସ । ଗତକାଲି ଆପୋଲୋ ବିହାର ପ୍ଲଟ ନମ୍ବର ୭ରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିକ୍ରମ ବର୍ମାଙ୍କ ଘର ଝରକା ତାଡ଼ି ସୁନା ଓ ଟଙ୍କା ଲୁଟିଥିଲେ ଲୁଟେରା । ସିସିଟିଭି ଫୁଟେଜ ଆଧାରରେ ୩ ଜଣଙ୍କୁ ଗିରଫ କରିବା ସହ ଲୁଟ୍ ହୋଇଥିବା ସୁନା ଓ ଟଙ୍କା ଜବତ କରିଛି ପୋଲିସ ।

ପୁଣି ଥରେ ଉପରମୁହାଁ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଦେଶରେ ୫ ହଜାର ୩୫୭ ନୂଆ କେସ୍

ନୂଆଦିଲ୍ଲୀ: ପୁଣି ଥରେ ଉପରମୁହାଁ ହୋଇଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ଦେଶରେ ୫ ହଜାର ୩୫୭ ନୂଆ କେସ୍ ଚିହ୍ନଟ ହୋଇଛି । ଅଧିକାଂଶ ରାଜ୍ୟରେ କେସ୍ ବଢ଼ୁଥିବା ବେଳେ କିଛି ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସତର୍କ ରହିବା ସହ କୋଭିଡ୍ ପ୍ରୋଟୋକଲ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କରାଯାଇଥିବା ବେଳେ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମକଡ୍ରିଲ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ।

ଆସନ୍ତା ସୋମବାର ଓ ମଙ୍ଗଳବାର ସାରା ଦେଶରେ ମକଡ୍ରିଲ କରାଯିବ । ଓମିକ୍ରମ ସବଭାରିଆଣ୍ଟ XBB1କୁ ନେଇ ସତର୍କ ରହିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଥିବା ବେଳେ ଏହି ଭୂତାଣୁ ଅଧିକ କ୍ଷତିକାରକ ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି । ସେପଟେ ହରିୟାଣା, କେରଳ ଓ ପୁଡୁଚେରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଦିଲ୍ଲୀର ସମସ୍ତ ହସ୍ପିଟାଲ, କ୍ଲିନିକକୁ କରୋନା ଟେଷ୍ଟିଂକୁ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ପାଉନାହାନ୍ତି ବିରୋଧୀ, ଦ୍ବନ୍ଦରେ ବିଜେପି ଓ କଂଗ୍ରେସ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ପାଉନାହାନ୍ତି ବିରୋଧୀ । କାହାକୁ ପ୍ରାର୍ଥୀ କରିବେ ସେନେଇ ଦ୍ବନ୍ଦରେ ପଡ଼ିଛନ୍ତି । ଶାସକ ଦଳଠୁ ଏକଦମ୍ ପଛରେ ପଡ଼ିଯାଇଛନ୍ତି କଂଗ୍ରେସ ଓ ବିଜେପି । ବିଜେଡି ବିରୋଧରେ କାହାକୁ ପ୍ରାର୍ଥୀ କରିବେ ସେନେଇ ଜାରି ରଖିଛନ୍ତି କସରତ । ବିଜେପି କାହା ଉପରେ ଭରସା କରିପାରୁନଥିବାବେଳେ କଂଗ୍ରେସ ମଧ୍ୟ ନିଷ୍ପତ୍ତି ନେଇପାରୁନି । ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଁ ମଝିରେ ଆଉ ତିନିଦିନ ରହିଛି । ଏଭଳି ସ୍ଥଳେ ପ୍ରାର୍ଥୀ ଦେବା ନେଇ ଉଭୟ ବିରୋଧୀ ଦଳଙ୍କ ଟେନସନ ବଢ଼ିଛି ।

ଅନ୍ୟପଟେ ବହୁ ଆଗୁଆ ପ୍ରାର୍ଥୀ ଦେଇ ବିଜେଡି ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲାଣି । ଗ୍ରାଉଣ୍ଡରେ ଲୋକଙ୍କ ପାଖକୁ ଯାଇ ରାଜ୍ୟ ସରକାରଙ୍କ ବିକାଶ ସହିତ ସ୍ବର୍ଗତ ନବ କିଶୋର ଦାସ କରିଥିବା ଉନ୍ନତିମୂଳକ କାର୍ଯ୍ୟକୁ ଆଧାର କରି ପ୍ରଚାର ଆରମ୍ଭ କରିଛନ୍ତି ଦୀପାଳି ଦାସ । ବଡ଼ ବ୍ୟବଧାନରେ ବିଜୟୀ ହେବାକୁ ଦଳ ରଣନୀତି କରିଛି । ୧୨ ଜଣ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି । ପଦମପୁର ପରି ଝାରସୁଗୁଡ଼ାର ଗ୍ରାଉଣ୍ଡରେ ଲୋକଙ୍କ ପାଖରେ ପହଞ୍ଚି ବୃହତ ବ୍ୟବଧାନରେ ବିଜୟ ପାଇଁ ପଥ ପ୍ରସ୍ତତ ହୋଇଛି । ଉପନିର୍ବାଚନ ଫଳାଫଳ ଏକପାଖିଆ ହେବ ବୋଲି ବିଜେଡି ଦାବି କରିଛି ।

ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ, ୧୦ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ଅପରାହ୍ନ ୧ଟା ୩୦ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ ପ୍ରାୟ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତରେ ଥିବାରୁ ସେଠାରୁ ଭର୍ଚ୍ଚୁଆଲ ମୋଡରେ ଯୋଗଦେଇ ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକରେ ରାଜ୍ୟରେ ପୁଞ୍ଜିନିବେଶ ନେଇ କିଛି କମ୍ପାନୀର ଆବେଦନକୁ ମଞ୍ଜୁରୀ, କିଛି ନୀତିଗତ ନିଷ୍ପତ୍ତି ଉପରେ ବାଜିପାରେ କ୍ୟାବିନେଟ୍‌ ମୋହର । ତେବେ ବୈଠକର ଏଜେଣ୍ଡା ସମ୍ପର୍କରେ କିଛି ବିଧିବଦ୍ଧ ସୂଚନା ମିଳିନାହିଁ।

ଢେଙ୍କାନାଳ ଷ୍ଟେସନ ବଜାରରେ ସେକ୍ସ ରାକେଟ୍ ଠାବ

ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଷ୍ଟେସନ ବଜାରରେ ଥିବା ଏକ ଘରେ ସେକ୍ସ ସ୍କାଣ୍ଡାଲ ଚାଲୁଥିବା ଖବର ପାଇ ଚଢ଼ାଉ କରିଛି ପୋଲିସ । ୨ ଜଣ ଦେହଜୀବୀଙ୍କୁ ଧରିଛି ପୋଲିସ । ଦେହଜୀବୀଙ୍କୁ ଆଣିଥିବା ଦଲାଲ ତଥା ଘର ମାଲିକ ଶିବାଜି ମହାନ୍ତିକୁ ଗିରଫ କରିଛି ପୋଲିସ । ପୂର୍ବରୁ ଶିବାଜି ଓ ତାଙ୍କ ସ୍ତ୍ରୀ ଦେହଜୀବୀ ବେପାରରେ ଗିରଫ ହୋଇ ଜେଲ ଯାଇଥିଲେ। ଜେଲରୁ ମୁକୁଳିବାର କିଛି ଦିନ ପରେ ପୁଣି ବେପାର ଆରମ୍ଭ କରିଦେଇଥିଲେ।

ବୌଦ୍ଧ ଉପକାରାଗାରରେ ଝୁଲିପଡ଼ିଲେ କଏଦୀ

ବୌଦ୍ଧ: ବୌଦ୍ଧ ଉପକାରାଗାରରେ ଝୁଲିପଡ଼ିଲେ କଏଦୀ । ଗାଧୁଆ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବୌଦ୍ଧ ଉପକାରାଗାରରେ ଆଜୀବନ ସଜା କଟୁଥିଲେ କଏଦୀ । ମୃତକ ହେଲେ ବାଉଁଶୁଣି ଥାନା ଜମଘାଟିର ରବୀନ୍ଦ୍ର ମେହେର । ୨୦୧୫ରେ ଏକ ହତ୍ୟାକାଣ୍ଡରେ ରବୀନ୍ଦ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୨୦୧୭ରେ ଅଦାଲତ ରବୀନ୍ଦ୍ରଙ୍କୁ ଆଜୀବନ ସଜା ଶୁଣାଇଥିଲେ । ଆଜି ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେଲରୁ ଶବ ବ୍ୟବଚ୍ଛେଦ ପାଇଁ ନିଆଯିବ ।

ଏଥର କଲବଲ କରିବ ଖରା, ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଏଣିକି ବର୍ଷା ନୁହେଁ । ଡହ ଡହ ଖରାରେ କଲବଲ ହେବ ଓଡ଼ିଶା । ଆସନ୍ତା ୩ ଦିନ ଯାଏ ରାଜ୍ୟରେ ଲଗାତାର ବଢ଼ିବ ତାପମାତ୍ରା । ଅଧିକାଂଶ ସ୍ଥାନରେ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବ ପାରା । କିଛି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଖରା ସହିତ ଅପରାହ୍ମରେ କାଳବୈଶାଖୀ ବର୍ଷା ହେବ । ଏଥିପାଇଁ ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବ ।

ଅନ୍ୟପକ୍ଷରେ ୧୧ ତାରିଖରୁ ପାଗରେ ଆସିବ ପରିବର୍ତ୍ତନ । କାଳବୈଶାଖୀ ପ୍ରଭାବ କମିବା ସହିତ ପଶ୍ଚିମରୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରଭାବିତ ହେବ । ଫଳରେ ତାପମାତ୍ରାରେ ଅହେତୁକ ବୃଦ୍ଧି ହେବ । ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ବଢ଼ିବ ପାରା । କିଛି ସ୍ଥାନରେ ପାରଦ ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ।

ଆଜି ଭାରତ ଆସୁଛନ୍ତି ୟୁକ୍ରେନ ଅତିରିକ୍ତ ବିଦେଶ ମନ୍ତ୍ରୀ, ସମର୍ଥନ ପାଇଁ କରିପାରନ୍ତି ନିବେଦନ

ନୂଆଦିଲ୍ଲୀ: ଆଜିଠୁ ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ୟୁକ୍ରେନର ଅତିରିକ୍ତ ବିଦେଶ ମନ୍ତ୍ରୀ ଏମିନି ଡିଜାପୋର୍ଭା । ଋଷ ଓ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନର କୌଣସି ମନ୍ତ୍ରୀ ପ୍ରଥମ ଥର ପାଇଁ ଭାରତ ଆସୁଛନ୍ତି । ଏମିନି ଏହି ଗସ୍ତ ସମୟରେ ଭାରତର ବୈଦେଶିକ ମନ୍ତ୍ରାଳୟ ସହ ବ୍ୟାପକ ଆଲୋଚନା କରିବେ ବୋଲି ସ୍ପଷ୍ଟ ହୋଇଛି । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁକ୍ରେନ୍ ଯିବା ପାଇଁ ନିମନ୍ତ୍ରଣ କରିବେ ବୋଲି ଜଣାପଡ଼ିଛି । ଭାରତ ଓ ୟୁକ୍ରେନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଓ ବିଶ୍ବ ସମସ୍ୟା ନେଇ ଆଲୋଚନା ହେବ ।

ଋଷର ଆକ୍ରମଣ ଯୋଗୁଁ ୟୁକ୍ରେନର ହୋଇଥିବା କ୍ଷତି ସମ୍ପର୍କରେ ସବିଶେଷ ତଥ୍ୟ ଦେବେ ଏମିନି । ଗତବର୍ଷ ଭାରତ ସରକାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା କରିଥିଲେ । ଯୁଦ୍ଧ ସମୟରେ କୌଣସି ସହାୟତାର ଆବଶ୍ୟକ ପଡ଼ିଲେ ସହାୟତା ଦିଆଯିବ ବୋଲି ଭାରତ ସରକାର କହିଥିଲେ । ଭାରତ ଋଷ ଓ ୟୁକ୍ରେନରୁ ସମଦୂରତା ରକ୍ଷା କରୁଥିବା ବେଳେ ୟୁକ୍ରେନ ପ୍ରତି ଯଥେଷ୍ଟ ସମର୍ଥନ ପାଇଁ ଏମିନି ନିବେଦନ କରିପାରନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଋଷର ଆକ୍ରମଣକୁ ଭାରତ ନିନ୍ଦା କରିନଥିବା ବେଳେ ୟୁକ୍ରେନ କୂଟନୈତିକ ପ୍ରସ୍ତାବ ରଖିପାରେ ବୋଲି ବୈଦେଶିକ ବିଶେଷଜ୍ଞ ଅନୁମାନ କରିଛନ୍ତି ।